Breaking News

ସାହା ହୋଇଥା’ଲୋ ମାଆ: ରଙ୍ଗମାଟିଆକୁ ଭରସା, ମାଆ ବାସୁଳେଇ

ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ପରିବାର ସଦସ୍ୟ ଭାବନ୍ତି, ଅଭିଭାବକ ମାନନ୍ତି।

0

ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ପରିବାର ସଦସ୍ୟ ଭାବନ୍ତି, ଅଭିଭାବକ ମାନନ୍ତି। ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ର‌ାକୃତିକ ବିପତ୍ତିଠାରୁ ରକ୍ଷା କରୁଛନ୍ତି। ଏବେ ଏକ ଆଧୁନିକ ସହରରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା

ଖଣ୍ଡଗିରି: ରଙ୍ଗମାଟିଆ ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମାଆ ବାସୁଳେଇ ଠାକୁରାଣୀ ପୂଜା ପାଉଛନ୍ତି। ବାସୁଳେଇ ଠାକୁରାଣୀ କେଉଁଠୁ ଆସିଲେ, କିଏ ଆଣିଲେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ତଥ୍ୟ ନାହିଁ। ତେବେ ମାଆଙ୍କ କରୁଣା ଉପରେ ସ୍ଥାନୀୟ ଲୋକଙ୍କର ପ୍ରଗାଢ଼ ବିଶ୍ବାସ। ସେମାନେ ବିଶ୍ବାସ କରନ୍ତି, ମାଆ ବାସୁଳେଇ କାହା ଦୁଃଖ ସହି ପାରନ୍ତିନି। ଗ୍ରାମବାସୀଙ୍କ କହିବା କଥା ହେଉଛି, ବହୁବର୍ଷ ତଳେ ବରୁଣ ଓ ଅଗବତି ଗଛମୂଳରେ ଠାକୁରାଣୀ ପୂଜା ପାଉଥିଲେ। ଆତୁଣ୍ଡି ଗଛ ବେଢ଼ା ଚାରିକଡ଼ ମାଡ଼ିଥିଲା। ଏହାର ଲମ୍ବା ଲମ୍ବା ପତ୍ର ଗହଳରେ ମାଆଙ୍କ ମୂର୍ତ୍ତି ଭାରି ଆକର୍ଷଣୀୟ ଦେଖା ଯାଉଥିଲେ। ଠାକୁରାଣୀଙ୍କର ପଥର ମୂର୍ତ୍ତି ସହିତ ମାଟିଘୋଡ଼ା ଥିଲେ। ହେଲେ ବହୁବର୍ଷ ହେଲା ମାଆଙ୍କ ମୂର୍ତ୍ତିକୁ ପୂଜା ଅର୍ଚ୍ଚନା କରା ଯାଉଥିବାରୁ ପଥର ମୂର୍ତ୍ତି ଧୋଇହୋଇ ସମାନ ହୋଇ ଗଲାଣି।
ସମୟ କ୍ରମେ ଏ ଗାଁ ଆଡ଼କୁ ସହର ବଢ଼ିଲା। ମନ୍ଦିର ଜମିକୁ ନେଇ ବି ବିବାଦ ଆରମ୍ଭ ହେଲା। ବିବାଦ ସମାଧାନ ହୋଇନଥିବାରୁ ମାଆଙ୍କ ମନ୍ଦିରର ବିଶେଷ ଉନ୍ନତୀକରଣ ହୋଇ ପାରୁନାହିଁ। ତେଣୁ ଏବେ ବି ଠାକୁରାଣୀ ପଥରଘର ଭିତରେ ଅଛନ୍ତି। ତେବେ ଖୁବ୍ ଶୀଘ୍ର ମାଆଙ୍କ ପାଇଁ ମନ୍ଦିର ନିର୍ମାଣ ହେବବୋଲି ଗାଁଲୋକ ନିଷ୍ପତ୍ତି ନେଇଛନ୍ତି।

ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନିର ଲୋକ ମଧ୍ୟ ମାଆଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ରଙ୍ଗମାଟିଆ, ବେହେରାସାହି, ତନ୍ତୀସାହି, ମହାରଣାସାହି, କନ୍ଦିସାହି ଓ ତଳସାହିର ବାସିନ୍ଦା ମାଆ ବାସୁଳେଇଙ୍କୁ ପୂଜା କରନ୍ତି। ବିବାହ ଓ ବ୍ରତ ଆଦିରେ ପ୍ରଥମ ନିମନ୍ତ୍ରଣ ତାଙ୍କୁ ଦିଆଯାଏ। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମାଆଙ୍କ ପୀଠକୁ ଗ୍ରାମବାସୀ ଯାଆନ୍ତି। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମାଆଙ୍କ ପାଖରେ ପୂଜା କରାଯା‌ଏ। ଗାଁକୁ ମାଆ ସବୁବେଳେ ରକ୍ଷା କରି ଆସୁଛନ୍ତି ବୋଲି ଲୋକେ ବିଶ୍ବାସ କରନ୍ତି। କୌଣସି ବଡ଼ ବିପଦ ପଡ଼ିଲେ ମାଆଙ୍କ ପାଖରେ ଅଧିଆ ପଡ଼ି ଲୋକେ ମାନସିକ କରି ଆସନ୍ତି। ବିପଦରୁ ମୁକ୍ତି ପାଇବା ପରେ କିମ୍ବା ମାନସିକ ପୂରଣ ହେଲେ ମାଆଙ୍କ ପାଖରେ ଭୋଗ କରନ୍ତି। ପର୍ବ ପର୍ବାଣୀରେ ଏଠାରେ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ। ଠାକୁରାଣୀଙ୍କ ପାଖରେ ନଡ଼ିଆ, କଦଳୀ ଓ ଉଖୁଡା ଆଦି ଭୋଗ‌ହୁଏ। ଏହାବାଦ୍‌ କେବେ ଭକ୍ତମାନେ ଚୂଡ଼ାଘସା ଭୋଗ କରନ୍ତି ତ କେବେ ଖେଚୁଡ଼ି। ଏଠାରେ ଝାମୁଯାତ୍ରା, ପଣାସଂକ୍ରା‌ନ୍ତି ଖୁବ୍ ଧୁମ୍‌ଧାମରେ ପାଳନ କରାଯାଏ। ଏହି ଅବସରରେ ଗାଁର ଭଗବାନ ମହାରଣାଙ୍କୁ କାଳିଶି ଲାଗନ୍ତି। ସେ ଭକ୍ତଙ୍କୁ ହୁକୁମ ମଧ୍ୟ ଦିଅନ୍ତି। ଜଙ୍ଗଲ ଯୋଗୁଁ ପୂର୍ବରୁ ମାଆ ବାସୁଳେଇଙ୍କ ଆସ୍ଥାନ ପାଖକୁ ରାତିରେ କେହି ଯିବାକୁ ସାହସ କରୁ ନଥିଲେ। ଗାଁର ପୁରୁଖା ଲୋକେ କହନ୍ତି, ମାଆଙ୍କ ପୀଠରୁ ନିଆଁହୁଳା ବାହାରି ଗାଁରେ ବୁଲୁଥିଲା। ସେତେବେଳେ ଯିଏ ବାହାରକୁ ବାହାରେ, ଭେଟ ହୋଇଗଲେ ସେ କଷ୍ଟପାଉଥିଲା। ତେଣୁ ରାତିରେ ଲୋକେ ଘରୁ ବାହାରୁନଥିଲେ। ଅତିକମ୍‌ରେ ଆସ୍ଥାନ ଆଡ଼କୁ ଯାଉନଥିଲେ। ଏବେ ମାଆଙ୍କ ପୂଜାରୀ ଅଛନ୍ତି ବସନ୍ତ ପାଣି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.