Breaking News

ସିଙ୍ଗଲ୍‌ ୱିଣ୍ଡୋରେ ୧୯ ପ୍ରକଳ୍ପରେ ମୋହର: ୬୧୧୭ କୋଟି ଟଙ୍କା ନିବେଶ ହେବ, ଜଗତସିଂହପୁରରେ ତିଆରି ହେବ ଜାହାଜ

ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ହିନ୍ଦୁସ୍ତାନ ପେ‌‌ଟ୍ରୋଲିୟମ୍ କର୍ପୋରେସନ୍ (ଏଚ୍‌ପିସିଏଲ୍‌) ରାଜ୍ୟରେ ପେଟ୍ରୋଲ୍ ଓ ହାଇ-ସ୍ପିଡ୍‌ ଡିଜେଲ୍ ପାଇପ୍‌ଲାଇନ୍ ବିଛ‌ାଇବ। ରାୟଗଡ଼ା, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଏହି ପାଇପ୍‌ଲାଇନ୍ ବିଛାଯିବ।

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ହିନ୍ଦୁସ୍ତାନ ପେ‌‌ଟ୍ରୋଲିୟମ୍ କର୍ପୋରେସନ୍ (ଏଚ୍‌ପିସିଏଲ୍‌) ରାଜ୍ୟରେ ପେଟ୍ରୋଲ୍ ଓ ହାଇ-ସ୍ପିଡ୍‌ ଡିଜେଲ୍ ପାଇପ୍‌ଲାଇନ୍ ବିଛ‌ାଇବ। ରାୟଗଡ଼ା, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଏହି ପାଇପ୍‌ଲାଇନ୍ ବିଛାଯିବ। ସେଥିରେ କମ୍ପାନି ୮୬୮ କୋଟି ଟଙ୍କା ବିନିଯୋଗ କରିବ। ସୋମବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ସମେତ ୬୧୧୭ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୧୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୭,୨୮୬ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକୁ ରାଜ୍ୟର ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ। ଜୈବ ଇନ୍ଧନ, ବାୟୋଟେକ୍ନୋଲୋଜି, ଜାହାଜ ନିର୍ମାଣ, ଆଲୁମିନିୟମ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ପୋଷାକ ଓ ସବୁଜ ଶକ୍ତି ଉପକରଣ ଭଳି ୧୦ଟି କ୍ଷେତ୍ର ପାଇଁ ଆସିଥିବା ନିବେଶ ପ୍ରସ୍ତାବଗୁଡ଼ିକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଟ୍ରାନ୍ସପାସିଫିକ୍ ଇଞ୍ଜିନିୟରିଂ ପକ୍ଷରୁ ସମ୍ବଲପୁରରେ ୯୦୦ କୋଟି ଟଙ୍କା ନିବେଶରେ ଏକ ବାୟୋକୋଲ୍‌ କାରଖାନା ସ୍ଥାପନ କରାଯିବ। ଚୌଗୁଲେ ଲାଭଗାନ୍ ସିପ୍ ରିପେୟାର୍ ପକ୍ଷରୁ ଜଗତସିଂହପୁରରେ ୫୫୦ କୋଟି ଟଙ୍କା ନିବେଶରେ ଏକ ଜାହାଜ ନିର୍ମାଣ ଓ ମରାମତି କାରଖାନା ବସାଯିବ। ସାପିଜେନ୍ ବାୟୋଲଜିକ୍ସ ଖୋର୍ଦ୍ଧାରେ ୮୫୪.୩୨ କୋଟି ଟଙ୍କା ନିବେଶରେ ଏକ ଟିକା ଉତ୍ପାଦନ କାରଖାନା ସ୍ଥାପନ କରିବ। ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍ ଖୋର୍ଦ୍ଧା କାରଖାନାର ସମ୍ପ୍ରସାରଣରେ ୫୧୫.୩୨ କୋଟି ଟଙ୍କା ନିବେଶ କରିବ। ଏଆର୍‌ସିଏଲ୍‌ ଅର୍ଗାନିକ୍ସ ଜଗତସିଂହପୁରରେ ୫୦୦ କୋଟି ଟଙ୍କା ନିବେଶରେ ଏକ ରସାୟନ କାରଖାନା ବସାଇବ।

୬୧୧୭ କୋଟି ଟଙ୍କା ନିବେଶ ହେବ
ଜଗତସିଂହପୁରରେ ତିଆରି ହେବ ଜାହାଜ
କନ୍ଧମାଳରେ ବିଳାସପୂର୍ଣ୍ଣ ଇକୋ ରି‌ସୋର୍ଟ
‘ଜୋହୋ’ ସ୍ଥାପନ କରିବ ଡାଟା ସେଣ୍ଟର

ସେହିପରି, ନିଜୋନ୍ ଷ୍ଟିଲ୍‌ସ ଉତ୍କଳ ଏଲ୍‌ଏଲ୍‌ପି ଯାଜପୁରରେ ୪୭୦ କୋଟି ଟଙ୍କା ନିବେଶରେ ଏକ କଲର୍‌ କୋଟିଂ ସିଟ୍ ଉତ୍ପାଦନ କାରଖାନା ନିର୍ମାଣ କରିବ। ଶ୍ରୀଧର ଭେମ୍ବୁଙ୍କ କମ୍ପାନି ଜୋହୋ କର୍ପୋରେସନ୍ ଖୋର୍ଦ୍ଧାରେ ଏକ ଡାଟା ସେଣ୍ଟର ନିର୍ମାଣ କରିବ। କମ୍ପାନି ସେଥିରେ ୩୦୬.୫୦ କୋଟି ଟଙ୍କା ନିବେଶ କରିବ। ସିଏମ୍‌ଆର୍‌ ଆଲୁମିନିୟମ୍‌ ପକ୍ଷରୁ ସମ୍ବଲପୁରରେ ଆଲୁମିନିୟମ ପ୍ରକଳ୍ପରେ ୨୩୪.୧୪ କୋଟି ଟଙ୍କା ନିବେଶ କରାଯିବ। ଶ୍ରୀ ମହାବୀର ଫେରୋ ଆଲୟଜ୍ କଟକରେ ଏବଂ ଆଇରନ୍ ଟ୍ରାୟାଙ୍ଗଲ୍ ବଲାଙ୍ଗୀରରେ ଯଥାକ୍ରମେ ୧୧୫ କୋଟି ଟଙ୍କା ଓ ୧୧୩.୫୦ କୋଟି ଟଙ୍କା ନିବେଶ କରି ପୋଷାକ ଉତ୍ପାଦନ କାରଖାନା ବସାଇବେ।

ରାଜ୍ୟରେ ଆଉ ତିନିଟି ହୋଟେଲ୍ ଓ ରିସୋର୍ଟ ନିର୍ମାଣ ହେବ। ଖୋର୍ଦ୍ଧାରେ ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ୍‌ ଏକ ପଞ୍ଚତାରକା ହୋଟେଲ୍‌ ନିର୍ମାଣ କରିବ। ସୋମୋଲୋ ଇକୋ ରିସୋର୍ଟସ୍‌ ଗଞ୍ଜାମରେ ଏବଂ ସଭସ୍ୟା ହସ୍ପିଟାଲିଟି କନ୍ଧମାଳରେ ବିଳାସପୂର୍ଣ୍ଣ ଇକୋ ରିସୋର୍ଟ ନିର୍ମାଣ କରିବେ। ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍‌ ଖୋର୍ଦ୍ଧାରେ ପାନୀୟ, ସନ୍ୟମ୍ ଟାଇ ଅପ୍ ଝାରସୁଗୁଡ଼ାରେ ପ୍ୟାକେଜିଂ ଉପକରଣ ଏବଂ ସାଇ ସୁଧା ମୋଟର୍ସ ଖୋର୍ଦ୍ଧାରେ ସୋଲାର ମଡ୍ୟୁଲ୍‌ ଉତ୍ପାଦନ କାରଖାନା ବସାଇବେ। ଆର୍‌ସିସି ଲାବୋରେଟୋରିଜ୍ ଖୋର୍ଦ୍ଧାରେ ପଶୁ ଟିକା ଏବଂ କୋରୱାୟର ସର‌୍‌ଫେସ୍ ଟେକ୍ନୋଲୋଜି ଯାଜପୁରରେ ଷ୍ଟିଲ୍ ରୋଲ୍ ଉତ୍ପାଦନ କରିବେ ବୋଲି ବୈଠକରୁ ଜଣାପଡ଼ିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.