Breaking News

ସାବଧାନ! ରାଜଧାନୀରେ ମାତିଛନ୍ତି ସିନ୍ଧିଚୋର, ତାଲା ଭାଙ୍ଗି ନେଇଗଲେ ୨୦ଲକ୍ଷର ଗହଣା

ପୁଲିସ ‌ଯେତେ ତତ୍ପର ହେଲେ ମଧ୍ୟ ଗୋଟିଏ ପରେ ଗୋଟିଏ ସିନ୍ଧିଚୋରି ଘଟଣା ପୁଲିସର ପାରିବା ପଣିଆକୁ ପଦାରେ ପକାଉଛି। କେବଳ ପୁଲିସ ପାଇଁ ଆହ୍ବାନ ହେଉନାହିଁ ବରଂ ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି।

ଭୁବନେଶ୍ବର: ପୁଲିସ ‌ଯେତେ ତତ୍ପର ହେଲେ ମଧ୍ୟ ଗୋଟିଏ ପରେ ଗୋଟିଏ ସିନ୍ଧିଚୋରି ଘଟଣା ପୁଲିସର ପାରିବା ପଣିଆକୁ ପଦାରେ ପକାଉଛି। କେବଳ ପୁଲିସ ପାଇଁ ଆହ୍ବାନ ହେଉନାହିଁ ବରଂ ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି। କମିସନରେଟ୍‌ ପୁଲିସର କଡ଼ା ପହରାକୁ ଚାଲେଞ୍ଜ ଦେଇ ଗତ ରାତି‌ରେ ନୂଆପଲ୍ଲୀ ଥାନା ପାଇକନଗରରେ ଏକ ବଡ଼ ଧରଣର ଚୋରି ହୋଇଛି। ଘରର ତାଲାଭାଙ୍ଗି ୨୦ଭରିରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଦୁର୍ବୃତ୍ତ ନେଇ ଯାଇଛନ୍ତି। ନିଳାଦ୍ରୀବିହାରୀ ସାହୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ ଓ ସନ୍ଧାନୀ କୁକୁର ଜରିଆରେ ଘଟଣାସ୍ଥଳରେ ଅନୁସନ୍ଧାନ କରିବା ସହ ସିସିଟିଭି ଫୁଟେଜ୍‌ ଆଧାରରେ ଚୋରଙ୍କୁ ଠାବ କରିବା‌କୁ ଉଦ୍ୟମ କରୁଛି।

ସୂଚନା ମୁତାବକ, କିଛିଦିନ ତଳେ ନୀଳାଦ୍ରିବିହାରୀଙ୍କ ପରିବାର ଲୋକ ସିରିଡ଼ି ଯାଇଥିଲେ। ଘରେ ବଡ଼ ବୋହୂ ରହୁଥିଲେ। ସେ ରବିବାର ରାତି ୧୦ଟା ବେଳେ ଘର ତାଲା ପକାଇ ବାପଘର ପଳାଇଥିଲେ। ଏହାର ସୁଯୋଗ ନେଇ ଲୁଟେରା ବିଳମ୍ବିତ ରାତିରେ ତାଲାଭାଙ୍ଗି ଘରେ ପଶିଥିଲେ। ଆଲମାରି ତାଡ଼ି ସୁନାଗହଣା ଓ ନଗଦ ଟଙ୍କା ନେଇ ଯାଇଥିଲେ। ଆଜି ସକାଳେ ବଡ଼ ବୋହୂ ଘରକୁ ଫେରିବା ବେଳକୁ ଘର ତାଲା ଭଙ୍ଗାଯାଇଥିବା ଓ ଆଲମାରୀ ଖୋଲା ଥିବା ଦେଖି ଶ୍ବଶୂରଙ୍କୁ ଜଣାଇଥିଲେ। ନୀଳାଦ୍ରି ପୁଲିସକୁ ଖବର ଦେଇଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଅନୁରୂପ ଢଙ୍ଗରେ ଉପକଣ୍ଠ ଓ ସହର ଭିତରେ ୪ଟି ସିନ୍ଧିଚୋରି ହୋଇଛି। କେଉଁଠି କେହି ରହୁନାହାନ୍ତି ତାହା ଚୋରମାନେ ନିୟମିତ ରେକି କରୁଛନ୍ତି। ଘର ତାଲା ପଡ଼ିବା ପରେ ବିଳମ୍ବିତ ରାତିରେ ଘରେ ପଶୁଛନ୍ତି।

ସାଧୁବିହାରରେ ବି ସୁନା ଗହଣା ଲୁଟ୍‌

ଧଉଳି: ପୁଣି ଉପକଣ୍ଠରେ ଘଟିଛି ସିନ୍ଧି ଚୋରି। ଧଉଳି ଥାନା ଅଧୀନ ସାଧୁ ବିହାର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବ୍ୟବସାୟୀ ବିଜୟ କୁମାର ସାହୁଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ। ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଧଉଳି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ବିଜୟ ଜଣେ ଅଖା ଓ ଟିଣ ଡବା ବ୍ୟବସାୟୀ। ଗତ ଦୁଇଦିନ ତଳେ ସେ ଏକ ଜରୁରୀ କ‌ାମରେ ନୟାଗଡ଼ ଯାଇଥିଲେ। ସେଠାରୁ ଫେରି ଆଜି ସକାଳେ ପତ୍ନୀ ଓ ନାବାଳକ ପୁଅ ସହିତ ଶ୍ବଶୁର ଘର ଡୁମୁଡୁମା ଯାଇଥିଲେ। ପଡ଼ୋଶୀଙ୍କ ଠାରୁ ଖବର ପାଇ ସେ ପୁଲିସକୁ ଖବର ଦେଇଥିଲେ। ଲୁଟେରାମାନେ ଘର ପଛ ବିଲପଟୁ ଆସି ପାଚେରି ଡେଇଁ ଭିତରେ ପଶିଥିଲେ।

ସାମନା ପଟ ଗ୍ରିଲ ଓ କବାଟ ତାଲା ଓ ଦୁଇଟି ରୁମର ତାଲା ଭାଙ୍ଗି ଆଲମିରାରେ ଥିବା ସୁନାଚେନ, ସୁନାମୁଦି, କାନଫୁଲ, ପାଉଁଜି, ପାଦ ମୁଦି, ଶଙ୍ଖା, ଚୂଡ଼ି ଓ ଅନ୍ୟାନ୍ୟ ସୁନାରୂପା ଅଳଙ୍କାର ନେଇ ଯାଇଥିଲେ। ଅଳଙ୍କାର ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ କହିଛି। ସିସିଟିଭି କ୍ୟାମେରା ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିବା ନେଇ ପୁଲିସ ଚେଷ୍ଟା ଚଳାଇଛି। ହେଲେ ଏଯାଏ ଲୁଟେରାଙ୍କ ଟେର ମିଳିପାରି ନାହିଁ। କିଛିମାସ ତଳେ ଏହି ଅଞ୍ଚଳରେ ଅନ୍ୟଜଣେ ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିଲା। ଗତ ୮ ତାରିଖ ରାତିରେ ସରଦେଈପୁର ସ୍ଥିତ ବାବୁଜୀ ହାଇଟ୍‌ସ ଆପାର୍ଟମେଣ୍ଟର ତୃତୀୟ ମହଲା ୩୦୪ ନମ୍ବର ଫ୍ଲାଟରେ ରହୁଥିବା ଘରୋଇ କଲେଜର କର୍ମଚାରୀ ବାଳକୃଷ୍ଣ ପାଣିଗ୍ରାହୀଙ୍କ ଘରୁ ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଥିଲା। ଏ ଘଟଣାରେ ମଧ୍ୟ ପୁଲିସ ହାତ ଖାଲି ରହିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.