Breaking News

ସ୍ବଦେଶେ ନିର୍ବାସିତ!

ପଇଁତିରିଶ ବର୍ଷ ତଳେ ଭିଟାମାଟି ପରିତ୍ୟାଗ କରି ଆତ୍ମ-ନିର୍ବାସନ ବରଣ କରି ନେଇଥିବା କାଶ୍ମୀରୀ ପଣ୍ଡିତମାନେ ସେତେବେଳେ ଧରି ନେଇଥି‌େଲ ଯେ ଏହା ମାତ୍ର ମାସ କେଇଟାର ବିଚ୍ଛେଦ ଯୋଗ! କିନ୍ତୁ ତାହା ବିଭ୍ରାନ୍ତିକର ବୋଲି ସାବ୍ୟସ୍ତ ହୋଇଛି।

ପଇଁତିରିଶ ବର୍ଷ ତଳେ ଭିଟାମାଟି ପରିତ୍ୟାଗ କରି ଆତ୍ମ-ନିର୍ବାସନ ବରଣ କରି ନେଇଥିବା କାଶ୍ମୀରୀ ପଣ୍ଡିତମାନେ ସେତେବେଳେ ଧରି ନେଇଥି‌େଲ ଯେ ଏହା ମାତ୍ର ମାସ କେଇଟାର ବିଚ୍ଛେଦ ଯୋଗ! କିନ୍ତୁ ତାହା ବିଭ୍ରାନ୍ତିକର ବୋଲି ସାବ୍ୟସ୍ତ ହୋଇଛି। କିନ୍ତୁ ସେମାନେ ବାହୁଡ଼ି ଯିବା ଲାଗି ପ୍ରତୀକ୍ଷାରତ, ଯଦିଓ ନିଜ ଜନ୍ମଭୂମିର ସ୍ମୃତିକୁ ହୃଦୟରେ ପ୍ରଜ୍ଜ୍ବଳିତ କରି ରଖିଥିବା ଅନେକ କାଶ୍ମୀରୀ ପଣ୍ଡିତ ଶରଣାର୍ଥୀ ଇତିମଧ୍ୟରେ ଇହଧାମ ତ୍ୟାଗ କରି ସାରିଲେଣି। ଉଲ୍ଲେଖ ଥାଉ କି ସର୍ବତ୍ର ଘଟୁଥିବା ଭଳି ଏଠାରେ ମଧ୍ୟ ଶରଣାର୍ଥୀ କାଶ୍ମୀରୀ ପଣ୍ଡିତମାନେ ମୂଳ ବାସିନ୍ଦାମାନଙ୍କ ବିରୋଧ, ସନ୍ଦେହ ଏବଂ ବିରକ୍ତିର ମଧ୍ୟ ପ୍ରତ୍ୟକ୍ଷ କରିଛନ୍ତି।

ଭାରତର ଇତିହାସ ପଥରେ ଜାନୁଆରି ମାସ ୧୯ ତାରିଖ ହୁଏତ ଏକ ଦୃଷ୍ଟି ଆକର୍ଷଣକାରୀ ଚିହ୍ନ ବା ଶଙ୍କୁ ହୋଇ ନ ଥାଇ ପାରେ, କିନ୍ତୁ ଆଜିକୁ ପଇଁତିରିଶ ବର୍ଷ ତଳେ ଘଟିଥିବା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିରଳ ଘଟଣା ପରିପ୍ରେକ୍ଷୀରେ ଲହି ତାରିଖ ସହିତ ବାରମ୍ବାର ମୁାହଁମୁହିଁ ହେବାକୁ ପଡ଼ିଥାଏ। ପ୍ରକାଶ ଥାଉ କି ୧୯୯୦ ମସିହାର ଏହି ତାରିଖରେ କାଶ୍ମୀରୀ ପଣ୍ଡିତମାନେ ପ୍ରାଣ ଭୟରେ କାଶ୍ମୀର ଉପତ୍ୟକାରୁ ସମୂହ ପଳାୟନ କରିବା ଆରମ୍ଭ କରିଥିଲେ। ପିଢ଼ି ପିଢ଼ିର ଭିଟାମାଟି ପରିତ୍ୟାଗ କରି ପ୍ରାୟ ଏକ ଲକ୍ଷରୁ ଅଧିକ କାଶ୍ମୀରୀ ପଣ୍ଡିତ ପ୍ରଥମେ ଜାମ୍ମୁର ଶରଣାର୍ଥୀ ଶିବିରମାନଙ୍କରେ ଏବଂ ପରେ ଭାରତର ଆଉ କେତେକ ଅଞ୍ଚଳରେ ଶରଣାର୍ଥୀ ଭାବେ ବସବାସ କରିବାକୁ ଲାଗିଥିଲେ। ଘୋର ବିଡ଼ମ୍ବନାଟି ଥିଲା ଏହା ଯେ ସେମାନେ ନିଜ ମାତୃଭୂମିରେ ହିଁ ଶରଣାର୍ଥୀ ହୋଇଥିଲେ ଏବଂ ଭାଗ୍ୟର କ୍ରୂର ପରିହାସ ସ୍ବରୂପ ରାଷ୍ଟ୍ରର ସଂଖ୍ୟାଗରିଷ୍ଠ ଜନ ସମୁଦାୟର ଅଂଶ ହୋଇ ସୁଦ୍ଧା ସେମାନେ ସଂଖ୍ୟାଲଘୁ ସଂପ୍ରଦାୟ ଦ୍ବାରା ହିଂସା, ହତ୍ୟା, ଧମକ ଓ ପରିଶେଷରେ ବିତାଡ଼ନର ଶରବ୍ୟ ହୋଇଥିଲେ। ଇତିମଧ୍ୟରେ ସାଢ଼େ ତିନି ଦଶନ୍ଧି ଅତିକ୍ରାନ୍ତ; ଛଅ ବର୍ଷ ତଳୁ ଧାରା ୩୭୦ର ବିଲୋପନ ସହିତ ଜାମ୍ମୁ କାଶ୍ମୀର ତା’ର ସ୍ବତନ୍ତ୍ର ମାନ୍ୟତା ହରାଇ ଭାରତ ସାଧାରଣତନ୍ତ୍ର ସହିତ ଏକୀଭୂତ ହୋଇ ସାରିଛି, ସଂପ୍ରତି ତାହା ଏକ କେନ୍ଦ୍ର ଶାସିତ ଅଞ୍ଚଳ ଯେଉଁଠି ଏକ ନିର୍ବାଚିତ ସରକାର କ୍ଷମତାସୀନ; କିନ୍ତୁ କାଶ୍ମୀରୀ ପଣ୍ଡିତମାନେ ଏ ଯାବତ୍‌ ନିଜ ଜନ୍ମଭୂମିକୁ ବାହୁଡ଼ି ନ ପାରି ଆପଣା ମାତୃଭୂମିରେ ବହିରାଗତ ଭାବେ ବସବାସ କରୁଛନ୍ତି।
ପିଢ଼ି ପରେ ପିଢ଼ି ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବସବାସ କରି ଆସିଥିବା ସତ୍ତ୍ବେ କାଶ୍ମୀର ଉପତ୍ୟକାରେ ମୁସଲିମ ସଂପ୍ରଦାୟ ଓ କାଶ୍ମୀରୀ ପଣ୍ଡିତ (ହିନ୍ଦୁ)ଙ୍କ ମଧ୍ୟରେ ବିଶ୍ବାସହାନି ଏବଂ ଶତ୍ରୁତାର ବୀଜ କିଭଳି ପଡ଼ିଲା, ତାହା ବୁଝିବା ସକାଶେ ଚୁମ୍ବକରେ ପୃଷ୍ଠଭୂମି ଉପରେ ଦୃଷ୍ଟି ନିକ୍ଷେପ କରିବାକୁ ହେବ। କହିବା ବାହୁଲ୍ୟ, ଏହା ପଛରେ ନିହିତ ଅଛି ଅପରିଣାମଦର୍ଶୀ ସଂକୀର୍ଣ୍ଣ ରାଜନୀତି, ପ୍ରଶାସନିକ ଅପାରଗତା ଏବଂ ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଷଡ୍‌ଯନ୍ତ୍ର। ଆଜିକୁ ଠିକ୍‌ ୫୦ ବର୍ଷ ତଳେ ଅର୍ଥାତ୍‌ ୧୯୭୫ ମସିହାରେ ଶେଖ ଅବଦୁଲ୍ଲାଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କ ସହିତ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ଦ୍ବାରା ଏକ ଚୁକ୍ତି ସଂପାଦିତ ହୋଇଥିଲା, ଯାହା ବଳରେ ସେ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ହୋଇଗଲେ। ଶେଖ ଅବଦୁଲ୍ଲା ଭାରତୀୟ ସଂବିଧାନକୁ ସ୍ବୀକାର କରୁ ନ ଥିଲେ ଏବଂ ସ୍ଥାନୀୟ ଜନମତ ଆଧାରରେ କାଶ୍ମୀରର ସ୍ବାୟତ୍ତତା ନିର୍ଦ୍ଧାରଣ ଦାବିରେ ତାଙ୍କ ନେତୃତ୍ବାଧୀନ ‘ପ୍ଲେବିସାଇଟ୍‌ ଫ୍ରଣ୍ଟ’ ଦ୍ବାରା ଆନ୍ଦୋଳନର ଉପଦ୍ରବ ଆରମ୍ଭ ହୋଇଯାଇଥିଲା। ସୁତରାଂ, ତାକୁ ଭଣ୍ଡୁର କରିବା ଥିଲା ଇନ୍ଦିରା ଗାନ୍ଧୀଙ୍କ ଉଦ୍ଦେଶ୍ୟ। କହିବା ବାହୁଲ୍ୟ, ଏଭଳି ପଟ ପରିବର୍ତ୍ତନ ହେତୁ ଶେଖ ଅବଦୁଲ୍ଲା ଜଣେ କ୍ଷମତାଲୋଭୀ ଓ ସୁବିଧାବାଦୀ ‌େନତାର ଅପବାଦ ଏବଂ ତୀବ୍ର ସମାଲୋଚନାର ଶରବ୍ୟ ହେଲେ; ଯହିଁରୁ ବର୍ତ୍ତିବା ଲାଗି ସେ ତାଙ୍କ ରାଜନୈତିକ ଆଭିମୁଖ୍ୟ‌େର ଇସଲାମୀ ମୌଳବାଦର ପ୍ରବେଶ ଘଟାଇଲେ। କାଳ ଖଣ୍ଡଟି ଥିଲା ୧୯୭୭ ମସିହାରୁ ୧୯୮୨ ଏବଂ ସାଂପ୍ରଦାୟିକ ବିଦ୍ବେଷର ବୀଜ ଉପତ୍ୟକାରେ ଭୂମିରେ ପଡ଼ିଲା।
୧୯୮୨ ମସିହାରେ ଶେଖ ଅବଦୁଲ୍ଲାଙ୍କ ପରଲୋକ ଗମନ ପରେ ତାଙ୍କ ପୁତ୍ର ଫାରୁକ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ଖୁବ୍‌ ଶୀଘ୍ର ତାଙ୍କ ସହିତ କଂଗ୍ରେସର ସଂପର୍କ ବିଘଟିତ ହେବାକୁ ଲାଗିଥିଲା। ସୁତରାଂ, କଂଗ୍ରେସ ଦ୍ବାରା ନିଯୁକ୍ତ ତତ୍‌କାଳୀନ ରାଜ୍ୟପାଳ ଜଗମେହାନଙ୍କ ଦ୍ବାରା ଫାରୁକ ଅବଦୁଲ୍ଲା ବିତାଡ଼ିତ ହେଲେ ଏବଂ ଜି.ଏମ୍‌. ଶାହଙ୍କୁ (ଜାମ୍ମୁ କାଶ୍ମୀର ଆୱାମି ନେସନାଲ କପଫରେନ୍‌ସ) ମୁଖ୍ୟମନ୍ତ୍ରୀ ଭାବେ ପଦାସୀନ କରାଗଲା। ସଂକୀର୍ଣ୍ଣମନା ଜି.ଏମ. ଶାହଙ୍କ ଅଧିକ ମୌଳବାଦୀ ରାଜନୈତିକ ଦୃଷ୍ଟିଭଙ୍ଗୀ ସାଂପ୍ରଦାୟିକ ବିଭାଜନକୁ ତୀବ୍ର କଲା; ତାଙ୍କ ନିଷ୍ପତ୍ତି କ୍ରମେ ଶ୍ରୀନଗର ସଚିବାଳୟରେ ଏକ ମସଜିଦ ସ୍ଥାପନକୁ ଘେନି ୧୯୮୬ ମସିହାରେ ଜାମ୍ମୁ-କାଶ୍ମୀରରେ ପ୍ରଥମ ସାଂପ୍ରଦାୟିକ ଦଙ୍ଗାର ସୂତ୍ରପାତ ହୋଇଗଲା। ଜି.ଏମ. ଶାହଙ୍କୁ ତୁରନ୍ତ ବହିଷ୍କାର କରାଗଲା, କିନ୍ତୁ ସେତିକି ବେଳକୁ ବିଦ୍ବେଷର ବୀଜ ଅଙ୍କୁରିତ ହୋଇ ବିଷ ପିତ୍ର ମେଲିବା ଆରମ୍ଭ କରି ଦେଇଥିଲେ।
୧୯୮୬ ମସିହାରେ ନିର୍ବାଚନ ଅନୁଷ୍ଠିତ ହେଲା, ଯହିଁରେ ଫାରୁକ ଅବଦୁଲ୍ଲା ବିଜୟୀ ହେଲେ, କିନ୍ତୁ ବ୍ୟାପକ ରିଗିଂର ଅଭିଯୋଗ ଏହାକୁ ସନ୍ଦିଗ୍‌ଧ କରି ପକାଇଲା। ପ୍ରକାଶ ଥାଉ କି ଏହି ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ‘କାଶ୍ମୀର ୟୁନାଇଟେଡ୍‌ ଫ୍ରଣ୍ଟ’ ବା ‘କେ.ୟୁ.ଏଫ.’ (ଯାହା ଥିଲା ‘ହୁରିୟତ’ର ଆଦ୍ୟ ଅବତାର) ଏବଂ ‘ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ’ ବା ‘ଜେ.କେ.ଏଲ.ଏଫ.’ ଭଳି ସଂଗଠନ, ଯେଉଁ ଦଳଗୁଡ଼ିକର ଆଭିମୁଖ୍ୟର ଅନ୍ଥଃସ୍ଥଳରେ ରହିଥିଲା ସଲାମୀ ‌େମୗଳବାଦ। ନିର୍ବାଚନ ଫଳାଫଳରେ ଅସନ୍ତୁଷ୍ଟ ହୋଇ ଏହି ଦଳର ସଦସ୍ୟମାନେ ୧୯୮୭ ମସିହା ବେଳକୁ ସଶସ୍ତ୍ର ଉଗ୍ରବାଦ (ମିଲିଟାନ୍‌ସି) ଆଡ଼କୁ ମୁହାଁଇବା ଆରମ୍ଭ କରିଦେଲେ, ଯେଉଁମାନଙ୍କୁ ଆଲିଙ୍ଗନ କରିବାକୁ ସୀମାା ଅାର ପଟେ ପ୍ରସ୍ତୁତ ଥିଲେ ପାକିସ୍ତାନର ରାଷ୍ଟ୍ରପତି ଜିଆ ଉଲ୍‌ ହକ୍‌ ଏବଂ କୁଖ୍ୟାତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇ.ଏସ.ଆଇ.। ପାକିସ୍ତାନରେ ଜିଆ ଉଲ ହକ୍‌ ଏବଂ ‘ଆଇ.ଏସ.ଆଇ’ ସେତେବେଳକୁ ତାଲିବାନ ସୃଷ୍ଟି ପ୍ରକଳ୍ପରେ ବ୍ୟାପୃତ ଥିଲେ। ପରିବେଶ ଅତ୍ୟନ୍ତ ଅନୁକୂଳ ଥିଲା। ସୁତରାଂ, କାଶ୍ମୀର ଉପତ୍ୟକାରେ ଜେହାଦୀ ଆତଙ୍କବାଦ ଲାଗି ଅଚିରେ କ୍ଷେତ୍ର ପ୍ରସ୍ତୁତ ହୋଇଗଲା। ‌େଦଶର ସରହଦ ଅତିକ୍ରମ କରି କାଶ୍ମୀରୀ ମୁସଲମାନ ଯୁବକମାନେ ପାକିସ୍ତାନରେ ପ୍ରଶିକ୍ଷଣ ନେଇ ନିଜ ମାତୃଭୂମିରେ ରକ୍ତପାତ ଘଟାଇବାକୁ ଫେରିଲେ। ୧୯୮୯ ଏବଂ ୧୯୯୦ ମସିହା ବେଳକୁ ବିଷ ଅଙ୍କୁର ଦ୍ରୁମରେ ପରିଣତ ହୋଇଥିଲା। ସେହି ସମୟ ଖଣ୍ଡରେ ଅନ୍ୟ ଦଳାଶ୍ରୟୀ କେନ୍ଦ୍ରର ଦୁର୍ବଳ ମେଣ୍ଟ ସରକାର (ପ୍ରଧାନମନ୍ତ୍ରୀ ଭି.ପି. ସିଂହ), ଫାରୁକ ଅବଦୁଲ୍ଲାଙ୍କ ଇସ୍ତଫା ପରେ କାଶ୍ମୀରରେ ରାଜନୈତିକ ଅସ୍ଥିରତା ଯେଉଁ ବାତାବରଣ ସୃଷ୍ଟି କରିଥିଲା, ତହିଁରେ ‘ଜେ.କେ.ଏଲ.ଏଫ.’ ଦ୍ବାରା କେନ୍ଦ୍ର ଗୃହମନ୍ତ୍ରୀ ମୁଫତି ମହମ୍ମଦ ସୈଦଙ୍କ କନ୍ୟା ରୁୁବିୟାଙ୍କ ଅପହରଣ ଏବଂ ତାଙ୍କ ମୁକ୍ତି ବଦଳରେ କେତେକ କଟ୍ଟର ଆତଙ୍କବାଦୀଙ୍କୁ ଖଲାସ କରି ଦିଆଯିବା ଭଳି ଘଟଣା ଆତଙ୍କବାଦକୁ ଅମ୍ଳଜାନ ଯୋଗାଇଲା।
ଏଭଳି ଏକ ସ୍ଥିତିରେ ୧୯୮୯ ମସିହା, ସେପ୍‌ଟେମ୍ବର ୧୪ ତାରିଖରେ ସଶସ୍ତ୍ର ଉଗ୍ରବାଦୀଙ୍କ ଦ୍ବାରା ଆଡଭୋକେଟ ଟିକାଲାଲ ଟପଲୁଙ୍କ ହତ୍ୟା ସହିତ କାଶ୍ମୀରୀ ପଣ୍ଡିତମାନଙ୍କୁ ଚିହ୍ନଟ କରି ହତ୍ୟା କରିବା ପର୍ବର ପ୍ରାରମ୍ଭ ଘଟିଲା, ଯାହା ଶୀଘ୍ର ଏକ ଧାରାରେ ପରିଣତ ହେଲେ। ପ୍ରାୟ ୭୦ କାଶ୍ମୀରୀ ପଣ୍ଡିତ ଆଙ୍କବାଦୀଙ୍କ ନିଶାଣରେ ପ୍ରାଣ ହରାଇଲେ। କାଶ୍ମୀରୀ ପଣ୍ଡିତଙ୍କ ଗୃହଦାହ, ଯଥାଶୀଘ୍ର ଉପତ୍ୟକା ପରତ୍ୟାଗ କରିବାକୁ ଧମକ ଓ ପଣ୍ଡିତମାନଙ୍କ ହିଟ୍‌ ଲିଷ୍ଟ ସମ୍ବଳିତ ପୋଷ୍ଟରମାନର ଆତ୍ମପ୍ରକାଶ ଏବଂ ମସଜିଦରୁ ଲାଉଡ୍ ସ୍ପିକର ମାଧ୍ୟମରେ ଧମକ ପ୍ରଦାନ ଏଭଳି ତୀବ୍ର ଭୟ ଉଦ୍ରେକ କଲା ଯେ ୧୯୯୦ ମସିହା ଜାନୁଆରି ୧୯ରେ ଗଣ ପଳାୟନ ପ୍ରାରମ୍ଭ ହୋଇଗଲା।
୨୦୨୦ ମସିହା‌ରେ ମୁକ୍ତିଲାଭ କରିଥିବା ଏକ ଚମତ୍କାର ଚଳଚ୍ଚିତ୍ର ‘ଶିକାରା’ରେ ସେହି ସମୟରେ କାଶ୍ମୀରୀ ପଣ୍ଡିତମାନଙ୍କ ମର୍ମଦାହର କାହାଣୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଢଙ୍ଗରେ ପ୍ରଦର୍ଶିତ ହୋଇଥିଲା‌, ଯାହା ଦେଖି ବିସ୍ଥାପିତ କାଶ୍ମୀରୀ ପଣ୍ଡିତମାନେ ଅନବରତ ଅଶ୍ରୁ ବର୍ଷଣ କରି ଚା‌ଲିଥିଲେ। ୨୦୨୩ ମସିହାରେ ମୁକ୍ତିଲାଭ କଲା ‘ଦ କାଶ୍ମୀର ଫାଇଲ୍‌ସ’, ଯହିଁରେ ପ୍ରଦର୍ଶିତ କାଶ୍ମୀରୀ ପଣ୍ଡିତମାନଙ୍କ ଯାତନା ଓ ଯନ୍ତ୍ରଣାର କାହାଣୀ ସମଗ୍ର ଭାରତକୁ ଅଶ୍ରୁ ବିଗଳିତ କରି ଦେଇଥିଲା। ପଇଁତିରିଶ ବର୍ଷ ତଳେ ଭିଟାମାଟି ପରିତ୍ୟାଗ କରି ଆତ୍ମ-ନିର୍ବାସନ ବରଣ କରି ନେଇଥିବା କାଶ୍ମୀରୀ ପଣ୍ଡିତମାନେ ସେତେବେଳେ ଧରି ନେଇଥି‌େଲ ଯେ ଏହା ମାତ୍ର ମାସ କେଇଟାର ବିଚ୍ଛେଦ ଯୋଗ! କିନ୍ତୁ ତାହା ବିଭ୍ରାନ୍ତିକର ବୋଲି ସାବ୍ୟସ୍ତ ହୋଇଛି। କିନ୍ତୁ ସେମାନେ ବାହୁଡ଼ି ଯିବା ଲାଗି ପ୍ରତୀକ୍ଷାରତ, ଯଦିଓ ନିଜ ଜନ୍ମଭୂମିର ସ୍ମୃତିକୁ ହୃଦୟରେ ପ୍ରଜ୍ଜ୍ବଳିତ କରି ରଖିଥିବା ଅନେକ କାଶ୍ମୀରୀ ପଣ୍ଡିତ ଶରଣାର୍ଥୀ ଇତିମଧ୍ୟରେ ଇହଧାମ ତ୍ୟାଗ କରି ସାରିଲେଣି। ଉଲ୍ଲେଖ ଥାଉ କି ସର୍ବତ୍ର ଘଟୁଥିବା ଭଳି ଏଠାରେ ମଧ୍ୟ ଶରଣାର୍ଥୀ କାଶ୍ମୀରୀ ପଣ୍ଡିତମାନେ ମୂଳ ବାସିନ୍ଦାମାନଙ୍କ ବିରୋଧ, ସନ୍ଦେହ ଏବଂ ବିରକ୍ତିର ମଧ୍ୟ ପ୍ରତ୍ୟକ୍ଷ କରିଛନ୍ତି। କିନ୍ତୁ ଅନ୍ୟ ସମସ୍ତ ଶରଣାର୍ଥୀମାନଙ୍କ ତୁଳନାରେ ସେମାନଙ୍କ ମନସ୍ତାପ ଅଧିକ ତୀବ୍ର, କାରଣ ସେମାନେ ନିଜ ଦେଶରେ ବହିରାଗତ!

 

ସୌଜନ୍ୟ – ସମ୍ବାଦ

Comments are closed.