Breaking News

ସୁନ୍ଦରଗଡ଼ରେ ୬୦ ପଥର ଖାଦାନ: ବାଲି ପରେ ପଥର ଲୁଟ୍‌, ୭ ଖାଦାନକୁ ମିଳିଛି ଇ-ଟିପି

ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ର ଜଲଦା ପଥର ଖାଦାନ। ଲିଜ୍‌ କିମ୍ବା ଇ-ଟିପି (ଟ୍ରାନ୍‌ଜିଟ୍‌ ପାସ୍‌) ମିଳିନି। କିନ୍ତୁ ଦିନରାତି ଚାଲିଛି ପଥର ଲୁଟ୍‌। ଘନଘନ ବ୍ଲାଷ୍ଟିଂ ଯୋଗୁ ଆଖପାଖ ଅଞ୍ଚଳର ଘରକାନ୍ଥ ଓ ଆଜବେଷ୍ଟସ୍‌ ଛାତ ଫାଟିଯାଉଛି।

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ର ଜଲଦା ପଥର ଖାଦାନ। ଲିଜ୍‌ କିମ୍ବା ଇ-ଟିପି (ଟ୍ରାନ୍‌ଜିଟ୍‌ ପାସ୍‌) ମିଳିନି। କିନ୍ତୁ ଦିନରାତି ଚାଲିଛି ପଥର ଲୁଟ୍‌। ଘନଘନ ବ୍ଲାଷ୍ଟିଂ ଯୋଗୁ ଆଖପାଖ ଅଞ୍ଚଳର ଘରକାନ୍ଥ ଓ ଆଜବେଷ୍ଟସ୍‌ ଛାତ ଫାଟିଯାଉଛି। ଲୋକ ପ୍ରତିବାଦ କରୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। କେବଳ ଲାଠିକଟା ନୁହେଁ; ବିଶ୍ରା, ରାଜଗାଙ୍ଗପୁର, ଲେଫ୍ରିପଡ଼ା, ହେମଗିର, ସବ୍‌ଡେଗା ଏମିତି ଜିଲ୍ଲାର ଅନେକ ବ୍ଲକ୍‌ରେ ଆଖିବୁଜା ପଥର ଚାଲାଣ ହେଉଛି। ସରକାରଙ୍କ ପାଣ୍ଠିକୁ ଟଙ୍କାଟିଏ ରାଜସ୍ବ ଆସୁନି। ମାଲେମାଲ୍‌ ହେଉଛନ୍ତି ମାଫିଆ, କିଛି ଅଧିକାରୀ ଓ ନେତା।

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୧୫ଟି ବାଲିଘାଟ ଓ ୬୦ଟି ପଥର ଖାଦାନ ରହିଛି। ୨୫ଟି ପଥର ଖାଦାନ ଲିଜ୍‌ ସୂତ୍ରରେ ଦିଆଯାଇଥିବାବେଳେ ଅନ୍ୟ ୩୫ଟି ଏଯାଏଁ ଦିଆଯାଇନି। ଲିଜ୍‌ ମିଳିଥିବା ୨୫ ଖାଦାନ ମଧ୍ୟରୁ ମାତ୍ର ୭ଟିକୁ ଇ-ଟିପି ମିଳିଛି। ଅର୍ଥାତ ଲିଜ୍‌ଧାରୀମାନେ ପଥର ଉତ୍ତୋଳନ କରିବାକୁ ଅନୁମତି ପାଇଛନ୍ତି। ଅବଶିଷ୍ଟ ୧୮ଟି ପଥରଖାଦାନ ଲିଜ୍ ପାଇଥିଲେ ହେଁ ବିଭିନ୍ନ କାରଣରୁ ସେମାନଙ୍କୁ ଏଯାବତ ଇ-ଟିପି ମିଳିପାରିନି। ଜିଲ୍ଲାରେ ଇ-ଟିପି ପାଇଥିବା ପଥର ଖାଦାନଗୁଡ଼ିକ ମଧ୍ୟରେ ରହିଛି ଲାଠିକଟା ବ୍ଲକ୍‌ର ବଲଣ୍ଡା (୧), ବଲଣ୍ଡା (୩), ଅସୁରଛାପଲ (୧), କୋଇଡ଼ାର ବନ୍‌କୋ, କୁଆରମୁଣ୍ଡା ପାନପୋଷର ଡୁମାଙ୍ଗଦିରି (୪), ରାଉରକେଲାର ବଲଣ୍ଡା ଓ ଟାଙ୍ଗରପାଲି ପଥର ଖାଦାନ। ତେବେ ଅବଶିଷ୍ଟ ଲିଜ୍‌ ହୋଇନଥିବା ଓ ଲିଜ୍‌ ପାଇଥିବା ପଥର ଖାଦାନରୁ ବିନା ଟିପିରେ ଦୈନିକ ଉଠା ଚାଲିଛି ଶହ ଶହ ପଥର। ଏଥିରୁ ଟଙ୍କାଟିଏ ରାଜସ୍ବ ମିଳୁନି। ଅଥଚ ମାସକୁ କୋଟି କୋଟି ଟଙ୍କାର ପଥର ଲୁଟ୍‌ ହେଉଛି। ଲାଠିକଟା ବଲଣ୍ଡା ପଥର ଖାଦାନ (୨) ଓ ପଥରଖାଦାନ (୩)କୁ ଟିପି ମିଳିଛି। ବଲଣ୍ଡା (୭), ବଲଣ୍ଡା (୧୪), ବଲଣ୍ଡା (୧୬) ଖାଦାନ ଲିଜ୍‌ ମିଳିନି, ‌ହେଲେ ଦିନରାତି ଉତ୍ତୋଳନ ହେଉଛି। କୁଆରମୁଣ୍ଡା ବ୍ଲକ୍‌ର ଡୁମାଙ୍ଗଦିରି (୪) ଖାଦାନକୁ ଅନୁମତି ମିଳିଛି। ଡୁମାଙ୍ଗଦିରି ପଥର ଖାଦାନ (୩)କୁ ଟିପି ମିଳିନଥିଲେ ହେଁ ଏଠାରୁ ପଥର ଚାଲାଣ ହେଉଛି।

୭ ଖାଦାନକୁ ମିଳିଛି ଇ-ଟିପି
କାରବାରରେ ନେତା ଓ ମାଫିଆ
ବିନା ଅନୁମତିରେ ଚାଲିଛି ବ୍ଲାଷ୍ଟିଂ

ବିଶ୍ରା ବ୍ଲକ୍‌ର କୁଦରବାହାଲ (୧) ଓ କୁଦରବାହାଲ (୨), ଡୁର୍ମେତା (୧) ଖାଦାନରୁ ବି ପଥର ଉତ୍ତୋଳନ ସହ ବ୍ଲାଷ୍ଟିଂ କରାଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି। ସବ୍‌ଡେଗାର ଗଇଲୋ ପଥର ଖାଦାନ (ବି), ପଥର ଖାଦାନ (ଏ), ରାଜଗାଙ୍ଗପୁରର ସୁନାଖଣ୍ଡି, ଜଉରୁମାଲ୍‌, ହେମଗିର ବ୍ଲକ୍‌ର ସାନବାଲିଚୁଆଁ ପଥର ଖାଦାନକୁ ଟିପି ମିଳିନି। ସେମିତି ରାଜଗାଙ୍ଗପୁର ବ୍ଲକ୍‌ର ରାଜଗାଙ୍ଗପୁର ପଥର ଖାଦାନ (୧), ପଥର ଖାଦାନ (୩), ଭାଗଟୋଲା, କୁଟୁନିଆ,  କାଂସବାହାଲ, ରାମଲତା ଆଦି ପଥର ଖାଦାନକୁ ଟିପି ମିଳିନି। ଭିତରି ସଲାସୁତୁରା କରି ମାସକୁ ମାସ ଲକ୍ଷ ଲକ୍ଷ ଟଙ୍କାର ପଥର ଉତ୍ତୋଳନ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବେଆଇନ ଉତ୍ତୋଳନ ପଥର ସିଧାସଳଖ ନିକଟରେ ଥିବା କ୍ରସର ୟୁନିଟ୍‌କୁ ଯାଉଛି। ସେଠାରୁ ଚିପ୍‌ସ ଓ ଗେଟି ବାହାର କରି ବଜାରରେ ବିକ୍ରି କରୁଛନ୍ତି। ସୀମାନ୍ତରେ ଥିବା କ୍ରସର ୟୁନିଟ୍‌ରେ ଚିପ୍‌ସ ଓ ଗେଟି ହେବା ପରେ ଛତିଶଗଡ ଓ ଝାଡ଼ଖଣ୍ଡକୁ ଅବାଧରେ ଚାଲାଣ ହେଉଛି। ପାନପୋଷ ସବ୍‌ଡିଭିଜନରେ ଏନ୍‌‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ ହେବା ପରେ ଚୋରା ଚାଲାଣ ଉପରେ କିଛିଟା ଅଙ୍କୁଶ ଲାଗିଛି। ବାଲିଘାଟ ପରି ପଥରଖାଦାନଗୁଡ଼ିକ ଉପରେ ନିୟମିତ ବ୍ୟବଧାନରେ ଚଢ଼ଉ ହେଉ ନଥିବାରୁ ମାଫିଆ ଏହାର ଭରପୂର ଫାଇଦା ଉଠାଇ ଚାଲିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.