Breaking News

ସୁଭାଷିତ: ଅତୀତର ଶିକ୍ଷା ଭବିଷ୍ୟତର ସତର୍କତା

ଉପରୋକ୍ତ ସୁଭାଷିତ ସ୍ବଭାବକବି ଗଙ୍ଗାଧର ମେହେରଙ୍କର ୧୯୦୩ ମସିହାର ଏକ କବିତାର ଅଂଶ। ସେପ୍ଟେମ୍ବର ୧୯୦୩ର ‘ଉତ୍କଳ ସାହିତ୍ୟ’ ଏବଂ ସେହିବର୍ଷ ସେପ୍ଟେମ୍ବର ୧ ତାରିଖର ‘ସମ୍ବଲପୁର ହିତୈଷିଣୀ’ରେ ଏହା ପ୍ରକାଶ ପାଇଥିଲା।

ଉପରୋକ୍ତ ସୁଭାଷିତ ସ୍ବଭାବକବି ଗଙ୍ଗାଧର ମେହେରଙ୍କର ୧୯୦୩ ମସିହାର ଏକ କବିତାର ଅଂଶ। ସେପ୍ଟେମ୍ବର ୧୯୦୩ର ‘ଉତ୍କଳ ସାହିତ୍ୟ’ ଏବଂ ସେହିବର୍ଷ ସେପ୍ଟେମ୍ବର ୧ ତାରିଖର ‘ସମ୍ବଲପୁର ହିତୈଷିଣୀ’ରେ ଏହା ପ୍ରକାଶ ପାଇଥିଲା। ‘ହିତବାଦିନୀ’ ପତ୍ରିକାର ନବବର୍ଷ ବା ଜନ୍ମଦିନ ଉପଲକ୍ଷେ ଏହା ଲିଖିତ। ସାତଟି ଭାଗରେ ପ୍ରକାଶିତ ଏହି କବିତାର ପ୍ରଥମ ଭାଗରେ କବି ଗଙ୍ଗାଧର କହିଥିଲେ- ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦିନ ଯେପରି ଯାତ୍ରୀମାନେ ପ୍ରେମରେ ଗଦ୍‌ ଗଦ ହୋଇ ନାଚନ୍ତି, ସେହିପରି ଆଜି ‘ହିତବାଦିନୀ’ର ହିତୈଷୀ ବନ୍ଧୁଗଣ ଆନନ୍ଦରେ ନାଚୁଛନ୍ତି।

ଏହି କବିତାର ଚତୁର୍ଥ ଭାଗରେ କବି କହିଛନ୍ତି-  ଅତୀତ ଚାଲିଯାଏ। ତା’କୁ ଆମେ ଯିବାକୁ ଦେବା। ତା’ର ଆଉ ଲୋଡ଼ା ନାହିଁ। ଲୋଡ଼ିଲେ ବି ସେ ଆଉ ଆମକୁ ମିଳିବ ନାହିଁ। କିନ୍ତୁ ଆମପାଇଁ ଏହାର ଉପ‌େଯାଗିତା ହେଉଛି- ଏ ସଂସାରରେ ଅତୀତ ଯେଉଁସବୁ ଶିକ୍ଷା ଦେଇ ଚାଲିଯାଏ, ତାହା ଆମ ପାଇଁ ଭବିଷ୍ୟତ‌ର ସତର୍କତା ହୋଇଥାଏ। ସେଇଥିପାଇଁ କବି ଏହି କବିତାର ଶେଷଭାଗରେ କହିଛନ୍ତି- ହେ ଅତୀତ, ତୁ ଯେତେ ଅଭିନୟ ଦେଖାଇ ଚାଲିଯାଇଛୁ, ତାହା ଆମର ନୟନରୁ ଅନ୍ତର୍ହିତ ହୋଇଯାଇଛି; କିନ୍ତୁ ହୃଦୟରେ ତାହା ଲିପିବଦ୍ଧ ହୋଇ ରହିଛି। ଆଜି ଗତାୟୁ ବର୍ଷର ବିଦାୟ ଏବଂ ନୂଆବର୍ଷର ସ୍ବାଗତ କାଳରେ ଏହା ଆମ ପାଇଁ ପ୍ରଣିଧାନଯୋଗ୍ୟ।

ଯାଇଛୁ ଅତୀତ ଯା ଯା, ତୋତେ ଲୋଡ଼ା ନାହିଁ
ଲୋଡ଼ିଲେ ହେଁ ଆଉ କି ତୁ ହେବୁ କରଗତ,
କିନ୍ତୁ ଯାହା ଯାହା ଭବେ ଦେଇଛୁ ଶିଖାଇ,
ଆଗୁଁ ସତର୍କତା ଦେଉଅଛି ଭବିଷ୍ୟତ।
-ଗଙ୍ଗାଧର ମେହେର

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.