Breaking News

ସିରିଆରେ ଅସଦ୍‌ ଶାସନର ଅନ୍ତ: ଦମାସ୍କସ୍‌ ବିଦ୍ରୋହୀଙ୍କ ଦଖଲରେ

ସିରିଆରେ ୨୪ ବର୍ଷ ଧରି ଚାଲିଥିବା ବଶର ଅଲ୍‌ ଅସଦ୍‌ଙ୍କ ଶାସନର ଆଜି ଅନ୍ତ ଘଟିଛି। ୧୩ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧର ନିର୍ଣ୍ଣାୟକ ପରିଣାମ ସ୍ବରୂପ ସିରିଆକୁ ବିଦ୍ରୋହୀମାନେ ନିଜ ଦଖଲକୁ ନେବାରେ ସକ୍ଷମ ହୋଇଛନ୍ତି।

ଦମାସ୍କସ୍‌: ସିରିଆରେ ୨୪ ବର୍ଷ ଧରି ଚାଲିଥିବା ବଶର ଅଲ୍‌ ଅସଦ୍‌ଙ୍କ ଶାସନର ଆଜି ଅନ୍ତ ଘଟିଛି। ୧୩ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧର ନିର୍ଣ୍ଣାୟକ ପରିଣାମ ସ୍ବରୂପ ସିରିଆକୁ ବିଦ୍ରୋହୀମାନେ ନିଜ ଦଖଲକୁ ନେବାରେ ସକ୍ଷମ ହୋଇଛନ୍ତି। ରାଷ୍ଟ୍ରପତି ଅସଦ୍‌ ଇସ୍ତଫା ଦେବା ସହ ଦେଶ ଛାଡ଼ି ଅଜ୍ଞାତ ସ୍ଥାନକୁ ପଳାୟନ କରିଥବା ବେଳେ ସିରିଆ ସରକାରୀ ସେନା ଆତ୍ମସମର୍ପଣ କରିଛି। ଦମାସ୍କସ ଦଖଲ ପରେ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଅନ୍ଧକାରର ଦିନ ଶେଷ ହୋଇଛି ଏବଂ ଏକ ନୂତନ ଯୁଗ ଆରମ୍ଭ ହୋଇଛି। କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଖୁବଶୀଘ୍ର ଶେଷ ହେବ ବୋଲି ବିଦ୍ରୋହୀ ସଂଗଠନ ହୟାତ ତାହିର ଅଲ-ଶାମ (ଏଚ୍‌ଟିଏଏସ୍‌) ଘୋଷଣା କରିବା ସହ ସବୁ ନିୟନ୍ତ୍ରଣ ନିଜ ହାତକୁ ନେଇଛି। ଅସଦ୍‌ଙ୍କ ଏକଛତ୍ରବାଦୀ ଶାସନର ପରିସମାପ୍ତି ପରେ ଦମାସ୍କସ୍‌ ରାସ୍ତାରେ ଲୋକେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ବିଦ୍ରୋହୀମାନେ କହିଛନ୍ତି ଯେ ଅସଦ୍‌ ଦେଶ ଛାଡ଼ି ପଳାୟନ କରିବା ସହ ଦମାସ୍କସ୍ ଏବେ ସଂପୂର୍ଣ୍ଣ ସ୍ୱାଧୀନ ହୋଇଛି। ଜେଲ୍‌ରେ ଥିବା ସମସ୍ତ କଏଦୀଙ୍କୁ ମୁକ୍ତ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ବିଦ୍ରୋହୀ ସଂଗଠନର ନେତାମାନେ କହିଛନ୍ତି।

ଦମାସ୍କସ୍‌ ବିଦ୍ରୋହୀଙ୍କ ଦଖଲରେ
ଦେଶ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଅସଦ୍‌
କ୍ଷମତା ହସ୍ତାନ୍ତର ଆରମ୍ଭ
ଆମେରିକା ସାମରିକ ହସ୍ତକ୍ଷେପ କରିବନି: ଟ୍ରମ୍ପ୍‌

ସିରିଆ ବିଦ୍ରୋହୀଙ୍କ ଦଖଲକୁ ଯିବା ପରେ ବିଭିନ୍ନ ସ୍ଥାନରେ ଅସଦ୍‌ଙ୍କ ପିତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି ଏବଂ ଅସଦ୍‌ଙ୍କ ବିଶାଳ ପୋଷ୍ଟର ସବୁ ନଷ୍ଟ କରାଯାଇଛି। ବିଦ୍ରୋହୀ ସଂଗଠନ ତୁର୍କୀ ସମର୍ଥନରେ ଏହି ସଫଳତା ହାସଲ କରିଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ନିର୍ଦ୍ଦେଶ ଦେଇ ଅସଦ୍‌ ସିରିଆ ଛାଡ଼ିଥିବା ରୁଷ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରୁଷ୍‌ ଓ ଇରାନର ପୂର୍ଣ୍ଣ ସମର୍ଥନ ଓ ସହାୟତା ବଳରେ ଅସଦ୍‌ଙ୍କ ଶାସନ ତିଷ୍ଠି ରହିଥିଲା । ବିଦ୍ରୋହୀଙ୍କ ଚଳିତ ଅଭିଯାନକୁ ଦମନ କରିବା ପାଇଁ ଏହି ଦୁଇ ରାଷ୍ଟ୍ର ସହାୟତା ନଦେବାରୁ ଅସଦ୍‌ଙ୍କ ଶାସନର ଅନ୍ତ ଘଟିଲା। ଦୁଇ ଦିନ ତଳେ ବିଦ୍ରୋହୀମାନେ ପ୍ରଥମେ ଆଲେପ୍ପୋକୁ ଦଖଲ କରିବା ପରେ ମଧ୍ୟ ରୁଷ୍‌ କୌଣସି ସାମରିକ ହସ୍ତକ୍ଷେପ ନକରିବାରୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା ଏବଂ ମାତ୍ର ଦୁଇଦିନ ପରେ ରାଜଧାନୀ ଦମାସ୍କସ୍‌ ଦଖଲ କରବାକୁ ବିଦ୍ରୋହୀମାନେ ସକ୍ଷମ ହୋଇଥିଲେ। ଅସଦ୍‌ଙ୍କ ଶାସନରେ ଲକ୍ଷାଧିକ ନିରୀହ ଲୋକଙ୍କୁ ହତ୍ୟା କରାଯାଇଛି ଏବଂ ରାଷ୍ଟ୍ରକୁ ଛାରଖାର କରି ଦିଆଯାଇଛି ବୋଲି ବିଦ୍ରୋହୀ ସଂଗଠନ ପକ୍ଷରୁ ଏକ ଟେଲିଭିଜନ୍‌ ଭାଷଣରେ କୁହାଯାଇଛି।

ଅନ୍ୟକ୍ଷରେ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ୍ ଜଲାଲି କହିଛନ୍ତି ଯେ ସିରିୟା ସରକାରର ପତନ ସହ କ୍ଷମତା ହସ୍ତାନ୍ତର ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ କରବାକୁ ସେ ଅଗ୍ରାଧିକାର ଦେଇଛନ୍ତି ଏବଂ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ନିବେଦନ କରିଛନ୍ତି। ସିରିଆରେ ନିୟୋଜିତ କେତେକ ଯୁଦ୍ଧ ନିରୀକ୍ଷକ ଦାବି କରିଛନ୍ତି ଯେ ଅସଦ୍‌ ଦେଶ ଛାଡି ଏକ ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି। ଦମାସ୍କସ୍‌ ଦଖଲର କିଛି ଘଣ୍ଟା ପୂର୍ବରୁ ସେ ସିରିଆ ଏୟାର ବିମାନରେ ଦେଶ ଛାଡ଼ିଥିବା କୁହାଯାଇଛି। ସିରିଆର ରାଜନୈତିକ ପରିବର୍ତ୍ତନ ନେଇ ଜେନେଭାରେ ଏକ ବୈଠକ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ସିରିଆରେ ସାମରିକ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବ ଏବଂ ବର୍ତ୍ତମାନର ସ୍ଥିତିରେ କୌଣସି ହସ୍ତକ୍ଷେପ କରିବ ନାହିଁ।

ସୌଜନ୍ୟ-ସମ୍ୱାଦ

Comments are closed.