Breaking News

ସିବିଏସ୍‌ଇ ନିୟମର ଖୋଲା ଉଲ୍ଲଂଘନ: ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)ଠାରୁ ଅନୁମୋଦନ ଆଣିଛନ୍ତି। ବର୍ଷ ବର୍ଷ ଧରି ସ୍କୁଲ ଚଲାଉଛନ୍ତି। ମାତ୍ର ନିୟମ ପାଳନ କରୁନାହାନ୍ତି। ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ଗଠନ କରିନାହାନ୍ତି କି ସ୍କୁଲ ସୁରକ୍ଷା କମିଟି ନାହିଁ।

ଖଣ୍ଡଗିରି: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)ଠାରୁ ଅନୁମୋଦନ ଆଣିଛନ୍ତି। ବର୍ଷ ବର୍ଷ ଧରି ସ୍କୁଲ ଚଲାଉଛନ୍ତି। ମାତ୍ର ନିୟମ ପାଳନ କରୁନାହାନ୍ତି। ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ଗଠନ କରିନାହାନ୍ତି କି ସ୍କୁଲ ସୁରକ୍ଷା କମିଟି ନାହିଁ। ମନ ମର୍ଜିରେ ସ୍କୁଲ ଚଲାଉଛନ୍ତି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଶିବାନନ୍ଦ ଶତବାର୍ଷିକ ହାଇସ୍କୁଲ ଘଟଣା ପରେ ଗୋଟିଏ ପରେ ଗୋଟିଏ ସିବିଏସ୍‌ଇ ଅନୁବନ୍ଧିତ ସ୍କୁଲରୁ ଏଭଳି ଅଭିଯୋଗ ଆସୁଛି। ଦିନକୁ ଦିନ ଅଭିଯୋଗ ବଢ଼ୁଥିବାରୁ ଗଣଶିକ୍ଷା ବିଭାଗ ମଧ୍ୟ ‌ଖୋଳତାଡ଼ ଆରମ୍ଭ କରିଛି। ବିଦ୍ୟାଳୟରେ ଏସ୍‌ଏମ୍‌ସି ଓ ସୁରକ୍ଷା କମିଟି ଅଛି କି ନାହିଁ ତାହାର ତଥ୍ୟ ଦେବାକୁ ବିଦ୍ୟାଳୟଗୁଡ଼ିକୁ ରିପୋର୍ଟ ମଗାଯାଇଛି। ଯେଉଁ ବିଦ୍ୟାଳୟ ନିୟମ ପାଳନ କରିନାହାନ୍ତି ଚିଠି ପାଇବା ପରେ ସେମାନଙ୍କ ମଧ୍ୟରେ ଛନକା ପଶିଛି। ସରକାରଙ୍କ ନିକଟରେ ଉତ୍ତର ଦେବାକୁ ସେମାନେ ରାତିଅଧିଆ କମିଟି ଗଠନ କରି ରିପୋର୍ଟ ଦେବାକୁ ଲାଗିପଡ଼ିଛନ୍ତି।

ବିଏମ୍‌ସି ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ସିବିଏସ୍‌ଇ ଅନୁମୋଦିତ ୨୫୦ରୁ ଅଧିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ଅଧିକାଂଶ ବିଦ୍ୟାଳୟରେ ସିବିଏସ୍‌ଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଏସ୍‌ଏମ୍‌ସି ଗଠନ କରାଯାଇ ନ ଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ ସମୟରେ ଜଣାପଡ଼ିଥିଲା। ଆର୍‌ଟିଇ ଆକ୍ଟ ୨୦୦୯ ଅନୁଯାୟୀ ସିବିଏସ୍‌ଇ ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକରେ ଏସ୍‌ଏମ୍‌ସି ରହିବ। କମିଟିରେ ଅନ୍ୟୂନ ୧୫ ଜଣ ସଦସ୍ୟ ରହିବେ। ଘରୋଇ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୦ରୁ ଅଧିକ ସଦସ୍ୟ ରହିବେ ନାହିଁ। ସ୍କୁଲର ମୁଖ୍ୟ କମିଟିର ସଦସ୍ୟ ସଚିବ ରହିବେ। ୨ଜଣ ଅଭିଭାବକ, ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ, ନିକଟସ୍ଥ ବିଦ୍ୟାଳୟ ଓ କଲେଜର ଦୁଇ ଜଣ ଶିକ୍ଷକ(ଯିଏ କି ବିଦ୍ୟାଳୟର ଟ୍ରଷ୍ଟ/ସୋସାଇଟି/କମ୍ପାନି ଦ୍ବାରା ମନୋନୀତ), ବୋର୍ଡ ଦ୍ବାରା ଦୁଇ ଜଣ ମନୋନୀତ ବ୍ୟକ୍ତି ସଦସ୍ୟ ରହିବେ।

ଶିବାନନ୍ଦ ହାଇସ୍କୁଲ ଘଟଣା ପରେ ଖୋଳତାଡ଼

ଏହାବ୍ୟତୀତ ଟ୍ରଷ୍ଟ/ସୋସାଇଟି/କମ୍ପାନି ଦ୍ବାରା ଅନ୍ୟାନ୍ୟ ସଦସ୍ୟମାନଙ୍କୁ ମନୋନୀତ କରାଯାଇପାରିବ। ୧୫ ଜଣଙ୍କ ମଧ୍ୟରେ ୫୦ ପ୍ରତିଶତ ମହିଳା ରହିବା ବାଧ୍ୟତାମୂଳକ। ଏହି କମିଟିର କାର୍ଯ୍ୟକାଳ ୩ ବର୍ଷ ରହିବ। ଜଣେ ସଦସ୍ୟ ସର୍ବାଧିକ ଦୁଇଟି ଟର୍ମ ପର୍ଯ୍ୟନ୍ତ ଦାୟିତ୍ବରେ ରହିପାରିବେ। ଏହି କମିଟି ସ୍କୁଲ ଠିକ୍‌ ଭାବେ ଚାଲିଛି କି ନାହିଁ ତାହାର ତଦାରଖ କରିବେ। ନାମଲେଖାରେ ସ୍ବଚ୍ଛତା, ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବା, ସ୍କୁଲ ବିକାଶ ପାଇଁ ଯୋଜନା ପ୍ରସ୍ତୁତ, ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି, ସ୍କୁଲ ପରିଚାଳନା ପାଇଁ ଅଧ୍ୟକ୍ଷଙ୍କୁ ଗାଇଡ୍‌ କରିବ। ବିଦ୍ୟାଳୟର ଆର୍ଥିକ ପରିଚାଳନା, ପରୀକ୍ଷା, ନାମଲେଖାରେ ଯେପରି ଅନିୟମିତତା ନ ହୁଏ ତାହା ଉପରେ ନଜର ରଖିବ। ଫି’ ଧାର୍ଯ୍ୟ କରିବା ଦିଗରେ ମଧ୍ୟ କମିଟିର ପ୍ରମୁଖ ଭୂମିକା ରହିବ। ସ୍କୁଲ ଅଧ୍ୟକ୍ଷ ଉପସ୍ଥାପନ କରିବାକୁ ଥିବା ବଜେଟ୍‌କୁ କମିଟି ସମୀକ୍ଷା କରିବା ସହ ତାହାକୁ ଟ୍ରଷ୍ଟ/ସୋସାଇଟି/କମ୍ପାନିର ଅନୁମୋଦନ ପାଇଁ ପଠାଇବେ। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରିବେ ଏବଂ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବେ। ଗୋଟିଏ ଶିକ୍ଷାବର୍ଷରେ ଦୁଇଥର ଏସ୍‌ଏମ୍‌ସିର ବୈଠକ ବସିବାକୁ ନିୟମରେ ଉଲ୍ଲେଖ ହୋଇଛି।

ହେ‌‌ଲେ ଏକାଧିକ ବିଦ୍ୟାଳୟରେ ଏହା ମଧ୍ୟରୁ ଗୋଟିଏ ମଧ୍ୟ ନିୟମ ପାଳନ ହେଉ ନଥିବା ଦେଖିବାକୁ ମିଳିଛି। ଶିବାନନ୍ଦ ଶତବାର୍ଷିକ ବିଦ୍ୟାଳୟ ପରି ଅନେକ ଘରୋଇ ବିଦ୍ୟାଳୟ ଏହାକୁ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ଆସିବା ପରେ ଫିଜିକାଲ ଯାଞ୍ଚ କରାଯାଇଥିଲା। ସତ୍ୟନଗରରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଏସ୍‌ଏମ୍‌ସି ଗଠନ ହୋଇ ନ ଥିବାରୁ ଏବେ ବିବାଦ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ପହଞ୍ଚିଛି। ବିଇଓଙ୍କ କାର୍ଯ୍ୟାଳୟରୁ ରିପୋର୍ଟ ମଗାଯାଇଥିଲେ ମଧ୍ୟ ହାତଗଣତି ବିଦ୍ୟାଳୟ ତଥ୍ୟ ଦେଇଛନ୍ତି। ଅଧିକାଂଶ ବିଦ୍ୟାଳୟ ଏପର୍ଯ୍ୟନ୍ତ ଚୁପ୍‌ ରହିଥିବା ଜଣାପଡ଼ିଛି। ତେବେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଏସ୍‌ଏମ୍‌ସି ଗଠନ ହୋଇଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ସଦସ୍ୟ କାର୍ତ୍ତିକ ସାହୁ କହିଛନ୍ତି ଯେ, ସ୍କୁଲରେ ପରିଚାଳନା କମିଟି ନ ରହିଲେ ଶିକ୍ଷାନୁଷ୍ଠାନର ଅଭିବୃଦ୍ଧି ହେବ ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ମନ୍‌ମାନି କରିବେ। ଅନିୟମିତତା, ମନଇଚ୍ଛା ଫି ବୃଦ୍ଧି, ଶିକ୍ଷାଦାନ ପରି ବ୍ୟବସ୍ଥା ପ୍ରଭାବିତ ହେବ। ଏଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.