Breaking News

ସାହା ହୋଇଥା’ଲୋ ମାଆ: ପଣ୍ଡାସାହିର ଆରାଧ୍ୟା ମା’ ଦୁଲାଦେଇ

ପ୍ରାୟ ୨୦୦ ବର୍ଷ ତଳୁ ପଣ୍ଡାସାହି ଗାଁରେ ଗ୍ରାମଦେବତୀ ରୂପେ ମା’ ଦୁଲାଦେଇ ଠାକୁରାଣୀ ପୂଜା ପାଉଛନ୍ତି। ଗ୍ରାମବାସୀଙ୍କ କହିବା କଥା ଭିଙ୍ଗାରପୁର ପଞ୍ଚାୟତ ଓ ଆଖପାଖ ୭ ଗାଁର ଲୋକେ ମା’ଙ୍କୁ ପୂଜା କରୁଥିଲେ।

ଖଣ୍ଡଗିରି: ପ୍ରାୟ ୨୦୦ ବର୍ଷ ତଳୁ ପଣ୍ଡାସାହି ଗାଁରେ ଗ୍ରାମଦେବତୀ ରୂପେ ମା’ ଦୁଲାଦେଇ ଠାକୁରାଣୀ ପୂଜା ପାଉଛନ୍ତି। ଗ୍ରାମବାସୀଙ୍କ କହିବା କଥା ଭିଙ୍ଗାରପୁର ପଞ୍ଚାୟତ ଓ ଆଖପାଖ ୭ ଗାଁର ଲୋକେ ମା’ଙ୍କୁ ପୂଜା କରୁଥିଲେ। ସେତେବେଳେ ଜଙ୍ଗଲ ଭିତରେ ନିମ୍ବ ଗଛମୂଳେ ମା’ ପୂଜା ପାଉଥିଲେ। ମା’ଙ୍କ କୁନିକୁନି ପଥର ମୂର୍ତ୍ତିଙ୍କୁ ଏଠାରେ ପୂଜା କରାଯାଉଥିଲା। ସାହାଡ଼ା, ବର, ଓସ୍ତ, ଚାକୁଣ୍ଡା, ଜଙ୍ଗଲୀ ଫୁଲଗଛ, କଣ୍ଟେଇକୋଳି, ଖିରିକୋଳି ଗଛ ଠାକୁରାଣୀଙ୍କ ଆଖ ପାଖରେ ଥିଲା। କ୍ରମେ ଗ୍ରାମ ଆଡ଼କୁ ସହର ବଢ଼ିଲା। ଲୋକଙ୍କ ଚାଳଘର କୋଠାରେ ପରିଣତ ହେଲା।

ଗ୍ରାମର ଆରାଧ୍ୟା ଠାକୁରାଣୀଙ୍କୁ ଆଉ ନିମ୍ବ ଗଛମୂଳେ ନରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଲେ। ଏବେ ଗାଁର ମୂଳବାସିନ୍ଦା ଶାସନ, ଗେଣ୍ଡାମାଳିଆ, ପଣ୍ଡାସାହି, ଚିଙ୍ଗୁଡ଼ିଆ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ବାସିନ୍ଦା ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଏ। ବିବାହ ବେଳେ ଦିଅଁମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। କାହାର ଗାଈ, ଗୋରୁ ହଜିଲେ ପଘାକୁ ନେଇ ମନ୍ଦିର ପ‌ାଖରେ ଲୋକେ ବାନ୍ଧିଦେଇ ଆସନ୍ତି। କିଛି ଜିନିଷ ହଜିଲେ କିମ୍ବା କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ମାନସିକ କରନ୍ତି। ମାନସିକ ପୂରଣ ହେଲେ ମା’ଙ୍କ ଚାଉଳ ଖିରି ଭୋଗ କରନ୍ତି।

ଠାକୁରାଣୀଙ୍କ ପାଖରେ ଦଶହରାରେ ଜନ୍ତାଳ ହୁଏ। ଅଗ୍ନିଉତ୍ସବରେ ମା’ଙ୍କ ପାଖରେ ୫ ଦିନ ଯଜ୍ଞ ହୁଏ। ଆଗରୁ ଦଶହରାରେ ଏଠାରେ ବଳି ପଢ଼ୁଥିଲା। ଏବେ ବଳି ବନ୍ଦ ହୋଇ ଯାଇଥିଲେ ବି ଅନ୍ୟ ନୀତି ସବୁ ହୁଏ। ପୂର୍ଣ୍ଣିମା ଓ ଅମାବାସ୍ୟା, ଦୋଳପର୍ବରେ ବିଶେଷ ପୂଜା ହୋଇଥାଏ। କିଛି ବର୍ଷ ହେଲା ମନ୍ଦିରରେ ଲିଙ୍ଗରାଜ ପଣ୍ଡା ପୂଜା କରୁଛନ୍ତି। ସଂକ୍ରାନ୍ତି ଓ ଅମାବାସ୍ୟାରେ ଏଠାରେ ଖେଚୁଡ଼ି ଭୋଗ କରାଯାଏ। ଦଶହରାରେ ଚାଉଳ ଖିରି ଓ ମାଟି ହାଣ୍ଡିରେ ପଣା ଭୋଗ ହୋଇ ଗାଁ ଲୋକଙ୍କୁ ବଣ୍ଟାଯାଏ। (ପଣ୍ଡାସାହି ଗାଁର ପୂଜକ ଲିଙ୍ଗରାଜ ପଣ୍ଡା, କୈଳାସ ଚନ୍ଦ୍ର ପଣ୍ଡା, ସୋମନାଥ ପଣ୍ଡା, ପ୍ରାଣକୃଷ୍ଣ ପଣ୍ଡା, ମୁରଲୀଧର ପଣ୍ଡା, ଲକ୍ଷ୍ମୀଧର ଜେନାଙ୍କ ସହ ଆଲୋଚନାରୁ ମିଳିଥିବା ତଥ୍ୟ ଭିତ୍ତିରେ)

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.