Breaking News

ସୁମିତ୍ରା ସମାଚାର: ପାପୁଲିରେ ଜହ୍ନ

‘ଆଇନା କେବେ‌ ମିଛ କ‌େହନା, ସବୁବେଳେ ସତ କହେ’ ଏ ଗୀତଟି ଆପଣ ନିଶ୍ଚୟ ଶୁଣିଥିବେ। ଆଉ ଏ ସତ କେବେ କେବେ ଖୁବ୍‌ ସାଂଘାତିକ ହୋଇଥାଏ! ସେଦିନ ଥାଏ ପୂର୍ଣ୍ଣମୀ ରାତି। ସୁମିତ୍ରା ଠିଅ‌ା ହୋଇଥାଏ ବାଲ୍‌କୋନିରେ। ଜହ୍ନର ଜ୍ୟୋତ୍ସ୍ନାକୁ ମନଭରି ଉପଭୋଗ କରୁଥାଏ।

‘ଆଇନା କେବେ‌ ମିଛ କ‌େହନା, ସବୁବେଳେ ସତ କହେ’ ଏ ଗୀତଟି ଆପଣ ନିଶ୍ଚୟ ଶୁଣିଥିବେ। ଆଉ ଏ ସତ କେବେ କେବେ ଖୁବ୍‌ ସାଂଘାତିକ ହୋଇଥାଏ!
ସେଦିନ ଥାଏ ପୂର୍ଣ୍ଣମୀ ରାତି। ସୁମିତ୍ରା ଠିଅ‌ା ହୋଇଥାଏ ବାଲ୍‌କୋନିରେ। ଜହ୍ନର ଜ୍ୟୋତ୍ସ୍ନାକୁ ମନଭରି ଉପଭୋଗ କରୁଥାଏ। ତା’ର ହଠାତ୍‌ ଇଚ୍ଛା ହେଲା ଜହ୍ନକୁ ସେ ତା’ର ପାପୁଲିରେ ତୋଳିଧରନ୍ତା କି!
ସେଇ ସମୟରେ ଚନ୍ଦୁ ବାଲ୍‌କୋନିକୁ ଆସିଯିବା‌ରୁ ସୁମିତ୍ରା ଟିକେ ରୋମାଣ୍ଟିକ୍‌ ହେଇ କହିଲା, ‘‘ହେଇଟି ମୋତେ ଏ ଜହ୍ନଟିକୁ ଆଣିଦିଅନ୍ତନି!’’
ତା’ କଥା ଶୁଣି ଚନ୍ଦୁ ଭିତରକୁ ଗଲା। ଆଇନାଟିଏ ଆଣି ସୁମିତ୍ରା ହାତକୁ ବଢ଼ାଇଦେଲା।
ସୁମିତ୍ରା ହଠାତ୍‌ କିଛି ବୁଝିପାରିଲାନି। ସେଥିରେ ଜହ୍ନର ମୁହଁ ଦେଖିବ ନା ନିଜର?
ଚନ୍ଦୁ ଠାରିଦେଲା ନିଜ ମୁହଁ ଦେଖିବାକୁ। ସୁମିତ୍ରା ଖୁସି ହେଇଗଲା, ଯାହା ହେଉ ଚନ୍ଦୁ ତାକୁ ଚନ୍ଦ୍ରମା ସହ ତୁଳନା କରୁଛି।
ଚନ୍ଦୁ ପଚାରିଲା: ଏଇ ଚାନ୍ଦିନୀ ରାତିରେ ତୁମର କାହାଣୀଟିଏ ଶୁଣିବାକୁ ଇଚ୍ଛା ହୁଏନା?
ସୁମିତ୍ରା ସମ୍ମତି ଜଣାଇ କହିଲା: କୁହ
ଚନ୍ଦୁ ଶୁଣାଇଲା କାହାଣୀଟିଏ।
ଏ କାହାଣୀଟି ଚନ୍ଦ୍ରମାର ନୁହେଁ, ଏକ ଆଇନାର।
ଘଟଣାଟି ବହୁବର୍ଷ ତଳର। ଥରେ ଜଣେ ଆଦିବାସୀ ଯୁବକ ସହରର ଏକ ହାଟରେ ବୁଲୁଥିବା ବେଳେ ତା’ର ଦୃଷ୍ଟି ପଡ଼ିଗଲା ଏକ ଆଇନା ଉପରେ। ସେ ଚମକି ପଡ଼ିଲା। ତା’ ଭିତରେ ଦିଶୁଥିଲା ତା’ ବା‌ପାର ମୁହଁ। ଜୀବନରେ କେବେ ଆଇନା ଦେଖି ନଥିବା ଯୁବକଟି ସେଇ ଅଦ୍ଭୁତ ମନେ ହେଉଥିବା ଜିନି‌ଷଟି କିଣି ଘରକୁ ଫେରିଲା।
ଘଞ୍ଚ ଜଙ୍ଗଲ ଭିତରେ ରହୁଥିଲେ ତା’ର ପରିବାର। ତା’ର ପରିବାର କିମ୍ବା ପାଖପଡ଼ିଶା କେହି କେବେ ମଧ୍ୟ ଆଇନା ଦେଖି ନଥିଲେ। ତେବେ ଯୁବକଜଣକ ଆଇନାଟିକୁ କାହାକୁ ନ ଦେଖାଇ ଲୁଚାଇ ରଖିଲା। ପ୍ରତିଦିନ ସେଇ ଆଇନାରେ ବାପାର ମୁହଁ ଦେଖି ଖୁସି ହେଉଥିଲା।
ଯୁବକଟି କ’ଣ ଦେଖି ଖୁସି ହେଉଛି ଜାଣିବା ପାଇଁ ଥରେ ତା’ ସ୍ତ୍ରୀ ସେ ନଥିବା ବେଳେ ଆଇନାଟି ଦେଖି ଚମକି ପଡ଼ିଲା। ଦେଖିଲା ସେଥିରେ ଜଣେ ଆଦିବାସୀ ରମଣୀର ମୁହଁ ଦିଶୁଛି।
‘ଓଃ… ଏହି ସ୍ତ୍ରୀଲୋକଟିକୁ ଦେଖି ତେବେ ତା’ର ମରଦର ମନ ଢଳି ଯାଇଛି।’ ସେ ମନେ ମନେ କ୍ଷୁବ୍‌ଧ ହେଲା। ମାତ୍ର ନିଜର ମନର କଥା ସେ ଯୁବକଟିକୁ ଜଣାଇଲା ନାହିଁ। ସମୟ ଦେଖି ଶାଶୂ ଆଗରେ କହିଲା।
ଯୁବକଟିର ମା’ ଚିନ୍ତାକଲା, ତା’ର ସୁଧାର ପୁଅ ନାଁରେ ବୋହୂ ବୋଧହୁଏ ମିଛ କହୁଛି। ତେଣୁ ସେ ନିଜେ ଦେଖିବା ପରେ ଯାଇ ବିଶ୍ବାସ କରିବ ବୋଲି ଜଣାଇଦେଲା।
ଦିନେ ଯୁବକଟି ବାହାରକୁ ଯାଇଥିବା ବେଳେ ମା’ ହାତରେ ପଡ଼ିଲା ଆଇନାଟି। ସେ ଆଇନାଟି ଦେଖି ମନେ ମନେ ହସିଲା। ତା’ପରେ ତାକୁ ଯଥାସ୍ଥାନରେ ରଖି ବୋହୂକୁ ଡାକ ପକାଇଲା। ବୋହୂ ଆସିବା ପରେ ସେ ଜଣାଇଦେଲା, ତୁ’ ଜମା ବ୍ୟସ୍ତ ହଅନା। ସେ ସ୍ତ୍ରୀଲୋକଟି ଖୁବ୍‌ ବୁଢ଼ୀ ହେଇଗଲାଣି। କେତେଟା ଦିନ ସେ ଆଉ ବଞ୍ଚିବ!
କାହାଣୀଟି ଶେଷ କରି ଚନ୍ଦୁ ଚାହିଁଲା ସୁମିତ୍ରା ମୁହଁକୁ।
ସୁମିତ୍ରା କିଛି ନ ବୁଝିବା‌ ପରି ଚାହିଁ ରହିଥିଲା।
ଚନ୍ଦୁ କହିଲା: ଆରେ ଚାହିଁଛ କ’ଣ! ନିଜ ମୁହଁକୁ ମନ ଆଇନାରେ ଦେଖି ଆଉ ଭ୍ରମରେ ପଡ଼ିଯାଅନି। ଯେଉଁ ମୁହଁରେ ତୁମେ ମୋତେ ଚାନ୍ଦ ମାଗୁଛ ସେ ମୁହଁକୁ କେବେ ଆଇନାରେ ଦେଖିଛ!!
ସୁମିତ୍ରା ହାତରୁ ଖସିପଡ଼ିଲା ଆଇନାଟି। ତାକୁ ଲାଗିଲା କିଛି ସମୟ ଧରି ସେ ତୋଳି ଧରିଥିବା ଜହ୍ନ ତା’ ପାପୁଲିରୁ ଯେମିତି ଖସି ପଡ଼ିଛି!

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.