Breaking News

ସୁବ୍ରମଣ୍ୟନଙ୍କୁ ଚାରିଆଡ଼ୁ ସମାଲୋଚନା: ଲମ୍ବା କାର୍ଯ୍ୟ ସମୟ ବିତର୍କ

ସପ୍ତାହକୁ ୯୦ ଘଣ୍ଟା କାମ କରିବା ପାଇଁ ନିକଟରେ ଏଲ୍‌ ଆଣ୍ଡ୍‌ ଟି ଅଧ୍ୟକ୍ଷ ଏସ୍‌ଏନ୍‌ ସୁବ୍ରମଣ୍ୟନ୍ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି। ଆନନ୍ଦ ମହିନ୍ଦ୍ରା, ହର୍ଷ ଗୋଏଙ୍କା, ରାଜୀବ ବଜାଜ, ଅନୁପମ୍ ମିତ୍ତଲ ଆଦି....

ନୂଆଦିଲ୍ଲୀ: ସପ୍ତାହକୁ ୯୦ ଘଣ୍ଟା କାମ କରିବା ପାଇଁ ନିକଟରେ ଏଲ୍‌ ଆଣ୍ଡ୍‌ ଟି ଅଧ୍ୟକ୍ଷ ଏସ୍‌ଏନ୍‌ ସୁବ୍ରମଣ୍ୟନ୍ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି। ଆନନ୍ଦ ମହିନ୍ଦ୍ରା, ହର୍ଷ ଗୋଏଙ୍କା, ରାଜୀବ ବଜାଜ, ଅନୁପମ୍ ମିତ୍ତଲ ଆଦି ଉଦ୍ୟୋଗୀ ପୂର୍ବରୁ ସୁବ୍ରମଣ୍ୟନଙ୍କୁ ସମାଲୋଚନା କରିଥିବାବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ବିଶ୍ବର ବୃହତ୍ତମ ଟିକା ନିର୍ମାତା ସିରମ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାୱାଲା। କାମ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ନେଇ ଆନନ୍ଦ ମହିନ୍ଦ୍ରା ଦେଇଥିବା ମନ୍ତବ୍ୟ ସହିତ ପୁନାୱାଲା ସହମତି ପ୍ରକାଶ କରିଛନ୍ତି। କାମ ଓ ଜୀବନ ମଧ୍ୟରେ ସନ୍ତୁଳନକୁ ଗୁରୁତ୍ବାରୋପ କରିବାକୁ ଯାଇ ପୁନାୱାଲା କହିଛନ୍ତି ମୋ ପତ୍ନୀ ନତାଶା ପୁନାୱାଲା ମୋତେ ରବିବାର ଦେଖିବାକୁ ଭଲ ପାଇଥାନ୍ତି। ପୂର୍ବରୁ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ ମୁଖ୍ୟ ଆନନ୍ଦ ମହିନ୍ଦ୍ରା କହିଥିଲେ ମୋ ପତ୍ନୀ ଭଲ। ମୁଁ ତାଙ୍କୁ ଦେଖିବାକୁ ଭଲପାଏ। ସେହିପରି ଆର୍‌ପିଜି ଗ୍ରୁପ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା ମଧ୍ୟ କହିଛନ୍ତି ଯେ କାମ ଓ ଜୀବନ ମଧ୍ୟରେ ସନ୍ତୁଳନ ଇଚ୍ଛାଧୀନ ନୁହେଁ, ଏହା ଆବଶ୍ୟକ। ସପ୍ତାହକୁ ୯୦ ଘଣ୍ଟା କାମ? ‘ସନ୍‌ଣ୍ଡେ’ କୁ କାହିଁକି ‘ସନ୍‌-ଡ୍ୟୁଟି’ ନାମରେ ନାମିତ ନକରିବା ଏବଂ ସପ୍ତାହରେ ଦିନକର ଛୁଟିକୁ ଏକ ପୌରାଣିକ ଚିନ୍ତାଧାରା କାହିଁକି ନକରିବା ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ କଠିନ ଏବଂ ବୁଦ୍ଧିମାନ ଭାବେ କାମ କରିବାରେ ବିଶ୍ବାସ କରେ। କିନ୍ତୁ ଜୀବନକୁ ଏକ ସ୍ଥାୟୀ ଅଫିସରେ ପରିଣତ କରିବାକୁ ନୁହେଁ ‌ବୋଲି ଗୋଏଙ୍କା କହିଛନ୍ତି। ବଜାଜ୍‌ ଅଟୋର ଏମ୍‌ଡି ରାଜୀବ ବଜାଜ୍‌ କହିଛନ୍ତି ଯେ ୯୦ ଘଣ୍ଟା କାମ କରିବା ଆଗେ ଉପର ସ୍ତରରୁ ଆରମ୍ଭ ହେଉ। କେତେ ଘଣ୍ଟା କାମ କଲ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ, ବରଂ ଯେଉଁ କାମ କରୁଛ ତାହାର ମାନ କିଭଳି ତାହା ଗୁରୁତ୍ବପୂର୍ଣ୍ଣ। ପୂର୍ବାପେକ୍ଷା ଆମେ ଏକ ଦୟାଳୁ ଏବଂ ଭଦ୍ର ବିଶ୍ବ ଆବଶ୍ୟକ କରୁ ବୋଲି ବଜାଜ୍‌ କହିଛନ୍ତି।

ଶାଦି ଡଟ୍‌ କମ୍‌ର ପ୍ରତିଷ୍ଠାତା ଅନୁପମ ମିତ୍ତଲ ସୁବ୍ରମଣ୍ୟନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମହାଶୟ, ଯଦି ପତି ଓ  ପତ୍ନୀ ପରସ୍ପରକୁ ନଚାହିଁବେ ତାହେଲେ ବିଶ୍ବର ସବୁଠୁ ଜନବହୁଳ ଦେଶ ହୋଇକି ଆମେ କିଭଳି ରହିବା? ତୃଣମୂଳ ସାଂସଦ ମହୁଆ ମୈତ୍ର ମଧ୍ୟ ଏହି ବିତର୍କରେ ସାମିଲ ହୋଇଛନ୍ତି। ସେ କହିଛନ୍ତି ଡେନମାର୍କର ଇଞ୍ଜିନିୟର ଲାର୍ସନ ଓ ଟୁବ୍ରୋ ୧୯୩୮ ମସିହାରେ ଏଲ୍‌ ଆଣ୍ଡ୍‌ ଟି ସ୍ଥାପନ କରିଥିଲେ। ଆଜି କାମ ଓ ଜୀବନ ସନ୍ତୁଳନ କ୍ଷେତ୍ରରେ ଡେନମାର୍କ ବିଶ୍ବରେ ତୃତୀୟ। ମୁଣ୍ଡପିଛା ଜିଡିପିରେ ବିଶ୍ବରେ ନବମ ଏବଂ ସପ୍ତାହକୁ ୩୪ ଘଣ୍ଟା ସେମାନେ କାମ କରନ୍ତି ବୋଲି ମହୁଆ ‌ଉଲ୍ଲେଖ କରିଛନ୍ତି। ଦେଶବ୍ୟାପୀ ପ୍ରତିକ୍ରିୟା ପରେ, ଏଲ୍‌ ଆଣ୍ଡ୍‌ ଟି ପକ୍ଷରୁ ଏକ ଅଫିସିଆଲ ବିବୃତ୍ତିରେ କୁହାଯାଇଛି ଯେ “ରାଷ୍ଟ୍ର ନିର୍ମାଣ ଏହାର ମୂଳ” ଏବଂ “ଚେୟାରମ୍ୟାନଙ୍କ ମନ୍ତବ୍ୟ ଏହି ବୃହତ୍ ଅଭିଳାଷକୁ ପ୍ରତିଫଳିତ କରେ।” ପୂର୍ବରୁ ସୁବ୍ରମଣ୍ୟନ କର୍ମଚାରୀମାନଙ୍କୁ କହିଥିଲେ ତୁମେମାନେ ଘରେ ବସି କ’ଣ କର? କେତେ ସମୟ ତୁମେ ସ୍ତ୍ରୀକୁ ଦେଖିବ? ଅଫିସ ଆସ ଏବଂ କାମ କର।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.