Breaking News

ସିଏଜି ରିପୋର୍ଟ: କୋଭିଡ୍‌ ପରିଚାଳନା ଅର୍ଥରେ ବ୍ୟାପକ ଦୁର୍ନୀତି, ଦାଖଲ ହୋଇନି ବିନିଯୋଗ ପ୍ରମାଣପତ୍ର

କୋଭିଡ-୧୯ ମହାମାରୀ ପରିଚାଳନା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପାଇଥିଲା। ୨୦୧୯ରୁ ୨୦୨୨ ମଧ୍ୟରେ ଏଥିପାଇଁ ୨୮୬୮ କୋଟି ୮୦ ଲକ୍ଷ ଟଙ୍କା ବିଭାଗକୁ ମିଳିଥିଲା।

ଭୁବନେଶ୍ବର: କୋଭିଡ-୧୯ ମହାମାରୀ ପରିଚାଳନା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପାଇଥିଲା। ୨୦୧୯ରୁ ୨୦୨୨ ମଧ୍ୟରେ ଏଥିପାଇଁ ୨୮୬୮ କୋଟି ୮୦ ଲକ୍ଷ ଟଙ୍କା ବିଭାଗକୁ ମିଳିଥିଲା। ଜନସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ୨୭.୨୫ କୋଟି ଟଙ୍କା ସିଡିଏମ୍ ଆଣ୍ଡ୍ ପିଏଚ୍‌ଓ, ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ଆଦିକୁ କୋଭିଡ ପରିଚାଳନା ପାଇଁ ଦେଇଥିଲେ। କିନ୍ତୁ ଏସବୁର ବିନିଯୋଗ ପ୍ରମାଣପତ୍ର (ୟୁସି) ନଥିବା ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ରିପୋର୍ଟରେ ଦର୍ଶାଯାଇଛି। ୟୁସି ନଥିବା କାରଣରୁ ବାସ୍ତବରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାହା ଜଣାପଡ଼ିନାହିଁ। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକବର୍ଷ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୮୬.୬୬ କୋଟି ଟଙ୍କା ଦିଆଯାଇଥିଲା। ଏଥିରୁ ୬୭.୬୯ କୋଟି ଟଙ୍କା କୋଭିଡ ପରିଚାଳନା କାର୍ଯ୍ୟରେ ନିୟୋଜିତ ବିଭିନ୍ନ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ୧୮.୯୭ କୋଟି ଟଙ୍କା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବ୍ୟାଙ୍କ ଆକାଉଣ୍ଟରେ ରଖାଯାଇଥିଲା। ତେଣୁ ଖର୍ଚ୍ଚ ହୋଇ ନଥିବା ରାଶିକୁ ମୂଳ ସଂସ୍ଥାକୁ ଫେରାଇବା ପରିବର୍ତ୍ତେ ସରକାରୀ ଖାତା ବାହାରେ ରଖାଯାଇଛି।

ଏଥିସହିତ ମଞ୍ଜୁର ହୋଇଥିବା ପାଣ୍ଠିକୁ ଯେଉଁଥି ପାଇଁ ପ୍ରଦାନ କରାଯାଇଛି ତାହାକୁ ସେହି କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି କି ନାହିଁ ତାହାର ଯାଞ୍ଚ ନିର୍ଦ୍ଦେଶାଳୟ କିମ୍ବା ବିଭାଗ ପକ୍ଷରୁ ନିଶ୍ଚିତ କରାଯାଇ ନଥିଲା। ସେହିଭଳି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୨୦୨୦-୨୧ ଏବଂ ୨୦୨୧-୨୨ରେ କୋଭିଡ ପରିଚାଳନା ପାଇଁ ୬୧.୦୫ କୋଟି ଟଙ୍କା ପାଇଥିଲା। ସେଥିରୁ ୫୮.୮୬ କୋଟି ଟଙ୍କା ବିଭିନ୍ନ ସଂସ୍ଥାକୁଦିଆଯାଇଥିବାବେଳେ ଅବଶିଷ୍ଟ ୨.୧୯ କୋଟି ଟଙ୍କା ଖର୍ଚ୍ଚ ନହୋଇ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ପଡ଼ି ରହିଥିଲା। ତେଣୁ ‌କୋଭିଡ୍‌ ଅର୍ଥ ଯେଉଁଥିପାଇଁ ପ୍ରଦାନ କରାଯାଇଥିଲା ପ୍ରକୃତରେ ତାହା ସେଥିପାଇଁ ଖର୍ଚ୍ଚ କରାଯାଇଛି କି ନାହିଁ ତାହାର ତଦାରଖ ସ୍ବାସ୍ଥ୍ୟ ବିଭାଗ କରି ନଥିଲା।

କୋଭିଡ୍‌ ମହାମାରୀ ପରିଚାଳନା ପାଇଁ ଆବଶ୍ୟକ ସାଂପ୍ରତିକ ଓ ଭବିଷ୍ୟତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଏମର୍ଜେନ୍ସି କୋଭିଡ ରେସପନ୍ସ ପ୍ୟାକେଜ (ଇସିଆର୍‌ପି) ୨ରେ ପାଣ୍ଠି ପ୍ରଦାନ କରାଯାଇଥିଲା। ଏ ବାବଦ ସମସ୍ତ କାର୍ଯ୍ୟ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ କରିବାର ଥିଲା। ଏହି ଯୋଜନାରେ ଏନ୍‌ଏଚ୍‌ଏମ୍‌ ଓଡ଼ିଶା ୮୬୧ କୋଟି ୯୭ ଲକ୍ଷ ଟଙ୍କା ୨୦୧୯ରୁ ୨୦୨୨ ମଧ୍ୟରେ ପାଇଥିଲା। ଏଥିରେ କେନ୍ଦ୍ରୀୟ ଅଂଶ ୫୧୭.୧୮ କୋଟି ଟଙ୍କା ରହିଥିଲା। କିନ୍ତୁ ସିଏଜି‌ ଏଥିରେ ଅନେକ ଅନିୟମିତା ଅଡିଟ ବେଳେ ଧରିଛନ୍ତି। ନିୟମ ଅନୁଯାୟୀ, ଏହି ଅର୍ଥକୁ ରାଜ୍ୟ ସରକାର ଷ୍ଟେଟ୍ ହେଲ୍‌ଥ ସୋସାଇଟିକୁ ହସ୍ତାନ୍ତର କରିବା ଉଚିତ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କିନ୍ତୁ ପ୍ରଥମ କିସ୍ତିର ଅର୍ଥକୁ ୩୩ ଦିନ ବିଳମ୍ବରେ ପ୍ରଦାନ କରିଥିଲେ। ସେହିଭଳି ରାଜ୍ୟ ଇସିଆର୍‌ପି ୨ରେ ପାଇଥିବା ମୋଟ ୮୬୧ କୋଟି ୯୭ ଲକ୍ଷ ଟଙ୍କା ମଧ୍ୟରୁ ୬୪ ପ୍ରତିଶତ (୫୫୧.୫୦ କୋଟି ଟଙ୍କା) ବିନିଯୋଗ କରିଛି। ଏପରିକି ୮ଟି ଯୋଜନା/କାର୍ଯ୍ୟକ୍ରମରେ ୫୦ ପ୍ରତିଶତ କମ୍ ଅର୍ଥ ଖର୍ଚ୍ଚ ହୋଇଛି। ସେହିଭଳି କୋଭିଡ ମହାମାରୀ ମୁକାବିଲା ପାଇଁ ଘରୋଇ କ୍ଷେତ୍ରରେ ସ୍ଥାପନ ହୋଇଥିବା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲଗୁଡ଼ିକରେ ୧୪୪.୮୮ କୋଟି ଟଙ୍କାର ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.