Breaking News

ସୁକମା ପରେ ରାୟଗଡ଼ାରେ ବେଶି ତେନ୍ତୁଳି: କଷ୍ଟ କରୁଛନ୍ତି ଓଡ଼ିଶା ଆଦିବାସୀ, ଫାଇଦା ନେଉଛନ୍ତି ଆନ୍ଧ୍ର ବେପାରୀ

ଦେଶରେ ଛତିଶଗଡ଼ର ସୁକମା ପରେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ତେନ୍ତୁଳି ଉତ୍ପାଦନ ହେଉଛି। କେବଳ ରାୟଗଡ଼ା ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବହୁ ମାତ୍ରା‌ରେ ତେନ୍ତୁଳି ମିଳୁଛି। ବିପୁଳ ଉତ୍ପାଦନ ସତ୍ତ୍ବେ ରାୟଗଡ଼ା ଜିଲ୍ଲା ଯେତିକି ଲାଭବାନ ହେବା କଥା ହେଉନି।

ରାୟଗଡ଼ା: ଦେଶରେ ଛତିଶଗଡ଼ର ସୁକମା ପରେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ତେନ୍ତୁଳି ଉତ୍ପାଦନ ହେଉଛି। କେବଳ ରାୟଗଡ଼ା ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବହୁ ମାତ୍ରା‌ରେ ତେନ୍ତୁଳି ମିଳୁଛି। ବିପୁଳ ଉତ୍ପାଦନ ସତ୍ତ୍ବେ ରାୟଗଡ଼ା ଜିଲ୍ଲା ଯେତିକି ଲାଭବାନ ହେବା କଥା ହେଉନି। ଜିଲ୍ଲାର ଆଦିବାସୀ ଏହାକୁ ସଂଗ୍ରହ କରୁଥିଲେ ହେଁ ପଡ଼ୋଶୀ ଆନ୍ଧ୍ର ଓ ଅନ୍ୟ ରାଜ୍ୟର ବେପାରୀ ଦଲାଲଙ୍କୁ ହାତକରି ବେଶ୍‌ ଲାଭବାନ ହେଉଛନ୍ତି। ଓଡ଼ିଶା ସରକାରଙ୍କ ତେନ୍ତୁଳିକୁ ନେଇ କୌଣସି ଯୋଜନା ନଥିବାରୁ ବର୍ଷବର୍ଷ ଧରି ଶୋଷଣ ହୋଇ ଚାଲିଛନ୍ତି ଆଦିବାସୀ।

ଆଦିବାସୀମାନେ ଆଜି ପର୍ଯ୍ୟନ୍ତ ତେନ୍ତୁଳିର ଉଚିତ୍‌ ଦର ପାଉନାହାନ୍ତି। ଏହାର ମଞ୍ଜି, ଖୋଳପା ସବୁ ବ୍ୟବହାର ଯୋଗ୍ୟ। ଆଜି ପର୍ଯ୍ୟନ୍ତ କୌଣସି ସରକାର ଏହାକୁ ନେଇ ଶିଳ୍ପ ପ୍ରତିଷ୍ଠା କରିବାରେ ଆଗ୍ରହ ପ୍ରକାଶ କରିନାହାନ୍ତି। ନବେ ଦଶକରେ ପୂର୍ବତନ କଂଗ୍ରେସ ନେତା ଡୋକି ସତ୍ୟନାରାୟଣା ନିଜସ୍ୱ ଉଦ୍ୟମରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିଲେ। ନକ୍ସଲ ଉପଦ୍ରବ ଯୋଗୁ ଏହା ବନ୍ଦ ହୋଇଯାଇଥିଲା। ସେତେବେଳର କଂଗ୍ରେସ ସରକାର ଏ ନେଇ ଆଲୋଚନା ଆରମ୍ଭ କରିଥିଲେ। ସରକାର ବଦଳିବା ପରେ ଆଲୋଚନା ଶୀତଳଭଣ୍ଡାରକୁ ଚାଲିଗଲା। ଏହାପରେ ୨୪ବର୍ଷ ଧରି କୌଣସି ଠୋସ୍‌ ପଦକ୍ଷେପ ନିଆଗଲା ନାହିଁ। ବର୍ଷବର୍ଷ ଧରି ଆଦିବାସୀ ସମବାୟ ବିକାଶ ସମିତି (ଟିଡିସିସି) ନା ତେନ୍ତୁଳି କିଣିବା ବ୍ୟବସ୍ଥା କଲା ନା ସଂଗ୍ରହକାରୀଙ୍କୁ ବନଜାତ ଦ୍ରବ୍ୟ ହିସାବରେ ଉଚିତ ପ୍ରାପ୍ୟ ଦେଲା। ଏହାର ଫାଇଦା ଉଠାଇ ଆନ୍ଧ୍ରପ୍ରଦେଶ ବେପାରୀ ସରକାର ଧାର୍ଯ୍ୟ କରିଥିବା ନ୍ୟୁନତମ ସମର୍ଥନ ମୂଲ୍ୟ (ଏମଏସପି)ଠାରୁ ବହୁତ କମ୍‌ରେ ସଂଗ୍ରହକାରୀଙ୍କ ଠାରୁ କିଣୁଛନ୍ତି। ବାହାର ବଜାରରେ ବିକି ମାଲାମାଲ୍‌ ହେଉଛନ୍ତି।

ତେନ୍ତୁଳିର ସରକାରୀ ଦର କିଲୋ ପିଛା ୩୮ଟଙ୍କା ରହିଛି। ବେପାରୀ ‌ଲୋକଙ୍କ ଠାରୁ ମଞ୍ଜିଥିବା ତେନ୍ତୁଳି ୨୦ରୁ ୨୨ଟଙ୍କାରେ ଏବଂ ମଞ୍ଜି ନଥିବା ତେନ୍ତୁଳି ୩୫ଟଙ୍କାରେ କିଣି ନେଉଛନ୍ତି। ଅମଳ ସମୟରେ ଦୈନିକ ଶତାଧିକ କ୍ବିଣ୍ଟାଲ ତେନ୍ତୁଳି କେରଡା ଦେଇ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ଜିଲ୍ଲାରେ ଘରୋଇ ବ୍ୟବହାର ଓ ଚାହିଦା ତୁଳନାରେ ଉତ୍ପାଦନ ଢେର୍‌ ଅଧିକ। ଚଳିତବର୍ଷ ମଧ୍ୟ ଟିଡିସିସି କୌଣସି ବ୍ୟବସ୍ଥା କରିନି। ଆନ୍ଧ୍ର ବେପାରୀ ଗାଁ ଗାଁ ବୁଲି କମ୍ ଦରରେ ତେନ୍ତୁଳି କିଣି ନେଉଛନ୍ତି। ମାର୍ଚ୍ଚରୁ ମେ’ ମାସ ଯାଏ ତେନ୍ତୁଳି ଅମଳ ହୋଇଥାଏ। ଗୋଟିଏ ପଟେ ଉଚିତ ଦର ମିଳୁ ନଥିବା ବେଳେ କାଳବୈଶାଖୀ ଏବଂ ମେଘୁଆ ପାଗ ହେଲେ ଦର ଆହୁରି କମିଯାଏ। ଟିଡିସିସି, ଆଇଟିଡିଏ, ଓରମାସ ଏବଂ ସରକାରୀ ବ୍ୟବସ୍ଥା ସହ ଯୋଡ଼ି ହୋଇଥିବା ସ୍ବେଚ୍ଛାସେବୀ ସଂସ୍ଥା, କୃଷକ ଉତ୍ପାଦକ ସମିତି (ଏଫ୍‌ପିଓ), ଓଏଲଏମ୍, ମିଶନଶକ୍ତି ଏବଂ ଅନ୍ୟାନ୍ୟ ସଂସ୍ଥା କେବଳ ନିରବଦ୍ରଷ୍ଟା ସାଜିଛନ୍ତି। ତେନ୍ତୁଳିକୁ ଜଙ୍ଗଲଜାତ ଦ୍ରବ୍ୟ ମାନ୍ୟତା ମିଳିଥିଲେ ହେଁ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଏହାର ବଜାରୀକରଣ ସମ୍ପୂର୍ଣ୍ଣ ବିଫଳ ହୋଇଛି। ମିଶନଶକ୍ତି ମହିଳା ଗୋଷ୍ଠୀ, ଏଫ୍‌ପିଓ ସଦସ୍ୟଙ୍କୁ ନିଜ ଗାଁ ପାଖ ତେନ୍ତୁଳି କିଣାବିକା କରିବାକୁ ଯୋଜନା ହୋଇଥିଲେ ହେଁ ଏହାର କାର୍ଯ୍ୟକାରୀ ଠିକ୍‌ ଭାବେ କରାଯାଉନି। ଫଳରେ ତେନ୍ତୁଳି ବିଭିନ୍ନ ରାଜ୍ୟକୁ ଚାଲାଣ ହୋଇଯାଉଛି।

ସୌଜନ୍ୟ-ସମ୍ୱାଦ

Comments are closed.