Breaking News

ସୁଲତାନାଙ୍କ ସଂଘର୍ଷ!

କୋଲକତା ଉପକଣ୍ଠରେ ଥିବା ଏକ ପରିତ୍ୟକ୍ତ ବସ୍ତିରେ ଭାରତର ଶେଷ ମୋଗଲ ସମ୍ରାଟ ବାହାଦୁର ଶାହା ଜାଫରଙ୍କ ଅଣନାତୁଣୀ ବୋହୂ ୬୦ ବର୍ଷ ବୟସ୍କା ସୁଲତାନା ବେଗମ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।

କୋଲକତା ଉପକଣ୍ଠରେ ଥିବା ଏକ ପରିତ୍ୟକ୍ତ ବସ୍ତିରେ ଭାରତର ଶେଷ ମୋଗଲ ସମ୍ରାଟ ବାହାଦୁର ଶାହା ଜାଫରଙ୍କ ଅଣନାତୁଣୀ ବୋହୂ ୬୦ ବର୍ଷ ବୟସ୍କା ସୁଲତାନା ବେଗମ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ସେ ବାହାଦୁର ଶାହା ଜାଫରଙ୍କ ପୂର୍ବଜ ବୋଲି ଦାବି ଉଠୁଛି। ସୁଲତାନା ବର୍ତ୍ତମାନ ଗାଧୋଇବା ପାଇଁ ସର୍ବସାଧାରଣଙ୍କ ରାସ୍ତାରେ ଉଦ୍ଦିଷ୍ଟ ପାଣିକଳ ଉପରେ ନିର୍ଭର କରୁଛନ୍ତି। ତାଙ୍କ ପୂର୍ବଜ ଉପଭୋଗ କରୁଥିବା ଭୋଗବିଳାସ ଠାରୁ ସେ ବହୁ ଦୂରରେ ରହି ଏକ ବସ୍ତିରେ ଜୀବନ କାଟୁଛନ୍ତି। ମୋଗଲ ରାଜବଂଶର ପତନ ଓ ବ୍ରିଟିସ୍‌ ଔପନିବେଶକ ଶାସନ ପରେ ଭାରତର ପୂର୍ବତନ ସଂଭ୍ରାନ୍ତମାନେ କିପରି ଦାରିଦ୍ର୍ୟର ଶିକାର ହୋଇ ଦୁସ୍ଥ ଜୀବନଯାପନ କରୁଛନ୍ତି ତା’ର ଏକ ଉଦାହରଣ ସୁଲତାନା। ୧୮୫୭ ମସିହାର ସିପାହି ବିପ୍ଳବ ସମୟରେ ବାହାଦୁର ଶାହା ଜାଫର ବିଦ୍ରୋହର ଏକ ପ୍ରତୀକାତ୍ମକ ନେତା ରହିଥିଲେ। ବିପ୍ଳବ ବିଫଳ ହେବା ପରେ ସେ ଆଜିର ମିଅଁାମାରସ୍ଥିତ ୟାଙ୍ଗୁନ୍‌ ସହର (ତତ୍‌କାଳୀନ ବର୍ମାର ରେଙ୍ଗୁନ୍)ରେ ନିର୍ବାସିତ ହୋଇ ସେଠାରେ ମୃତ୍ୟୁବରଣ କରିଥିଲେ।

ସୁଲତାନା ବେଗମ ୧୯୬୫ ମସିହାରେ ବାହାଦୁର ଶାହା ଜାଫରଙ୍କ ଅଣନାତି ମିର୍ଜା ମହମ୍ମଦ ବେଦର୍ ବୁଖତ୍‌ଙ୍କୁ ବିବାହ କରିଥିଲେ। ସେତେବେଳେ ତାଙ୍କ ବୟସ ୧୪ ବର୍ଷ ହୋଇଥିବାବେଳେ ସ୍ବାମୀ ମିର୍ଜା ମହମ୍ମଦଙ୍କ ବୟସ ୪୬ ବର୍ଷ ହୋଇଥିଲା। ୧୯୮୦ ଦଶକରେ ସୁଲତାନାଙ୍କ ଜୀବନ ରାତାରାତି ବଦଳି ଯାଇଥିଲା। ସେ ତାଙ୍କ ସ୍ବାମୀ ମିର୍ଜା ମହମ୍ମଦଙ୍କୁ ହରାଇଥିଲେ। ଏକଦା ଏକ ସାଧାରଣ କିନ୍ତୁ ନିରାପଦ ଜୀବନଯାପନ କରୁଥିଲେ। କିନ୍ତୁ ସ୍ବାମୀଙ୍କ ମୃତ୍ୟୁ ପରେ ସୁଲତାନା ଆଜି ନିଜର ଦୈନନ୍ଦିନ ଚଳଣିର ଆବଶ୍ୟକତା ପାଇଁ ସଂଘର୍ଷ କରୁଛନ୍ତି। ସୁଲତାନା ବର୍ତ୍ତମାନ ମାସିକ ୫୦୦ ଟଙ୍କାର ସରକାରୀ ପେନ୍‌ସନ୍ ପାଉଛନ୍ତି। ବର୍ଷକୁ ୬ ହଜାର ଟଙ୍କା‌ର ପେନ୍‌ସନ୍‌ରେ ନିଜର ପରିବାରର ଭରଣପୋଷଣ କରିବା ପାଇଁ ସେ ଅସମର୍ଥ। ସୁଲତାନା କହନ୍ତି, ‘‘ମୁଁ ଜାଣିନି ଆମେ କିପରି ଆଗକୁ ବଢ଼ିବୁ। ଅବଶ୍ୟ ମୋର ଅନ୍ୟ ସନ୍ତାନସନ୍ତତି ବର୍ତ୍ତମାନ ବିବାହ କରିସାରିଛନ୍ତି। ସେମାନେ ମଧ୍ୟ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଚାହିଲେ ମଧ୍ୟ ସେମାନେ ଆମକୁ ସାହାଯ୍ୟ ସହଯୋଗ କରିପାରୁ ନାହାନ୍ତି।’’ ଏଠାରେ ଉଲ୍ଲେଖଯୋଗ୍ୟ, ସୁଲତାନାଙ୍କ ଅବିବାହିତା ସାନଝିଅ ଜିନତ୍ ବେଗମ ବର୍ତ୍ତମାନ ତାଙ୍କ ସହିତ ଏକାଠି ରହୁଛନ୍ତି।

ଯଦିଓ ସୁଲତାନାଙ୍କ ପରିବାରର ଐତିହାସିକ ଗୁରୁତ୍ବ ସରକାରୀ କାଗଜପତ୍ରରେ ଲିପିବଦ୍ଧ ହୋଇଛି, ତଥାପି ସେ ଭାରତ କିମ୍ବା ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ପେନ୍‌ସନ୍ ଟିକକ ଛାଡ଼ିଦେଲେ ଅନ୍ୟକୌଣସି ସାହାଯ୍ୟ ସ‌ହଯୋଗ ପାଉନାହାନ୍ତି। ବର୍ଷ ବର୍ଷ ଧରି ‌ସାହାଯ୍ୟ ସହ‌େ‌ଯାଗର ସହାୟତା ପାଇଁ ନିବେଦନ କରିବା ସତ୍ତ୍ବେ ସୁଲତାନା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରୁ ଉପଯୁକ୍ତ ବାସସ୍ଥାନ କିମ୍ବା ଆର୍ଥିକ ସହାୟତାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି। ସୁଲତାନା ବେଗମଙ୍କ ଶେଷଇଚ୍ଛା ପ୍ରସଙ୍ଗରେ ପଚାରିବାରୁ ଲୁହଭରା ଆଖିରେ ସେ କହନ୍ତି, ‘‘ମୋର ଶେଷ ନିଃଶ୍ବାସ ନେବା ପୂର୍ବରୁ ସାନଝିଅ ଜିନତ୍ ବେଗମଙ୍କୁ ଏକ ଭଲ ଜାଗାରେ ବିବାହ ଦେବା ଏବଂ ଏକମାତ୍ର ପୁଅ କମଲ ବଖ୍‌ତଙ୍କୁ କିପରି ଏକ ଉପଯୁକ୍ତ ନିଯୁକ୍ତି ମିଳିବ ତାହାହିଁ ମୋର ଶେଷ ଇଚ୍ଛା। କିନ୍ତୁ ଆଜି ବି ମୁଁ ମନରେ ସ୍ବପ୍ନ ଦେଖୁଛି ମୋର ମୃତ୍ୟୁ ପୂର୍ବରୁ ଟିକିଏ ଦିଲ୍ଲୀସ୍ଥିତ ଚାନ୍ଦିନୀଚୌକରେ କିଛିଦିନ ରହି ଲାଲ୍‌କିଲ୍ଲା ଦେଖିବି।’’ ‘‘ସ୍ବାମୀଙ୍କ ମୃତ୍ୟୁ ପରେ ମୋ ପରିବାରକୁ ଖଣ୍ଡିଏ ବାସସ୍ଥାନ ଯୋଗାଇଦେବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲି। ତତ୍‌କାଳୀନ ସରକାର ଟ୍ରଲିଗୁଞ୍ଜ ଅଞ୍ଚଳରେ ମୋତେ ଖଣ୍ଡିଏ ଘର ଦେଇଥିଲେ। କିନ୍ତୁ କିଛି ସ୍ଥାନୀୟ ଅପରାଧୀ ଓ ରାଜନେତାଙ୍କ ନିର୍ଯାତନା କାରଣରୁ ମୁଁ ସେହି ଘର ଖଣ୍ଡିକ ଖାଲି କରିବାକୁ ବାଧ୍ୟ ହେଲି। ସେବେଠାରୁ ମୁଁ ଏହି ବସ୍ତିର ଝୁମ୍ପୁଡ଼ିରେ ମୋ ସାନଝିଅ ଜିନତ୍‌କୁ ଧରି ରହୁଛି’’ ବୋଲି କହନ୍ତି ସୁଲତାନା।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.