Breaking News

ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ‌ଚରମ ଚେତାବନୀ: ଅଳିଆଗଦାକୁ ଛଡ଼ାଯିବନି ଅଳିଆ ଗାଡ଼ି

ବିରୋଧ ସତ୍ତ୍ବେ ଭୁବନେଶ୍ବର ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତ୍ତିରୁ ରାଜ୍ୟ ସରକାର ଓହରୁ ନାହାନ୍ତି। ଗୋଟିଏ ପଟେ ଚିଠି ଲେଖିଥିବା ସରକାରୀ ବାବୁମାନେ ନିଜ ଜିଦି‌ରେ ଅଡ଼ି ବସିଥିବା ବେଳେ ଅନ୍ୟପଟେ ଅସନ୍ତୋ‌ଷ ବଢ଼ିବାରେ ଲାଗିଛି।

ଚନ୍ଦ୍ରଶେଖରପୁର: ବିରୋଧ ସତ୍ତ୍ବେ ଭୁବନେଶ୍ବର ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତ୍ତିରୁ ରାଜ୍ୟ ସରକାର ଓହରୁ ନାହାନ୍ତି। ଗୋଟିଏ ପଟେ ଚିଠି ଲେଖିଥିବା ସରକାରୀ ବାବୁମାନେ ନିଜ ଜିଦି‌ରେ ଅଡ଼ି ବସିଥିବା ବେଳେ ଅନ୍ୟପଟେ ଅସନ୍ତୋ‌ଷ ବଢ଼ିବାରେ ଲାଗିଛି। ଓଡ଼ିଶା ଅଭିଭାବକ ମହାସଂଘ, ସୈନିକ ସ୍କୁଲ ଅଭିଭାବକ ସଂଘ, ଭିଏସ୍‌ଏସ୍‌ ନଗର ଉନ୍ନୟନ କମିଟି, ସିଟିଜେନ୍‌ ଫୋରମ୍‌, ନିକଟସ୍ଥ ଗ୍ରାମବାସୀ ଓ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ଆଜି ରାଜ୍ୟ ସରକାରଙ୍କୁ ଚରମ ଚେତାବନୀ ଦେଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଯଦି ରାଜ୍ୟ ସରକାର ନିଷ୍ପତ୍ତିରୁ ନ ଓହରନ୍ତି ତା’ହେଲେ ସୈନିକ ସ୍କୁଲ ଭିତର କିମ୍ବା କୌଣସି ରାସ୍ତା ଦେଇ ଅଳିଆ ଗଦା ଭିତରକୁ ବିଏମ୍‌ସି ଅଳିଆ ଗାଡ଼ିକୁ ଛଡ଼ାଯିବ ନାହିଁ। କମିଟିର ସଦସ୍ୟମାନେ ତିନୋଟି ଦଳରେ ବିଭକ୍ତ ହୋଇ ସୈନିକ ସ୍କୁଲ ମୁଖ୍ୟ ପ୍ରବେଶ ପଥ, ଦାଶରଜା ମନ୍ଦିର ପ୍ରବେଶ ପଥ ଓ ଧୀରିକୁଟି ବସ୍ତି ପ୍ରବେଶ ପଥରେ ରହି ସମସ୍ତ ଅଳିଆ ଗାଡ଼ି ପ୍ରବେଶକୁ ବନ୍ଦ କରିବେ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରଶାସନକୁ ଏକ ଦଶ ଦିନିଆ ଗୋଟିଏ ଡେଡ୍‌ ଲାଇନ ଦିଆଯାଇଛି। ସେହି ସମୟ ଭିତରେ ଆଲୋଚନା କରି ସୈନିକ ସ୍କୁଲ ସ୍ଥାନାନ୍ତରଣ ନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିଲେ ଏହି ଚରମ ନିଷ୍ପତି ନିଆଯିବ। କାରଣ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ ହେଉଛି ୧୯୬୨ରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ସୈନିକ ସ୍କୁଲ। ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଥିବା ଅନେକ ବରିଷ୍ଠ ସେନା ଅଧିକାରୀ, ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ, ବହୁ ରାଜନେତା ସୃଷ୍ଟି କରିବାର ଗୌରବ ଏହି ବିଦ୍ୟାଳୟ ବହନ କରୁଛି। ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶତାଧିକ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହ ଅମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି। ଯାହାକି ଏକ ଐତିହ୍ୟ ସ୍ଥଳୀ ସଦୃଶ।
ତେଣୁ ବର୍ତମାନ ରାସ୍ତା ସମ୍ପ୍ରସାରଣ ଆଳରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପ୍ରତିରକ୍ଷା ସଚିବ, ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ଓ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରାସ୍ତା ନିର୍ମାଣ କରିବାକୁ ଯାଇ ଏଭଳି ଏକ ଗୌରବମୟ ଅନୁଷ୍ଠାନର ସ୍ଥାନାନ୍ତରଣ ଆଦୌ ଗ୍ରହଣୀୟ ନୁହେଁ। ଏହାର ବିକଳ୍ପ ଭାବେ ଓଭରବ୍ରିଜ୍‌ ନିର୍ମାଣ କରାଯାଇପାରେ। ପୂର୍ବରୁ ଡର୍ମ୍ପିଂୟାର୍ଡ ପାଇଁ ଅନେକ ବିରୋଧ ଓ ଆନ୍ଦୋଳନ ସତ୍ତ୍ବେ ଏପର୍ଯ୍ୟନ୍ତ ତାହାର କୌଣସି ସମାଧାନ ହୋଇପାରି ନାହିଁ। ଅଳିଆ ଗଦାକୁ ସେଠାରୁ ଉଠାଇବା ପରିବର୍ତ୍ତେ ସୈନିକ ସ୍କୁଲ ଭଳି ଗୌରବମୟ ଅନୁଷ୍ଠାନ ଉଠେଇବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଡବଲ ଇଞ୍ଜିନ୍‌ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଆଗାମୀ ଦିନ‌ରେ ବ୍ୟାପକ ଆନ୍ଦୋଳନ କରିବାକୁ ସ୍ଥିର ହୋଇଛି। ବୈଠକରେ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ଦିଲ୍ଲୀପ ଦାସଶର୍ମା, ଜୟନ୍ତ ପରିଡା, ଅଶୋକ ପାଲଟାସିଂଙ୍କ ସମେତ ଗାଡ଼କଣ, ରଙ୍ଗମାଟିଆ, ଆଦିମାତା କଲୋନି, ଆଚାର୍ଯ୍ୟ ବିହାର, ଭିଏସଏସ ନଗର, ଡମଣା, ବାଣୀବିହାର ଅଞ୍ଚଳର ବହୁ ମୁରବୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.