Breaking News

ସୁପ୍ରିମ୍‌କୋର୍ଟଙ୍କୁ ମାନିଲେନି: ଏଜି ବି ଉଠାଇଥିଲେ ଆପତ୍ତି, ଭୁଶୁଡ଼ିବା ସ୍ଥିତିରେ କଂସେଇଖାନା

ରାସ୍ତା କଡ଼ରେ କଟାଯିବନି ଛେଳି। ବିକ୍ରି ହେବନି ମାଂସ। ସ୍ବତନ୍ତ୍ର କଂସେଇଖାନାରେ ମାଂସ କଟା ହେବ। ୨୦୧୪ ମସିହାରେ ଏନେଇ ସୁପ୍ରିମ୍‌କୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଗାଡ଼କଣରେ ୨୦୧୭ ମସିହାରେ ବିଏମ୍‌ସି ପ୍ରାୟ ଦେଢ଼କୋଟି...

ଭୁବନେଶ୍ୱର: ରାସ୍ତା କଡ଼ରେ କଟାଯିବନି ଛେଳି। ବିକ୍ରି ହେବନି ମାଂସ। ସ୍ବତନ୍ତ୍ର କଂସେଇଖାନାରେ ମାଂସ କଟା ହେବ। ୨୦୧୪ ମସିହାରେ ଏନେଇ ସୁପ୍ରିମ୍‌କୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଗାଡ଼କଣରେ ୨୦୧୭ ମସିହାରେ ବିଏମ୍‌ସି ପ୍ରାୟ ଦେଢ଼କୋଟି ଟଙ୍କା ବ୍ୟୟରେ ଆଧୁନିକ କଂସେଇଖାନା ନିର୍ମାଣ କରିଥିଲା। କିନ୍ତୁ ୮ ବର୍ଷ ହେବ ତାହା କାର୍ଯ୍ୟକ୍ଷମ ହୋଇ ପାରିଲାନି। ଫଳରେ ଏହା ଭୁଶୁଡ଼ିବାକୁ ବସିଛି। ଗତବର୍ଷ ଏ ନେଇ ମହାହଲେଖାକାର(ଏଜି) ମଧ୍ୟ ଅଡିଟ୍‌ ରିପୋର୍ଟରେ ବିଏମ୍‌ସିର ଅପାରଗତାରୁ ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଖତ ଖାଉଥିବା ରିପୋର୍ଟରେ ଦର୍ଶାଇଥିଲେ। ଗୋଟିଏ ପଟେ ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ଗିଳିଦେଇଥିବା ବେଳେ ଅନ୍ୟପଟେ ଏଜି ଉଠାଇଥିବା ଆପତ୍ତି ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ।

ଗାଡ଼କଣରେ ଏହି କଂସେଇଖାନା ପ୍ରସ୍ତୁତ ହେବା ପରେ ଏହାକୁ ପରିଚାଳନା କରିବା ପାଇଁ ସଂସ୍ଥା ମିଳି ନଥିଲେ। ଏଣୁ ଏହା ଅବ୍ୟବହୃତ ହୋଇ ପଡ଼ିଥିଲା। ଏହା କାର୍ଯ୍ୟକ୍ଷମ ହୋଇଥିଲେ ବିଦ୍ୟୁତ୍‌ ବିଲ୍‌ ଭରଣା କରାଯାଇଥାନ୍ତା। କିନ୍ତୁ ଏଥିରୁ ଟଙ୍କାଟିଏ ରାଜସ୍ବ ଆଦାୟ ହେଉ ନଥିବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ୬ ମାସ ହେଲାଣି ଏହା ଅନ୍ଧାର ପଡ଼ିଛି। ଟ୍ରାନ୍ସଫରମର ଚାରିପଟେ ଗଛ ଲତା ମାଡ଼ିଗଲାଣି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଥିବା ଯନ୍ତ୍ରାଂଶ ଅଚଳ ହୋଇପଡ଼ି ରହିଛି। କଂସେଇଖାନା ପରିସରରେ ୪ଟି ଦୋକାନ ମାଂସ ବେପାରୀଙ୍କୁ ଦିଆଯାଇଥିଲେ ମଧ୍ୟ ସେଥିରୁ ଗୋଟିଏ ଖୋଲୁଛି। ପାଣିର ସୁବିଧା ନଥିବାରୁ ବ୍ୟବସାୟୀଜଣଙ୍କ ପାଖ ଘରୁ ପାଣି ଆଣି ବ୍ୟବହାର କରୁଛନ୍ତି। କର୍ପୋରେଟର ସୁଷମା ସାହୁଙ୍କ କହିବା କଥା, ସେ ଏ ନେଇ ବାରମ୍ୱାର ବିଏମସି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ମାସ ତଳେ କମିସନର ପରିଦର୍ଶନ ପାଇଁ ଆସିଥିଲେ। ଏହା କାର୍ଯ୍ୟକ୍ଷମ ହେବାସହ ନିକଟରେ ଏକ ଆମିଷ ମାର୍କେଟ ତିଆରି ହେବ ବୋଲି କହିଛନ୍ତି।

ଏଜି ବି ଉଠାଇଥିଲେ ଆପତ୍ତି
ଭୁଶୁଡ଼ିବା ସ୍ଥିତିରେ କଂସେଇଖାନା
୭ ବର୍ଷ ହେଲା ଖୋଲିପାରୁନି ଦୋକାନ

ଇଏ ତ ଗଲା କଂସେଇଖାନା କଥା। ୟୁନିଟ-୪ରେ ଥିବା ମାଂସ ମାର୍କେଟରେ ବିଚିତ୍ର ସ୍ଥିତି ଉପୁଜିଛି। ୭୩ ଲକ୍ଷ ଟଙ୍କା ବ୍ୟୟ‌ରେ ନିର୍ମିତ ହୋଇଥିବା ଏହି ୧୭ଟି ଆମିଶ ଦୋକାନ ଖୋଲୁନାହିଁ। ୨୦୧୮ ମସିହାରେ ନିର୍ମାଣ ହେବା ପରଠାରୁ ତାଲା ଝୁଲୁଛି। କେହି କେହି ଏହାକୁ ଗୋଦାମ ଭାବେ ବ୍ୟବହାର କରୁଛନ୍ତି। ରାସ୍ତା କଡ଼ରୁ ହଟାଇ ମାଂସ ବେପାରୀଙ୍କୁ ଗୋଟିଏ ଜାଗାରେ ଶୃଙ୍ଖଳିତ ଭାବରେ ବସାଇବା ପାଇଁ ଯେଉଁ ‌ଯୋଜନା ହୋଇଥିଲା ତାହା ସଫଳ ହୋଇ ପାରିନାହିଁ। ଏହା ଭିତରକୁ ଯିବାକୁ ରାସ୍ତା ନାହିଁ। ମାଂସ ଗ୍ରାହକ ଏହା ଭିତରକୁ ଆସିବେ ନାହିଁ କହି ଦୋକାନ ପାଇଥିବା ବ୍ୟବସାୟୀ ଆସୁନାହାନ୍ତି। ବଡ଼କଥା ହେଉଛି ଦୋକାନ ଆବଣ୍ଟନରେ ପାତରଅନ୍ତର ହୋଇଛି। ଏହାକୁ ବିଏମ୍‌ସି ସମାଧାନ କରିନାହିଁ। ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ୧୫ କିମି ଦୂର ଗାଡ଼କଣ କଂସେଇଖାନାରେ ମାଂସ କାଟିବା ଓ ସେଠାରୁ ଆଣି ଏଠାରେ ବେପାର କରିବା କାଠିକର ପାଠ କହି ମଧ୍ୟ ବ୍ୟବସାୟୀ ଆସୁନାହାନ୍ତି। ଫଳରେ ଏହି ମାଂସ ବଜାର ମଧ୍ୟ ଖତ ଖାଇବାକୁ ବସିଛି। କର୍ପୋରେଟର ଅଲିଅଳି ମଲ୍ଲିକଙ୍କ କହିବା ଅନୁଯାୟୀ ବିଏମସି ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଛି। ଏପରିକି ବିଏମସି ଅଧିକାରୀ ମଧ୍ୟ ସ୍ଥାନ ପରିଦର୍ଶନ କରିଛନ୍ତି। ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.