Breaking News

ସାତ୍ ସୱାଲ୍: ବିନା ଝଗଡ଼ାରେ ସଂପର୍କ ନାହିଁ

ପ୍ରଯୋଜକ ଅନାମ ଚରଣ ସାହୁ, ଲେଖକ ଡକ୍ଟର ରଜନୀରଞ୍ଜନ ଓ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ମୋତେ ସିନେମାରେ ଅଭିନେତା ହେବାର ସୁଯୋଗ ଦେଇଛନ୍ତି। ସେମାନେ ମୋତେ ଡାକି ‘ମନ ମୋର ପ୍ରଜାପତି’ରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ।

ବନ୍ଦନା ମିଶ୍ର୍ର

ଆଲ୍‌ବମ୍‌ରୁ ସିନେମାକୁ କେମିତି ଆସିଲେ? କିପରି ମିଳିଲା ସୁଯୋଗ?
ପ୍ରଯୋଜକ ଅନାମ ଚରଣ ସାହୁ, ଲେଖକ ଡକ୍ଟର ରଜନୀରଞ୍ଜନ ଓ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ମୋତେ ସିନେମାରେ ଅଭିନେତା ହେବାର ସୁଯୋଗ ଦେଇଛନ୍ତି। ସେମାନେ ମୋତେ ଡାକି ‘ମନ ମୋର ପ୍ରଜାପତି’ରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ତା’ପର ଠାରୁ ମୋର ଯାତ୍ରା ଜାରି ରହିଛି।

ଆପଣଙ୍କୁ ରିୟାଲିଟି ସୋ’ରେ ବିଚାରପତି ଭାବେ ଦେଖିବାକୁ ମିଳୁଛି। କେତେକ ସୋ’ରେ ପ୍ରତିଯୋଗୀମାନଙ୍କୁ ଯେଭଳି ବ୍ୟଙ୍ଗ କରାଯାଉଛି, ତାହା କ’ଣ ଠିକ୍?
ସେପରି କେବେ ବି ହେବା ଉଚିତ ନୁହେଁ। ଯେଉଁ ବିଚାରପତିମାନେ ସେପରି କରିଛନ୍ତି ସେମାନଙ୍କୁ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଛି। ତେବେ ମୁଁ କାହାର ସ୍ବାଭିମାନ କ୍ଷୁଣ୍ଣ ହେବା ପରି କିଛି କହିନି କି କହିବି ନାହିଁ।

୨୦ଟି ଓଡ଼ିଆ ସିନେମାରେ କାମ କଲା ପରେ ବି ଆପଣ ଆଖିଦୃଶିଆ ସଫଳତା ପାଇନାହାନ୍ତି। କାରଣ କ’ଣ ବୋଲି ଭାବୁଛନ୍ତି?
ମୋ ଦର୍ଶକ ମୋତେ ଯେତିକି ଆପଣେଇଛନ୍ତି ମୁଁ ସେତିକିରେ ସନ୍ତୁଷ୍ଟ। ମୋର ବିଶ୍ବାସ, କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ଦ୍ବାରା କିଛି ବି ହାସଲ କରାଯାଇପାରେ। ମୁଁ ତ ସଂଘର୍ଷ କରୁଛି। ମୋର ପରିବାର, ବିଶେଷକରି ମୋ ପତ୍ନୀଙ୍କର ସମର୍ଥନ ରହିଛି। ଯେହେତୁ ବାପା ଆର୍ମିରେ ଥିଲେ ତେଣୁ ଜୀବନ ସହ କିପରି ଯୁଦ୍ଧ କରିବାକୁ ହୁଏ ତାହା ମୁଁ ପିଲାଦିନରୁ ଶିଖିଛି। ତାହାଛଡ଼ା ଗ୍ଲାମର୍ କ୍ଷେତ୍ରରେ ଭାଗ୍ୟର ବି ବିଶେଷ ଗୁରୁତ୍ବ ରହିଛି।

ପତ୍ନୀ ଆପଣଙ୍କୁ ଖୁବ୍ ସମର୍ଥନ ଦିଅନ୍ତି। ପ୍ରେମ ବିବାହ ବୋଧେ? ତାଙ୍କ ସହ ପ୍ରଥମେ କେଉଁଠି ଦେଖା ହୋଇଥିଲା?
କଲେଜ୍‌ରେ ପଢ଼ିବା ବେଳେ ମୋର ତାଙ୍କ ସହ ପ୍ରଥମେ ଦେଖା ହୋଇଥିଲା ଏବଂ ସେଠାରେ ହିଁ ପ୍ରେମ ହୋଇଥିଲା। ସେ ମୋର ୨ ବର୍ଷ ଜୁନିୟର୍ ଥିଲେ। ତା’ପରେ ଆମ ଦୁଇଜଣଙ୍କ ପରିବାର ମିଶି ପ୍ରେମକୁ ବିବାହର ରୂପ ଦେଲେ।

ପ୍ରେମ ବିବାହରେ ପ୍ରେମ ତ ଭରପୂର ଥାଏ। ମନୋମାଳିନ୍ୟ ଥାଏ ନା ନଥାଏ?
ନିଶ୍ଚୟ ଥାଏ। ମୁଁ ତ କହିବି ଯେଉଁ ସଂପର୍କରେ ଝଗଡ଼ା ନାହିଁ ତାହା ଅସଲ ସଂପର୍କ ନୁହେଁ। ସେପରି ବଡ଼ ଧରଣର ଝଗଡ଼ା ଆମର କେବେ ହୁଏନି।

ଯଦି କେବେ ଅଭିନୟ ଛାଡ଼ିବାର ପରିସ୍ଥିତି ଆସେ ତ ଆପଣ କେଉଁ ବୃତ୍ତି ଆପଣେଇବେ?
ଅଭିନୟ ଏକ ଚାକିରି ନୁହେଁ। ଚାକିରି ହୋଇଥିଲେ ଛାଡ଼ିବା କି ରଖିବା କଥା ଭାବିଥାନ୍ତି। ଏହା ଈଶ୍ବରଦତ୍ତ କଳା। ମହାପ୍ରଭୁ ଜଗନ୍ନାଥ ଯେହେତୁ ତାଙ୍କ କଳାରୁ ଟିକେ ମୋ ଦେହରେ ବୋଳିଛନ୍ତି ତ ଅଭିନୟ ମୋ ସହ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହିବ।

ଆପଣ ସୋସିଆଲ୍ ମିଡିଆରେ ପୂର୍ବରୁ ବହୁତ ସକ୍ରିୟ ଥିଲେ। ଏବେ ନିରବ କାହିଁକି?
ପୂର୍ବରୁ ନୂଆ ନୂଆ ବାହା ହୋଇଥିଲି, ପତ୍ନୀଙ୍କ ସହ ରିଲ୍‌ସ୍‌ କରି ଛାଡ଼ିବାକୁ ମଜା ଲାଗୁଥିଲା। ଏବେ ବାପା ହୋଇଗଲି। ମୋର ସବୁତକ ସମୟ ଏବେ ମୋ ପୁଅ ସହ ଖେଳି ଖେଳି ବିତିଯାଉଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.