Breaking News

ସାହା ହୋଇଥା’ଲୋ ମାଆ: ଅଭୟ ବରଦାୟିନୀ ମା’ ବରଦେଇ, ସାତଭଉଣୀ

ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୁର ପଟିଆ ଅଞ୍ଚଳର ଚତୁଃପାର୍ଶ୍ବରେ ମା’ ସାତଭଉଣୀ, ମା’ ବରଦେଈ, ମା’ ଶିଖରଚଣ୍ଡୀ, ମା’ କନକଦୁର୍ଗା, ମା’ ପନିକୀପଟ୍ଟା ପୂଜା ପାଉଛନ୍ତି। ସମସ୍ତେ ଗ୍ରାମକୁ ସୁରକ୍ଷା ଦିଅନ୍ତି ବୋଲି ବିଶ୍ବାସ ରହିଛି।

ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ର‌ାକୃତିକ ବିପତ୍ତିଠାରୁ ରକ୍ଷା କରୁଛନ୍ତି। ଆସୁଥିବା ଅଦୃଶ୍ୟ ବିପତ୍ତି ଓ ଶତ୍ରୁମାନଙ୍କ ସହିତ ଲଢ଼େଇକରି ସେ ନିଜ ଗାଁକୁ ଘଣ୍ଟ ଘୋଡ଼େଇ ରଖନ୍ତି। ସବୁଠୁ ଉଲ୍ଲେଖନୀୟ, ଅଧିକାଂଶ ଗ୍ରାମଦେବତୀଙ୍କର ନାଁ ନିଚ୍ଛକ ଓଡ଼ିଆ ନାଁ- ଯେମିତିକି ସେ କାହିଁ କେ‌ତେ ପିଢ଼ି ଆଗରେ ପରିବାରର ଦାୟିତ୍ବ ନେଇଥିବା ଜଣେ ସାହସିନୀ, ଶକ୍ତିଶାଳୀ ଓଡ଼ିଆ ମା’! ଗ୍ରାମଦେବତୀଙ୍କ ପୂଜକ ବ୍ରାହ୍ମଣ ହେବା ନିହାତି ଆବଶ୍ୟକ ନୁହେଁ। ବିଧିବଦ୍ଧ ଗଢ଼ା ହୋଇଥିବା ଭାବେ ତାଙ୍କର ମୂର୍ତ୍ତି ବଦଳରେ କେବଳ କାଠ ବା ପଥର ରୂପରେ ସେ ବିଜେ କରିଥାଇ ପାରନ୍ତି। ପୁଣି ଗ୍ରାମବାସୀ ଖାଉଥିବା ଖାଦ୍ୟକୁ ସେ ଆନନ୍ଦର ସହ ଭୋଗଭାବେ ଗ୍ରହଣ କରନ୍ତି। ଏବେ ଏକ ଆଧୁନିକ ସହରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍‌, ମଲ୍‌ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା
ରିପୋର୍ଟ: ହରପ୍ରିୟା ପୃଷ୍ଟି, ଫଟୋ: ନରସିଂହ ପରିଡ଼ା

ଖଣ୍ଡଗିରି: ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୁର ପଟିଆ ଅଞ୍ଚଳର ଚତୁଃପାର୍ଶ୍ବରେ ମା’ ସାତଭଉଣୀ, ମା’ ବରଦେଈ, ମା’ ଶିଖରଚଣ୍ଡୀ, ମା’ କନକଦୁର୍ଗା, ମା’ ପନିକୀପଟ୍ଟା ପୂଜା ପାଉଛନ୍ତି। ସମସ୍ତେ ଗ୍ରାମକୁ ସୁରକ୍ଷା ଦିଅନ୍ତି ବୋଲି ବିଶ୍ବାସ ରହିଛି। ସହରୀକରଣ ଯୋଗୁ ପଟିଆ ଗାଁର ଶୋଭାରାଜି ବିଲୁପ୍ତ ହୋଇଛି ସିନା ହେଲେ ଗ୍ରାମବାସୀ ଆଜି ବି ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି। ମା’ ସାତଭଉଣୀ ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି। ଦେବୀ କେଉଁଠୁ ଆସି‌ଲେ? ତାଙ୍କୁ କିଏ ଆଣିଥିଲା? କେହି ଜାଣନ୍ତି ନାହିଁ। ବରିଷ୍ଠ ନାଗରିକମାନେ ଯାହା କୁହନ୍ତି ରାଜା ରାଜୁଡ଼ା ଅମଳରୁ ଏକ ବରଗଛ ମୂଳେ ମା’ ପୂଜା ପାଉଥିଲେ। ଗାଁରେ ଥିବା ବାରିକ ଘର ଏଠାରେ ମା’ଙ୍କୁ ପୂଜା କରନ୍ତି। ବାହାଘର, ବ୍ରତଘର ସହ ଅନ୍ୟ ସମସ୍ତ ଶୁଭ କାର୍ଯ୍ୟରେ ଗ୍ରାମବାସୀ ପ୍ରଥମେ ମା’ଙ୍କ ପୂଜା କରନ୍ତି। ଏହା ପରେ ଶୁଭ କାର୍ଯ୍ୟ କରାଯାଇଥାଏ। ମାଘ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏଠାରେ ଯଜ୍ଞ ହୁଏ। ଆଖପାଖ ଅଞ୍ଚଳ ସମେତ ବାହାର ଜିଲ୍ଲାରୁ ମଧ୍ୟ ବହୁ ଲୋକ ମା’ଙ୍କ ଦର୍ଶନ ପାଇଁ ଆସନ୍ତି। ବହୁ ବର୍ଷ ଧରି ବରଗଛ ମୂଳେ ପୂଜା ପାଇବା ପରେ ମା’ଙ୍କ ପାଇଁ ୩୦ ବର୍ଷ ତଳେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ଏବେ ଆଉ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ଯୋଜନା ହୋଇଛି। ଲୋକମାନଙ୍କର ମା’ଙ୍କ ଉପରେ ଅତୁଟ ବିଶ୍ବାସ ରହିଛି। ରୋଗ ବୈରାଗ ସମୟରେ ମା’ ହିଁ ସାହା ହୁଅନ୍ତି। ପୁରୁଣା କାଳରେ ମା’ ସ୍ବପ୍ନାଦେଶ କରୁଥିବା ଲୋକେ କହିଛନ୍ତି।

ଗ୍ରାମର ଅନ୍ୟ ପାର୍ଶ୍ବରେ ରାଜା ରାଜୁଡ଼ାଙ୍କ ସମୟରୁ ଗ୍ରାମଦେବତୀ ରୂପେ ମା’ବରଦେଇ ପୂଜା ପାଉଛନ୍ତି। ରାଜା ପାରିଧିକୁ ଯିବା ସମୟରେ ମା’ଙ୍କ ପୂଜାର୍ଚ୍ଚନା କରି ବାହାରୁଥିଲେ। ସେବେଠାରୁ ଲୋକେ ତାଙ୍କୁ ପ୍ରତ୍ୟେକ୍ଷ ଠାକୁରାଣୀ ଭାବେ ମାନନ୍ତି। ଶୁଭ ଫଳ ପାଇଁ ମା’ଙ୍କ ନିକଟରେ ଗ୍ରାମବାସୀ ମାନସିକ ରଖନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ଉପଲବ୍ଧ ନଥିବା ବେଳେ ଦୁରାରୋଗରୁ ଭଲ କରିବାକୁ ମା’ଙ୍କ ପାଖରେ ରୋଗୀ କିମ୍ବା ଓ ତାଙ୍କ ପରିଜନ ଅଧିଆ ପଡ଼ନ୍ତି। ଦୁର୍ଗାପୂଜା‌ ଓ ରଜ ସମୟରେ ମା’ଙ୍କ ନିକଟରେ ବଡ଼ ଉତ୍ସବ ଆୟୋଜନ ହୁଏ। ଗ୍ରାମବାସୀ କ୍ଷିତୀଭୂଷଣ ତ୍ରିପାଠୀ, ବିକ୍ରମ କେଶରୀ ପାଇକରାୟ, ମିହିର କୁମାର ରାଉତଙ୍କ କହିବା‌ କଥା, ଗ୍ରାମରେ କେବଳ ଏହି ୩ ଠାକୁରାଣୀ ନୁହନ୍ତି, ପ୍ରତି କୋଣ‌ରେ ଠାକୁରାଣୀ ଅଛନ୍ତି। ଗ୍ରାମର ଅନ୍ୟତମ ପ୍ରମୁଖ ଠାକୁରାଣୀ ହେଉଛନ୍ତି ମା’ କନକଦୁର୍ଗା। ମା’ଙ୍କ ନିକଟରେ ଷୋଡ଼ଶ ଉପଚାର ପୂଜା କରାଯାଏ। ଗୋଟିଏ ସମୟରେ ମା’ଙ୍କ ନିକଟରେ ବଳି ପ୍ରଥା ମଧ୍ୟ ରହିଥିଲା। ସମୟକ୍ରମେ ଏହା ବନ୍ଦ ହୋଇଯାଇଛି। ମା’ ପନିକୀପଟ୍ଟା ମଧ୍ୟ ଗ୍ରାମର ରକ୍ଷାକାରିଣୀ ‌ହୋଇ ଉଭା ହୋଇଥିବା ଲୋକେ କୁହନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.