ସିଏମ୍ସିର ମଶା ମୁକାବିଲା ଭେଳିକି: କାଟୁ କରୁନି ଟିଫା ମେସିନ୍ର ଧୂଆଁ, ଡ୍ରେନ୍ରେ ତେଲ ଛିଞ୍ଚିବ ଡ୍ରୋନ୍
କଟକ,୩୦/୧୧: ବୁସ୍ କଟିଂ ହେଲାନି, ମଶା ତେଲ ପଡ଼ିଲା ତଥାପି ପ୍ରଭାବ ପଡ଼ିଲାନି । ଏବେ ମଶାଙ୍କୁ ଘଉଡ଼ାଇବାକୁ ସକାଳେ ବୁଲୁଥିବା ଟିଫା ମେସିନ୍ର ଧୂଆଁ ବି କାଟୁଦେଉନି । ଏଭଳି ସ୍ଥିତିରେ ଏବେ ପୁଣି ମଶାଙ୍କୁ ମାରିବାକୁ ନୂଆ ଯୋଜନା କାର୍ଯ୍ୟକ୍ଷମ କରି ଚକ୍ମା ଦେବାକୁ ଯାଉଛି କଟକ ମହାନଗର ନିଗମ(ସିଏମ୍ସି) । କାରଣ ଖୁବ୍ ଶୀଘ୍ର ଭୁବନେଶ୍ୱର ପରେ କଟକ ସହରରେ ଡ୍ରୋନ୍ ଦ୍ୱାରା ସିଞ୍ଚନ କରାଯିବ ସ୍ୱତନ୍ତ୍ର ମଶା ମରା ତେଲ । ବିଶେଷକରି ବଡ଼ ବଡ଼ ଡ୍ରେନ୍ ଓ ଖାଲି ସ୍ଥାନରେ ଏହାକୁ ସିଞ୍ଚନ କରାଯିବାକୁ ଯୋଜନା ହୋଇଛି । ତେବେ ଭୁବନେଶ୍ୱରରେ ଗତ କିଛି ବର୍ଷ ତଳେ ଏହା ଆରମ୍ଭ ହୋଇ ସଫଳ ହୋଇ ନ ଥିଲାବେଳେ କଟକରେ ଏହା କେତେ ଦୂର ସଫଳ ହେବ ତାକୁ ନେଇ ସନ୍ଦେହ ଉପୁଜିଛି । ଏଣୁ ସିଏମ୍ସିରେ ମଶା ମୁକାବିଲା କେବଳ ଏକ ପ୍ରକାରର ଭେଳିକି ପାଲଟିଛି ।
ପ୍ରତିବର୍ଷ ଶୀତ ଋତୁ ଆସିବା ମାତ୍ରେ ସହରରେ ମଶାଙ୍କ ଉତ୍ପାତ ବଢ଼େ । ପ୍ରାୟ ୩ମାସ ପର୍ଯ୍ୟନ୍ତ ଲୋକେ କଲବଲ ହୁଅନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କେଉଁଠି ବସାଇ ଉଠାଇ ଦିଅନ୍ତି ମଶା । ଏଭଳି ସ୍ଥିତିରେ ସିଏମ୍ସି ସ୍ୱାସ୍ଥ୍ୟ ବିଭାଗ କେବଳ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିନ୍ଦା ମୁଣ୍ଡାଏ । ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି । କାରଣ ବୁସ୍ କଟିଂ କେବଳ ଲୋକଦେଖାଣିଆ ଢଙ୍ଗରେ ହୋଇଥିଲାବେଳେ ୱାର୍ଡରେ ଖାଲି ସ୍ଥାନ ଗୁଡ଼ିକ ଜଙ୍ଗଲରେ ପରିଣତ ହୋଇଯାଇଛି । ଠିକା ସଂସ୍ଥାକୁ ବୁସ୍ କଟିଂ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ପୈଠ ହେଉଛି । କେବଳ ସେତିକି ନୁହେଁ, ସିଏମ୍ସି ନିଜସ୍ୱ ସୁଇପର୍ଙ୍କୁ ଧରି ବୁସ୍ କଟିଂ କରୁଛି ।
ଏହାପରେ ଡ୍ରେନ୍ରେ ପଡୁଥିବା ଏମ୍ଏଲ୍ ତେଲ ଦ୍ୱାରା ଲାର୍ଭା ନ ମରିବାରୁ ଏବେ ମଶାଙ୍କ ଘନତ୍ୱ ବଢ଼ିବାରେ ଲାଗିଛି । ତେବେ ମଶା ଧୂଆଁରେ ଯଦିଓ ନ ମରିଥାନ୍ତି କିନ୍ତୁ ସେମାନଙ୍କୁ କିଛି ସମୟ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଘୋଡ଼ାଇବାକୁ ଦୈନିକ ଲକ୍ଷାଧିକ ଟଙ୍କା ଉଡ଼ାଉଛନ୍ତି କର୍ତ୍ତୃପକ୍ଷ । କାରଣ ଦୈନିକ ୱାର୍ଡରେ ୧୦ଲିଟର ଡିଜେଲ୍ ଓ ୨ଲିଟର ପେଟ୍ରୋଲ ହିସାବରେ ୫୯ଟି ୱାର୍ଡରେ ୫୯୦ ଲିଟର ଡିଜେଲ୍ ଓ ୧୧୮ଲିଟର ପେଟ୍ରୋଲ ଖର୍ଚ୍ଚ ହେଉଛି । ଯାହାର ଆନୁମାନିକ ମୂଲ୍ୟ ୬୮ ହଜାର ଟଙ୍କା । ଏହାସତ୍ତେ୍ୱ ମଶା ଘନତ୍ୱ କମିବାର କୌଣସି ନା ଗନ୍ଧ ନାହିଁ । କିନ୍ତୁ ଏସବୁ ତଦାରଖ କରିବାକୁ ୱାର୍ଡରେ ଫାଇଲେରିଆ ଇନ୍ସପେକ୍ଟରଙ୍କ ଦେଖା ମିଳୁ ନ ଥିଲାବେଳେ କର୍ପୋରେଟର୍ଙ୍କ ଦସ୍ତଖତରେ ସବୁ ବିଲ୍ ହୋଇଯାଉଥିବା ଦେଖିବାକୁ ମିଳିଛି । କିଛି ୱାର୍ଡରେ କର୍ପୋରେଟର୍ ଏ ସମ୍ପର୍କରେ ଅବଗତ ନ ଥିଲେ ମଧ୍ୟ ସିଏମ୍ସି ଏବେ କର୍ପୋରେଟର୍ଙ୍କ ଦସ୍ତଖତ ଆଳରେ ପାର୍ ହେବାକୁ ବସିଛି । କାରଣ ମଶା ଧୂଆଁ ଏକ ପ୍ରକାରର ସୋସିଆଲ୍ ମିଡିଆର ଫଟୋରେ ସୀମିତ ରହିଛି ।
ଏନେଇ ସିଏମ୍ସି କମିସନର ଅନାମ ଚରଣ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଅନେକ ସ୍ଥାନକୁ ଯାଇ ତେଲ ପକାଇବା ମୁସ୍କିଲ ହେଉଛି । ଏହା ବଡ଼ ସମସ୍ୟା ପାଲଟିଛି । ତେଣୁ ଏହାର ସମାଧାନ ପାଇଁ ଭୁବନେଶ୍ୱର ଭଳି ଡ୍ରୋନ୍ ଦ୍ୱାରା ମଶା ତେଲ ସିଞ୍ଚନ କରାଯିବ । ଏଥିପାଇଁ ଖୁବ୍ ଶୀଘ୍ର ଏକ ବୈଠକ କରାଯାଇ ପଦକ୍ଷେପ ନିଆଯିବ ।
ସୌଜନ୍ୟ-ପ୍ରମେୟ
Comments are closed.