Breaking News

ସାହା ହୋଇଥା’ଲୋ ମାଆ: ଡିହବାଲିଅନ୍ତା ଗ୍ରାମକୁ ଭରସା ମା’ ଚାଚଖାଇ

ବାଲିଅନ୍ତା ପଞ୍ଚାୟତ ଡିହବାଲିଅନ୍ତା ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ଚାଚଖାଇ ପୂଜା ପାଉଛନ୍ତି। ଦେବୀଙ୍କ ଆବିର୍ଭାବ ବିଷୟରେ ସମସ୍ତେ ଅଜ୍ଞ। ପୁରୁଖା ଲୋକେ ଏତିକି କହନ୍ତି, ପୂର୍ବେ ମା’ ଏକ ବିରାଟ ଆମ୍ବଗଛ ମୂଳେ ପୂଜା ପାଉଥିଲେ।

ଖଣ୍ଡଗିରି: ବାଲିଅନ୍ତା ପଞ୍ଚାୟତ ଡିହବାଲିଅନ୍ତା ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ଚାଚଖାଇ ପୂଜା ପାଉଛନ୍ତି। ଦେବୀଙ୍କ ଆବିର୍ଭାବ ବିଷୟରେ ସମସ୍ତେ ଅଜ୍ଞ। ପୁରୁଖା ଲୋକେ ଏତିକି କହନ୍ତି, ପୂର୍ବେ ମା’ ଏକ ବିରାଟ ଆମ୍ବଗଛ ମୂଳେ ପୂଜା ପାଉଥିଲେ। ମା’ଙ୍କ କୁନି ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ୨ଟି ପଥର ଭିତରେ ଛାଉଣି କରି ରଖାଯାଇଥିଲା। ସାହାଡ଼ା, ବର, ଓସ୍ତ, ଚାକୁଣ୍ଡା, ଜଙ୍ଗଲୀ ଫୁଲଗଛ, କଣ୍ଟେଇକୋଳି, ଖିରିକୋଳି ଗଛ ଠାକୁରାଣୀଙ୍କ ଆସ୍ଥାନ ଚାରିପଟେ ଥିଲା। କ୍ରମେ ଗ୍ରାମ ଆଡ଼କୁ ସହର ବଢ଼ିଲା। ଲୋକଙ୍କ ଚାଳଘର କୋଠାରେ ପରିଣତ ହେଲା। ତା’ପରେ ଗ୍ରାମର ରକ୍ଷାକାରିଣୀଙ୍କ ପାଇଁ ମନ୍ଦିର ନିର୍ମାଣ ଲାଗି ଗ୍ରାମବାସୀ ନିଷ୍ପତ୍ତି ନେଲେ। ସେହି ସମୟରେ ବାତ୍ୟାରେ ଗଛ ମଧ୍ୟ ଉପୁଡ଼ିଗଲା। ଗ୍ରାମବାସୀ ୨୦୦୦ ମସିହାରେ ଦେବୀଙ୍କ ପାଇଁ ନୂତନ ମନ୍ଦିର ନିର୍ମାଣ କଲେ। ଏବେ ଗାଁର ମୂଳ ବାସିନ୍ଦା ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। ଗ୍ରାମରେ କାହାର କିଛି ଜିନିଷ ହଜିଲେ କିମ୍ବା ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ଲୋକେ ମାନସିକ କରନ୍ତି। ପୂଜକ ସୂରଜ ନନ୍ଦନ ବାରିକ ମା’ଙ୍କ ନିତ୍ୟ ପୂଜା କରନ୍ତି। ଶୀତଳଷଷ୍ଠୀରେ ମା’ଙ୍କ ନିକଟରେ ତିନିଦିନ ଧରି ଯଜ୍ଞ ହୁଏ। ପଣା ସଂକ୍ରାନ୍ତିରେ ପଣାଲାଗି ହୁଏ। ଦଶହରାରେ ମା’ ଙ୍କର ଷୋଳପୂଜା ନୀତି ସାଙ୍ଗକୁ ଭୋଗ ବସେ। ଗ୍ରାମବାସୀଙ୍କ ମନସ୍କାମନା ପୂର୍ଣ୍ଣ ହେଲେ ଖୁସିରେ ମା’ଙ୍କ ମାଜଣା କରି ଭୋଗ ଦିଅନ୍ତି। ମା’ ଥିବାରୁ ଗ୍ରାମକୁ ବଡ଼ରୋଗ ପଶି ପାରେନି ବୋଲି ଗ୍ରାମ ମୁରବି ଜିତେନ୍ଦ୍ର ପାତ୍ର, ଜଗବନ୍ଧୁ ପରିଡ଼ା, ପ୍ରେମାନନ୍ଦ ପରିଡ଼ା, ସାଗର ପରିଡ଼ା କୁହନ୍ତି।

ରିପୋର୍ଟ: ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.