ପ୍ରୀତୀଶ ଆଚାର୍ଯ୍ୟ

ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ପିଲା ସରକାରୀ ସ୍କୁଲରେ ଦାଖିଲା ନିଅନ୍ତି ଏବଂ ତହିଁରେ ଓଡ଼ିଆ ମାଧ୍ୟମରେ ପାଠପଢ଼ା ହୁଏ। ଉପାଧି ଶିକ୍ଷା ସ୍ତରରେ ଅନ୍ତତଃ କଳା ବିଷୟଗୁଡ଼ିକରେ ପିଲା ଓଡ଼ିଆ ମାଧ୍ୟମକୁ ଅଧିକ ପସନ୍ଦ କରନ୍ତି। ଏଣିକି ଡାକ୍ତରୀ ଓ ଇଞ୍ଜିନିଅରିଂ ଶିକ୍ଷାରେ ମଧ୍ୟ ଓଡ଼ିଆ ମାଧ୍ୟମ ହେବ ବୋଲି ନିକଟରେ ସରକାର ଘୋଷଣା କରିଛନ୍ତି। ମାତୃଭାଷାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଏହାକୁ ଏକ ବଡ଼ ପଦକ୍ଷେପ ଭାବରେ ଦେଖାଯାଉଛି। ମାତ୍ର ସତରେ କ’ଣ ଏହା ଓଡ଼ିଆ ଭାଷା-ସାହିତ୍ୟର ଭବିଷ୍ୟତକୁ ଅଧିକ ସୁଦୃଢ଼ କରିଛି ବା କରିବ?
ଏକଥା ଅନସ୍ବୀକାର୍ଯ୍ୟ ଯେ ସରକାରୀ ସ୍କୁଲରେ ଦାଖିଲା ପଛରେ ଓଡ଼ିଆ ମାଧ୍ୟମର ଆକର୍ଷଣ ଏକ ବଡ଼ କାରଣ ନୁହେଁ। ଘରୋଇ ସ୍କୁଲରେ ଦାଖିଲା ବ୍ୟୟବହୁଳ ହୋଇଥିବାରୁ ଓ ଗ୍ରାମାଞ୍ଚଳରେ ଘରୋଇ ସ୍କୁଲର ଅଭାବ ହେତୁ ଅଭିଭାବକ ନିଜ ପିଲାକୁ ସରକାରୀ ସ୍କୁଲରେ ଦାଖିଲା ଦିଅନ୍ତି। ଘରୋଇ ସ୍କୁଲର ବର୍ଦ୍ଧିଷ୍ଣୁ ଚାହିଦା ପଛରେ ଏକ ବଡ଼ କାରଣ ହେଲା ସେଠାକାର ଇଂରେଜୀ ମାଧ୍ୟମ! ଲୋକଙ୍କର ଅଭିଯୋଗ ଯେ ମାତୃଭାଷା ମାଧ୍ୟମରେ ଶିକ୍ଷାର ପ୍ରମୁଖ ପକ୍ଷଧରମାନେ ମଧ୍ୟ ସାମର୍ଥ୍ୟ ଓ ସୁଯୋଗ ଥିଲେ ନିଜ ପିଲାର ନାମ ଘରୋଇ ସ୍କୁଲରେ ଲେଖାନ୍ତି। ଏଭଳି ସମସ୍ୟାର ନିରାକରଣ ଲାଗି ଗୋଟାଏ ବିକଳ୍ପ ହେବ ସରକାରୀ ସ୍କୁଲରେ ତ୍ରିଭାଷୀ ଶିକ୍ଷାର ବ୍ୟବସ୍ଥା। ଫଳରେ ଓଡ଼ିଆ, ଇଂରେଜୀ ଓ ହିନ୍ଦୀକୁ ସମାନୁପାତରେ ମହତ୍ତ୍ବ ମିଳିବ। ଏହି ନିୟମକୁ ଘରୋଇ ସ୍କୁଲରେ ମଧ୍ୟ ଲାଗୁ କଲେ, ସେଠାରେ ଓଡ଼ିଆ ଅଧ୍ୟୟନକୁ ସମ୍ମାନ ମିଳିବ। ତ୍ରିଭାଷୀ ଶିକ୍ଷାକୁ ସଂବିଧାନ ମଧ୍ୟ ଜୋର ଦିଏ। କିନ୍ତୁ ତାକୁ ଲାଗୁ କରିବା ନଁାରେ ଉଭୟ ଘରୋଇ ଓ ସରକାରୀ ସ୍କୁଲରେ ସଂସ୍କୃତକୁ ଏକ ବିଷୟ ରୂପରେ ସ୍ଥାପିତ କରାଯାଏ। ଓଡ଼ିଶା ପରି ଏକ ଅଣହିନ୍ଦୀଭାଷୀ କ୍ଷେତ୍ରରେ ସରକାରୀ ସ୍କୁଲରେ ହିନ୍ଦୀ ଓ ଘରୋଇ ସ୍କୁଲରେ ଓଡ଼ିଆ ବିଷୟର ପ୍ରଚଳନ ଅଧିକ ବ୍ୟାବହାରିକ ଓ ଉପଯୋଗୀ ସିଦ୍ଧ ହେବ। ଇଂରେଜୀ ମାଧ୍ୟମ ସ୍କୁଲର ପିଲାଙ୍କର ଓଡ଼ିଆ ପ୍ରତି ନ୍ୟୂନ ଭାବ ଊଣା ହେବ ଏବଂ ସରକାରୀ ସ୍କୁଲ ପିଲାଙ୍କର ହିନ୍ଦୀରେ ଲେଖିବାର ଓ କହିବାର ଦକ୍ଷତା ବୃଦ୍ଧି ପାଇବ। ଫଳରେ ସେମାନେ ବାହାର ଦୁନିଆରେ ସ୍ବଚ୍ଛନ୍ଦ ଭାବେ ଚଳପ୍ରଚଳ କରିବେ! ସ୍କୁଲରେ ସଂସ୍କୃତ ପ୍ରତି ଆକର୍ଷଣ ବୃଦ୍ଧି ହେବା ପଛର କାରଣ ସଂସ୍କୃତ ଭଳି ଏକ ସଂବୃଦ୍ଧ ଭାଷା ସାହିତ୍ୟ ଅଧ୍ୟୟନ ପ୍ରାୟତଃ ହୋଇ ନ ଥାଏ, ବରଂ ପରୀକ୍ଷାରେ ସହଜରେ ଅଧିକ ନମ୍ବର ପ୍ରାପ୍ତିର ଲୋଭ ହିଁ ଏହାର କାରଣ ହୁଏ!
ଦଶମ ପାସ୍ ପିଲା ଯଦି ସ୍ଥାନୀୟତା ସଂଦର୍ଭରେ ମାତୃଭାଷା ଓଡ଼ିଆ, ରାଷ୍ଟ୍ରୀୟ ସ୍ତର ଲାଗି ହିନ୍ଦୀ ଓ ଇଂରେଜୀ ଭଳି ବିଶ୍ବସ୍ତରୀୟ ଭାଷାକୁ ଅନ୍ତତଃ ଲେଖିବାରେ ଓ ବୁଝିବାରେ ଆଶାନୁରୂପ ଦକ୍ଷତା ହାସଲ କରେ, ତା’ ପାଇଁ ବାହାର ଦୁନିଆ ଅବୋଧ୍ୟ ହେବନାହିଁ। ଇଂରେଜୀର ଅବହେଳନା ପରିବର୍ତ୍ତେ, ଓଡ଼ିଆ ସାଙ୍ଗରେ ତା’ର ପ୍ରଚଳନ ସମ୍ଭବତଃ ସରକାରୀ ସ୍କୁଲ ପ୍ରତି ଆସ୍ଥା ବୃଦ୍ଧି କରିବ ଓ ଇଂରେଜୀ ପ୍ରତି ଅଯଥା ମୋହରୁ ସୃଷ୍ଟ ଘରୋଇ ସ୍କୁଲ ପ୍ରତି ଆକର୍ଷଣକୁ ସୀମିତ କରିବ। ଏ ସବୁର ଆମ ପାଠ୍ୟକ୍ରମରେ ଉଲ୍ଲେଖ ରହିଛି; ସମସ୍ୟା ହୁଏ ତା’ର ଅନୁପାଳନରେ। ‌ଜଣେ ଶିକ୍ଷକ ଭାବରେ ମୋର ଧାରଣା ଓ ଅନୁମାନ ଯେ ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ମିଶି ତାକୁ ମନଯୋଗ ଦେଇ ପୂର୍ଣ୍ଣତଃ କାର୍ଯ୍ୟକାରୀ କଲେ ସ୍ଥିତି ସୁଧୁରିବ, ଯାହା ଆଖପାଖର ସ୍କୁଲକୁ ମଧ୍ୟ ଅନୁପ୍ରେରିତ କରିବ।
ମେଡିକାଲ୍ ଓ ଇଞ୍ଜିନିଅରିଂ ଶିକ୍ଷା ନିମନ୍ତେ ଓଡ଼ିଆକୁ ମାଧ୍ୟମ ଭାବରେ ଘୋଷଣା ଓ ତା’ର ଅନୁପାଳନ ମଧ୍ୟରେ ଘୋର ପାର୍ଥକ୍ୟ। ଅନୁପାଳନ ଲାଗି ପ୍ରଥମେ ଜ୍ଞାନ-ବିଷୟ ସମ୍ବନ୍ଧିତ ଉଚ୍ଚମାନର କିସମ କିସମର ପାଠ୍ୟ ସାମଗ୍ରୀମାନ ଉପଲବ୍‌ଧ ହେବା କଥା। ସର୍ବଭାରତୀୟ ସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଷୟ ରୂପରେ ହୁଏତ କେହି କେହି ଓଡ଼ିଆକୁ ବାଛୁଥିବେ, ମାତ୍ର ପରୀକ୍ଷାର ମାଧ୍ୟମ ରୂପରେ ତାକୁ ବାଛୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ନଗଣ୍ୟ ଓ ସଫଳ ପ୍ରାର୍ଥୀ ବିରଳ! ଏହାର କାରଣ ହେଲା ଓଡ଼ିଆ ମାଧ୍ୟମରେ ଆବଶ୍ୟକ ପାଠ୍ୟ ସାମଗ୍ରୀର ଅନୁପଲବ୍‌ଧତା। ଓଡ଼ିଆ ଭାଷା-ସାହିତ୍ୟର ସଂରକ୍ଷଣ ଓ ବିକାଶ ଆଗରେ ଆଜି ଏହା ହେବ ବୋଧହୁଏ ଅନ୍ୟତମ ପ୍ରମୁଖ ଆହ୍ବାନ!
ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଏଭଳି ଏକ ଆହ୍ବାନ ସଂକଟ ରୂପରେ ଓଡ଼ିଆକୁ ବିଲୁପ୍ତିର ଦ୍ବାରଦେଶରେ ପହଞ୍ଚାଇ ଦେଇଥିଲା। ଓଡ଼ିଆରେ ସ୍କୁଲ ପାଠ୍ୟପୁସ୍ତକର ଅନୁପଲବ୍‌ଧତାକୁ କାରଣ କରି ଓଡ଼ିଆ ସ୍ଥାନରେ ବଙ୍ଗଳାର ପ୍ରଚଳନ ଲାଗି ଯୁକ୍ତି କରାଯାଇଥିଲା। ଏହି ଆହ୍ବାନର ମୁକାବିଲା କରି ଓଡ଼ିଶାର ଆଧୁନିକ ବୌଦ୍ଧିକ ବର୍ଗ ପାଠ୍ୟପୁସ୍ତକ ରଚନାରେ ମନଯୋଗ ଦେଲେ; ଫକୀରମୋହନ ସ୍କୁଲ ପିଲାଙ୍କ ପାଇଁ ‘ଅଙ୍କମାଳା’ ଲେଖିଲେ ଓ ରାଧାନାଥ ରାୟ ‘‌ଭୂଗୋଳ’ ଏବଂ ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ଲେଖିଲେ। ଅନ୍ୟ ପାଠ୍ୟପୁସ୍ତକ ରଚୟିତାଙ୍କ ମଧ୍ୟରେ କର୍ମବୀର ଗୌରୀଶଙ୍କର ରାୟ ଓ ବିଚ୍ଛନ୍ଦଚରଣ ପଟ୍ଟନାୟକ ଅନ୍ୟତମ। ସାମନ୍ତ ଚନ୍ଦ୍ରଶେଖରଙ୍କ ଓଡ଼ିଆ ପଞ୍ଜିକା ମଧ୍ୟ ସେହି ସମୟର ସୃଷ୍ଟି। ସଂକଟରୁ ସୃଷ୍ଟ ସେହି ପାଠ୍ୟପୁସ୍ତକମାନ ଏତେ ମାତ୍ରାରେ ସୃଜନାତ୍ମକ ଯେ ଆଜି ମଧ୍ୟ ଅକ୍ଷର ଶିକ୍ଷା ଲାଗି ‘ବର୍ଣ୍ଣବୋଧ’ର ବିକଳ୍ପ ନାହିଁ। ସେମାନଙ୍କ ସାମୂହିକ ଉଦ୍ୟମ ଓଡ଼ିଆ ଭାଷା-ସାହିତ୍ୟକୁ ଜୀବନ ଦାନ କଲା। ଆଜିର ଆହ୍ବାନ ମଧ୍ୟ ଓଡ଼ିଆ ପାଇଁ ତଦ୍ରୂପ; ବୌଦ୍ଧିକ ବର୍ଗ ତାକୁ ଜାତିର ସଂକଟ ରୂପରେ ନ ଦେଖିବା ଯାଏ ଓଡ଼ିଶାରେ ଓଡ଼ିଆର ଭବିଷ୍ୟତ ଉଜ୍ଜ୍ବଳ ବୋଲି ବୋଧହୁଏ କହିହେବ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
pritishacharya63@gmail.com