Breaking News

ସାହା ହୋଇଥା’ଲୋ ମାଆ: ପଟୁପଡ଼ାର ରକ୍ଷାକାରିଣୀ ମା’ ଭବାନୀ ଦେବୀ

ବାଲିଅନ୍ତା ବ୍ଲକ୍‌, ବଇଁଚୁଆ ପଞ୍ଚାୟତର ପଟୁପଡ଼ା ଗ୍ରାମରେ ୫୦ ବର୍ଷହେଲା ଗ୍ରାମଦେବତୀ ରୂପେ ମା’ ଭବାନୀ ଦେବୀ ପୂଜା ପାଉଛନ୍ତି। ଗ୍ରାମବାସୀଙ୍କ କହିବା କଥା ମା’ଙ୍କୁ ଗ୍ରାମବାସୀ ୫୦ ବର୍ଷ ତଳେ ଗ୍ରାମରେ ସ୍ଥାପନା କରି ପୂଜା କରୁଛନ୍ତି।

ଖଣ୍ଡଗିରି: ବାଲିଅନ୍ତା ବ୍ଲକ୍‌, ବଇଁଚୁଆ ପଞ୍ଚାୟତର ପଟୁପଡ଼ା ଗ୍ରାମରେ ୫୦ ବର୍ଷହେଲା ଗ୍ରାମଦେବତୀ ରୂପେ ମା’ ଭବାନୀ ଦେବୀ ପୂଜା ପାଉଛନ୍ତି। ଗ୍ରାମବାସୀଙ୍କ କହିବା କଥା ମା’ଙ୍କୁ ଗ୍ରାମବାସୀ ୫୦ ବର୍ଷ ତଳେ ଗ୍ରାମରେ ସ୍ଥାପନା କରି ପୂଜା କରୁଛନ୍ତି। ସେତେବେଳେ ଗ୍ରାମର ଗୋଟିଏ କୋଣରେ ଆମ୍ବଗଛ ମୂଳେ ମା’ଙ୍କ କୁନି କୁନି କଳା ପଥର ମୂର୍ତ୍ତି ପୂଜା କରାଯାଉଥିଲା। ଗ୍ରାମର ରକ୍ଷାକାରିଣୀଙ୍କ ପାଇଁ ୨୦୨୦ ମସିହାରେ ମନ୍ଦିରକୁ ବଡ଼ ଓ ସୁନ୍ଦର କରି ତିଆରି କରାଯାଇଛି।

ମା’ଙ୍କ ପଥର ମୂର୍ତ୍ତି ତିଆରି କରାଯାଇ ସେଥିରେ ପ୍ରାଣ ପ୍ରତିଷ୍ଠା କରାଯାଇଛି। ପାଖରେ ପାର୍ଶ୍ବଦେବୀ ମଧ୍ୟ ଅଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଏ। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ପୂଜା ପାଇଁ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ମାନସିକ କରି ଲୋକେ ଆସନ୍ତି। ମାନସିକ ପୂରଣ ହେଲେ ସେମାନେ ଖେଚୁଡ଼ି ଭୋଗ କରନ୍ତି। ଏଠାରେ ଗ୍ରାମର ଶହେରୁ ଅଧିକ ପରିବାର ପୂଜା କରୁଛନ୍ତି। ମା’ ଙ୍କ ନିକଟରେ ପ୍ରତିଦିନ ବାଳଭୋଗ ସାଙ୍ଗକୁ ଖେଚୁଡ଼ି ଲାଗିହୁଏ।

ପୂର୍ଣ୍ଣମୀ ଓ ଅମାବାସ୍ୟା, ଦୋଳପର୍ବରେ ବିଶେଷ ପୂଜା ହୋଇଥାଏ। ସଂକ୍ରାନ୍ତି ଓ ଅମାବାସ୍ୟାରେ ଏଠାରେ ଖେଚୁଡ଼ି ଭୋଗ କରାଯାଏ। ଦଶହରାରେ ଚାଉଳ ଖିରି ଓ ମାଟି ହାଣ୍ଡିରେ ପଣା ଭୋଗ ହୋଇ ଗାଁ ଲୋକଙ୍କୁ ବଣ୍ଟାଯାଏ। ହୋମଯଜ୍ଞ ହୁଏ। ପ୍ରତିବର୍ଷ ଦୋଳ ପୂର୍ଣ୍ଣମୀରେ ମା’ଙ୍କ ନିକଟରେ ଅଷ୍ଟପ୍ରହର ନାମଯଜ୍ଞ ସାଙ୍ଗକୁ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଏ। ଏବେ ପୂଜକ ବଂଶୀଧର ପରିଡ଼ା ମା’ଙ୍କୁ ପୂଜା କରୁଛନ୍ତି। ଗ୍ରାମର ନରେନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ବେଦାନ୍ତ, ବେଣୁଧର ପରିଡ଼ା, ଦାମୋଦର ପରିଡ଼ାଙ୍କ କହିବା କଥା ଠାକୁରାଣୀ ଆସିବା ଦିନ‌ରୁ ଗାଁରେ କିଛି କାମ ଅଟକିନି। ସବୁ ମଙ୍ଗଳ କାର୍ଯ୍ୟ ଶାନ୍ତିରେ ହେଉଛି। ମେଳଣ ଠାରୁ ବ୍ରତଘର କେଉଁଥିରେ ବାଧା ଆସିନି।

ରିପୋର୍ଟ: ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.