Breaking News

ସୁନା, ନିଶାଦ୍ରବ୍ୟ ଚାଲାଣ ପାଇଁ ଆକାଶପଥ ନିରାପଦ: ୪ ବର୍ଷରେ ୯୧କୋଟିର ସୁନା, ୨୧କୋଟିର ନିଶାଦ୍ରବ୍ୟ ଜବତ

କେତେବେଳେ କାର୍ଗୋରୁ ସୁନାଗହଣା ଆଉ କେତେବେଳେ ମଳଦ୍ବାରରୁ ନିଶାଦ୍ରବ୍ୟ। ଗତ ୪ବର୍ଷ ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ବିଦେଶରୁ ଏଭଳି ଢଙ୍ଗରେ ୧୧୦ କେଜି ସୁନାଗହଣା, ୨୧ କେଜି ମାରିଜୁଆନା ଜବତ ହୋଇଛି।

ଭୁବନେଶ୍ବର: କେତେବେଳେ କାର୍ଗୋରୁ ସୁନାଗହଣା ଆଉ କେତେବେଳେ ମଳଦ୍ବାରରୁ ନିଶାଦ୍ରବ୍ୟ। ଗତ ୪ବର୍ଷ ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ବିଦେଶରୁ ଏଭଳି ଢଙ୍ଗରେ ୧୧୦ କେଜି ସୁନାଗହଣା, ୨୧ କେଜି ମାରିଜୁଆନା ଜବତ ହୋଇଛି। କେବଳ ଏତିକି ନୁହେଁ, ଆକାଶପଥରେ ପଶୁପକ୍ଷୀଙ୍କ ନିଷିଦ୍ଧ ଅଙ୍ଗ ବିଦେଶକୁ ପଠାଯାଉଛି। ସବୁଠାରୁ କଡ଼ା ସୁରକ୍ଷା ବଳୟରେ ରହୁଥିବା ବିମାନଯାତ୍ରାକୁ ଅନାୟାସରେ ଅପରାଧୀ ବ୍ୟବହାର କରୁଛନ୍ତି। କେତୋଟି ହାତଗଣତି ମାମଲା ଧରାପଡ଼ୁଥିବା ବେଳେ ଅଧିକାଂଶରେ ଅପରାଧୀ ସଫଳ ହେଉଛି। ବିମାନବନ୍ଦରରେ ଦେଇ କୌଣସି ଆପତ୍ତିଜନକ ଜିନିଷ ଯିବା କାଠିକର ପାଠ। ହେଲେ ମାଫିଆମାନେ ପୁଲିସକୁ ଚକ୍‌ମା ଦେଇପାରୁଛନ୍ତି। ମେଟାଲ୍‌ ଡିଟେକ୍ଟର, ସ୍କାନର ସବୁ ଫେଲ୍‌ ମାରୁଛି। ଅପରାଧୀ କିଭଳି ଏତେ ସାହସ କରୁଛନ୍ତି? କିଏ ଏମାନଙ୍କୁ ସୁରକ୍ଷା ଯୋଗାଉଛି?

ଚଳିତ ବର୍ଷ ଆରମ୍ଭରୁ ବିମାନବନ୍ଦରରୁ ୩ ଥରରେ ୨୧କୋଟି ଟଙ୍କାର ମାରିଜୁଆନା ଜବତ କରାଯାଇଥିଲା। ବଡ଼କଥା ହେଲା ଯେ ଏହି ମାରିଜୁଆନା ଚାଲାଣର ଚେର ବିଦେଶ ପର୍ଯ୍ୟନ୍ତ ଲମ୍ବିଛି। ଗତ ଜାନୁଆରି ୧୮ ତାରିଖରେ ପୁଣି ଜଣେ ଯୁବକ ବ୍ୟାଙ୍କକ୍‌ରୁ ୭କୋଟିର ମାରିଜୁଆନା ନେଇ ଆସୁଥିବା ବେଳେ ଧରାପଡ଼ିଥିଲା। ଗତ ୧୫ ତାରିଖରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଓ କଷ୍ଟମସ୍‌ ବିଭାଗ ମିଳିତ ଚଢ଼ଉ କରି ୪କୋଟି ଟଙ୍କାର ମାରିଜୁଆନା ଜବତ କରିଥିଲେ। ଗତ ମାସ ୪ ତାରିଖରେ କ୍ବାଲାଲୁମ୍ପୁରରୁ ୧୦କୋଟି ମୂଲ୍ୟର ୧୦ କେଜି ମାରିଜୁଆନା ଧରି ଆସୁଥିବା ବେଳେ ୨ ବଙ୍ଗୀୟ ମହିଳା ଧରାପଡ଼ିଥିଲେ। ୨୦୨୪, ଅଗଷ୍ଟ ୨୮ରେ ଭୁବନେଶ୍ବର ବିମାନବନ୍ଦରରୁ ୮୭ କେଜି ସୁନା ଓ ୨୦୦ କେଜି ରୁପା ଜବତ ହୋଇଥିଲା। ଯାହାର ମୂଲ୍ୟ ୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। ନିୟୁଜ୍‌ ଏୟାର ସର୍ଭିସ ଲଜିଷ୍ଟିକ୍‌ସର ଦୁଇଟି ଗାଡ଼ିରେ ୧୦ଟି ଟ୍ରଙ୍କ୍‌ରେ ଏହି ସୁନା ଓ ରୁପା ଚାଲାଣ ହେଉଥିବା ବେଳେ ଧରାପଡ଼ିଥିଲା। ଗତବର୍ଷ ୮ ମେ’ରେ ଦୁବାଇରୁ ଭୁବନେଶ୍ବର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ୩.୭୭ କେଜି ସୁନା ଜବତ କରାଯାଇଥିଲା। ଯାହାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ। କୌତୁହଳପ୍ରଦ କଥା ହେଉଛି, ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ନିଜ ମଳଦ୍ୱାରରେ ଦୁବାଇରୁ ଆଣୁଥିଲେ। ଏପ୍ରିଲ୍‌ ୧୯ ତାରିଖରେ ଭୁବନେଶ୍ବର ବିମାନବନ୍ଦରରୁ ମୁମ୍ବାଇ ଚାଲାଣ ବେଳେ ୩.୮କେଜି ଓଜନର ସୁନା ଜବତ ହୋଇଥିଲା। ଜବତ ସୁନାର ମୂଲ୍ୟ ୨.୫ କୋଟିରୁ ଊର୍ଦ୍ଧ୍ବ ହେବ। ଏପ୍ରିଲ୍‌ ୧୭ରେ ମହାରାଷ୍ଟ୍ରରର ଜଣେ କୁଖ୍ୟାତ ସୁନା ସ୍ମଗଲର୍‌ ଠାରୁ ୧କେଜି ସୁନା ଜବତ ହୋଇଥିଲା। ଏହି କେଜିଏ ସୁନା ମଧ୍ୟ ମଳଦ୍ବାରରୁ ମିଳିଥିଲା। ୨୦୨୩ ମସିହାରେ ୨.୧୮କୋଟି ମୂଲ୍ୟର ୩.୫୩ କେଜି ସୁନା, ୨୦୨୨ରେ ୨କେଜି ସୁନା ଓ ୨୦୧୯ରେ ୧୨.୯୩ କେଜି ସୁନା ଜବତ ହୋଇଥିଲା।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.