Breaking News

ସୁଭାଷିତ: କର୍ମ ହିଁ ଜୀବନ ଜଡ଼ତା ଜୀବନ୍ତ ମରଣ

ପୌଷ କୃଷ୍ଣ ଏକାଦଶୀ ପଲ୍ଲୀକବି ନନ୍ଦକିଶୋର ବଳଙ୍କର ଶୁଭ ଆବିର୍ଭାବ ଦିବସ। ସେହି ତିଥିରେ, ୧୮୭୫ ମସିହା ଡିସେମ୍ବର ମାସ ୨୨ ତାରିଖରେ, ସେ କଟକ ଜିଲା, ମାହାଙ୍ଗା ଥାନା ଅନ୍ତର୍ଗତ ବିରୂପାନଦୀ ତଟବର୍ତ୍ତୀ କୁସୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

କର୍ମ ହିଁ ଜୀବନ କର୍ମ ହିଁ ଉଦ୍ଦେଶ୍ୟ ଜଡ଼ତା ଜୀବନ୍ତ ମରଣ ସିନା,
ଦୁର୍ଲଭ ମାନବ ଜନମ ବିଅର୍ଥ ଜୀବନ-କର୍ତ୍ତବ୍ୟ ସାଧନ ବିନା।
-ନନ୍ଦକିଶୋର ବଳ, ଉତ୍କଳ ପ୍ରଭାତ

ପୌଷ କୃଷ୍ଣ ଏକାଦଶୀ ପଲ୍ଲୀକବି ନନ୍ଦକିଶୋର ବଳଙ୍କର ଶୁଭ ଆବିର୍ଭାବ ଦିବସ। ସେହି ତିଥିରେ, ୧୮୭୫ ମସିହା ଡିସେମ୍ବର ମାସ ୨୨ ତାରିଖରେ, ସେ କଟକ ଜିଲା, ମାହାଙ୍ଗା ଥାନା ଅନ୍ତର୍ଗତ ବିରୂପାନଦୀ ତଟବର୍ତ୍ତୀ କୁସୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବି‌େୟାଗ ଘଟିଥିଲା ୧୯୨୮ ମସିହା ଜୁଲାଇ ମାସ ୧ ତାରିଖରେ। ନନ୍ଦକି‌େଶାର ଓଡ଼ିଆ ସାହିତ୍ୟ‌େର ଏକ ନୂଆ କବିତା ଐତିହ୍ୟର ପ୍ରବର୍ତ୍ତକ ଥିଲେ। ‘ଉତ୍କଳର ପଲ୍ଲୀ ଜୀବନ’ ବିଷୟରେ ଏକ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗନେଇ ପଦକ ପାଇବା ପରେ, ୧୮୯୮ରେ ସେ ପଲ୍ଲୀଜୀବନ ଆଧାରିତ କବିତା ଲେଖା ଆରମ୍ଭ କରିଥିଲେ ଏବଂ ‘ପଲ୍ଲୀକବି’ ଭାବରେ ବିଖ୍ୟାତ ହୋଇଥିଲେ।

ଉପରୋକ୍ତ ସୁଭାଷିତ ତାଙ୍କର ‘ଜନ୍ମଭୂମି’ (ଦ୍ବିତୀୟ ଭାଗ) ପୁସ୍ତକର ପ୍ରଥମ କବିତା ରୂପେ ସଂକଳିତ। ୨୭ ଡିସେମ୍ବର ୧୯୦୮ରେ ଏହି କବିତା ପୁସ୍ତକ ପ୍ରକାଶିତ। ଏହି କବିତା ରଚନା ସମୟକୁ ଉତ୍କଳ ଥିଲା ପରାଧୀନ। ତେଣୁ ଏହାର ଆଦ୍ୟରେ ଉତ୍କଳ ଜନନୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି- ହେ ଉତ୍କଳ ଜନନୀ, ଉଠ! ବିଷାଦ ରଜନୀ ପାହିଲାଣି। ଉଠି ଦେଖ, ସୁପ୍ରଭାତ ହୋଇଛି ଏବଂ ନୂଆ ଦିନମଣି (ସୂର୍ଯ୍ୟ) ଉଦୟ ହୋଇଛନ୍ତି।

ପରିଶେଷରେ, ଉତ୍କଳର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି- ହେ ଭ୍ରାତା ଓ ଭଗିନୀଗଣ, ଉଠ! ମାତୃଭୂମିର ଦୁଃଖ ଓ ଦୀନତା ନାଶ କର! ଏହା ତୁମ୍ଭମାନଙ୍କୁ କବି ପ୍ରାଣର ଉଚ୍ଛ୍ବାସପୂର୍ଣ୍ଣ ପ୍ରାର୍ଥନା। ଏହି ପ୍ରସଙ୍ଗରେ ସେ ଉପରୋକ୍ତ ସୁଭାଷିତରେ କହିଛନ୍ତି- କର୍ମ ହେଉଛି ଜୀବନ; କର୍ମ ହେଉଛି ଲକ୍ଷ୍ୟ। ଜଡ଼ତା ଜୀବନ୍ତ ମରଣ ସହିତ ସମାନ। ଏଣୁ ଜୀବନର କର୍ତ୍ତବ୍ୟ ସାଧନ କର। ଦୁର୍ଲଭ ଏ ମାନବ ଜୀବନକୁ ବ୍ୟର୍ଥ କରନାହିଁ। ଆଜି ଆଉ ଏକ ଇଂରାଜୀ ନୂଆବର୍ଷର ପ୍ରଭାତ ଅବସରରେ କବିଙ୍କର ଏ ଉଦ୍‌ବୋଧନ ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.