Breaking News

ସିକିଲ୍‌ସେଲ୍‌ ରୋଗର ‘ଦକ୍ଷତା କେନ୍ଦ୍ର’ ତାଲିକାରେ ଏସ୍‌ସିବି

ସିକିଲ୍‌ସେଲ୍‌ ରୋଗର ଚିହ୍ନଟ ଓ ଚିକିତ୍ସା ସହ ଗବେଷଣା ପାଇଁ କେନ୍ଦ୍ର ସରକାର ଦେଶରେ ୬ଟି ଦକ୍ଷତା କେନ୍ଦ୍ର(ସେଣ୍ଟର ଅଫ କମ୍ପିଟାନ୍‌ସ) ପ୍ରତିଷ୍ଠା କରିବାକୁ ଯାଉଛନ୍ତି।

ଭୁବନେଶ୍ବର: ସିକିଲ୍‌ସେଲ୍‌ ରୋଗର ଚିହ୍ନଟ ଓ ଚିକିତ୍ସା ସହ ଗବେଷଣା ପାଇଁ କେନ୍ଦ୍ର ସରକାର ଦେଶରେ ୬ଟି ଦକ୍ଷତା କେନ୍ଦ୍ର(ସେଣ୍ଟର ଅଫ କମ୍ପିଟାନ୍‌ସ) ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬ଟି ରାଜ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଓଡ଼ିଶାର ଏସ୍‌ସିବି ମେଡିକାଲ କଲେଜ ଏଥିରେ ସାମିଲ ରହିଛି। ନିକଟରେ ଜନଜାତି ଗୌରବ ଦିବସ ଅବସରରେ ଏହି ଘୋଷଣା କରାଯାଇଛି।

କେନ୍ଦ୍ର ସରକାର ୨୦୪୭ ମସିହା ସୁଦ୍ଧା ସିକିଲ୍‌ସେଲର ନିରାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସିକିଲ୍‌ସେଲ ଏକ ବଂଶଗତ ରୋଗ ହୋଇଥିବା ବେଳେ ଏହା କାରଣରୁ ଅନେକ ଶିଶୁ ଓ ମାତୃ ମୃତ୍ୟୁ ହେଉଛି। ପଶ୍ଚିମ ଓଡ଼ିଶା ଓ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ସିକିଲସେଲ ରୋଗର ପ୍ରାଧାନ୍ୟ ରହିଛି। ରାଜସ୍ଥାନ ୧୮.୨୫% ଓ ମଧ୍ୟପ୍ରଦେଶର ୧୭.୫% ପରେ ଓଡ଼ିଶାର ୧୬.୬୯% ଜନସଂଖ୍ୟା ସିକିଲ୍‌ସେଲ ରୋଗରେ ପୀଡ଼ିତ। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବା ପରେ ରୋଗର ଚିହ୍ନଟ ଓ ଚିକିତ୍ସା ସହ ଗବେଷଣାକୁ ଗୁରୁତ୍ବ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆସାମ, ଉତ୍ତରାଖଣ୍ଡ ଓ ଓଡ଼ିଶାରେ ଏହି ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ପକ୍ଷରୁ ଓଡ଼ିଶା ପାଇଁ ୪.୬କୋଟି ଟଙ୍କା ମଞ୍ଜୁର ‌କରାଯାଇଛି। ଗର୍ଭଧାରଣ ସମୟରେ ଗର୍ଭସ୍ଥ ଶିଶୁଟି ସିକିଲ୍‌ସେଲରେ ଆକ୍ରାନ୍ତ କି ନୁହେଁ ତାହା ଜାଣିବା ଲାଗି ଏକ ହାଇଏଣ୍ଡ ମଲେକ୍ୟୁଲାର ଟେଷ୍ଟିଂ ମେସିନ୍‌ ସ୍ଥାପନ କରାଯିବ। ଯାହାଫଳରେ ସିକିଲ୍‌ସେଲ ରୋଗର ମୁକାବିଲା ଦିଗରେ ଏହା ସହାୟକ ହୋଇପାରିବ। ୬ଶଯ୍ୟା ବିଶିଷ୍ଟ ଏହି କେନ୍ଦ୍ରରେ ରୋଗୀଙ୍କ ସ୍କ୍ରିନିଂ ଓ ଚିକିତ୍ସା କରାଯିବ। ଉଲ୍ଲେଖ ଯେ ରାଜ୍ୟର ୨୩ଟି ଜିଲ୍ଲାରେ ଜାତୀୟ ସିକିଲ୍‌ସେଲ ନିରାକରଣ ମିସନ କାର୍ଯ୍ୟକ୍ରମ ଜାରି ରହିଛି। ଏଥିରେ ରୋଗୀଙ୍କୁ ମାଗଣାରେ ରକ୍ତ, ପରିବହନ ଖର୍ଚ୍ଚ ଓ ଔଷଧ ପ୍ରଦାନ କରାଯାଉଛି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ରକ୍ତହୀନତା ଦୂର କରିବା ପାଇଁ ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ(ଅମ୍ଳାନ) କାର୍ଯ୍ୟକ୍ରମ ଚାଲୁ ରହିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ଅନୁଯାୟୀ ରାଜ୍ୟରେ ୬-୫୯ମାସ ବୟସର ଶିଶୁଙ୍କଠାରେ ରକ୍ତହୀନତା ହାର ୬୪.୨ % ରହିଛି।

ସୌଜନ୍ୟ – ସମ୍ବାଦ

Comments are closed.