Breaking News

ସେୟାର ବଜାରରୁ ୯୪ ହଜାର କୋଟି ଉଠାଇନେଲେ ବିଦେଶୀ ନିବେଶକ

ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ମାନେ ଭାରତୀୟ ସେୟାର ବଜାରରୁ ଅକ୍ଟୋବର ମାସରେ ୯୪ ହଜାର କୋଟି ଟଙ୍କା(ପ୍ରାୟ ୧୧.୨ ବିଲିଅନ ଡଲାର)ରୁ ଅଧିକ ରାଶି ଉଠାଇ ନେଇଛନ୍ତି।

0

ମୁମ୍ବାଇ: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ମାନେ ଭାରତୀୟ ସେୟାର ବଜାରରୁ ଅକ୍ଟୋବର ମାସରେ ୯୪ ହଜାର କୋଟି ଟଙ୍କା(ପ୍ରାୟ ୧୧.୨ ବିଲିଅନ ଡଲାର)ରୁ ଅଧିକ ରାଶି ଉଠାଇ ନେଇଛନ୍ତି। ଏଫ୍‌ପିଆଇମାନେ ଭାରତୀୟ ସେୟାର ବଜାରରୁ ପୂର୍ବରୁ କୌଣସି ମାସରେ ଏତେ ଅଧିକ ପରିମାଣର ପୁଞ୍ଜି ଉଠାଇ ନେଇ ନଥିଲେ। ଗୋଟିଏ ପଟେ ଭାରତୀୟ ସେୟାର ବଜାରର ମୂଲ୍ୟାୟନ ଉଚ୍ଚା ରହିବାବେଳେ ଅନ୍ୟପଟେ ଚୀନ୍‌ର ସେୟାର ବଜାର ଆକର୍ଷଣୀୟ ରହିବା ଦ୍ବାରା ଷ୍ଟକ୍‌ ବଜାରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଭାରତୀୟ ସେୟାର ବଜାରରୁ ବିଦେଶୀ ନିବେଶକମାନଙ୍କ ମୋହଭଙ୍ଗ ହୋଇଛି। ଏହା ପୂର୍ବରୁ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ୨୦୨୦ ମାର୍ଚ୍ଚ ମାସରେ ୬୧,୯୭୩ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେଇଥିଲେ। ତେବେ ସେପ୍ଟେମ୍ବର ମାସରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ଭାରତୀୟ ସେୟାର ବଜାରରେ ୫୭,୭୨୪ କୋଟି ଟଙ୍କା ନିବେଶ କରିଥିଲେ। ଯାହାକି ଗତ ୯ମାସ ମଧ୍ୟରେ ସର୍ବାଧିକ ରହିଥିଲା। ଏପ୍ରିଲ ଓ ମେ ମାସରେ ସେମାନେ ୩୪,୨୫୨ କୋଟି ଟଙ୍କା ଉଠାଇଥିଲେ।

ମର୍ଣ୍ଣିଂଷ୍ଟାର୍‌ ଇନଭେଷ୍ଟ୍‌ମେଣ୍ଟ୍‌ ରିସର୍ଚ୍ଚ ଇଣ୍ଡିଆର ସହଯୋଗୀ ନିର୍ଦ୍ଦେଶକ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି ଭବିଷ୍ୟତରେ ଭୂରାଜନୈତିକ ଘଟଣାକ୍ରମ, ସୁଧ ହାରରେ ହେବାକୁ ଥିବା ହ୍ରାସବୃଦ୍ଧି, ଚୀନ ଅର୍ଥ ବ୍ୟବସ୍ଥାର ଅପଗ୍ରତି ଏବଂ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଦି ବୈଶ୍ବିକ ପ୍ରସଙ୍ଗ ଉପରେ ଭାରତୀୟ ସେୟାର ବଜାରରେ ବିଦେଶୀ ନିବେଶକଙ୍କ ନିବେଶ ମାତ୍ରା କ’ଣ ରହିବ ତାହା ନିର୍ଭର କରୁଛି। ସେହିଭଳି ଦେଶ ଭିତରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା, କମ୍ପାନିଗୁଡ଼ିକର ତ୍ରୟମାସିକ ଫଳାଫଳ ଭଲ ରହିବା ଏବଂ ପାର୍ବଣ ଚାହିଦା କିଭଳି ରହିବ ତାହା ଉପରେ ମଧ୍ୟ ବିଦେଶୀ ନିବେଶକଙ୍କ ନିବେଶ ନିର୍ଭର କରୁଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.