Breaking News

ସ୍ବାଭିମାନ ଅଂଚଳ: ଅଣ୍ଡ୍ରାପାଲୀବାସୀଙ୍କ ପାଇଁ ଆଜି ବି ଡଂଗା ହିଁ ଭରସା

ସ୍ବାଭିମାନ ଅଂଚଳରେ ୯ଟି ପଞ୍ଚାୟତ ସହ ମୋଟ ୧୫୧ଟି ଗ୍ରାମ ରହିଛି। ଆଜି ବି ସବୁ ଗ୍ରାମକୁ ପକ୍କା ରାସ୍ତା ହୋଇପାରି ନାହିଁ। କିଛି ପଞ୍ଚାୟତକୁ ଛାଡ଼ି ଦେଲେ ଅନ୍ୟ ପଞ୍ଚାୟତକୁ ଆଜି ଡଙ୍ଗା କିମ୍ବା ବୋଟ୍ ହିଁ ସାହାରା ପାଲଟିଛି। ରାସ୍ତା ନଥିବାରୁ ସରକାରଙ୍କର କୌଣସି ଯୋଜନା ସେଠାରେ ପହଞ୍ଚିବା ମୁସକିଲ ହୋଇପଡ଼ିଛି।

ମାଲକାନଗିରି: ସ୍ବାଭିମାନ ଅଂଚଳ କହିଲେ ନକ୍ସଲଙ୍କ ଗଡ଼ ଏବଂ ବାହ୍ୟ ଜଗତର ବିଛିନ୍ନ ଥିବା ଅଂଚଳକୁ ବୁଝାଇଥାଏ। କିନ୍ତୁ ୨୦୧୮ ଜୁଲାଇ ୨୬ ପରେ ଏହି ଅଂଚଳର ବିକାଶ ଦ୍ରୁତଗତିରେ ଆରମ୍ଭ ହୋଇଥିଲା। ଗାଁକୁ ପକ୍କା ରାସ୍ତା ସହ ପାନୀୟ ଜଳ, ମୋବାଇଲ ଟାୱାର, ଶିକ୍ଷା,ସ୍ବାସ୍ଥ୍ୟ ସେବା ଇଦ୍ୟାତି ପହଞ୍ଚି ଥିଲା। ଏପରିକି ଏହି ଅଂଚଳକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଛିନ୍ନାଞ୍ଚଳ ସ୍ଥାନରେ ସ୍ବାଭିମାନ ଅଂଚଳ ବୋଲି ଘୋଷଣା ମଧ୍ୟ କଲେ।

ଏହି ସ୍ବାଭିମାନ ଅଂଚଳରେ ୯ଟି ପଞ୍ଚାୟତ ସହ ମୋଟ ୧୫୧ଟି ଗ୍ରାମ ରହିଛି। ଆଜି ବି ସବୁ ଗ୍ରାମକୁ ପକ୍କା ରାସ୍ତା ହୋଇପାରି ନାହିଁ। କିଛି ପଞ୍ଚାୟତକୁ ଛାଡ଼ି ଦେଲେ ଅନ୍ୟ ପଞ୍ଚାୟତକୁ ଆଜି ଡଙ୍ଗା କିମ୍ବା ବୋଟ୍ ହିଁ ସାହାରା ପାଲଟିଛି। ରାସ୍ତା ନଥିବାରୁ ସରକାରଙ୍କର କୌଣସି ଯୋଜନା ସେଠାରେ ପହଞ୍ଚିବା ମୁସକିଲ ହୋଇପଡ଼ିଛି। ପୁଣି ନକ୍ସଲଙ୍କର ଭୟ ଏବେ ବି ଲୋକ ସହ ସରକାରୀ ବାବୁମାନଙ୍କ ନିକଟରେ ରହିଛି।

ଦୁର୍ଗମ ଅଂଚଳ ହୋଇଥିବାରୁ କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଯଦିଓ ବିଏସଏଫ କ୍ୟାମ୍ପ ଏହି ଅଂଚଳରେ ଅବସ୍ଥାପିତ କରାଯାଇଛି କିନ୍ତୁ ପାଦପାଦକେ ବିପଦ ମଧ୍ୟ ରହିଛି। ତେବେ ସ୍ବାଭିମାନ ଅଂଚଳର ସବୁଠାରୁ ଦୁରରେ ଏବଂ ସୀମାନ୍ତ ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ଯନ୍ତ୍ରୀ ଏବଂ ଅଣ୍ଡ୍ରାପାଲୀ ପଞ୍ଚାୟତକୁ ଆଜି ବୋଲେ ଡଙ୍ଗା ଏବଂ ବୋଟରେ ହିଁ ଯିବା ଆସିବା କରିଥାନ୍ତି।
ଚିତ୍ରକୋଣ୍ଡାରୁ ପଣସପୁଟ ପର୍ଯ୍ୟନ୍ତ ରାସ୍ତା ରହିଥିବା ବେଳେ ସରକାରୀ ବସ ଯିବା ଆସିବା କରୁଛି। କିନ୍ତୁ ସେଠାରୁ ଅନ୍ୟ ପଞ୍ଚାୟତକୁ ଆଉ ରାସ୍ତା ନଥିବାରୁ ବସ ଚଳାଚଳ ହୋଇପାରୁନଥିବା ଦେଖିବାକୁ ମିଳିଛି। ଯନ୍ତ୍ରୀ ଯିବାକୁ ହେଲେ ଘନବେଡାରୁ ପ୍ରାୟ ୨୫ କିଲୋମିଟର ବୋଟ କିମ୍ବା ଦେଶୀ ଡଂଗାରେ ହିଁ ଯିବାକୁ ପଡୁଛି। ଯଦି ଚିତ୍ରକୋଣ୍ଡାର ସ୍ପିଲଵେରୁ ଯନ୍ତ୍ରୀକୁ ଯିବେ ତେବେ ପ୍ରାୟ ୮୦ କିଲୋମିଟର ବାଟ ପଡିବ। ଡଂଗାରେ ପ୍ରାୟ ୫ରୁ ୬ ଘଣ୍ଟା ସମୟ ଲାଗିବ।ସରକାର ସ୍ବାଭିମାନ ଅଂଚଳବାସୀଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ପହଞ୍ଚାଇଥିବା କହୁଥିବା ବେଳେ ଆଜି ଲୋକେ ଅତି ଦୟନୀୟ ଏବଂ ଅସୁରକ୍ଷିତ ଭାବେ ରହୁଛନ୍ତି। ଏପରିକି ସେତୁ ଯୋଜନାରେ ସରକାର ୨୦୦ କୋଟିରୁ ଊର୍ଦ୍ଧ୍ବ ଟଂକା ଖର୍ଚ୍ଚ କରିସାରିଲେଣି। କିନ୍ତୁ ବିକାଶର ଚିହ୍ନବର୍ଣ୍ଣ ସେଠାରେ ଦେଖିବାକୁ ମିଳିବ ନାହିଁ। ଲୋକେ ଆଜି ବି ଦୟନୀୟ ଜୀବନଯାପନ କରୁଛନ୍ତି।ସରକାର ଯେତିକି ଟଂକା ବିଭିନ୍ନ ବିଭାଗକୁ ନେଇ ଖର୍ଚ୍ଚ କରିଛନ୍ତି ସେଥିରେ ଲୋକଙ୍କର କେତେ ଯେ ବିକାଶ ହୋଇଥାନ୍ତା,କିନ୍ତୁ ବିଭାଗୀୟ ଅଧିକାରଙ୍କର ଖାମଖିଆଲି ମନଭାବ ଯୋଗୁଁ ଅଂଚଳ ଗୁରୁପ୍ରିୟା ସେତୁ ନିର୍ମାଣ ପୂର୍ବରୁ ଯେମିତି ଥିଲା ଆଜି ବି ସେମିତି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ସରକାର ବଦଳି ଥିବା ବେଳେ ଏହି ସରକାର ଅଂଚଳବାସୀଙ୍କ ଭାଗ୍ୟ କେବେ ବଦଳାଉଛନ୍ତି ଦେଖିବାକୁ ବାକି ରହିଲା।

ସୌଜନ୍ୟ-ସମ୍ୱାଦ

Comments are closed.