Breaking News

ସିଏଜି ରିପୋର୍ଟ ଦାଖଲ ବିଳମ୍ବ: ଦିଲ୍ଲୀ ସରକାର ଉପରେ ବର୍ଷିଲେ ହାଇକୋର୍ଟ

ଆପ୍ ନେତୃତ୍ବାଧୀନ ଦିଲ୍ଲୀ ସରକାର ବିଧାନସଭାରେ ସିଏଜି ରିପୋର୍ଟ ଦାଖଲରେ ବିଳମ୍ବ କରିଥିବାରୁ ଦିଲ୍ଲୀ ହାଇକୋର୍ଟ ସୋମବାର ଏହାର କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ ସଚିନ ଦତ୍ତଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ ସରକାର ଜାଣିଶୁଣି ବିଳମ୍ବ କରିଛନ୍ତି।

ନୂଆଦିଲ୍ଲୀ: ଆପ୍ ନେତୃତ୍ବାଧୀନ ଦିଲ୍ଲୀ ସରକାର ବିଧାନସଭାରେ ସିଏଜି ରିପୋର୍ଟ ଦାଖଲରେ ବିଳମ୍ବ କରିଥିବାରୁ ଦିଲ୍ଲୀ ହାଇକୋର୍ଟ ସୋମବାର ଏହାର କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ ସଚିନ ଦତ୍ତଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ ସରକାର ଜାଣିଶୁଣି ବିଳମ୍ବ କରିଛନ୍ତି। ତାହା ତାଙ୍କ ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଦିଲ୍ଲୀ ସରକାର ତୁରନ୍ତ ଏହି ରିପୋର୍ଟକୁ ବାଚସ୍ପତିଙ୍କ ନିକଟକୁ ପଠାଇ ଗୃହରେ ଆଲୋଚନା ଆରମ୍ଭ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ସିଏଜି ରିପୋର୍ଟ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ନିକଟକୁ ପଠାଇବାରେ ଦିଲ୍ଲୀ ସରକାର ବିଳମ୍ବ କରିଛନ୍ତି ଏବଂ ସରକାର ଏହି ମାମଲାକୁ ଯେପରି ପରିଚାଳନା କରିଛନ୍ତି ତାହା ଆପ୍‌ର ସଚ୍ଚୋଟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି‌ କୋର୍ଟ କହିଛନ୍ତି।

ଅଦାଲତଙ୍କ ଜବାବରେ ଆପ୍ ସରକାର ପ୍ରଶ୍ନ କରିଛନ୍ତି ଯେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଧାନସଭା ଅଧିବେଶନ କିପରି ଡକାଯାଇପାରିବ। ଉଲ୍ଲେଖଯୋଗ୍ୟ, ଗତ ଶୁଣାଣି ସମୟରେ ଦିଲ୍ଲୀ ବିଧାନସଭା ସଚିବାଳୟ କୋର୍ଟଙ୍କୁ ଜଣାଇଥିଲା ଯେ ସିଏଜି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବାର କୌଣସି ଅର୍ଥ ରହିବ ନାହିଁ, କାରଣ ଏହାର କାର୍ଯ୍ୟକାଳ ଫେବ୍ରୁଆରିରେ ଶେଷ ହେଉଛି। ସିଏଜି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ବିଜେପିର ୭ ଜଣ ବିଧାୟକ ଦାଖଲ କରିଥିବା ଆବେଦନର ଜବାବରେ ଏହି ବୟାନ ଦିଆଯାଇଥିଲା। ଗୃହର ଅଧିବେଶନ ନ ଡାକିବାରେ ସାମ୍ବିଧାନିକ ଆଦେଶକୁ ଜାଣିଶୁଣି ଅଣଦେଖା କରାଯାଉଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନୀ ଯୁକ୍ତି ବାଢ଼ିଥିଲେ। ଆପ୍ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାହୁଲ ମେହେରା ଅଭିଯୋଗ କରିଛନ୍ତି ଯେ, ବିଜେପି ରାଜନୈତିକ ଫାଇଦା ପାଇଁ ଅଦାଲତକୁ ବ୍ୟବହାର କରୁଛି। ହାଇକୋର୍ଟ ଖଣ୍ଡପୀଠ ରାଜନୈତିକ ମନ୍ତବ୍ୟ ଦେବାକୁ ଚାହୁନଥିବା ଦର୍ଶାଇ ଶୁଣାଣିକୁ ଜାନୁଆରି ୧୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.