ଜେନେରେସନ୍‌ ଜେଡ୍‌ ବା ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଯୁବଗୋଷ୍ଠୀ ଏବେ ପ୍ରେମର ଏକ ନୂଆ ଶୈଳୀ ଆପଣାଇବାର ଦେଖାଯାଉଛି। ଅତ୍ୟାଧୁନିକ ପ୍ରଯୁକ୍ତି ସହ ବଡ଼ ହୋଇଥିବା ଏହି ଗୋଷ୍ଠୀ ରୋମାଣ୍ଟିକ୍ ସାଥୀ ଖୋଜିବା ପାଇଁ ବିଭିନ୍ନ ଡେଟିଂ ଆପ୍‌ ବ୍ୟବହାର କରିଥାନ୍ତି ବୋଲି ବିଭିନ୍ନ ସର୍ବେକ୍ଷଣ କହିଥାଏ। ତେବେ ବର୍ତ୍ତମାନ ଏମାନେ ତ୍ବରିତ ପ୍ରେମ ସମ୍ପର୍କ ଗଢ଼ିବାର ମୋହ ଛାଡ଼ି ପୁରୁଣା ଶୈଳୀରେ ଧୀରେସୁସ୍ଥେ ସମ୍ପର୍କ ଗଢ଼ିବାର ପ୍ରକ୍ରିୟା ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି। ଏହାକୁ ‘ସିମର୍‌ ଡେଟିଂ’ ବୋଲି କୁହାଯାଉଛି। ସିମର୍‌ ଡେଟିଂ ଶୈଳୀ ଅନୁସାରେ ଦୀର୍ଘକାଳୀନ ପ୍ରକ୍ରିୟାରେ ଜଣଙ୍କ ବିଷୟରେ ଜାଣିବା ଓ ସମ୍ପର୍କରେ ଅଗ୍ରଗତି କରିବା ଗୁରୁତ୍ବପୂର୍ଣ୍ଣ। ଆରାମଦାୟକ ଗତିରେ ବନ୍ଧନକୁ ସୁଦୃଢ଼ କରିବା ସହିତ ଭବିଷ୍ୟତର ଆକାଂକ୍ଷାଗୁଡ଼ିକୁ ଆଲୋଚନା କରିବା ଦ୍ବାରା ପ୍ରେମୀଯୁଗଳ ଅଧିକ ଗଭୀର ଓ ଅର୍ଥପୂର୍ଣ୍ଣ ବୁଝାମଣା ସୃଷ୍ଟି କରିପାରିବେ।

ଏହି ଡେଟିଂ ଶୈଳୀର ନାମ ନୂଆ ହୋଇଥିଲେ ହେଁ ଭାରତୀୟ ସଂସ୍କୃତିରେ ଏହାର ଖିଅ ପୁରୁଣା। ୧୯୯୦ ଦଶକରେ ବିବାହିତ ଦମ୍ପତିମାନେ ଏହି ପ୍ରକ୍ରିୟାରେ ପରସ୍ପରଙ୍କୁ ଜାଣି, ବୁଝି ବିବାହର ନିଷ୍ପତ୍ତି ନେଉଥିଲେ, ଯେଉଁ କାରଣରୁ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହୋଇଥାଏ। ତେବେ ଆଧୁନିକ ସମ୍ପର୍କରେ ବସ୍ତୁବାଦ ଅତ୍ୟଧିକ ଗୁରୁତ୍ବ ପାଉଥିବାରୁ ଆଜିର ଯୁବପିଢ଼ି କୌଣସି ସମ୍ପର୍କରେ ଦୀର୍ଘ ସମୟ ରହିବା କଷ୍ଟକର ହୋଇପଡୁଛି। ତେବେ ଜେନେରେସନ୍‌ ଜେଡ୍‌ର ଯୁବକଯୁବତୀ ବିଳମ୍ବରେ ହେଉ ପଛେ ବୁଝିଲେଣି ଯେ ପ୍ରେମ ଓ ବିବାହ ପରି ବନ୍ଧନର ପ୍ରକୃତ କେନ୍ଦ୍ର ପରସ୍ପରଙ୍କ ଦୋଷତ୍ରୁଟିକୁ ଗ୍ରହଣ କରିନେବା, ଆହ୍ବାନପୂର୍ଣ୍ଣ ସମୟରେ ନିରନ୍ତର ସମର୍ଥନ ଯୋଗାଇବା ଓ ଏକାଠି ବିତାଉଥିବା ଅର୍ଥପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ଉପଭୋଗ କରିବା ଭଳି ଜିନିଷରେ ନିହିତ। ତେଣୁ ସେମାନେ ପରସ୍ପରଙ୍କୁ ବୁଝିବା ଲାଗି ସମୟ ଓ ଧୈର୍ଯ୍ୟ ବିନିଯୋଗ କରିବାକୁ ପ୍ରସ୍ତୁତ ହେଲେଣି।