Breaking News

ସାରା ସହର ଶୁନଶାନ୍‌: ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ବାତ୍ୟା ଦ୍ବାରା ବିଶେଷଭାବେ ପ୍ରଭାବିତ ହେଉଥିବା ଅଞ୍ଚଳ ଭିତରେ ଭୁବନେଶ୍ବର ନଥିଲେ ହେଁ ବାତ୍ୟା ଆସୁଥିବାର ଆତଙ୍କରେ ସହରରେ ଏକ ଅଦ୍ଭୁତ ସ୍ଥିତି ସୃଷ୍ଟି ହୋଇଥିଲା। ଦିନର ଅଧିକାଂଶ ସମୟରେ ରାଜଧାନୀର ଅଧିକାଂଶ ଅଞ୍ଚଳ ଶୁନ୍‌ଶାନ୍ ପାଲଟି ଯାଇଥିଲା।

0

ଭୁବନେଶ୍ବର: ବାତ୍ୟା ଦ୍ବାରା ବିଶେଷଭାବେ ପ୍ରଭାବିତ ହେଉଥିବା ଅଞ୍ଚଳ ଭିତରେ ଭୁବନେଶ୍ବର ନଥିଲେ ହେଁ ବାତ୍ୟା ଆସୁଥିବାର ଆତଙ୍କରେ ସହରରେ ଏକ ଅଦ୍ଭୁତ ସ୍ଥିତି ସୃଷ୍ଟି ହୋଇଥିଲା। ଦିନର ଅଧିକାଂଶ ସମୟରେ ରାଜଧାନୀର ଅଧିକାଂଶ ଅଞ୍ଚଳ ଶୁନ୍‌ଶାନ୍ ପାଲଟି ଯାଇଥିଲା। ସନ୍ଧ୍ୟା ଆସିବା ସହିତ ସ୍ଥିତି ଆହୁରି ଗମ୍ଭୀର ହୋଇ ଯାଇଥିଲା। ହାଟ, ବଜାରଠାରୁ ଆରମ୍ଭକରି ଡାକ୍ତରଖାନା, ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ ଓ ପର୍ଯ୍ୟଟନସ୍ଥଳୀ ଭଳି ସବୁଦିନ ଗହଳିରେ ଉଛୁଳି ପଡୁଥିବା ସ୍ଥାନଗୁଡ଼ିକ ଖାଁ ଖାଁ ପାଲଟି ଯାଇଥିଲା। ଅତି ଜରୁରି ନଥିଲେ କେହି ଘରୁ ବାହାରି ନଥିଲେ। ରାସ୍ତାରେ କଦବାକେମିତି ଗୋଟିଏ ଦୁଇଟି ଗାଡ଼ି ଦେଖାଯାଉଥିଲା। ଲୋକେ କହୁଥିଲେ- ବହୁଦିନ ପରେ ଲକ୍‌ଡାଉନ୍‌ ବେଳ ଭଳି ସହର ଜନଶୂନ୍ୟ ଦେଖାଯାଉଛି!

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ଆଖି ଆଗରେ ରଖି ବିଏମ୍‌ସି ପକ୍ଷରୁ ଖୋଲା ଯାଇଥିବା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷର ସ୍ଥିତି ଅନୁଧ୍ୟାନ କରିଛନ୍ତି ମେୟର ସୁଲୋଚନା ଦାସ। ବିଏମ୍‌ସି-ଆଇସିଓଏମ୍‌ସି ଟାଵାରର ପ୍ରଥମ ମହଲାରେ ଚାଲୁଥିବା ଏହି ନିୟନ୍ତ୍ରଣ କକ୍ଷକୁ ୩ ଜଣ ବରିଷ୍ଠ ଅଧିକାରୀ ତଦାରଖ କରୁଛନ୍ତି। ତିନିଟି ସିଫ୍ଟରେ ୬୬ ଜଣ କର୍ମଚାରୀ ଅଭିଯୋଗ ପଞ୍ଜୀକରଣ କରିବା ସହ ସମାଧାନ ପାଇଁ ଅଧିକାରୀଙ୍କୁ ଅବଗତ କରୁଛନ୍ତି। ୧୯୨୯କୁ କଲ୍‌ କଲେ ଏକା ଥରକେ ୧୨ ଜଣଙ୍କ ଫୋନ୍‌ ରିସିଭ୍‌ କରିହେଉଛି। ଆହୁରି ୩୦ଟି ଲାଇନ୍ ମଧ୍ୟ ପ୍ରସ୍ତୁତ ଅଛି। ଆବଶ୍ୟକ ପଡ଼ିଲେ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଏଠାରେ ଵାଟ୍‌କୋ, ଟିପିସିଓଡିଏଲ୍, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଅଗ୍ନିଶମ, କମିସନରରେଟ ପୁଲିସର ଅଧିକାରୀମାନେ ଜଗି ରହିଛନ୍ତି। ଅଭିଯୋଗ ଆସିବା କ୍ଷଣି ତୁରନ୍ତ ସମାଧାନ କରିବା ବ୍ୟବସ୍ଥା କରୁଛନ୍ତି। ଆଜି ଅପରାହ୍ନ ୩ଟା ଗଛକଟା ବାବଦରେ ୮୮, ବିଦ୍ୟୁତ ସଂପର୍କିତ ୭୧ଟି, ପରିମଳ ସଂପର୍କିତ ୩୭ଟି ଓ ଅନ୍ୟାନ୍ୟ ୨୪ଟି, ଏଭଳି ୨୨୦ ଟି ଅଭିଯୋଗ ଆସିଛି।

୧୦୯ ଆଶ୍ରୟସ୍ଥଳ, ସ୍ଥିତି ପରଖିଲେ ସଚିବ
ବୁଲା କୁକୁର ଓ ଗାଈ ଗୋରୁଙ୍କୁ ଖାଦ୍ୟ

ଭୁବନେଶ୍ବରରେ ବିଏମ୍‌ସି୧୦୯ଟି ଆଶ୍ରୟସ୍ଥଳି ପ୍ରସ୍ତୁତ କରିଛି। ପରିସ୍ଥିତିକୁ ଦେଖି ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ଵାର୍ଡସ୍ତରୀୟ ଟିମ୍ ଗଠନ କରାଯାଇଛି। କମିସନର ଓ ଅତିରିକ୍ତ କମିସନର ପ୍ରତ୍ୟକ୍ଷ ଭାବେ ଏହି କାର୍ଯ୍ୟର ତଦାରଖ କରୁଛନ୍ତି। ସ୍ବତନ୍ତ୍ର ବସ୍‌ ଯୋଗେ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ। ଆଶ୍ରୟସ୍ଥଳରେ ଯେଭଳି କୌଣସି ପ୍ରକାରର ମୌଳିକ ସୁବିଧା‌ ଉପଲବ୍ଧ କରାଇବାରେ ସମସ୍ୟା ନ ହୁଏ ସେଥିପାଇଁ କଡ଼ା ନଜର ରଖିବାକୁ ବିଏମ୍‌ସିକୁ ପରାମର୍ଶ ଦେଇଛନ୍ତି। ବିଏମ୍‌ସି ଓ ଅଗ୍ନିଶମ ବିଭାଗର ୬୫ଟି କଟର ସହ ଓଡ୍ରାଫର ଗଛକଟା ମେସିନ ମହଜୁଦ୍ ଅଛି। ୩୧ଟି ଜଳବନ୍ଦୀ ପ୍ରବଣ ଜାଗାରେ ପମ୍ପସେଟ୍ ରଖାଯାଇଛି। ନିରନ୍ତର ପାନୀୟ ଜଳ ଯୋଗାଣ ପାଇଁ ଵାଟ୍‌କୋ ପାଣି ପମ୍ପ ଓ ଜେନେରେଟର ପ୍ରସ୍ତୁତ ରଖିଛି। ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ଯୋଗାଯୋଗ ବିଚ୍ଛିନ୍ନ ହେଲେ ତୁରନ୍ତ ବିଜୁଳି ସଂଯୋଗ ପାଇଁ ବ୍ୟବସ୍ଥା କରାଯାଇଛି।

ଅଗ୍ନିଶମ ବିଭାଗ ପକ୍ଷରୁ ବିଏମ୍‌ସି ପାଇଁ ୭ଟି ଟିମ୍ ରହିଛନ୍ତି। ବୁଲା କୁକୁର ଓ ଗାଈଗୋରୁଙ୍କ ପାଇଁ ବିଏମ୍‌ସି ଖାଦ୍ୟ ବ୍ୟବସ୍ଥା କରିଛି। ଲୋକମାନେ ଭୟଭୀତ ନ ହୋଇ ଧର୍ଯ୍ୟର ସହ ବାତ୍ୟାର ମୁକାବିଲା କରିବା ପାଇଁ ନିବେଦନ କରିଛନ୍ତି ମେୟର ସୁଲୋଚନା ଦାସ ଓ କମିସନର ରାଜେଶ ପ୍ରଭାକର ପାଟିଲ। ଅନ୍ୟପଟେ ଏ ଯାବତ୍‌ ୧୧୦୦ ଲୋକଙ୍କୁ ତଳି ଅଞ୍ଚଳରୁ ଆଶ୍ରୟସ୍ଥଳକୁ ଅଣାଯାଇଛି। ରାତୁ ସୁଦ୍ଧା ୫ ହଜାର ଲୋକଙ୍କୁ ଆଣିବା ପାଇଁ ଯୋଜନା ଥିବା ସୂଚନା ଦେଇଛନ୍ତି ଜୋନାଲ କମିସନର କୈଳାସ ଚନ୍ଦ୍ର ଦାସ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.