Breaking News

ସୁଧୁରିଲାନି ବିଧାନସଭା ସ୍ଥିତି: ପୁଣି ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ସଂରକ୍ଷଣ ଦାବିରେ ବିଜେଡିର ହୋହଲ୍ଲା

ବିଧାନସଭା ସ୍ଥିତି ଆଜି ବି ସୁଧୁରିଲାନି। ବିରୋଧୀ କଂଗ୍ରେସ ମହିଳା ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଅଡ଼ି ବସିଥିଲା। ବିଜେଡି ଏସ୍‌ସି, ଏସ୍‌ଟି ଓ ଓବିସିଙ୍କୁ ସଂରକ୍ଷଣ ଦାବି କରି ହଙ୍ଗାମା କରିଥିଲା।

ଭୁବନେଶ୍ବର: ବିଧାନସଭା ସ୍ଥିତି ଆଜି ବି ସୁଧୁରିଲାନି। ବିରୋଧୀ କଂଗ୍ରେସ ମହିଳା ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଅଡ଼ି ବସିଥିଲା। ବିଜେଡି ଏସ୍‌ସି, ଏସ୍‌ଟି ଓ ଓବିସିଙ୍କୁ ସଂରକ୍ଷଣ ଦାବି କରି ହଙ୍ଗାମା କରିଥିଲା। ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଡକାଯାଇଥିବା ସର୍ବଦଳୀୟ ବୈଠକ ପୁଣି ବିଫଳ ହୋଇଥିଲା। ଫଳରେ ଆଜି ପ୍ରଥମାର୍ଦ୍ଧରେ ଆଦୌ ଗୃହ କାର୍ଯ୍ୟ ହୋଇପାରି ନଥିଲା।

ଆଜି ଗୃହ କାର୍ଯ୍ୟ ଆରମ୍ଭରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା। ତାହା ପରେ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଯାଇଥିଲେ। ଘଣ୍ଟ, ଝାଞ୍ଜ ଓ ସାହାନାଇ ବଜାଇବା ଆରମ୍ଭ କରିଥିଲେ। ବିଜେଡି ସଭ୍ୟମାନେ ଆଜି ଶିକ୍ଷା ଓ ନିଯୁକ୍ତି ଏସ୍‌ସି, ଏସ୍‌ଟି ଓ ଓବିସିଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦେବାକୁ ଦାବି କରିଥିଲେ। ସେମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ। ଏହି ସମୟରେ ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ଗୃହ କାର୍ଯ୍ୟ ଆଗକୁ ନେବା ସମ୍ଭବ ହୋଇ ନଥିଲା। ଫଳରେ ବାଚସ୍ପତି ଗୃହକୁ ୧୨ଟା ୯ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ଏହା ପରେ ବିରୋଧୀ ସଦସ୍ୟମାନେ ଗୃହ ବାହାରେ ପ୍ରତିବାଦ ଆରମ୍ଭ କରିଦେଇଥିଲେ। ବିଜେଡି ବିଧାୟକମାନେ ଅରୁଣ ସାହୁଙ୍କ ନେତୃତ୍ବରେ ବିଧାନସୌଧର କରିଡର୍‌ ବୁଲି ନାରାବାଜି କରିଥିଲେ। ‌ଏହା ପରେ ସେମାନେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମହିଳା ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ପାଇଁ ଅଡ଼ି ବସିଛି କଂଗ୍ରେସ
ସଂରକ୍ଷଣ ଦାବିରେ ବିଜେଡିର ହୋହଲ୍ଲା

ସରକାର ସଂରକ୍ଷଣ ଲାଗୁ ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। କଂଗ୍ରେସ ସଭ୍ୟମାନେ ବି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ପ୍ରତିବାଦ କରିଥିଲେ। ମହିଳା ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ନହେଲା ଯାଏ ପ୍ରତିବାଦ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ୧୨ଟା ୯ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କଲେ। ଏହି ସମୟରେ ଉପବାଚସ୍ପତି ଗୃହରେ ଅଧ୍ୟକ୍ଷତା କରୁଥିଲେ। ସ୍ଥିତି ନସୁଧୁରିବାରୁ ସେ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ଜାରି ରହିଥିବାରୁ ଆଉ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ହୋଇପାରି ନଥିଲା।

୪ଟା ବେଳେ ଗୃହ ଆରମ୍ଭ ହେବା କ୍ଷଣି କଂଗ୍ରେସ ସଭ୍ୟମାନେ ପୁଣି ଘଣ୍ଟ ବଜାଇ ହଟ୍ଟଗୋଳ କରିଥିଲେ। ଉପବାଚସ୍ପତି କହିଥିଲେ, କଂଗ୍ରେସ ବିଧାୟକମାନେ ଯେପରି ଆଚରଣ କରୁଛନ୍ତି ଏହା ବିଶୃଙ୍ଖଳିତ ଆଚରଣ। ଏହା ଦ୍ବାରା ଗୃହର ମର୍ଯ୍ୟାଦା ହାନି ହେଉଛି। ତେବେ କଂଗ୍ରେସ ସଭ୍ୟମାନେ ଘଣ୍ଟ ବଜାଇ ତାଙ୍କର ପ୍ରତିବାଦ ଜାରି ରଖିଲେ। ଏହା ପରେ ରାଜସ୍ବ ମନ୍ତ୍ରୀ ବିବୃତି ଦେବାକୁ ଠିଆ ହେଲା। କଂଗ୍ରେସ ସଭ୍ୟମାନେ ଗୃହ ବର୍ଜନ କରି ବାହାରକୁ ଯାଇଥିଲେ। ସେମାନଙ୍କ ଅନୁପସ୍ଥିତିରେ ଖର୍ଚ୍ଚଦାବି ଆଲୋଚନା ହୋଇଥିଲା।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.