ଡମ୍ବରୁଧର ନାୟକ

ସୁନ୍ଦରଗଡ଼: ଜଳ, ଜମି ଓ ଜଙ୍ଗଲ। ଜୀବଜଗତର ଜୀବନ ନାଟିକା। ବିଶେଷକରି ଆଦିବାସୀଙ୍କ ଜୀବନଜୀବିକାର ଏକମାତ୍ର ରାହା। ହେଲେ ପ୍ରକୃତିର ଏହି ଅମୃତ ଉପାଦାନ ଏବେ ବିପଦରେ। ଖଣି ଆଁରେ ଲୀନ ହେଉଛି ଗୋଟିଏ ପରେ ଗୋଟିଏ ଜଙ୍ଗଲ, ନଦୀନାଳ, ଗାଁ ଭୂଇଁ ସହ ପିଢ଼ିପିଢ଼ିର ଜୀବନଜୀବିକା। ଏଥିରୁ ବାଦ୍‌ ପଡ଼ିନି ଆଦିବାସୀଙ୍କ ଭୂମି ସୁନ୍ଦରଗଡ଼। ଜିଲ୍ଲାର ବିଶାଳ ଜଙ୍ଗଲ ସହ ଜମି ଖଣିଗର୍ଭକୁ ଚାଲିଯିବାକୁ ବସିଛି। ଜିଲ୍ଲାର ଉତ୍ତର-ପୂର୍ବ କୋଇଡ଼ାରେ ବୃହତ୍‌ ଲୁହାପଥର ଓ ଦକ୍ଷିଣ-ପଶ୍ଚିମ ହେମଗିରରେ ବିସ୍ତୀର୍ଣ୍ଣ କୋଇଲା ଖଣି ପ୍ରାୟ ୨୬ ହଜାର ୭୨୧ ହେକ୍ଟର ଜଙ୍ଗଲକୁ ଗିଳିବା ପାଇଁ ମାଡ଼ି ଆସୁଛି। ଖଣି ଭିତରେ ହଜାରେ ହେକ୍ଟରରୁ ଅଧିକ ଜଙ୍ଗଲ ଲୀନ ହୋଇ ସାରିଲାଣି। ଏହା ସହ ହଜାରହଜାର ଏକର ଜମି ନିଶ୍ଚିହ୍ନ ହେବା ସହ ନଦୀନାଳ ଭଳି ବହୁ ଚିରସ୍ରୋତା ଜଳ ଉତ୍ସ ବି ମରିଗଲାଣି। ହେମଗିର ଅଞ୍ଚଳର ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ପରିଚାଳିତ ୬ଟି କୋଇଲା ଖଣିରେ ପ୍ରାୟ ହଜାରେ ହେକ୍ଟର ଜଙ୍ଗଲ ଧ୍ବଂସ ହୋଇସାରିଛି। ଏବେଏବେ ବୃହତ୍ ବହୁରାଷ୍ଟ୍ରୀୟ ଘରୋଇ କମ୍ପାନିଗୁଡ଼ିକ ସୁନ୍ଦରଗଡ଼ର ଛାତିକୁ ବିଦାରିବା ଆରମ୍ଭ କରିଛନ୍ତି। ଆଗକୁ ବିଭିନ୍ନ କମ୍ପାନିର ୧୮ଟି ଖଣି ଗର୍ଭରେ ୩୧ ଶହ ହେକ୍ଟର ଜଙ୍ଗଲ ଧ୍ବଂସ ହେବାର ଆକଳନ କରାଯାଇଛି। ଏହା ହେଲେ ସୁନ୍ଦରଗଡ଼ ବନଖଣ୍ଡର ଏକ ବିଶାଳ ସବୁଜ କ୍ଷେତ୍ର ‘ଗର୍ଜନପାହାଡ଼’ ଓ ‘ଧନୁବାଉଁଶ’ ସମ୍ପୂର୍ଣ୍ଣ ଧ୍ବଂସ ପାଇଯିବ।

ଖଣି ଗିଳୁଛି ଜଳ, ଜମି, ଜଙ୍ଗଲ
ଖସୁଛି ଭୂତଳ ଜଳସ୍ତର, ମରିଯାଉଛି ନଈ

ହେମଗିର ପରି କୋଇଡ଼ା ବ୍ଲକ୍ ଅଞ୍ଚଳର ଲୁହାପଥର ଖଣି ପାଇଁ ବ୍ୟାପକ ଜଙ୍ଗଲ ଓ ବିଶାଳ  ପାହାଡ଼ ଧରାଶାୟୀ ହେଲାଣି। ୫୦ ଦଶକରୁ ଏ ଅଞ୍ଚଳରେ ୫୦ରୁ ଅଧିକ କମ୍ପାନି ଶହଶହ ଏକର ଜଙ୍ଗଲ କାଟି ପଦା କରିଛନ୍ତି। ଏବେ ୨୮ରୁ ଅଧିକ କମ୍ପାନି ମଧ୍ୟରୁ କିଛି କମ୍ପାନି ଜଙ୍ଗଲ କାଟି ଖଣି ଖନନ ଆରମ୍ଭ କରିଥିବାବେଳେ ଆଉ କିଛି ପ୍ରକ୍ରିୟା, ପ୍ରସ୍ତୁତି ଚଳାଇଛନ୍ତି। ଖଣିରେ କୋଇଡ଼ାର ସଂରକ୍ଷିତ ଜଙ୍ଗଲ କାରୋ ୩୭୪୭.୬୦ ଏକର, ମେଣ୍ଢାମାରୁଣି,ସାରକୁଣ୍ଡା ୪୬୬୭.୪୦ ଏକର, କାଠମାଳ ୨୫୦ ଏକର, ଭବାନୀ ପାହାଡ଼ ୯୧୫ ଏକର,  ରକ୍ସି ୪୩୧୪.୮.ଏକର, ରକ୍ସି (୨) ୩୪୯୧ ଏକର, ଖଣ୍ଡାଧାର ୨୨୯୨ ଏକର, ଖଜୁରଡିହି ୫୨୫ ଏକର, ତୋଡ଼ା ୩୮୮୫୧.୨୧ ଏକରରୁ କିଛି ଧ୍ବଂସ ହୋଇ ସାରିଥିବାବେଳେ ବାକି ଅଞ୍ଚଳ ନିଶ୍ଚିତ ମୃତ୍ୟୁ ଅପେକ୍ଷାରେ। ଜଙ୍ଗଲ ପରି ଜଳଉତ୍ସ ବି ମରଣଶଯ୍ୟାରେ। ଏକଦା ହେମଗିର ଅଞ୍ଚଳର ଜୀବନରେଖା ସାଜିଥିବା ଚିରସ୍ରୋତା ନଦୀ ‘ବସୁନ୍ଧରା’ କୋଇଲା ଖଣିରେ ଲୀନ ହୋଇଯାଇଛି। ଆଗକୁ ଆଉ ଏକ ନଦୀ ‘ଚତୁର୍ଧାରା’ ପାଳି। ଏହାବ୍ୟତୀତ ଲେଫ୍ରିପଡ଼ା ବ୍ଲକ୍‌ ଡୁମାବାହାଲ ପଞ୍ଚାୟତ ସିପୋକଚ୍ଛାର ଗାଁର ଏକ ପାହାଡ଼ରୁ ଜନ୍ମ ନେଇ ୫୦ରୁ ଅଧିକ ଗାଁ ପାଇଁ ଜୀବନଧାରକ ସାଜିଥିବା ‘ଇଚ୍ଛା ନଦୀ’କୁ ମଧ୍ୟ ମୃତ୍ୟୁ ଡାକରା ଦେଲାଣି। ନଦୀଶଯ୍ୟାଗୁଡ଼ିକ ପଥର, ଘାସବୁଦାରେ ଭରିଗଲାଣି।

କୋଇଡ଼ା ବ୍ଲକ୍‌ ଅଞ୍ଚଳର ପ୍ରମୁଖ ନଦୀ କାରୋ, ସୁନାନାଳ, ସମିଜ ନଦୀ ବି ଶେଷଶଯ୍ୟାରେ। ଲୁହାପଥର ସହ କୋଇଲା ଯୋଗୁ ଏସବୁ  ନଦୀ ଆଉ କିଛି ବର୍ଷ ପରେ ଭୂଗୋଳ ପୋଥିରୁ ନିଶ୍ଚିହ୍ନ ହୋଇଯିବ।
ଅନ୍ୟପଟେ ଜିଲ୍ଲାର ଭୂତଳ ମାଟିର ଜଳଧାରଣ କ୍ଷମତା ହ୍ରାସ ପାଇ ଜଳ ସଂକଟ ଉତ୍କଟ ହେବାରେ ଲାଗିଛି।  ସୁନ୍ଦରଗଡ଼ ସମେତ ଅନ୍ୟ ଅଞ୍ଚଳରେ ଭୂତଳ ଜଳସ୍ତର ଉଦ୍‌ବେଗଜନକ ଭାବେ ତଳକୁ ଖସି ଯାଉଥିବାରୁ ପୂର୍ବ ଭଳି ନଦୀ, ପୋଖରୀ, କୂଅ, ଏପରିକି ଅନେକ ସ୍ଥାନରେ ନଳକୂପର ବି  ଜଳଧାରଣ କ୍ଷମତା ହ୍ରାସ ପାଉଛି। ଅକ୍ଟୋବର ପରେ ପରେ ଏସବୁ ଜଳଉତ୍ସ ଶୁଖି ଯାଉଛି। ସେଥିପାଇଁ ଗତବର୍ଷ ସୁନ୍ଦରଗଡ଼ ସହର ଏକ ଉଦ୍‌ବେଗଜନକ ସ୍ଥିତିକୁ ସାମନା କରିଥିଲା। ସହରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ସୁନ୍ଦରଗଡ଼ର ଜୀବନରେଖା ଇବ୍‌ନଦୀର କ୍ଷୀଣ ଜଳଧାର ଶୁଖିଯିବା ପରେ ଏ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସହର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ପଛରେ ଖଣି ପାଇଁ ବ୍ୟାପକ ଜଙ୍ଗଲ କ୍ଷୟ ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ଚର୍ଚ୍ଚା କଲେ। ଆଗକୁ ଜିଲ୍ଲାର  କୋଇଲା ଓ ଲୁହାପଥର ଖଣି ମୁହଁରୁ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା କରା ନଗଲେ ଆଦିବାସୀଙ୍କ ଭୂମି ସବୁଜ, ସୁନ୍ଦର ସୁନ୍ଦରଗଡ଼ ସଂକଟ ଭିତରକୁ ଠେଲି ହୋଇଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପ‌ାରେ।