Breaking News

ସିନେମା ଦେଖିବାକୁ ୧୦ କିମି: ଏପର୍ଯ୍ୟନ୍ତ ହେଲାନି ସିନେମା ହଲ୍‌, ନିରାଶ ହେଉଛନ୍ତି ଯୁବପିଢ଼ି, ବାର୍‌ରେ ଭିଡ଼

ରାଜଧାନୀର କଳେବର ବଢ଼ୁଛି। ଦିନେ ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ଲମ୍ବିଥିବା ଉତ୍ତର ଭୁବନେଶ୍ବରରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଅଞ୍ଚଳ ଯୋଡ଼ି ହେଉଛି। ଡମଣା, ପଟିଆ, କିଟ୍‌, ରଘୁନାଥପୁର ଡେଇଁ ନନ୍ଦନକାନନ ପର୍ଯ୍ୟନ୍ତ ସହର ଛୁଇଁଲାଣି ଭୁବନେଶ୍ବର।

ଚନ୍ଦ୍ରଶେଖରପୁର: ରାଜଧାନୀର କଳେବର ବଢ଼ୁଛି। ଦିନେ ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ଲମ୍ବିଥିବା ଉତ୍ତର ଭୁବନେଶ୍ବରରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଅଞ୍ଚଳ ଯୋଡ଼ି ହେଉଛି। ଡମଣା, ପଟିଆ, କିଟ୍‌, ରଘୁନାଥପୁର ଡେଇଁ ନନ୍ଦନକାନନ ପର୍ଯ୍ୟନ୍ତ ସହର ଛୁଇଁଲାଣି ଭୁବନେଶ୍ବର। ବଡ଼ ବଡ଼ ଆପାର୍ଟମେଣ୍ଟ ସାଙ୍ଗକୁ ଦେଶର ନାମକରା କମ୍ପାନିର ସୋରୁମ୍‌ ଖୋଲିସାରିଲାଣି। ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ୧୭ରୁ ଅଧିକ ଜାତୀୟ ସ୍ତରର କମ୍ପାନି ଏଠାରେ ସୋରୁମ୍‌ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସହରର ଆଇଟି ଓ ଶିକ୍ଷା ହବ୍‌ ପାଲଟିଥିବା ଏହି ଅଞ୍ଚଳ ଆଜି ପର୍ଯ୍ୟନ୍ତ ଗୋଟିଏ ବି ସିନେମା ହଲ୍‌ ଦେଖିପାରି ନାହିଁ। ଯୋଜନା, ଘୋଷଣାରେ ସବୁ କିଛି ଅଟକି ରହିଛି। ପରିଣାମ ସ୍ବରୂପ ଏହି ଅଞ୍ଚଳରେ ବାସବାସ କରୁଥିବା ୫ ଲକ୍ଷରୁ ଅଧିକ ଲୋକଙ୍କୁ ସିନେମା ଦେଖିବାକୁ ୧୦ କିମି ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି।

ଗୋଟିଏ ସମୟ ଥିଲା ମଧ୍ୟ ଭୁବନେଶ୍ବର ଅଞ୍ଚଳରେ ହିଁ କେବଳ ସିନେମା ହଲ୍‌ ଥିଲା। ଶ୍ରୀୟା କମ୍ପଲେକ୍ସ ସମେତ ମହାରାଜା, କେଶରୀ, କଳ୍ପନା, ରବି ଟକିଜ୍‌, ଏକାମ୍ର ସିନେମା ହଲ୍‌ ଗଢ଼ିଉଠିଥିଲା। ମାତ୍ର ସମୟ ସହ ଯୁବପିଢ଼ିଙ୍କ ଚାହିଦା ଦିନକୁ ଦିନ ବଦଳିବା ଦେଖି ସହରରେ ମଲ୍ଟିଫେକ୍ସ ନିର୍ମାଣ ହେଲା। ଅତ୍ୟାଧୁନିକ ସୁବିଧା ଥିବା ମଲ୍ଟିଫ୍ଲେକ୍ସରେ ସିନେମା ଦେଖିବାକୁ ଦର୍ଶକଙ୍କ ଆଗ୍ରହ ମଧ୍ୟ ବଢ଼ିଚାଲିଲା। ଯେଉଁଥିପାଇଁ ଏକାମ୍ର, କଳ୍ପନା ପରି ‌ସିନେମା ହଲ୍‌ରେ ସବୁଦିନ ପାଇଁ ତାଲା ପଡ଼ିଗଲା। ପରବର୍ତ୍ତୀ ସମୟରେ ସହିଦନଗରରେ ପ୍ରତିଷ୍ଠା ହୋଇଥିବା ଆଇନକ୍ସରୁ ଆରମ୍ଭ ହୋଇଥିବା ମଲ୍ଟିଫ୍ଲେକ୍ସ ଯୁଗ ଧୀରେ ଧୀରେ ବଢ଼ିଚାଲିଲା। କଳ୍ପନା ଛକ, ପାତ୍ରପଡ଼ା, ପାହାଳରେ ମଲ୍ଟିଫ୍ଲେକ୍ସ ସିନେମା ହଲ୍‌ ପ୍ରତିଷ୍ଠା କରାଗଲା। ମାତ୍ର ଉତ୍ତର ଭୁବନେଶ୍ବର ସିନେମା ହଲ୍‌ ଦେଖିପାରିଲା ନାହିଁ। ସିନେମା ହଲ୍‌ ପ୍ରତିଷ୍ଠା ଦିଗରେ ପ୍ରୟାସ ହୋଇ ନ ଥିବା କୁହାଯାଇପାରିବ ନାହିଁ। କାରଣ ୮ରୁ ୧୦ ବର୍ଷ ତଳେ ଗଜପତି ନଗରରେ ଭୁବନେଶ୍ବର-୨ ନିର୍ମାଣ ହୋଇଥିଲା। ଯେଉଁଠାରେ ମଲ୍ଟିଫ୍ଲେକ୍ସ ସିନେମା ହଲ୍‌ ସମେତ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବାର ବ୍ୟବସ୍ଥା ଥିଲା। ମାତ୍ର ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିବା ଭୁବନେଶ୍ବର-୨ରେ ତାଲା ପଡ଼ିଛି। କେବେ ଖୋଲିବ ତାହାର କୌଣସି ଖୋଜ ଖବର ନାହିଁ। ସରକାରୀ ସ୍ତରରେ ସିନେମା ହଲ୍‌ ପ୍ରତିଷ୍ଠା ପାଇଁ ସେଭଳି କୌଣସି ଆନ୍ତରିକତା ପ୍ରକାଶ ପାଉ ନ ଥିଲେ ମଧ୍ୟ ଘରୋଇ ସଂସ୍ଥା ଆଗ୍ରହ ଦେଖାଉ ନାହାନ୍ତି। ଆପାର୍ଟମେଣ୍ଟ ସଂଖ୍ୟା ବଢ଼ିଚାଲିଥିବାରୁ ଲୋକଙ୍କ ମନୋରଞ୍ଜନ ପାଇଁ ସିନେମା ହଲ୍‌ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସହରର ପରିସୀମା ଦ୍ରୁ୍ତ ଗତିରେ ବଢ଼ୁଥିଲେ ମଧ୍ୟ ପିଲାଙ୍କ ମନୋରଞ୍ଜନ ପାଇଁ ମଲ କି ସିନେମା ହଲ୍‌ ନାହିଁ। ସହର ଭିତରେ ଯେଉଁଭଳି ଭିଡ଼ ହେଉଛି ତାହା ପଛରେ ସିନେମା ହଲ୍‌ ଅନ୍ୟତମ କାରଣ। ଏହି ଅଞ୍ଚଳରେ ଶତାଧିକ ଶିକ୍ଷାନୁଷ୍ଠାନ ସହ ଆଇଟି କମ୍ପାନି ଗଢ଼ି ଉଠିଛି। ଅଧିକାଂଶ ଚାକିରିଆ ଏଠାରେ ହିଁ ରହୁଛନ୍ତି। ସେମାନଙ୍କ ମନୋରଞ୍ଜନ ପାଇଁ ସିନେମା ହଲ୍‌ ନ ଥିବାରୁ ସନ୍ଧ୍ୟା ହେଲେ ୧୦ରୁ ୧୨ କିମି ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି। ସିନେମା ହଲ୍‌ ପ୍ରତିଷ୍ଠା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ।
-ମିହିର କୁମାର ରାଉତ
କର୍ପୋରେଟର, ୱାର୍ଡ-୧, ବିଏମ୍‌ସି
ଏହି ଅଞ୍ଚଳରେ ମେ’ ଫେୟାର, ସ୍ବସ୍ତି ପ୍ରିମିୟମ୍‌, ଜିଞ୍ଜର, ଟ୍ରାଇଡେଣ୍ଟ, ଲେମନ୍‌ ଟ୍ରି ପରି ଅନେକ ନାମକରା ହୋଟେଲ ରହିଛି। ଜନତା ମଇଦାନ ସହରର ପ୍ରମୁଖ ଆକ୍ଟିଭିଟି ପଡ଼ିଆ ରହିଛି। ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ମେଡିକାଲ ଶିକ୍ଷାଦାନ ପରି ଅନେକ ସଂସ୍ଥାରେ ଦେଶ ବିଦେଶର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ବିଶେଷକରି ଯୁବବର୍ଗଙ୍କ ପାଇଁ ସିନେମା ହଲ୍‌ ବହୁ ଗୁରୁତ୍ବ ବହନ କରେ। ତାହା ଆଜି ପର୍ଯ୍ୟନ୍ତ ହୋଇପାରୁ ନ ଥିବାରୁ ସେମାନଙ୍କୁ ମହାରାଜା ସିନେମା ହଲ୍‌ ନ ହେଲେ କେଶରୀ ହଲ୍‌କୁ ଯିବାକୁ ପଡ଼ୁଛି। ଏଦିଗରେ ପଶାସନ ଓ ଘରୋଇ ସଂସ୍ଥା ଆଗ୍ରହ ଦେଖାଇଲେ ଟ୍ରାଫିକ୍‌ ଭିଡ଼ ମଧ୍ୟ କିଛି ମାତ୍ରାରେ ଦୂର ହୋଇପାରନ୍ତା।
-ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରଶାସକ
ଲୋକଙ୍କ ମନୋରଞ୍ଜନ ପାଇଁ ଆକ୍ଟିଭିଟି ସେଣ୍ଟର ପ୍ରତିଷ୍ଠା ନ ହେବା ଦୁଃଖର ବିଷୟ। ଆପାର୍ଟମେଣ୍ଟ ତ ଗଢ଼ି ଉଠୁଛି। ‌ହେଲେ ସବୁ ବର୍ଗଙ୍କ ମନୋରଞ୍ଜନ ପାଇଁ ଆବଶ୍ୟକ ଥିବା ସିନେମା ହଲ୍‌ ନିର୍ମାଣ କରା ନଯିବା ଦ୍ବାରା ଅସୁବିଧା ହେଉଛି। ରାତିରେ ମନୋରଞ୍ଜନ ପାଇଁ କିଛି ବି ସୁବିଧା ରହୁନି। ଯେଉଁଥିପାଇଁ ଯୁବପିଢ଼ି ବାର୍‌, ପବ୍‌ ପରି ସ୍ଥାନକୁ ଯାଇ ଅବାଟକୁ ଯାଉଛନ୍ତି। ମଧ୍ୟ ଭୁବନେଶ୍ବରରେ ରବୀନ୍ଦ୍ର ମଣ୍ଡପ, ଜୟଦେବ ଭବନ ପରି ପ୍ରେକ୍ଷଳୟ ରହିଛି। ହେଲେ ଏଠାରେ କଳାମଣ୍ଡଳ ପ୍ରକଳ୍ପର ଭାଗ୍ୟ ଖୋଲିପାରିନି।
-କୃଷ୍ଣଚନ୍ଦ୍ର ପତି
କଂଗ୍ରେସ ନେତା ତଥା ସଙ୍ଗଠକ
ହଲ୍‌ରେ ବସି ସିନେମା ଦେଖିବାର ମଜା ଆଉ କେଉଁଥିରେ ନାହିଁ। ଯେତେବେଳେ ବି ସିନେମା ଦେଖିବାକୁ ଇଚ୍ଛା ହୁଏ ସେତେବେଳେ ଏହି ଅଞ୍ଚଳର ଟ୍ରାଫିକ୍‌ ସମସ୍ୟା ଦେଖି ମନ ଭାଙ୍ଗିଯାଏ। ସିନେମା ଦେଖିବାକୁ ପାଖରେ ମଲ୍ଟିଫ୍ଲେକ୍ସ କହିଲେ ସହିଦନଗର। ନ ହେଲେ ନାହିଁ। ପ୍ରତିବର୍ଷ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ହୋଟେଲ, ଆଇଟି କମ୍ପାନିର କାର୍ଯ୍ୟାଳୟ ପ୍ରତିଷ୍ଠା ହେଉଥିଲେ ମଧ୍ୟ ସିନେମା ହଲ୍‌ ନିର୍ମାଣ କରିବାକୁ କାହିଁକି କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି ତାହା ଜଣାପଡ଼ୁନି।
– ମଧୁସ୍ମିତା ବାରିକ, ଗୃହିଣୀ  
ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଉଛି ସିନେମା। ଯାହାକି ୩ ଘଣ୍ଟା ଧରି ଲୋକଙ୍କୁ ଗୋଟିଏ ସ୍ଥାନରେ ବାନ୍ଧି ରଖିଥାଏ। ଗଜପତି ନଗରରେ ନିର୍ମାଣ ହୋଇଥିବା ଭୁବନେଶ୍ବର-୨ରେ ସିନେମା ହଲ୍‌ରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିଲା। ମାତ୍ର ତାହା ଖୋଲିପାରି ନାହିଁ। ଏହି ଅଞ୍ଚଳ ପାଇଁ କିଛି ନ ହେଲେ ଗୋଟିଏ ମଲ୍ଟି‌ଫ୍ଲେକ୍ସ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି।
-ପ୍ରସନ୍ନ କୁମାର ସାହୁ, ସମାଜସେବୀ

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.