Breaking News

‘ସାହିତ୍ୟ ପକ୍ଷ’ ଲୋ‌ଗୋ ଉନ୍ମୋଚିତ

ମାର୍ଚ୍ଚ ପହିଲାରୁ ‘ସମ୍ବାଦ’ ତରଫରୁ ‘ସାହିତ୍ୟ ପକ୍ଷ’ ଆରମ୍ଭ ହେବାକୁ ଯାଉଛି। ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ଅନାଲୋଚ୍ୟ ଦିଗକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ‘ସମ୍ବାଦ’ ପକ୍ଷରୁ ଏହି ନୂଆ ଧରଣର ପ୍ରୟାସ କରାଯାଇଛି।

ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ‘ସମ୍ବାଦ’ ତରଫରୁ ‘ସାହିତ୍ୟ ପକ୍ଷ’ ଆରମ୍ଭ ହେବାକୁ ଯାଉଛି। ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ଅନାଲୋଚ୍ୟ ଦିଗକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ‘ସମ୍ବାଦ’ ପକ୍ଷରୁ ଏହି ନୂଆ ଧରଣର ପ୍ରୟାସ କରାଯାଇଛି। ଏନେଇ ଆଜି ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ‘ସାହିତ୍ୟ ପକ୍ଷ’ର ଲୋଗୋ ଉନ୍ମୋଚିତ ହୋଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋଗୋକୁ ଉନ୍ମୋଚନ କରିଛନ୍ତି। ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ୧୫ଦିନ ଧରି ଏହି ସାରସ୍ବତ କାର୍ଯ୍ୟକ୍ରମ ଚାଲିବ। ଏଥିରେ ରାଜ୍ୟର ବହୁ ବିଶିଷ୍ଟ ସାହିତ୍ୟିକଙ୍କ ସମେତ ଯୁବ ସାହିତ୍ୟିକମାନେ ଯୋଗଦେବେ। ଆଲୋଚନା, ବିତର୍କ ସାଙ୍ଗକୁ ସାହିତ୍ୟକୁ ଅଭିନୟ ଓ ସଙ୍ଗୀତ ମାଧ୍ୟମରେ ପରିବେଷଣ କରାଯିବ।

ଲୋଗୋକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ସମ୍ବାଦ’ କେବଳ ଏକ ଖବରକାଗଜରେ ସୀମିତ ନୁହେଁ। ଓଡ଼ିଆ ଭାଷାର ସୁରକ୍ଷା ଲାଗି ‘ସମ୍ବାଦ’ ପ୍ରଥମ ଦିନରୁ କାର୍ଯ୍ୟ କରିଆସିଛି। ‘ସମ୍ବାଦ’ର ଏହି ନୂଆ ପ୍ରୟାସ ରାଜ୍ୟର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି, ସମ୍ବାଦ ଓ ସାହିତ୍ୟର ନିବିଡ଼ ସମ୍ପର୍କ ରହିଆସିଛି। ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ପ୍ଲାଟ୍‌ଫର୍ମରେ ଏହି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର କରାଯିବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା‌ ମୋନିକା ନୈୟର ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ, ଅସିତ ମହାନ୍ତିଙ୍କ ସମେତ ‘ସମ୍ବାଦ’ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.