Breaking News

ସୀମାନ୍ତ ଜୁମଡାଙ୍ଗ ଗାଁରେ ଆନ୍ଧ୍ରର ଆଧିପତ୍ୟ

କୋରାପୁଟର କୋଟିଆ ପରେ ମାଲକାନଗିରିର ସୀମାନ୍ତ ଗ୍ରାମ ଜୁମଡାଙ୍ଗକୁ କବ୍‌ଜା କରିଛି ଆନ୍ଧ୍ର। ଗାଁ ପିଲାଙ୍କୁ ତେଲୁଗୁ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ବିଜୁଳି ଓ ପାଣି ମାଗଣାରେ ଯୋଗାଉଛି ଆନ୍ଧ୍ର।

‌େପ୍ରମେନ୍ଦ୍ର ପରିଛା
ମାଲକାନଗିରି: କୋରାପୁଟର କୋଟିଆ ପରେ ମାଲକାନଗିରିର ସୀମାନ୍ତ ଗ୍ରାମ ଜୁମଡାଙ୍ଗକୁ କବ୍‌ଜା କରିଛି ଆନ୍ଧ୍ର। ଗାଁ ପିଲାଙ୍କୁ ତେଲୁଗୁ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ବିଜୁଳି ଓ ପାଣି ମାଗଣାରେ ଯୋଗାଉଛି ଆନ୍ଧ୍ର। ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ପରି ସମସ୍ତ ସୁବିଧା ଦେଉଛି ଆନ୍ଧ୍ର। ଫଳରେ ଲୋକେ ଓଡ଼ିଶା ଛାଡ଼ି ଆନ୍ଧ୍ରମୁହାଁ ହେଲେଣି। ଗଣମାଧ୍ୟମରୁ ଅବଗତ ହେବା ପରେ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ।

ଚିତ୍ରକୋଣ୍ଡା ବ୍ଲକ୍ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମ। ଗ୍ରାମରେ ୫୦ ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ୨୦୦ରୁ ଊର୍ଦ୍ଧ୍ବ। ପଞ୍ଚାୟତ ସଦର ମହକୁମାରୁ ଗାଁର ଦୂରତା ୧୦କିମି। ପୂର୍ବରୁ ଗାଁକୁ ଯାତାୟାତ ପାଇଁ ରାସ୍ତା ନଥିଲା। ଦୁଇଟି ପାହାଡ଼ ଚଢ଼ି ଲୋକେ ଯାଉଥିଲେ। ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ଓଡ଼ିଶା ଅବହେଳା କରିବା ପରେ ଏହାର ଫାଇଦା ଉଠାଉଛି ଆନ୍ଧ୍ର। ଗାଁକୁ ଆନ୍ଧ୍ର ମାଗଣାରେ ବିଦ୍ୟୁତ୍‌ ସେବା ଯୋଗାଇବା ସହ ଝରଣା ପାଣିକୁ ସଂରକ୍ଷିତ କରି ଟାଙ୍କି ବସାଇ ଘରକୁ ଘର ଟ୍ୟାପ୍ ମାଧ୍ୟମରେ ପାଣି ଯୋଗାଇ ଦେଉଛି। ଆବାସ ଗୃହ ପାଇଁ ଗାଁର ୧୨ ଜଣଙ୍କୁ ୩ ଲକ୍ଷ ୩୦ ହଜାର ଟଙ୍କା ଲେଖାଏଁ ଅନୁଦାନ ସହ କାର୍ଯ୍ୟାଦେଶ ପ୍ରଦାନ କରିଛି। ଗୃହ କାର୍ଯ୍ୟ ଆରମ୍ଭ କରି କିଛି ହିତାଧିକାରୀ କିସ୍ତି ଟଙ୍କା ମଧ୍ୟ ପାଇଲେଣି।

ଏପରିକି ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୪ ହଜାର ଟଙ୍କା ସହ ପରିବାରକୁ ମାଗଣାରେ ୩୫ କିଲୋ ଚାଉଳ ମଧ୍ୟ ଦେଉଛି ଆନ୍ଧ୍ର। ଗାଁରେ ଆନ୍ଧ୍ର ପକ୍ଷରୁ ନିର୍ମାଣ ହୋଇଥିବା ସ୍କୁଲରେ ତେଲୁଗୁ ଶିକ୍ଷକ ପାଠ ପଢ଼ାଉନ୍ତି। ଫଳରେ ଗ୍ରାମର ପିଲାମାନେ ଓଡ଼ିଆ ବୁଝିପାରୁ ନଥିବା ବେଳେ ତେଲୁଗୁରେ ପଢ଼ିବା ସହ ଲେଖି ମଧ୍ୟ ପାରୁଛନ୍ତି। ଗ୍ରାମବାସୀଙ୍କ ପାଖରେ ରହିଛି ଉଭୟ ରାଜ୍ୟର ପରିଚୟ ପତ୍ର। କିନ୍ତୁ ଓଡ଼ିଶା ଅପେକ୍ଷା ଆନ୍ଧ୍ରରୁ ଅଧିକ ସୁବିଧା ସୁଯୋଗ ମିଳୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଆନ୍ଧ୍ରମୁହାଁ ହେଉଛନ୍ତି ଜୁମଡାଙ୍ଗ ଗ୍ରାମବାସୀ। ଓଡ଼ିଶା ପକ୍ଷରୁ କେବଳ ଗାଁକୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇଛି। ତେବେ ଅଧପନ୍ତରିଆ ଅବସ୍ଥାରେ ରହିଛି ଅଙ୍ଗନବାଡ଼ି କେନ୍ଦ୍ର।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

 

Comments are closed.