Breaking News

ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲା: ୨ବର୍ଷରେ ଥରେ ବି ହୋଇନି ଶୁଣାଣି

ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ୨ବର୍ଷ ମଧ୍ୟରେ ଥରୁଟିଏ ବି ହୋଇନି। ସୁପ୍ରିମ୍‌କୋର୍ଟର ତଥ୍ୟ ଅନୁସାରେ ୨୦୨୨ ଡି‌ସେମ୍ବର ୭ ପରେ ପୋଲାଭରମ ମାମଲାର କୌଣସି ଶୁଣାଣି ହୋଇନାହିଁ।

ନଇମ୍‌ ଅଖତାର୍‌

ନୂଆଦିଲ୍ଲୀ ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ୨ବର୍ଷ ମଧ୍ୟରେ ଥରୁଟିଏ ବି ହୋଇନି। ସୁପ୍ରିମ୍‌କୋର୍ଟର ତଥ୍ୟ ଅନୁସାରେ ୨୦୨୨ ଡି‌ସେମ୍ବର ୭ ପରେ  ପୋଲାଭରମ ମାମଲାର କୌଣସି ଶୁଣାଣି ହୋଇନାହିଁ। ଅନ୍ୟପକ୍ଷରେ ଓଡ଼ିଶା ସମେତ ମାମଲାରେ ପକ୍ଷଭୁକ୍ତ ଥିବା ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ତ୍ବରିତ ଶୁଣାଣି ପାଇଁ ମଧ୍ୟ କୌଣସି ଆବେଦନ କରାଯାଇନି।
ସୂଚନାଯୋଗ୍ୟ ପୋଲାଭରମ ପ୍ରକଳ୍ପ ବିରୋଧରେ ଓଡ଼ିଶା ୨୦୦୭, ଛତିଶଗଡ଼ ୨୦୧୧ ଓ ତେଲେଙ୍ଗାନା ୨୦୧୯ରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ୍‌ ଦାଖଲ କରିଥିଲେ। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ର ମୋଟ ୫୨ଥର ଶୁଣାଣି ହୋଇଥିବାବେଳେ ଛତିଶଗଡ଼ର ୧୦ ଥର ଓ ତେଲେଙ୍ଗାନାର ଥରେ ଶୁଣାଣି ହୋଇଛି। ସବୁଠାରୁ ଗୁରତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ମାମଲାରେ ସୁପ୍ରିମକୋର୍ଟ କେଉଁସବୁ ପ୍ରସଙ୍ଗଗୁଡ଼ିକୁ ଶୁଣାଣି ପାଇଁ ବିଚାରକୁ ନେବେ ତାହାର ଫଇସଲା‌  ପାଇଁ ୧୧ ବର୍ଷ ଲାଗିଥିଲା। ଓଡ଼ିଶା ଓ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ ଆଧାରରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ମଦନ ବି.ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ୨୦୧୮ ଅଗଷ୍ଟ ୨ରେ ୧୪ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ଏଥିରୁ ଓଡ଼ିଶାର ୮ଟି ପ୍ରସଙ୍ଗକୁ କୋର୍ଟ ବିଚାରକୁ ନେଇଥିଲେ। ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟକୁ ପଛୁଆ ଫେରୁଥିବା ଜଳର ଅନୁଧ୍ୟାନକୁ ବିଚାରକୁ ନିଆଯାଇନାହିଁ।

ପୋଲାଭରମ ପ୍ରକଳ୍ପ ଡିଜାଇନ୍‌ରେ ପରିବର୍ତ୍ତନ, ସ୍ପିଲୱେରେ ଜଳ ନିଷ୍କାସନର କ୍ଷମତା ୩୬ କ୍ୟୁସେକ୍‌ରୁ ୫୦ କ୍ୟୁସେକକୁ ବୃଦ୍ଧି ଦ୍ବାରା ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ରାୟକୁ ବିରୋଧ କରୁଛି କି, ପୋଲାଭରମ ପ୍ରକଳ୍ପକୁ ମଞ୍ଜୁରି ଦିଆଯିବା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ଜନଶୁଣାଣି ହୋଇଥିଲା କି ନାହିଁ ? ଯଦି ହୋଇନଥିଲା ଏହାର ପ୍ରଭାବ କଣ? ଭଳି ପ୍ରସଙ୍ଗଗୁଡ଼ିକ ନିର୍ଦ୍ଧାରଣ କରାଯାଇଥିଲା। ତେବେ ବିଚାର ପ୍ରକ୍ରିୟାରେ ଅଗ୍ରଗତି ହୋଇପାରି ନଥିଲା। ୨୦୨୨ ସେପ୍ଟେମ୍ବର ୬ରେ ତତ୍କାଳୀନ ବିଚାରପତି ଜଷ୍ଟିସ୍‌ ସଂଜୀବ କିଷନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ବିବାଦର ଆପୋସ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ କରିବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିଲେ। ୨୦୨୨ ଡିସେମ୍ବର ୭ରେ ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ଉପରୋକ୍ତ ରାଜ୍ୟମାନଙ୍କ ପାଖରୁ ପ୍ରାପ୍ତ ହୋଇଥିବା ମତାମତକୁ ତର୍ଜମା କରାଯାଇ ଦୁଇ ମାସ ଭିତରେ ରିପୋର୍ଟ ପ୍ରଦାନ କରାଯିବ ତଥା ସହମତି ଆଧାରରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଆୟୋଜନ କରାଯିବ। ସୁପ୍ରିମକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି କରି‌ବା ପାଇଁ ୨୦୨୩ ଫେବ୍ରୁଆରି ୧୫କୁ ଧାର୍ଯ୍ୟ କରି‌ଥିଲେ। ହେଲେ ଦୁଇ ବର୍ଷ ବତିଯିବା ପରେ ବି ପୋଲାଭରମ ମାମଲାର ଶୁଣାଣି ହୋଇପାରିନାହିଁ। ଇତିମଧ୍ୟରେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‌ ଏସ୍‌.କେ.କୌଲ ଅବସର ଗ୍ରହଣ କରିଥିବାରୁ ଆଗକୁ ଶୁଣାଣି ପାଇଁ ନୂଆ ବେଞ୍ଚ୍‌ ହେବାର ସମ୍ଭାବନା ରହିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.