ସାଲିଆସାହି ରୁଦ୍ର ମୃତ୍ୟୁ ମାମଲା: ବେକକୁ ଗାମୁଛାରେ ଭିଡ଼ି ମାରିଦେଲା ସାଙ୍ଗ
ସାଲିଆସାହି ରୁଦ୍ରମଣି ଡାକୁଆ(୨୫)ଙ୍କ ସନ୍ଦେହଜନକ ମୃତ୍ୟୁ ପଛର ପର୍ଦ୍ଦାଫାସ କରିଛି ମୈତ୍ରୀବିହାର ଥାନା ପୁଲିସ। ନିଜ ଗାଁର ପିଲାଦିନର ସାଙ୍ଗ ସ୍ବରାଜ ନାୟକ(୨୫) ଗାମୁଛାରେ ତଣ୍ଟିକୁ ଭିଡ଼ି ରୁଦ୍ରକୁ ହତ୍ୟା କରିଥିବା ନେଇ ନିଜେ ସ୍ବୀକାର କରିଛି।
ଭୁବନେଶ୍ବର: ସାଲିଆସାହି ରୁଦ୍ରମଣି ଡାକୁଆ(୨୫)ଙ୍କ ସନ୍ଦେହଜନକ ମୃତ୍ୟୁ ପଛର ପର୍ଦ୍ଦାଫାସ କରିଛି ମୈତ୍ରୀବିହାର ଥାନା ପୁଲିସ। ନିଜ ଗାଁର ପିଲାଦିନର ସାଙ୍ଗ ସ୍ବରାଜ ନାୟକ(୨୫) ଗାମୁଛାରେ ତଣ୍ଟିକୁ ଭିଡ଼ି ରୁଦ୍ରକୁ ହତ୍ୟା କରିଥିବା ନେଇ ନିଜେ ସ୍ବୀକାର କରିଛି। ଶବ ପଞ୍ଚନାମା ଓ ବ୍ୟବଚ୍ଛେଦ ବେଳେ ରୁଦ୍ରଙ୍କ ତଣ୍ଟିରେ ଦେଖିବାକୁ ମିଳିଥିବା ଦାଗ ହିଁ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି। ପୁଲିସର ଘନଘନ ଜେରା ପରେ ସ୍ବରାଜ ସବୁ ସତ ଉଗାରି ପକାଇଛି। ୬ମାସ ତଳେ ସେ ମାଡ଼ ଖାଇଥିବାର କାରଣ ପଛରେ ରୁଦ୍ରର ହାତ ଥିବା ଜାଣିବା ପରେ ସେ ଏହି ହତ୍ୟାକାଣ୍ଡ ଭିଆଇଛି ବୋଲି ମାନିଯାଇଛି। ଅନ୍ୟପକ୍ଷରେ ମଦ ନିଶାରେ ଚୁର୍ ହୋଇ ରୁଦ୍ର ୬ମାସ ତଳର ଗୁମର ଖୋଲିଦେବା ତା’ ନିଜ ପାଇଁ କାଳ ପାଲଟିଥିଲା ବୋଲି ଜଣାପଡ଼ିଛି। ଆଜି ପୁଲିସ ଘଟଣାସ୍ଥଳରୁ ଗାମୁଛା ଜବତ କରିବା ସହ ସ୍ବରାଜକୁ କୋର୍ଟ ଚାଲାଣ କରିଛି ଏବଂ ସେଠାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ଗଞ୍ଜାମ ଜିଲ୍ଲା ବ୍ରାହ୍ଣଣପଦର ଗାଁର ରୁଦ୍ରମଣି ଓ ସ୍ବରାଜ ସେମାନଙ୍କ ପରିବାର ସହ ସାଲିଆସାହିରେ ରହୁଥିଲେ। ରୁଦ୍ରମଣି ଗାଡ଼ି ଚଳାଉଥିବା ବେଳେ ସ୍ବରାଜ ରଙ୍ଗମିସ୍ତ୍ରି ଭାବେ କାମ କରୁଥିଲେ। ୬ମାସ ତଳେ ରୁଦ୍ର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀଙ୍କ ପରିବାର ଲୋକେ ରୁଦ୍ରକୁ ଧମକଚମକ ଦେଇ ପଚରାଉଚରା କରିଥିଲେ। ମାଡ଼ରୁ ବର୍ତ୍ତିବା ପାଇଁ ରୁଦ୍ର ବିକଳରେ ସ୍ବରାଜ ହିଁ ଯୁବତୀଙ୍କୁ ଭଲ ପାଉଛି ଏବଂ ସେ ସାଙ୍ଗ ହିସାବରେ କେବଳ ଘଟଣା ଜାଣିଛି ବୋଲି କହିଦେଇଥିଲା। ଯୁବତୀଙ୍କ ପରିବାର ଲୋକେ ଏହାକୁ ସତ ବୋଲି ଧରିନେଇଥିଲେ। ସେମାନେ ସ୍ବରାଜକୁ ଖୋଜିଖୋଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅତର୍କିତ ଭାବେ ନିର୍ଧୁମ୍ ମାଡ଼ ମାରି ଲହୁଲୁହାଣ କରିଥିଲେ ଏବଂ ତାଙ୍କ ଝିଅ ପିଛା ନ ଛାଡ଼ିଲେ, ହତ୍ୟା କରି ଫୋପାଡ଼ିଦେବେ ବୋଲି ଧମକ ଦେଇଥିଲେ। ସେତେବେଳେ ସ୍ବରାଜ କିଛି ବୁଝିପାରି ନଥିଲେ। ଯୁବତୀ କିଏ, ମାଡ଼ ମାରିଥିବା ବ୍ୟକ୍ତିମାନେ କିଏ, ସେ କିଛି ବୁଝିପାରି ନଥିଲେ। ଅଯଥାରେ ମାଡ଼ ଖାଇଥିବାରୁ ସ୍ବରାଜର ହୃଦୟକୁ ବେଶ୍ ବାଧିଥିଲା। କିନ୍ତୁ ଘଟଣା ପଛରେ କିଏ, ସେ ତାର ଟେର୍ ପାଇ ନଥିଲା। ଘଟଣା ଦିନ ଅର୍ଥାତ୍ ୬ ତାରିଖ ରାତିରେ ରୁଦ୍ର ଓ ସ୍ବରାଜ ଏକାଠି ମଦ ପିଇଥିଲେ। ମଦ ନିଶାରେ ଚୁର୍ ହୋଇଯାଇଥିଲା ରୁଦ୍ର। ହଠାତ୍ ତା’ ପାଟିରୁ ବାହାରି ଆସିଲା ୬ ମାସ ତଳେ ସ୍ବରାଜ ମାଡ଼ ଖାଇଥିବା ପଛର କାରଣ। ସେଦିନର ମାଡ଼ଖିଆ ଘଟଣାକୁ ନେଇ ଭିତରେ ଭିତରେ କୁହୁଳିଥିବା ସ୍ବରାଜ ରାଗରେ ଜଳିଉଠିଲା। ନିଜ ପିଲାଦିନର ସାଙ୍ଗ ହୋଇ ତାକୁ ଅଯଥାରେ ମାଡ଼ ଖୁଆଇଥିବା ଜାଣିବା ପରେ ତା’ ମନରେ ନିଆଁ ଲାଗିଯାଇଥିଲା। ସେତେବେଳକୁ ତାକୁ ବି ମଦ ନିଶା ଘାରିସାରିଥିଲା। ହଠାତ୍ ସେ ରୁଦ୍ରକୁ ଧକ୍କାଟିଏ ପକାଇଲା। ରୁଦ୍ର ତଳେ ପଡ଼ିଯିବା ପରେ ସ୍ବରାଜ ଗାମୁଛାରେ ତା’ ତଣ୍ଟିକୁ ଶକ୍ତ ଭାବେ ଭିଡ଼ି ଧରିଥିଲା। ରୁଦ୍ର ମରିଯିବା ଜାଣିବା ପରେ ତା’ ମୁଣ୍ଡରୁ ମଦ ନିଶା ଉତୁରି ଯାଇଥିଲା। ମଦ ନିଶାରେ ରୁଦ୍ର ମରିଯାଇଛି ବୋଲି ଯୋଜନା କରି ସେ ରୁଦ୍ରର ମା’ଙ୍କୁ ଡାକିଥିଲା। ଏମିତିକି ସେମାନଙ୍କ ସହ ମିଶି ରୁଦ୍ରକୁ ନେଇ କ୍ୟାପିଟାଲ୍ ହସ୍ପିଟାଲ୍କୁ ଯାଇଥିଲା। ମାତ୍ର ଶେଷରେ ତା’ର ଯୋଜନା ଫସର ଫାଟିଗଲା। ଆଇଆଇସି ରବିନାରାୟଣ ବେହେରା ପ୍ରଥମରୁ ତା’ ଉପରେ ସନ୍ଦେହ କରିଥିଲେ ଏବଂ ତାକୁ ଅଟକ ରଖି ପଚରାଉଚରା ଚଳାଇଥିଲେ।
ସୌଜନ୍ୟ-ସମ୍ୱାଦ
Comments are closed.