Breaking News

ସାମାନ୍ୟ କଥନ: କର୍ମ, ଅବସର ଓ ଜୀବନ

ଥରେ ଜଣେ ବନ୍ଧୁଙ୍କ ମଉସାଙ୍କ ସହ ଭେଟ ହେଲା। ‘ମଉସା’ ବୃଦ୍ଧ। ପରିବାର ସହ ଦିଲ୍ଲୀର କରୋଲବାଗରେ ରହନ୍ତି। ‘ମଉସା’ ଥିଲେ ଜଣେ ପୁରୁଣାକାଳିଆ ଦରଜି; ଆଗରୁ ତାଙ୍କ ଦୋକାନକୁ ସିଲେଇ ପାଇଁ ନୂଆ କପଡ଼ା ଆସୁଥିଲା।

ପ୍ରୀତୀଶ ଆଚାର୍ଯ୍ୟ

ଥରେ ଜଣେ ବନ୍ଧୁଙ୍କ ମଉସାଙ୍କ ସହ ଭେଟ ହେଲା। ‘ମଉସା’ ବୃଦ୍ଧ। ପରିବାର ସହ ଦିଲ୍ଲୀର କରୋଲବାଗରେ ରହନ୍ତି। ‘ମଉସା’ ଥିଲେ ଜଣେ ପୁରୁଣାକାଳିଆ ଦରଜି; ଆଗରୁ ତାଙ୍କ ଦୋକାନକୁ ସିଲେଇ ପାଇଁ ନୂଆ କପଡ଼ା ଆସୁଥିଲା। ଆଜିକାଲି କେବଳ ପୁରୁଣା କପଡ଼ା ମରାମତି ପାଇଁ ଆସେ। ଗ୍ରାହକ ସବୁ ଦିନମଜୁରିଆ ଶ୍ରେଣୀର, ନୋହିଲେ ତାଙ୍କ ଭଳି ପୁରୁଣାକାଳିଆ; ‘ମଉସା’ଙ୍କ ରୋଜଗାର ବି ଦିନ ମଜୁରିଆ ଠାରୁ ଅଧିକ ନୁହେଁ। ବୟସାଧିକ୍ୟ ଯୋଗୁଁ ପ୍ରତି ଦିନ ଘରୁ ଚାଲି ଚାଲି ଆସିବାର କଷ୍ଟ ସହନ୍ତି; ଦୋକାନ ଘରଟିକୁ ଖୋଲନ୍ତି; ସଫାସୁତୁରା କରି ବସନ୍ତି; କେବେ କେବେ କିଛି କାମ ମିଳେନା; ସଂଧ୍ୟାରେ ଦୋକାନ ବନ୍ଦ କରି ଫେରି ଯାଆନ୍ତି।
କରୋଲବାଗ ହେଲା ଦିଲ୍ଲୀର ଏକ ମୁଖ୍ୟ ବଜାର, ପେଣ୍ଠ ସ୍ଥଳ। ‘ମଉସା’ଙ୍କ ଦୋକାନ ଘର ମଝି ବଜାରରେ ଓ ତାହା ତାଙ୍କ ନିଜର, ଅର୍ଥାତ୍‌ ଭଡ଼ାର ନୁହେଁ। ଏବେ ସେ ତାକୁ ବିକି ଦେବେ କିମ୍ବା ଭଡ଼ାରେ ଦେବେ ଯଦି, ଖୁବ୍ ଟଙ୍କା ମିଳିବ। ସେଥି ପାଇଁ ଢେର ପ୍ରସ୍ତାବ ଆସେ; ‘ମଉସା’ ସେ ସବୁକୁ ନିଜ ସ୍ତରରେ ପ୍ରତ୍ୟାଖ୍ୟାନ କରିଦିଅନ୍ତି। ଏ ପଟେ, ଘରେ ପାରିଲା ପୁଅମାନେ କହନ୍ତି ଯେ ପଇସା ପ୍ରତି ସେମାନଙ୍କର ଲୋଭ ନାହିଁ, ହେଲେ ବାପାଙ୍କ ଏ ଅହେତୁକ ପରିଶ୍ରମ ପାଇଁ ସେମାନେ ଚିନ୍ତିତ। ପରିଣତ ବୟସରେ ‘ବାପା’ ଘରେ ଆରାମ କରିବା କଥା। ଦୋକାନକୁ ଯିବା-ଆସିବା ରାସ୍ତାରେ ସାଇକଲଟିଏ ଧକ୍‌କା ଦେଲେ ସେ ଉଠି ପାରିବେନି; ନୂଆ ସମସ୍ୟା ସୃଷ୍ଟି ହେବ। ଥଟ୍ଟା କରି କହନ୍ତି, ‘ବାପାଙ୍କ ପ୍ରତିଦିନର କାମ ହେଉଛି, ସକାଳୁ ଠିକ୍ ଟାଇମରେ ଦୋକାନ ଖୋଲିବା ଓ ସଂଧ୍ୟାରେ ବନ୍ଦ କରିବା’। ଏକ ସଂଭ୍ରାନ୍ତ ବଜାରରେ ଅପନ୍ତରା ଦୋକାନ ଘରଟି ଏକ ବିଲୁପ୍ତ-ପ୍ରାୟ ‘ପ୍ରାଣୀ’ ଭଳି। ତେଣୁ, ତାହା ନଜରରେ ବେଶୀ ପଡ଼େ; ଦୃଷ୍ଟିକଟୁ ମଧ୍ୟ ହୁଏ। ନିଜ ନିଜ ସ୍ତରରେ ପୁଅମାନେ ତହିଁରୁ ଦୂରେଇ ରହନ୍ତି। ସେମାନଙ୍କ ଆର୍ଥିକ ସଫଳତା ଆଗରେ ତାହା ହୁଏତ ଏକ ଅପବାଦ ବା ଦାଗ ଭଳି! ତେବେ, ଶେଷରେ, ‘ବିଲଡର୍‍’ର ପ୍ରରୋଚନା ଓ ପୁଅମାନଙ୍କର ପ୍ରବଳ ଚାପରେ ‘ବଜାର ଦର’ରେ ‘ମଉସା’ ବାଧ୍ୟ ହୋଇ ଦୋକାନ ଘରଟିକୁ ବିକ୍ରି କରିବାକୁ ରାଜି ହୁଅନ୍ତି। ହେଲେ ଏହା ତାଙ୍କ ସମସ୍ୟାର ପ୍ରତିକାର ହେଲା ନାହିଁ। ନୂଆ ସମସ୍ୟା ହେଲା, ଏବେ ସେ କରିବେ କ’ଣ? ସେହି ଚିନ୍ତାରେ ଦୋକାନ ଘର ବିକ୍ରିର ପର ଦିନ ପକ୍ଷାଘାତର ଶିକାର ହେଲେ; ଶଯ୍ୟାଶାୟୀ ହେଲେ; କିଛି ମାସ ପରେ ସେଇଥିରେ ତାଙ୍କ ଜୀବନ ଗଲା। ଦୋକାନ ବିକ୍ରି ପ୍ରକ୍ରିୟାର ପ୍ରାରମ୍ଭିକ ସମୟରେ ପ୍ରସଂଗଟିକୁ ନେଇ ‘ମଉସା’ ଓ ପୁଅମାନଙ୍କ ମଧ୍ୟରେ ଯେତେବେଳେ ତମ୍ବି-ତୋଫାନ ଚାଲିଥିଲା, ସେତିକି ବେଳେ ମୋର ତାଙ୍କ ସହ ଭେଟ ହୋଇଥିଲା। ଦୋକାନ ଘର ବିକ୍ରି ନ କରିବା ସକାଶେ ସେ ଏକା ଏକା ଅଭିମନ୍ୟୁ ଭଳି ପୂରା ପରିବାର ବିରୋଧରେ ଲଢୁଥିଲେ। ପରିଣାମ ସ୍ୱରୂପ, ପୁଅ ଓ ‘ବିଲଡର୍’ ବୟସର ପ୍ରତ୍ୟେକ ଆଗନ୍ତୁକ ତାଙ୍କୁ ‘ବିଲଡର୍’ ପ୍ରେରିତ ଜଣେ ଜଣେ ‘ଏଜେଣ୍ଟ’ ଭଳି ଲାଗୁଥିଲେ। ମୁଁ ବି ତହିଁରୁ ବାଦ ଯାଇ ନ ଥିଲି।
ଏଭଳି ଅନୁଭବର ଏକ ରକମର ପୁନରାବୃତ୍ତି ଦେଖିଥିଲି ଆମ ଘରେ, ଅନେକ ବର୍ଷ ଉତ୍ତାରୁ। ବାପା ଗାଁରେ ରହି ଚାଷ କରୁଥିଲେ। ସୁତରାଂ, କେତେଜଣ ମଜୁରିଆ, ଗାଈଗୋରୁ, ହଳ, ଲଂଗଳ, ଶଗଡ଼, କୋଡ଼ି, କୋଦାଳ ଥିଲେ ତାଙ୍କ ଘନିଷ୍ଠ ସହଯୋଗୀ। ସେହି ଚାଷ କରିବା ପ୍ରକ୍ରିୟାରେ ସେ ନିୟମିତ ଲେଖୁଥିଲେ, ବିଭିନ୍ନ ସାମଜିକ କାମରେ ସମ୍ପୃକ୍ତ ରହୁଥିଲେ; କୌଣସି ପାରିବାରିକ କାମ ମଧ୍ୟ ତାଙ୍କର ଅଣଦେଖା ହୋଇ ରହୁ ନ ଥିଲା। ଚଳଣି ଅତି ସାଧାରଣ। ଭୋଜନର ଅଭାବ ରହେନା; ଡାଲି, ଚାଉଳ, ଗୁଡ଼, ତେଲ, ପରିବା ଆଦି ସମସ୍ତ ଚାହିଦା କୃଷିରୁ ମିଳେ। ସେହି ଆଧାରରେ ଆମେ ଗାଁରେ ମଧ୍ୟ-ବର୍ଗୀ। କାରଣ କୃଷି-ମଜୁରିଆଙ୍କ ପାଇଁ ଏତିକି ସ୍ୱଚ୍ଛଳତା ସ୍ୱପ୍ନ। ଆମ ଘରେ ବଡ଼ ସମସ୍ୟା ହୁଏ ଟଙ୍କା। ସ୍କୁଲ ଫିଜ୍ ଦେବା ଲାଗି ଟଙ୍କାଟିଏ ମଧ୍ୟ ଯୋଗାଡ଼ କରିବା କାଠିକର ହୁଏ। ସମୟ କ୍ରମେ ଗାଁ ଚଳଣିରେ ମଧ୍ୟ ଟଙ୍କାର ଚାହିଦା ବଢ଼ିଲା; ସେହି ଅନୁପାତରେ କୃଷିଜାତ ଦ୍ରବ୍ୟ ଗୌଣ ହୋଇଗଲେ। ଶେଷରେ କୃଷି-ମଜୁରିଆ ମଧ୍ୟ ମଜୁରିରେ ଟଙ୍କା ଚାହିଁଲେ। ଗାଁର କୃଷି ଆଶ୍ରିତ ମଧ୍ୟ-ବର୍ଗ ‘ଗରିବ’ ହେଲେ। ଉପସ୍ଥିତ ଆହ୍ୱାନର ସାମ୍ନା କରିବାକୁ ଆମେ ପୁଅମାନେ ସହରକୁ ଯାଇ ରୋଜଗାର ଆରମ୍ଭ କଲେ। ଏଣିକି ଟଙ୍କାର ଅଭାବ ଦୂର ହେଲା। କିନ୍ତୁ ତା’ ସହିତ ଆମେ ବଜାର ଦର ସହିତ ବାପାଙ୍କ ଚାଷକୁ ତୁଳନା କରିବା ଆରମ୍ଭ କଲୁ। ଚାଷ ଏଭଳି କ୍ଷତିକର ଭଳି ଲାଗିଲା ଯେ ଚାଷକୁ ଭାଗରେ ଦେଇ ନିଜ ବାପାଙ୍କୁ ତାଙ୍କ ପରିଣତ ବୟସରେ ‘ଆରାମ’ କରିବାକୁ ଆମେ ‘ବୁଦ୍ଧି’ ଦେଲୁ। ଅଯଥାରେ ପରିବାରରେ ବୈମନସ୍ୟ ସୃଷ୍ଟି ନ ହେଉ ବୋଲି ବାପା ଜୋର କରି ମନା କରନ୍ତି ନାହିଁ; ହେଲେ ନଛୋଡ଼ବନ୍ଦା ଭଳି କ୍ଷତିକର ହେବା ସତ୍ତ୍ବେ ଚାଷକୁ ବି ଛାଡ଼ନ୍ତି ନାହିଁ। ଶେଷରେ, ସେ ଶଯ୍ୟାଶାୟୀ ହେଲେ, ବିଲକୁ ଯାଇପାରିଲେ ନାହିଁ, ହେଲେ ଚାଷରୁ ବି ଅବସର ନେଲେ ନାହିଁ; ଖଟରେ ପଡ଼ି ପଡ଼ି ମଲା ଯାଏ ମଜୁରିଆଙ୍କୁ ଧରି ଚାଷ କଲେ। ସେତେବେଳେ ଲାଗେ, ସମଗ୍ର ବିଲ, ଚାଷ, ଗାଈଗୋରୁ, କ୍ଷେତର ଗଛଲତା ତାଙ୍କ ନଖ ଦର୍ପଣରେ; ତାହା ଥିଲା ତାଙ୍କ ପ୍ରାଣଶକ୍ତି, ଆତ୍ମ-ନିୟୋଜନ।
ଜଣେ ଶିକ୍ଷକ, ଚାଷୀ, ମଜୁରିଆ, ଲେଖକ, ଅଧିକାରୀ- ଆମ ସମସ୍ତଙ୍କର ଅବସ୍ଥା ସେହି ବୃଦ୍ଧ ‘ମଉସା’ ବା ‘ବାପା’ଙ୍କ ଭଳି। ସରକାରୀ ସେବା-ନିବୃତ୍ତି ଆମକୁ କର୍ମ-ନିବୃତ୍ତ ରହିବାକୁ ବାଧ୍ୟ କରେ। ସେବା-ନିବୃତ୍ତିକୁ କର୍ମ-ନିବୃତ୍ତିରେ ରୂପାନ୍ତରିତ କରିବାକୁ ପରିବାର ଓ ଆଖପାଖର ପରିବେଶ ଅନେକ ସମୟରେ ଚାପ ମଧ୍ୟ ସୃଷ୍ଟି କରନ୍ତି। କିନ୍ତୁ ଏଭଳି ସ୍ଥିତିର ଔଚିତ୍ୟ ଅଛି କି? ଆଜିକାଲିର ସମୟରେ ଏହା ଅସ୍ୱାଭାବିକ ମଧ୍ୟ। କାରଣ ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନ ବିଜ୍ଞାନରେ ପ୍ରଗତି ଯୋଗୁଁ ବ୍ୟକ୍ତିର ହାରାହାରି ଜୀବନାବଧି ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ସେ ଯଦି ନିଜକୁ ‌େକୗଣସି କାର୍ଯ୍ୟରେ ନିୟୋଜିତ ନ କରିବ, ତେବେ ଶୂନ୍ୟ ସମୟ ତା’ ଲାଗି ଏକ ଅଭିଶାପ ଭଳି ହୋଇଯିବ। କର୍ମ-ନିବୃତ୍ତି ଭଳି ଅବସ୍ଥାରୁ ବାକି ଜୀବନ ଦୁର୍ବିଷହ ହୋଇପଡ଼ିବ। ତେଣୁ ମନେ ରଖିବାକୁ ହେବ ଯେ ‘କର୍ମ ନିବୃତ୍ତି’ ଆଦୌ ସ୍ପୃହଣୀୟ ନୁହେଁ। ଏବଂ ଏଭଳି ସ୍ଥଳେ ଜଣେ କରୁଥିବା କାର୍ଯ୍ୟଟି ଆର୍ଥିକ ଲାଭ-କ୍ଷତିର ଊର୍ଦ୍ଧ୍ବରେ ରହିବା ଉଚିତ। ଅନେକ ବ୍ୟକ୍ତି ଅବସର ପରେ ନିଜ କେତେକ ପସନ୍ଦମୂଳକ କାର୍ଯ୍ୟ କରିବାକୁ ଚାହୁଛନ୍ତି, ସେଥିରୁ ରୋଜଗାର ହେଉ ବା ନ ହେଉ। ହୁଏତ ବୃତ୍ତିରେ ଥିବା ବେଳେ ସେମାନେ ତାହା କରିବାର ସୁଯୋଗ ପାଇ ନ ଥିଲେ। ଜଣେ ଅବସରପ୍ରାପ୍ତ ବ୍ୟକ୍ତି ଯଦି ବିନା ପାଉଣାରେ ନିଜ ଆଖପାଖର ପିଲାମାନଙ୍କୁ ପାଠ ପଢ଼ାଇବାରେ ନିୟୋଜିତ ରହନ୍ତି ବା ଗାଁରେ ଲାଇବ୍ରେରିଟିଏ ତିଆରି କରି ତା’ର ପରିପାଳନର ଭାର ନିଅନ୍ତି; ତେବେ କ୍ଷତି କ’ଣ? ବରଂ ପରିବାରର ବୟୋବୃଦ୍ଧମାନେ ଯେଉଁ କାମରୁ ସନ୍ତୋଷ ପାଆନ୍ତି, ସେଥି ଲାଗି ପରିବେଶ ତିଆରି କରିବା ପରିବାରର ଅନ୍ୟ ସଦସ୍ୟମାନଙ୍କ ଦାୟିତ୍ବ ହେବା ଉଚିତ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.