Breaking News

ସ୍ବଚ୍ଛ ଭାରତ ମିସନ୍‌ର ଅସ୍ବଚ୍ଛ ଚିତ୍ର: ଖାଇଗଲେ ଅଳିଆଉଠା ଗାଡ଼ି

ଆବର୍ଜନା ସଂଗ୍ରହ ପାଇଁ ବ୍ୟାଟେରିଚାଳିତ ଅଳିଆଉଠା ଗାଡ଼ି କିଣିବାକୁ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଲେ। ସୋ’ରୁମ୍‌ରୁ ଗାଡ଼ି କିଣା ହେଲା, ଆଉ ଏଥିପାଇଁ ମ୍ୟୁନିସିପାଲଟିର ସ୍ବଚ୍ଛ ଭାରତ ମିସନ୍‌ ଆକାଉଣ୍ଟରୁ ଟଙ୍କା ବି ପୈଠ ହେଲା।

ଝାରସୁଗୁଡ଼ା: ଆବର୍ଜନା ସଂଗ୍ରହ ପାଇଁ ବ୍ୟାଟେରିଚାଳିତ ଅଳିଆଉଠା ଗାଡ଼ି କିଣିବାକୁ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଲେ। ସୋ’ରୁମ୍‌ରୁ ଗାଡ଼ି କିଣା ହେଲା, ଆଉ ଏଥିପାଇଁ ମ୍ୟୁନିସିପାଲଟିର ସ୍ବଚ୍ଛ ଭାରତ ମିସନ୍‌ ଆକାଉଣ୍ଟରୁ ଟଙ୍କା ବି ପୈଠ ହେଲା। ହେଲେ ପରିତାପର ବିଷୟ, ୫ ବର୍ଷ ପରେ ମଧ୍ୟ ଷ୍ଟକ୍‌ୟାର୍ଡକୁ ଗାଡ଼ି ପହଞ୍ଚି ପାରିଲାନି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ମ୍ୟୁନିସିପାଲଟିରେ। ଏ ନେଇ ମ୍ୟୁନିସିପାଲଟିର ପରିମଳ ବିଶେଷଜ୍ଞ (ସାନିଟେସନ୍‌ ଏକ୍ସପର୍ଟ) ସୌମ୍ୟ ମହାଲିଙ୍କୁ ପଚରାଯିବାରୁ, ସେ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ଉକ୍ତ ୨ ଗାଡ଼ି ଦେଖିନଥିବା କହିଛନ୍ତି।

ବେଲପାହାଡ଼ ପୌର କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦ ମସିହାରେ ପୌର କର୍ତ୍ତୃପକ୍ଷ ୧୯ଟି ୱାର୍ଡରୁ ଆବର୍ଜନା ସଂଗ୍ରହ ପାଇଁ ବ୍ୟାଟେରିଚାଳିତ ଅଳିଆଉଠା ଗାଡ଼ି କିଣିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ କର୍ତ୍ତୃପକ୍ଷ ୨ଟି ଗାଡ଼ି କିଣିବାକୁ ଟେଣ୍ଡର ଡାକିଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ରୋଡ୍‌ର ମେସର୍ସ ଉଷା ଅଟୋମୋବାଇଲ୍‌ସ ଏହି ଇ-କାର୍ଟ ପାଇଁ ଟେଣ୍ଡର ପାଇଥିଲା। ୯.୬.୨୦୨୦ରେ ୪ ଲକ୍ଷ ୩ ହଜାର ୭୬୦ ଟଙ୍କାରେ ୨ଟି ଇ-କାର୍ଟ କିଣାଗଲା। ଏହାର ମାସକ ପରେ ଅର୍ଥାତ୍‌ ୮.୭.୨୦୨୦ରେ ୪ ଲକ୍ଷ ୩ ହଜାର ୩୬୮ ଟଙ୍କାରେ ପୁଣି ୨ଟି ଇ-କାର୍ଟ ସମାନ ଅଟୋମୋବାଇଲ୍‌ସରୁ କିଣାଗଲା। ଏହା ପରେ ଆଉ ୪ଟି ପର୍ଯ୍ୟାୟରେ ଅର୍ଥାତ୍‌ ୪.୨.୨୦୨୧ରେ ୪ ଲକ୍ଷ ୮୯ ହଜାର ୬୦୮ ଟଙ୍କାରେ ୨ଟି, ୩.୫.୨୦୨୧ରେ ୧୨ ଲକ୍ଷ ୨୦ ହଜାର ୧୦୦ ଟଙ୍କାରେ ୫ଟି, ୨୬.୭.୨୦୨୧ରେ ୧୯ ଲକ୍ଷ ୫୩ ହଜାର ୭୨୮ ଟଙ୍କାରେ ୮ଟି ଏବଂ ୩୦.୧୨.୨୦୨୧ରେ ୮ ଲକ୍ଷ ୮୨ ହଜାର ଟଙ୍କାରେ ୩ଟି ବ୍ୟାଟେରିଚାଳିତ ଅଳିଆ ଉଠା ଗାଡ଼ି କିଣାଯାଇଥିବା ଖୋଦ୍‌ ପୌର ନିର୍ବାହୀ ଅଧିକାରୀ ନୋଟ୍‌ ସିଟ୍‌ରେ ଉଲ୍ଲେଖ କରିଛନ୍ତି। ମ୍ୟୁନିସିପାଲଟି ଆକାଉଣ୍ଟରୁ ପୈଠ ହୋଇଥିବା ଟଙ୍କା ଓ ସୋ’ରୁମ୍‌ରୁ ଡେସ୍‌ପାଚ୍‌ ହୋଇଥିବା ଗାଡ଼ିର ତଥ୍ୟ ଅନୁସାରେ, ଏହି ୨ ବର୍ଷରେ ବେଲପାହାଡ଼ ମ୍ୟୁନିସିପାଲଟି ମୋଟ ୨୨ଟି ବ୍ୟାଟେରିଚାଳିତ ଅଳିଆଉଠା ଗାଡ଼ି କିଣିଛି। କିନ୍ତୁ ପୌରାଞ୍ଚଳର କାଦୋପଡ଼ା ଡମ୍ପିଂୟାର୍ଡ ନିକଟରେ ଥିବା ଷ୍ଟକ୍‌ୟାର୍ଡ ଯାଞ୍ଚ କରିବାବେଳେ ସେଠାରେ ୨୦ଟି ବ୍ୟାଟେରି ଗାଡ଼ି ରହିଥିବା ଦେଖିବାକୁ ମିଳିଛି। ଏ ନେଇ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ମାତ୍ର ସେ ସମୟରେ ଦାୟିତ୍ବରେ ଥିବା ଅଧିକାରୀ କିଛି ଭିନ୍ନ ତଥ୍ୟ ପ୍ରଶାସନକୁ ଦେଇଥିବା ମ୍ୟୁନିସିପାଲଟି କର୍ମଚାରୀ ସୂଚନା ଦେଇଛନ୍ତି।

୨୦୨୦ ମସିହାରେ କିଣାଯାଇଥିବା ୨ଟି ଗାଡ଼ି ସୋ’ରୁମ୍‌ରୁ ଆସିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେବେଠୁ ଗାଡ଼ି ୨ଟିକୁ ଆଉ ଅଣାଯାଇ ନଥିବା ସଂପର୍କରେ ପ୍ରଶାସନକୁ ଉତ୍ତର ଦିଆଯାଇଥିବା ପୌର କର୍ମଚାରୀ କହିଛନ୍ତି। ଏଭଳି ସ୍ଥିତିରେ ଉକ୍ତ ୨ଟି ଗାଡ଼ିର ପ୍ରକୃତ ସ୍ଥିତିକୁ ନେଇ ପ୍ରଶ୍ନ ଉଠିଲାଣି। ଗାଡ଼ି ୨ଟିକୁ ପ୍ରକୃତରେ କିଣାଯାଇଛି ନା କେବଳ ମ୍ୟୁନିସିପାଲଟି ଆକାଉଣ୍ଟରୁ ଟଙ୍କା ପୈଠ କରିବା ପରେ ସେଗୁଡ଼ିକୁ ଅଧିକାରୀ ଓ ସୋ’ ରୁମ୍‌ କର୍ତ୍ତୃପକ୍ଷ ଭାଗ କରି ନେଇଛନ୍ତି; ‌ତାହା ତଦନ୍ତସାକ୍ଷେପ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.