Breaking News

ସାମାନ୍ୟ କଥନ: ଏକ ବହୁଭାଷୀ ଦେଶରେ ଭାଷା ସୂତ୍ର

ରାଜଭାଷା ଓ ରାଷ୍ଟ୍ରଭାଷା ମଧ୍ୟରେ ଅନ୍ତର ରହିଛି। ରାଜଭାଷା ରାଷ୍ଟ୍ରର ରାଜକାର୍ଯ୍ୟ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ; ରାଷ୍ଟ୍ରଭାଷା ହେଉଛି ରାଷ୍ଟ୍ର ଅର୍ଥାତ୍‌ ଲୋକସମୂହର ଆତ୍ମାର ଭାଷା। ଭାରତର ସଂବିଧାନ କୌଣସି ଭାଷାକୁ ରାଷ୍ଟ୍ରଭାଷା ବୋଲି କହେ ନାହିଁ।

ପ୍ରୀତୀଶ ଆଚାର୍ଯ୍ୟ

ରାଜଭାଷା ଓ ରାଷ୍ଟ୍ରଭାଷା ମଧ୍ୟରେ ଅନ୍ତର ରହିଛି। ରାଜଭାଷା ରାଷ୍ଟ୍ରର ରାଜକାର୍ଯ୍ୟ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ; ରାଷ୍ଟ୍ରଭାଷା ହେଉଛି ରାଷ୍ଟ୍ର ଅର୍ଥାତ୍‌ ଲୋକସମୂହର ଆତ୍ମାର ଭାଷା। ଭାରତର ସଂବିଧାନ କୌଣସି ଭାଷାକୁ ରାଷ୍ଟ୍ରଭାଷା ବୋଲି କହେ ନାହିଁ। ଇଂରେଜୀ ଓ ହିନ୍ଦୀକୁ ପ୍ରଶାସନିକ ପରିଚାଳନା ନିମନ୍ତେ ରାଜଭାଷା ବୋଲି ସ୍ବୀକୃତି ଦିଏ। ଅଷ୍ଟମ ସୂଚିରେ ରାଷ୍ଟ୍ରର ୨୨ଟି ଭାଷାକୁ ସ୍ଥାନୀତ କରାଯାଇଛି; ୧୯୫୦ରେ ଏହାର ସଂଖ୍ୟା ଥିଲା ୧୪; ୧୯୬୭ରୁ ପ୍ରଥମେ ସିନ୍ଧି ଓ ପରେ କୋଙ୍କଣି ଆଦି ଭାଷାକୁ ସାମିଲ କରାଗଲା। ୨୦୧୧ର ଜନଗଣନା ଅନୁଯାୟୀ, ଦେଶର ପାଖାପାଖି ୪୪% ଲୋକ ହିନ୍ଦୀ କହିପାରନ୍ତି; ବୁଝି ପାରୁଥିବା ଲୋକଙ୍କ ପ୍ରତିଶତ ନିଶ୍ଚିତ ରୂପେ ଏହା ଠାରୁ ଢେର ଅଧିକ। ସେହି ଆଧାରରେ ହିନ୍ଦୀର ରାଜଭାଷା ହେବା ଠିକ୍‌ କଥା। ସେହି ପରିସଂଖ୍ୟାନ ଅନୁସାରେ, ଦେଶରେ ଇଂରେଜୀ କହି-ବୁଝି ପାରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ଦଶ ପ୍ରତିଶତ। ମାତ୍ର ହିନ୍ଦୀର ପ୍ରଚଳନ ନ ଥିବା କ୍ଷେତ୍ରରେ ଓ ମୋଟ ଭାରତରେ ପ୍ରଶାସନିକ ସ୍ତରରେ ଇଂରେଜୀ ହିଁ ସଂପର୍କର ଭାଷା ରୂପେ କାମ କରେ। ତା’ର ଉଚ୍ଛେଦକୁ ହିନ୍ଦୀର ଆରୋପଣ (ଇମ୍ପୋଜିସନ୍) ବୋଲି ମନେ କରି ବିଶେଷ କରି ଦକ୍ଷିଣରେ ବିରୋଧ ହୁଏ। ଏହି କାରଣରୁ ଉଭୟ ହିନ୍ଦୀ ଓ ଇଂରେଜୀର ରାଜଭାଷା ରୂପରେ ଅବସ୍ଥାନ ଏକ ବ୍ୟାବହାରିକ ନିଷ୍ପତ୍ତି।
ଭାଷାର ଆରୋପଣ ଖୁବ୍ ବିପଜ୍ଜନକ ପରିଣାମ ସୃଷ୍ଟି କରିପାରେ। ଧର୍ମ ଆଧାରରେ ପାକିସ୍ତାନର ଗଠନ ଉତ୍ତାରୁ ସେଠାରେ ରାଷ୍ଟ୍ରଭାଷା ରୂ‌ପରେ ଉର୍ଦ୍ଦୁର ଆରୋପଣ ୧୯୭୧ରେ ଦେଶକୁ ଦୁଇ ଭାଗ କଲା, ବାଂଲାଦେଶର ଜନ୍ମ ହେଲା। ସମାନ ଧର୍ମ ଦୁଇ ଦେଶକୁ ଯୋଡ଼ି ପାରିଲା ନାହିଁ। ତେଣୁ, ମୋଟ ଭାରତରେ ହିନ୍ଦୀର ଆରୋପଣ ନିମନ୍ତେ କୌଣସି ପ୍ରକାର ଅପଚେଷ୍ଟା ହେବା ଅନୁଚିତ। ଅନ୍ୟଥା ଭାରତର ଆତ୍ମା ଦୋହଲିଯିବ। ବିଂଶ ଶତାବ୍ଦୀର ଦ୍ବିତୀୟ ଦଶନ୍ଧିରେ ସ୍ବାଧୀନତା ଆନ୍ଦୋଳନ ଦେଶୀୟ ଭାଷାଗୁଡ଼ିକର ମହତ୍ତ୍ବକୁ ବୁଝିପାରିଲା। ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଆରମ୍ଭ ହୋଇଥିବା ଓଡ଼ିଆ ଭାଷା ଆନ୍ଦୋଳନ ଏ ଦିଗରେ ତାକୁ ମାର୍ଗଦର୍ଶନ କଲା। ୧୯୧୯ରେ ହିନ୍ଦୁସ୍ତାନୀକୁ ଜାତୀୟ କଂଗ୍ରେସରେ ମହତ୍ତ୍ବ ମିଳିଲା, ଯାହା ଓଡ଼ିଆ ଭାଷା ଆନ୍ଦୋଳନ ନିମନ୍ତେ ରାଷ୍ଟ୍ରୀୟ ସ୍ବୀକୃତି ବୋଲି ସାବ୍ୟସ୍ତ ହେଲା। ସେହି ଆଧାରରେ ପ୍ରାଦେଶିକ କଂଗ୍ରେସର ଶାଖାମାନ ଭାଷା ଭିତ୍ତିରେ ଗଠିତ ହେଲେ। ଏହା ଓଡ଼ିଶାରେ ଏବଂ ମୋଟ ଭାରତରେ ସ୍ବାଧୀନତା ଆନ୍ଦୋଳନକୁ ଗଣାଭିମୁଖୀ କଲା। ଅନ୍ୟଥା ରାଷ୍ଟ୍ରୀୟତାର ଆନ୍ଦୋଳନ କତିପୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ବୋଧହୁଏ ସୀମିତ ରହିଥାନ୍ତା! ଏହି ପ୍ରକାରର ପୃଷ୍ଠଭୂମିରେ କୌଣସି ଶାସକବର୍ଗ ବହୁଭାଷୀ ଭାରତରେ ହିନ୍ଦୀ କିମ୍ବା ଅନ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ଭାଷାକୁ ଆରୋପିତ କରିବା କଥା କେବେ ଚିନ୍ତା କରିପାରିବେ ନାହିଁ ବୋଲି ମନେ ହୁଏ।
ଭାରତକୁ ବିଶ୍ବର ସବୁଠାରୁ ଅଧିକ ବହୁଭାଷୀ ରାଷ୍ଟ୍ର ବୋଲି କୁହାଯାଏ। ସେଗୁଡ଼ିକର ମୋଟ ସଂଖ୍ୟା ୭୦୦ରୁ ଅଧିକ। ଏହି ସଂଖ୍ୟା ଅାହୁରି ଅଧିକ ହେବ, ଯଦି ଭାଷା ମଧ୍ୟରେ ଥିବା ପାର୍ଥକ୍ୟ ନିରୂପଣ ବେଳେ ଆମେ ସାମାନ୍ୟ କୋହଳ ହୁଅନ୍ତି। ଅନ୍ତତଃ ୧୨୧ଟି ଭାଷାରେ ଉକ୍ତ ଭାଷାଭାଷୀ ଲୋକଙ୍କ ସଂଖ୍ୟା ଦଶ ହଜାରରୁ ଊଣା। ଅନେକ ଭାଷାର ଲିପି ନାହ‌ିଁ। ପୁଣି, ଆହୁରି ଅନେକ ଭାଷାର ଅନ୍ୟ ଏକ ପ୍ରମୁଖ ଭାଷା ସହିତ ଅନେକ ସାମଞ୍ଚସ୍ୟ ଥାଏ। ଉଦାହରଣ ସ୍ବରୂପ, ହିନ୍ଦୀର ଅବଧି, ହରିଆଣବୀ ସହିତ ଅନେକ ସାମଞ୍ଜସ୍ୟ। ମାତ୍ର ସେହି ଆଧାରରେ ସେସବୁ ଭାଷାକୁ ନ୍ୟୂନ ମନେ କରାଗଲେ, ତାହା ସମୟ କ୍ରମେ ସାଂଘାତିକ ଦୁଷ୍ପରିଣାମ ସୃଷ୍ଟି କରିବ। ସମାଜର ଭାବ ହିଁ ଭାଷା ଭିତ୍ତିକ ସଂହତି ରକ୍ଷାରେ ସହାୟକ ହୁଏ। ଭାଷାଗତ ବିବିଧତା ଭାରତୀୟ ସଭ୍ୟତାର ସଂପତ୍ତି।
ହିନ୍ଦୀର ଆରୋପଣ କରାଯିବାକୁ ନେଇ ଅନେକ ସମୟରେ ଅଭିଯୋଗ ହୁଏ। ଅଭିଯୋଗକାରୀ ସର୍ବଦା ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ହୋଇ ନ ପାରନ୍ତି, ଯଦିଓ କେତେକ ଅଭିଯୋଗକାରୀ ସେହି ଗୋଷ୍ଠୀର। ଅଭିଯୋଗ ପଛରେ ଏକ ସ୍ପଷ୍ଟ ଆଧାର ହେଲା ଏହା ଯେ ଅଣ-ହିନ୍ଦୀ କ୍ଷେତ୍ରରେ ‘ତ୍ରିଭାଷୀ’ ନିୟମର ଅନୁପାଳନ କରାଗଲା ବେଳେ, ହିନ୍ଦୀଭାଷୀ କ୍ଷେତ୍ରରେ ତା’ର ଘୋର ଅବହେଳନା କରାଯାଏ। ହିନ୍ଦୀ ଓ ଇଂରେଜୀ ସାଙ୍ଗରେ ତୃତୀୟ ଭାଷା ରୂପରେ ପାଠ୍ୟକ୍ରମରେ ସଂସ୍କୃତକୁ ବିଷୟ ରୂପରେ ରଖିଦିଆଯାଏ, ଯାହା ଏକ ନୂଆ ଭାଷା ଶିକ୍ଷା ବଦଳରେ ପରୀକ୍ଷ‌ାରେ ସହଜରେ ମାର୍କ ପାଇବାର ମାଧ୍ୟମ ହୁଏ। ଅନ୍ୟ ଉପରେ ହିନ୍ଦୀ ଭାଷାକୁ ଆରୋପଣ କରିବା ହିନ୍ଦୀଭାଷୀମାନଙ୍କ ଅହଂ ଭାବକୁ ଦର୍ଶାଏ। ଅନ୍ୟ ଭାଷାର ବ୍ୟବହାରକାରୀମାନଙ୍କ ମନରେ ଅହେତୁକ ନ୍ୟୂନ ଭାବ ସୃଷ୍ଟି କରେ।
ଭାଷା ସର୍ବଦା ଏକ ସ୍ପର୍ଶକାତର ପ୍ରସଙ୍ଗ। ତା’ର ଲିପି ନ ଥାଉ ପଛେ, ତାକୁ କହୁଥିବା ମୋଟ ଲୋକଙ୍କ ସଂଖ୍ୟା ଯେତେ ଊଣା ହେଉ ପଛେ, ତାକୁ ଆଉ ଏକ ଭାଷା ତୁଳନାରେ ନ୍ୟୂନ ମନେ କରାଯାଇ ନ ପାରେ। ଏହି କାରଣରୁ ଆମର ପୂର୍ବଜମାନେ ଭାଷାକୁ ମା’ ଓ ମାତୃଭୂମି ସଙ୍ଗେ ତୁଳନା କରିଛନ୍ତି। ଭାଷାଗୁଡ଼ିକ ମଧ୍ୟରେ ଯୋଗାଯୋଗ ବଢ଼ିଲେ, ସମାଜ ସଂହତିପୂର୍ଣ୍ଣ ହୁଏ, ସଭ୍ୟତା ସଂବୃଦ୍ଧି ଲାଭ କରେ। ପରସ୍ପର ଠାରୁ ଆହରଣ କଲେ ଭାଷା ଏବଂ ତାହାରି ମାଧ୍ୟମରେ ସଂସ୍କୃତି ବଳ ପାଏ। ତେଣୁ ଆରୋପଣ ଜରିଆରେ ନୁହେଁ, ବରଂ ଅଧିକରୁ ଅଧିକ ସମାବେଶୀ ହେଲେ ଯାଇ ରାଜଭାଷାରୁ ରାଷ୍ଟ୍ରଭାଷା ହେବା ଦିଗରେ ହିନ୍ଦୀର ସମ୍ଭାବନା ବଢ଼ିବ। ହିନ୍ଦୀର ହିନ୍ଦୁସ୍ତାନୀ ହେବାରେ ଏବଂ ହିନ୍ଦୁସ୍ତାନୀରେ କେବଳ ହିନ୍ଦୀ ଓ ଉର୍ଦ୍ଦୁ ନ ରଖି, ତହିଁରେ ଭାରତର ସମସ୍ତ ଭାଷାର ଅର୍ଥପୂର୍ଣ୍ଣ ପ୍ରତିଫଳନ ଦ୍ବାରା ତାହା ସମ୍ଭବ ହୋଇପାରେ; ଅନ୍ୟଥା ନୁ‌େହଁ।
(ମତାମତ ଲେଖକଙ୍କ ନିଜସ୍ବ)
pritishacharya63@gmail.com

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.