Breaking News

ସିନ୍ଧିଚୋର ଯୋଡ଼ି ସେନ୍ତେରା-ପଣ୍ଡୁ ପୁଣି ବନ୍ଧାହେଲେ: କେଜିଏ ରୁପା ଗହଣା ଜବତ, ଲୁଟିସାରି ଫେରିବା ବାଟରେ ଧରାପଡ଼ିଲେ

ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଦୋକାନମାନଙ୍କରୁ ସିନ୍ଧିଚୋରି କରୁଥିବା କୁଖ୍ୟାତ ସେନ୍ତେରା-ପାଣ୍ଡୁ ଯୋଡ଼ି ପୁଣି ଗିରଫ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଗହଣା ଦୋକାନରୁ ଚୋରି କରି ଫେରୁଥିବା ବେଳେ ଏହି ସିନ୍ଧିଚୋର....

ଭୁବନେଶ୍ବର: ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଦୋକାନମାନଙ୍କରୁ ସିନ୍ଧିଚୋରି କରୁଥିବା କୁଖ୍ୟାତ ସେନ୍ତେରା-ପାଣ୍ଡୁ ଯୋଡ଼ି ପୁଣି ଗିରଫ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଗହଣା ଦୋକାନରୁ ଚୋରି କରି ଫେରୁଥିବା ବେଳେ ଏହି ସିନ୍ଧିଚୋର ଯୋଡ଼ି ନୂଆପଲ୍ଲୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କ ନିକଟରୁ କେଜିଏ ଓଜନର ରୁପା ଗହଣା ଜବତ କରାଯାଇଛି। ଆଜି ଏହି ପେସାଦାର ସିନ୍ଧିଚୋର ଯୋଡ଼ିଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ପୁଲିସ ସୂଚନାନୁସାରେ ନୂଆପଲ୍ଲୀ ଥାନା ସିଆର୍‌ପି ଛକ ମୁଣ୍ଡାସାହିରେ ରହୁଥିବା ପୁରୀ ଜିଲ୍ଲା ନିମାପଡ଼ାର ରାକେଶ ମୁଖି ଓରଫ ପଣ୍ଡୁ ଓ ଭୁବନେଶ୍ବର ନୀଳକଣ୍ଠନଗର ମୁଣ୍ଡାସାହିରେ ରହୁଥିବା ସନ୍ତୋଷ ପ୍ରଧାନ ଓରଫ ସେନ୍ତେରା ରାଜଧାନୀରେ ଜଣାଶୁଣା ସିନ୍ଧିଚୋର। ଉଭୟଙ୍କ ନାଁରେ ବହୁ ମାମଲା ରହିଛି। ପଣ୍ଡୁ ନାଁରେ ନୂଆପଲ୍ଲୀରେ ୩ରୁ ଅଧିକ ମାମଲା ରହିଛି।

ସେହିଭଳି ସେନ୍ତେରା ନାଁରେ ନୂଆପଲ୍ଲୀ, ତମାଣ୍ଡୋ ଓ ଖାରବେଳନଗର ଆଦି ଥାନାରେ ୧୨ରୁ ଅଧିକ ମାମଲା ରହିଛି। ବିଶେଷକରି ଛୋଟଛୋଟ ଗହଣା ମରାମତି ଦୋକାନ ଲୁଟିବା ସେମାନଙ୍କ କାମ। ଗତକାଲି ବିଳମ୍ବିତ ରାତିରେ ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ସ୍ଥିତ ବାଲିପାଟଣା ବନମାଳୀପୁରର ପ୍ରକାଶ ସାହୁଙ୍କ ଗହଣା ଦୋକାନରୁ ଏହି ଦୁଇଜଣ ଚୋରି କରିଥିଲେ। ପ୍ରାୟ କେଜିଏ ଓଜନର ରୁପା ଗହଣା ଉଠାଇନେଇଥିଲେ। ୮୦ରୁ ଅଧିକ ହାତମୁଦି, ୮୨ ହଳ ଗୋଡ଼ମୁଦି ଓ ପାଉଁଜି, ୬୬ଟି ଲକେଟ୍‌ ଓ ୪ଟି ବଡ଼ବଡ଼ ତାରକସି କାମର ଅଳଙ୍କାର ଚୋରି କରିଥିଲେ। ପାଖ ଦୋକାନୀଙ୍କଠାରୁ ଖବର ପାଇ ପ୍ରକାଶ ତୁରନ୍ତ ମାର୍କେଟ୍‌ରେ ପହଞ୍ଚିଥିଲେ ଏବଂ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସବୁ ରୁପା ଗହଣା ଓଳେଇ ନେଇଥିବା ଦେଖିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ସେ ନୂଆପଲ୍ଲୀ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। କିନ୍ତୁ ଏହା ପୂର୍ବରୁ ପିସିଆର୍‌ ହାବୁଡ଼ରେ ପଡ଼ି ସାରିଥିଲେ ସେନ୍ତେରା ଓ ପଣ୍ଡୁ। ରାତି ଅଧରେ ସନ୍ଦିଗ୍ଧ ଅବସ୍ଥାରେ ସେନ୍ତେରା ଓ ପଣ୍ଡୁ ବୁଲୁଥିବା ଦେଖି ପିସିଆର୍‌ କର୍ମଚାରୀମାନେ ଅଟକାଇଥିଲେ। ଧୂର୍ତ୍ତ ସେନ୍ତେରା ଓ ପଣ୍ଡୁ ରାତିରେ ଡିଉଟି ସାରି ଘରକୁ ଫେରୁଛନ୍ତି ବୋଲି କହି ପୁଲିସକୁ ଚକ୍‌ମା ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନଙ୍କ କଥାରେ ତାଳମେଳ ନଥିଲା। କିଏ କେଉଁଠି କି କାମ କରୁଛନ୍ତି ବୋଲି ସଫେଇ ଦେବା ବେଳେ ଓଲଟପାଲଟ କଥା କହି ଫସି ଯାଇଥିଲେ। ପୁଲିସ ସେମାନଙ୍କ ବ୍ୟାଗ୍‌ ଯାଞ୍ଚ କଲା ପରେ ସତ ଜଣାପଡ଼ିଥିଲା। ରୁପା ଗହଣାତକ ସେମାନେ ଇନ୍ଦ୍ରଧନୁ ମାର୍କେଟ୍‌ରୁ ଚୋରି କରିଥିବା ମାନି ଯାଇଥିଲେ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.