ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ର‌ାକୃତିକ ବିପତ୍ତିଠାରୁ ରକ୍ଷା କରୁଛନ୍ତି। ଆସୁଥିବା ଅଦୃଶ୍ୟ ବିପତ୍ତି ଓ ଶତ୍ରୁମାନଙ୍କ ସହିତ ଲଢ଼େଇକରି ସେ ନିଜ ଗାଁକୁ ଘଣ୍ଟ ଘୋଡ଼େଇ ରଖନ୍ତି। ସବୁଠୁ ଉଲ୍ଲେଖନୀୟ, ଅଧିକାଂଶ ଗ୍ରାମଦେବତୀଙ୍କର ନାଁ ନିଚ୍ଛକ ଓଡ଼ିଆ ନାଁ- ଯେମିତିକି ସେ କାହିଁ କେ‌ତେ ପିଢ଼ି ଆଗରେ ପରିବାରର ଦାୟିତ୍ବ ନେଇଥିବା ଜଣେ ସାହସିନୀ, ଶକ୍ତିଶାଳୀ ଓଡ଼ିଆ ମା’! ଗ୍ରାମଦେବତୀଙ୍କ ପୂଜକ ବ୍ରାହ୍ମଣ ହେବା ନିହାତି ଆବଶ୍ୟକ ନୁହେଁ। ବିଧିବଦ୍ଧ ଗଢ଼ା ହୋଇଥିବା ଭାବେ ତାଙ୍କର ମୂର୍ତ୍ତି ବଦଳରେ କେବଳ କାଠ ବା ପଥର ରୂପରେ ସେ ବିଜେ କରିଥାଇ ପାରନ୍ତି। ପୁଣି ଗ୍ରାମବାସୀ ଖାଉଥିବା ଖାଦ୍ୟକୁ ସେ ଆନନ୍ଦର ସହ ଭୋଗଭାବେ ଗ୍ରହଣ କରନ୍ତି। ଏବେ ଏକ ଆଧୁନିକ ସହରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍‌, ମଲ୍‌ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା
ରିପୋର୍ଟ: ହରପ୍ରିୟା ପୃଷ୍ଟି, ଫଟୋ: ନରସିଂହ ପରିଡ଼ା

sddsdsd

ଖଣ୍ଡଗିରି: ପାହାଳ ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ନାରାୟଣ ଚଣ୍ଡୀ ପୂଜା ପାଉଛନ୍ତି। ଦେବୀ କେଉଁଠୁ ଆସି‌ଲେ, ତାଙ୍କୁ କିଏ ଆଣିଥିଲା କେହି ଜାଣନ୍ତି ନାହିଁ। ପୁରୁଣା ଲୋକେ ଏତିକି କହନ୍ତି, ପୂର୍ବେ ମା’ ବିରାଟ ବରଗଛ ମୂଳେ ପୂଜା ପାଉଥିଲେ। ମା’ଙ୍କର କୁନି ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ୨ଟି ପଥର ଭିତରେ ଛାଉଣୀ କରି ରଖାଯାଇଥିଲା। ସାହାଡ଼ା, ବର, ଓସ୍ତ, ଚାକୁଣ୍ଡା, ଜଙ୍ଗଲୀ ଫୁଲଗଛ, କଣ୍ଟେଇକୋଳି, ଖିରିକୋଳି ଗଛ ଠାକୁରାଣୀଙ୍କ ଆସ୍ଥାନ ଚାରିପଟେ ଥିଲା। କ୍ରମେ ପାହାଳ ଗ୍ରାମ ଆଡ଼କୁ ସହର ବଢ଼ିଲା। ଲୋକଙ୍କ ଚାଳଘର କୋଠାରେ ପରିଣତ ହେଲା। ତା’ପରେ ଗ୍ରାମର ରକ୍ଷାକାରିଣୀଙ୍କୁ ଆଉ ଗଛମୂଳେ ନରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଲେ। ଗ୍ରାମବାସୀ ଓ କମିଟି କର୍ମକର୍ତ୍ତାଙ୍କ ପକ୍ଷରୁ ୨ ବର୍ଷ ତଳେ ଦେବୀଙ୍କ ପାଇଁ ନୂତନ ମନ୍ଦିର ନିର୍ମାଣ ଚାଲିଛି। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଉଛି। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯା‌ଏ। ଗ୍ରାମରେ କାହାର କିଛି ଜିନିଷ ହଜିଲେ କିମ୍ବା ଯେ କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ଲୋକେ ମାନସିକ କରନ୍ତି। ପୁଷମାସରେ ମା’ଙ୍କ ପାଖରେ ଆମିଷ ଭୋଗ ହୁଏ। ମାଛ ଡାଲମା ଓ ଘିଅ ଅନ୍ନ ମା’ଙ୍କ ପ୍ରିୟ। ଅନ୍ୟ ଦିନରେ ଗୁରୁବାର ଖେଚୁଡ଼ି ହୁଏ। ଗ୍ରାମବାସୀଙ୍କ ମନସ୍କାମନା ପୂରଣ ହେଲେ ଖୁସିରେ ଭୋଗ ଦିଅନ୍ତି। ମା’ଙ୍କ ଗାଧୋଇବା ସହ ମାଜଣା କରନ୍ତି। ୩୦ ବର୍ଷ ହେଲା ପୂର୍ଣ୍ଣଚନ୍ଦ୍ର ଦାସ ପୂଜା କରୁଛନ୍ତି। ପୂର୍ବରୁ ଗ୍ରାମର ଜୟୀ ଷଡ଼ଙ୍ଗୀ ପୂଜା କରୁଥିଲେ। ସବୁ ପୂର୍ଣ୍ଣିମା ଓ ଅମାବାସ୍ୟାରେ ଏଠାରେ ବିଶେଷ ପୂଜା ହୋଇଥାଏ। ଠାକୁରାଣୀଙ୍କ ଝାମୁଯାତ୍ରା, ଯଜ୍ଞ ଓ ଦଶହରା ପୂଜା ମଧ୍ୟ ଜାକଜମକରେ ହୁଏ। ଲୋକଙ୍କ ବିଶ୍ବାସ, ଠାକୁରାଣୀଙ୍କ ମନ୍ଦିର ହେବା ପରେ ଆଉ ଗାଁରେ କିଛି କାମ ଅଟକିବନି। ସବୁ ଶାନ୍ତିରେ ହେବ, ଅଞ୍ଚଳର ଆହୁରି ଉନ୍ନତି ହେବ।