Breaking News

ସୁନା ନିବେଶର ସର୍ବୋତ୍ତମ ମାଧ୍ୟମ: ହଂସ

ସୁନାର ମୂଲ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି। ଖୁବ୍ ନିକଟରେ ଏହା ଏକ ଲକ୍ଷ ଟଙ୍କା ସ୍ପର୍ଶ କରିବାର ସମ୍ଭାବନା ଦେଖାଦେଇଛି। ଲାଲଚନ୍ଦ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ମତରେ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା....

ଭୁବନେଶ୍ବର: ସୁନାର ମୂଲ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି। ଖୁବ୍ ନିକଟରେ ଏହା ଏକ ଲକ୍ଷ ଟଙ୍କା ସ୍ପର୍ଶ କରିବାର ସମ୍ଭାବନା ଦେଖାଦେଇଛି। ଲାଲଚନ୍ଦ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ମତରେ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା କାରଣରୁ ନିକଟ ଭବିଷ୍ୟତରେ ସୁନାର ମୁଲ୍ୟବୃଦ୍ଧି ଜାରି ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କ ମତରେ ବିଗତ ଅର୍ଦ୍ଧ-ଦଶନ୍ଧି ଧରି ସୁନା ମୂଲ୍ୟବୃଦ୍ଧି ଅନ୍ୟ ମାଧ୍ୟମ ଗୁଡ଼ିକ ଅପେକ୍ଷା ନିବେଶକମାନଙ୍କୁ ଅଧିକ ଆକୃଷ୍ଟ କରିଛି । ଗତ କିଛି ବର୍ଷ ଧରି ସ୍ୱର୍ଣ୍ଣ ମୁଦ୍ରା ଓ ସୁନା ବାର୍‌ର ଚାହିଦା ବଢ଼ି ଚାଲିଛି।  ଲୋକମାନେ ସୁନାକୁ କେବଳ ଅଳଙ୍କାର ଭାବେ ଦେଖୁନାହାନ୍ତି। ସେମାନଙ୍କ ପରିବର୍ତ୍ତିତ ଦୃଷ୍ଟିକୋଣ ପାଇଁ ସୁନାର ମୂଲ୍ୟ ଏମସିଏକ୍ସରେ ୧୦ ଗ୍ରାମ୍ ପ୍ରତି ୮୮,୩୫୦ ଟଙ୍କାରେ ପହଞ୍ଚିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ଆଉନ୍ସ ପ୍ରତି ୩,୦୧୨ ଡଲାରରେ ପହଞ୍ଚିଛି। ସୁନାର ଦର ଧିରେ ଧିରେ ବଢ଼ିବାରେ ଲାଗିଛି। ସାରା ଦେଶର ନିବେଶକମାନେ ସୁନା ୧ ଲକ୍ଷ ଛୁଇଁବ ବୋଲି ଅନୁମାନ କରୁଛନ୍ତି। କେତେ ଶୀଘ୍ର ଏହା କହିହେବ ନାହିଁ, କିନ୍ତୁ ଭବିଷ୍ୟତରେ ୧ ଲକ୍ଷ ଛୁଇଁବା ନିଶ୍ଚିତ।

‘ଲକ୍ଷେ ଟଙ୍କା ଦୂର ନୁହେଁ’

ସ୍ୱଳ୍ପ-ମିଆଦୀ ଦୃଷ୍ଟିକୋଣରୁ ଦେଖିଲେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏମ୍‌ସିଏକ୍ସରେ ୧୦ ଗ୍ରାମ୍ ସୁନାର ମୂଲ୍ୟ ୯୧ ହଜାର ଟଙ୍କା ଏବଂ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ଆଉନ୍ସ ପ୍ରତି ୩୨୦୦ ଆମେରିକୀୟ ଡଲାର ସ୍ତରରେ ପହଞ୍ଚିବା ସମ୍ଭାବନା ରହିଛି। ତାଙ୍କ ମତରେ ସ୍ୱଳ୍ପ-ମିଆଦୀ ନିବେଶକଙ୍କ ପାଇଁ ପରିସ୍ଥିତି ବେଶ୍ ଅନୁକୂଳ। କାରଣ ୨୦୨୫ ଜାନୁଆରି ପରଠାରୁ ସୁନା ଓ ରୁପା ଅନ୍ୟ ସମସ୍ତ ସମ୍ପତ୍ତିଠାରୁ ଅଧିକ ରିଟର୍ଣ୍ଣ ଦେଇଛି। ସୁନାର ମୂଲ୍ୟ ଅତ୍ୟଧିକ ବଢ଼ିଯାଇଛି ଏବଂ ମୂଲ୍ୟରେ ଅହେତୁକ ହ୍ରାସ ହେବାର ସମ୍ଭାବନାକୁ ସେ ଖଣ୍ଡନ କରିଛନ୍ତି। କିଛି ମାସ ତଳେ ସୁନାର ମୂଲ୍ୟ ୨୬୦୦ ଡଲାରରୁ ୨୭୦୦ ଡଲାର ମଧ୍ୟରେ ଥିଲା । କିନ୍ତୁ ଏବେ ୨୯୦୦ରୁ ୩୦୦୦ ମଧ୍ୟରେ ଅଛି। ‌ଯେତେବେଳେ ସୁଧାର ହେଉଛି ମାତ୍ର ୨୦ରୁ ୩୦ ପ୍ରତିଶତ ହେଉଛି ।

ସ୍ୱଳ୍ପ ମିଆଦୀ ଟ୍ରେଡିଂ ବଦଳରେ ନିବେଶକ ଏବଂ ଅଳଙ୍କାର ଗ୍ରାହକମାନେ ସୁନାକୁ ଏକ ଲମ୍ବା ଅବଧିର ନିବେଶ ଭାବେ ଦେଖିବା ଉଚିତ ବୋଲି ସେ କହିଛନ୍ତି । ଏକ ବ୍ୟବସ୍ଥିତ ବିନିଯୋଗ ମାଧ୍ୟମରେ ସୁନାରେ ନିବେଶ କରିବା ଉଚିତ। ଯାହାଫଳରେ ମୂଲ୍ୟହ୍ରାସ ସମୟରେ ଅଧିକରୁ ଅଧିକ ନିବେଶ କରିହେବ। ବିଶ୍ୱରେ ଭାରତ ଓ ଚୀନ୍ ସମେତ ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣୁଛନ୍ତି। ଇସ୍ରାଏଲ୍‌-ହମାସ ବିବାଦ, ରୁଷିଆ-ୟୁକ୍ରେନ୍ ବିବାଦ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ବିଶ୍ୱ ବାଣିଜ୍ୟ ଯୁଦ୍ଧର ଭୟ କାରଣରୁ ସୁନାରେ ନିବେଶ ସବୁଠୁ ସୁରକ୍ଷିତ ବିବେଚିତ ହୋଇଛି । ବିଶ୍ୱ ଅର୍ଥନୀତିରେ କଳାବାଦଲ ଭିତରେ ସୁନା ଉଜ୍ଜ୍ୱଳ ଆଲୋକର ଉତ୍ସ ପାଲଟିଛି ବୋଲି ସେ କହିଛନ୍ତି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.