ଅଭିନେତ୍ରୀ ତମନ୍ନା ଭାଟିୟା ଅଭିନୟରେ ୨୧ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ଚଳଚ୍ଚିତ୍ର ଶିଳ୍ପରେ ଅଭିନେତ୍ରୀମାନଙ୍କୁ ମିଳୁଥିବା ସୁଯୋଗ ବିଷୟରେ ନିଜ ଭାବନା ପ୍ରକାଶ କରିଛନ୍ତି। ଆଗକୁ ତାଙ୍କର ଏକାଧିକ ଚଳଚ୍ଚିତ୍ର ଓ ଧାରାବାହିକ ଆସିବାର ଅଛି
ଅଭିନେତ୍ରୀ ତମନ୍ନା ଭାଟିୟା ଅଭିନୟରେ ୨୧ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ଚଳଚ୍ଚିତ୍ର ଶିଳ୍ପରେ ଅଭିନେତ୍ରୀମାନଙ୍କୁ ମିଳୁଥିବା ସୁଯୋଗ ବିଷୟରେ ନିଜ ଭାବନା ପ୍ରକାଶ କରିଛନ୍ତି। ଆଗକୁ ତାଙ୍କର ଏକାଧିକ ଚଳଚ୍ଚିତ୍ର ଓ ଧାରାବାହିକ ଆସିବାର ଅଛି, ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ। ସେ କହିଛନ୍ତି ଯେ ତାଙ୍କୁ ମିଳିଆସିଥିବା ସୁଯୋଗ ପାଇଁ ସେ କୃତଜ୍ଞ। କାରଣ ସବୁ ଅଭିନେତା, ବିଶେଷ କରି ଅଭିନେତ୍ରୀମାନଙ୍କୁ ଏତେ ପରିମାଣରେ କାମ ମିଳିବା ଦୁର୍ଲଭ। ତେଣୁ ଦୁଇ ଦଶନ୍ଧିରୁ ଅଧିକ କାଳ ଅଭିନୟ କରିବା ପରେ ବି ତାଙ୍କୁ ନୂଆ କରି କାମ କରିବା ଭଳି ଅନୁଭବ ହେଉଛି।
ତମନ୍ନା ୨୦୦୫ ମସିହାର ହିନ୍ଦୀ ଚଳଚ୍ଚିତ୍ର ‘ଚାନ୍ଦ ସା ରୋଶନ ଚେହେରା’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହେଲେ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ତାଙ୍କୁ ଯେମିତି ଆଦର ସହକାରେ ଗ୍ରହଣ କରାଗଲା ତାହା ତାଙ୍କ ଅଭିନୟ କ୍ୟାରିଅର୍କୁ ଶକ୍ତ ଭିତ୍ତିଭୂମି ପ୍ରଦାନ କଲା। ଏହା ପରେ ସେ ବଲିଉଡ୍କୁ ଆସିବାରୁ ତାଙ୍କ ଲୋକପ୍ରିୟତା ବହୁଗୁଣିତ ହୋଇଗଲା। ଦେଶର ସବୁ ପ୍ରାନ୍ତରୁ ମିଳୁଥିବା ଭଲପାଇବା ତାଙ୍କୁ ଯେତିକି ଆହ୍ଲାଦିତ କରିଛି ସେତିକି ନମ୍ର ମଧ୍ୟ କରିଛି ବୋଲି ତମନ୍ନା ପ୍ରକାଶ କରିଛନ୍ତି। ତେଣୁ ପ୍ରଶଂସକଙ୍କ ସେହି ଭଲପାଇବା ପ୍ରତିବଦଳରେ ସେ ସେମାନଙ୍କୁ ନୂଆ ନୂଆ ଚଳଚ୍ଚିତ୍ର ଭେଟିଦେବାକୁ ଉତ୍ସୁକ। ଆଗକୁ ତମନ୍ନାଙ୍କ ‘ବନ: ଫରେଷ୍ଟ ଅଫ୍ ଦି ଫରେଷ୍ଟ’ ଶୀର୍ଷକ ଚଳଚ୍ଚିତ୍ର ଆସିବ, ଯେଉଁଥିରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଅଭିନୟ କରିଛନ୍ତି।
ସୌଜନ୍ୟ ସମ୍ବାଦ

