ସ୍ତ୍ରୀକୁ ହତ୍ୟା କରି ଡ୍ରେନରେ ଫିଙ୍ଗିଥିଲା ସ୍ବାମୀ, ଧରା ପକାଇଦେଲା ନାକଫୁଲ
ପ୍ରାୟ ଏକ ମାସ ପୂର୍ବେ ଦିଲ୍ଲୀର ଏକ ଡ୍ରେନ୍ରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା। ମୃତଦେହଟି କାହାର ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ଡ୍ରେନରେ ପଡ଼ି ମହିଳାଙ୍କ ଶରୀର ଶଢ଼ି ଯାଇଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା।
ନୂଆଦିଲ୍ଲୀ: ପ୍ରାୟ ଏକ ମାସ ପୂର୍ବେ ଦିଲ୍ଲୀର ଏକ ଡ୍ରେନ୍ରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା। ମୃତଦେହଟି କାହାର ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ଡ୍ରେନରେ ପଡ଼ି ମହିଳାଙ୍କ ଶରୀର ଶଢ଼ି ଯାଇଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା। ହେଲେ ସେ ପିନ୍ଧିଥିବା ନାକଫୁଲ ପୁଲିସକୁ ଅଭିଯୁକ୍ତ ସ୍ବାମୀ ପାଖରେ ପହଞ୍ଚାଇଥିଲା। ମୃତଦେହ ମିଳିବାର ପ୍ରାୟ ୧୫ଦିନ ପରେ ମହିଳାଙ୍କ ପରିଚୟ ପୁଲିସ ଜାଣିପାରିଥିବା ସାମ୍ନାକୁ ଆସିଛି। ମହିଳାଙ୍କ ନାମ ସୀମା ସିଂହ(୪୭) ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ବାମୀ ବ୍ୟବସାୟୀ ଅନିଲ କୁମାର ଓ ତାଙ୍କ ଅଙ୍ଗରକ୍ଷୀ ଶିବ ଶଙ୍କରଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ମାର୍ଚ୍ଚ ୧୫ ତାରିଖରେ ଦିଲ୍ଲୀର ଏକ ଡ୍ରେନ୍ରୁ ସୀମାଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତଦେହକୁ ଏକ ବେଡ୍ସିଟ୍ରେ ଗୁଡ଼ାଯାଇ ପଥର ଏବଂ ସିମେଣ୍ଟ ବସ୍ତାରେ ବନ୍ଧା ଯାଇଥିଲା। ମହିଳାଙ୍କ ନାକଫୁଲ ପୁଲିସକୁ ହତ୍ୟା ରହସ୍ୟ ଉନ୍ମୋଚନ କରିବାରେ ସାହାଯ୍ୟ କରିଥିଲା। ନାକଫୁଲ ନେଇ ପୁଲିସ ଦକ୍ଷିଣ ଦିଲ୍ଲୀର ଏକ ଅଳଙ୍କାର ଦୋକାନରେ ପହଞ୍ଚିଥିଲା ଏବଂ ରେକର୍ଡ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ନାକଫୁଲଟି ଦିଲ୍ଲୀର ଜଣେ ପ୍ରପର୍ଟି ଡିଲର ଅନିଲ କୁମାର କିଣିଥିଲେ, ଯିଏ ଗୁରୁଗ୍ରାମର ଏକ ଫାର୍ମହାଉସରେ ରହନ୍ତି। ବିଲ୍ ତାଙ୍କ ନାମରେ ଜାରି କରାଯାଇଥିଲା।
ଏହାପରେ ପୁଲିସ ଅନିଲ କୁମାରଙ୍କ ଫାର୍ମହାଉସରେ ପହଞ୍ଚି ଜାଣିବାକୁ ପାଇଲା ଯେ ସୀମା ସିଂହ ତାଙ୍କ ପତ୍ନୀ। ଯେତେବେଳେ ପୁଲିସ ସୀମାଙ୍କ ବିଷୟରେ ପଚାରିଲା, ସେ ଫୋନ୍ ବିନା ସୀମା ବୃନ୍ଦାବନ ଯାଇଥିବା କହିଥିଲେ ଅନିଲ। ଏହା ପୁଲିସର ସନ୍ଦେହ ବଢ଼ାଇଥିଲା। ଏହାପରେ ପୁଲିସ ଦ୍ୱାରକାରେ ଥିବା ଅନିଲ କୁମାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ଯେଉଁଠାରେ ସେମାନେ ଏକ ଡାଏରୀରୁ ତାଙ୍କ ଶାଶୁଙ୍କ ନମ୍ବର ପାଇଥିଲେ। ସୀମାଙ୍କ ପରିବାର ସହିତ ଯୋଗାଯୋଗ କରିବାରୁ ତାଙ୍କ ଭଉଣୀ ବବିତା କହିଥିଲେ ଯେ, “ମାର୍ଚ୍ଚ ୧୧ତାରିଖରୁ ଆମେ ସୀମାଙ୍କ ସହ କଥା ହୋଇନୁ। ସୀମା ଜୟପୁରରେ ଅଛି ଏବଂ ଏବେ ସେ କାହା ସହ କଥା ହେବାକୁ ଚାହୁନାହିଁ ବୋଲି ଆମକୁ ଅନିଲ କହିଥିଲେ। ଏହି କାରଣ ପାଇଁ ଆମେ ପୁଲିସରେ ବି ଅଭିଯୋଗ କଲୁନାହିଁ।” ଏସବୁ ବୟାନ ମିଳିବା ପରେ ଏବେ ପୁଲିସ ପଚରାଉଚରା ପାଇଁ ଅନିଲଙ୍କୁ ଗିରଫ କରି ନେଇଛି।
ସୌଜନ୍ୟ-ସମ୍ୱାଦ
Comments are closed.