Breaking News

ସୁସ୍ଥ ସମାଜରେ ବୃଦ୍ଧାଶ୍ରମ ଗଢ଼ି ଉଠିବା ଶୁଭଙ୍କର ନୁହେଁ: ସୌମ୍ୟରଂଜନ

ବାପା-ମା’ମାନେ ପିଲାଙ୍କୁ ଯତ୍ନର ସହ ଲାଳନ ପାଳନ କରୁଛନ୍ତି। ସବୁ ଅଳି ଅଝଟ ବୁଝି ଭଲ ଖାଇବାକୁ ଓ ପିନ୍ଧିବାକୁ ଦେଉଛନ୍ତି। ଅନ୍ୟମାନଙ୍କ ସମକକ୍ଷ ପାଇଁ ଭଲ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି।

ଭୁବନେଶ୍ବର: ବାପା-ମା’ମାନେ ପିଲାଙ୍କୁ ଯତ୍ନର ସହ ଲାଳନ ପାଳନ କରୁଛନ୍ତି। ସବୁ ଅଳି ଅଝଟ ବୁଝି ଭଲ ଖାଇବାକୁ ଓ ପିନ୍ଧିବାକୁ ଦେଉଛନ୍ତି। ଅନ୍ୟମାନଙ୍କ ସମକକ୍ଷ ପାଇଁ ଭଲ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି। ହେଲେ ଅନେକ ପିଲା ବଡ଼ ହେଲା ପରେ ସେହି ବାପା-ମା’ଙ୍କୁ ହତାଦର କରୁଛନ୍ତି। ସେହି ଅସହାୟ ବାପା-ମା’ଙ୍କ ପାଇଁ ବୃଦ୍ଧାଶ୍ରମ ଗଢ଼ିଉଠୁଛି। ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମ ପରି ଯେଉଁମାନେ ବୃଦ୍ଧାଶ୍ରମ ଗଢ଼ି ବୃଦ୍ଧବୃଦ୍ଧାଙ୍କ ସେବା ଦେଉଛନ୍ତି ସେମାନଙ୍କୁ ଉଦ୍ୟମ ସ୍ବାଗତଯୋଗ୍ୟ। କିନ୍ତୁ ଏକ ସୁସ୍ଥ ସମାଜରେ ବୃଦ୍ଧାଶ୍ରମ ଗଢ଼ି ଉଠିବା ଶୁଭଙ୍କର ନୁହେଁ। ଯେଉଁ ବାପା-ମା’ଙ୍କର କେହି ସନ୍ତାନ ନାହାନ୍ତି କିମ୍ବା ପୁଅ ଓ ଝିଅମାନଙ୍କୁ ହରାଇଛନ୍ତି ସେମାନେ ଶେଷ ସମୟରେ ବୃଦ୍ଧାଶ୍ରମରେ ରହିଲେ କିଛି ସମସ୍ୟା ନାହିଁ। କିନ୍ତୁ ରୋଜଗାରକ୍ଷମ ପୁଅ ଓ ଝିଅ ଥାଉ ଥାଉ ବାପ-ମା ବୃଦ୍ଧାଶ୍ରମରେ ରହିବା ଠାରୁ ବଡ଼ ପାପ ଆଉ କିଛି ନାହିଁ। ତେଣୁ ଏଥିପ୍ରତି ପିଲାମାନେ ସଜାଗ ହୋଇ ବାପା-ମାଙ୍କ ଶେଷ ସମୟରେ ସ୍ନେହ ଆଦର କରିବା ଉଚିତ। ଆଜି ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମର ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏପରି ଆହ୍ବାନ ଦେଇଛନ୍ତି।

ବୃଦ୍ଧାଶ୍ରମର ପ୍ରତିଷ୍ଠାତା ନିଲୁ ଖୁଣ୍ଟିଆଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମେୟର ସୁଲୋଚନା ଦାସ, ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବାବାଜୀ ଅମୃତାନନ୍ଦ, ୱାର୍ଡ ନମ୍ବର ୨ର କର୍ପୋରେଟର ମୋନାଲିସ‌ା ବେହେରା, ବିଜୟ ରାଉତ, ‘ନିସ୍‌’ ପ୍ରତିଷ୍ଠାତା ସୁଭାଷ ନାୟକ, ରବୀନ୍ଦ୍ର ଜଗଦ୍ଦେବ, ସଂଜୟ ଜଗଦ୍ଦେବ, ‘ଦୂରଦର୍ଶୀ’ର ପ୍ରତିଷ୍ଠାତା ଦୁର୍ଗା ସାମନ୍ତରାୟ, ରୋଟାରିଆନ୍‌ ଯଜ୍ଞାଶିଷ ମହାପାତ୍ର, ସନ୍‌ସାଇନ୍‌ ହସ୍ପିଟାଲର ପ୍ରତିଷ୍ଠାତା ଅୟସକାନ୍ତ ମହାନ୍ତି, ଲଲାଟ କେଶରୀ ନାୟକ, ସୁନିତା ପାତ୍ର ପ୍ରମୁଖ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରକ୍ତଦାନ କରିବା ସହ ବୃଦ୍ଧାଶ୍ରମର ଉନ୍ନତି କାମନା କରିଥିଲେ।

ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମ ବାର୍ଷିକ ଉତ୍ସବ

ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ରକ୍ତଦାନ ଶିବିରରେ ମୋଟ ୨୨ ୟୁନିଟ୍‌ ସଂଗ୍ରହ କରାଯାଇଥିଲା। ବିଏମ୍‌ସି ହସ୍‌ପିଟାଲ ଓଡ଼ିଶା ରକ୍ତକେନ୍ଦ୍ରର କର୍ମଚାରୀମାନେ ରକ୍ତ ସଂଗ୍ରହ‌ରେ ସହଯୋଗ କରିଥିଲେ। ରକ୍ତଦାନ ଶିବିରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ଆମ ଓଡ଼ିଶାର ସମ୍ପାଦକ ଅରବିନ୍ଦ ଦାସ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ। ଆମ ଓଡ଼ିଶାର ପ୍ରଭଞ୍ଜନ ପାଣିଗ୍ରାହୀ, ‘ସମ୍ବାଦ’ ପ୍ରତିନିଧି ସୋମନାଥ ପରିଡ଼ା, ନରସିଂହ ପରିଡ଼ା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.