ସମ୍ପାଦକୀୟ

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି।
ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ ହେଉଛନ୍ତି ସ୍ବାର୍ଥୀ। ସ୍ବାର୍ଥ ପୂରଣ ହୋଇଗଲେ ସେମାନେ ଦୂରେଇ ଯିବେ। ସେମାନଙ୍କ ମତରେ ବିନା ସ୍ବାର୍ଥରେ କୁଆଡ଼େ ମାଆଟି ପିଲାକୁ କ୍ଷୀର ଦିଏ ନାହିଁ କି ପିଲାଟି ମଧ୍ୟ ତା’ ମା’-ବାପାଙ୍କର ଯନତ୍ ନିଏ ନାହିଁ। କେତେବେଳେ ଏହି ସ୍ବାର୍ଥ ଲୌକିକ, ଆର୍ଥିକ ଓ ସମାଜ ସମ୍ବନ୍ଧିତ ହୋଇଥିବା ବେଳେ ଆଉ କେତେବେଳେ ଏହା ରାଜନୈତିକ ଓ କୂଟନୈତିକ ସ୍ବାର୍ଥ ସମ୍ପର୍କିତ ହୋଇଥାଏ। କିନ୍ତୁ ସମ୍ପର୍କର ସୂତାଖିଅକୁ ବଞ୍ଚାଇ ରଖିବା ପାଇଁ ଉଭୟ ସ୍ବାର୍ଥୀ ଏବଂ ପରମାର୍ଥୀ ବନ୍ଧୁଙ୍କର ଯେ ଆବଶ୍ୟକତା ରହିଛି ତାହା ଆମକୁ ବୁଝିବାର ଅଛି। ଦେବହୁତି ଏବଂ କପିଳ ସମ୍ପର୍କରେ ମା’ ଓ ପୁଅ କିନ୍ତୁ କପିଳ ଜଣେ ଗୁରୁଙ୍କ ଭଳି ତାଙ୍କ ମା’ଙ୍କୁ ବିଭିନ୍ନ ଭାବେ ବୁଝାଇ ତାଙ୍କୁ ସାଂସାରିକ ଜଞ୍ଜାଳରୁ ମୁକ୍ତକରି ଆଧ୍ୟାମତ୍ିକ ପଥର ପଥିକ କରାଇବାରେ ସହାୟକ ହୋଇଥିଲେ। ହିରଣ୍ୟକଶିପୁ ନିଜର ସ୍ବାର୍ଥ ପୂରଣ ପାଇଁ ନିଜ ପୁଅକୁ ମାରିବା ଲାଗି ମଧ୍ୟ ପଛାଇ ନ ଥିଲେ କିନ୍ତୁ ପରମାର୍ଥୀ ପୁଅ ପ୍ରହଲ୍ଲାଦ ତାକୁ ବିଭିନ୍ନ ଭାବରେ ବୁଝାଇବା ପାଇଁ ପ୍ରଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ତେଣୁ କିଏ କାହାକୁ ସ୍ବାର୍ଥୀ ଭାବିଥାଏ ଆଉ ପରମାର୍ଥୀ ଭାବେ ତାହାକୁ ବିଚାର କରିବା ଏକ ଗହନ କଥା ବୋଲି ମନେହୁଏ।
ଜଣେ ପ୍ରବଚକ ତାଙ୍କ ପ୍ରବଚନରେ ପ୍ରାୟତଃ ଏହି ସ୍ବାର୍ଥ ଓ ପରମାର୍ଥ ବନ୍ଧୁମାନଙ୍କୁ ନେଇ ଚର୍ଚ୍ଚା କରିଥାଆନ୍ତି। କଥା ଛଳରେ କୁହନ୍ତି, ମା’ ଚାହିଁଥାଏ ପେଟକୁ, ସ୍ତ୍ରୀ ଚାହିଁଥାଏ ଅଣ୍ଟାକୁ ଅର୍ଥାତ୍‌ ମା’ ପୁଅ ଖାଇଛି କି ନାହିଁ ଚିନ୍ତା କରୁଥିବା ବେଳେ ସ୍ତ୍ରୀ ଜଣକ ସ୍ବାମୀ କେତେ ରୋଜଗାର କରି ଘରକୁ ଆଣିଛନ୍ତି ତାହା ବିଚାର କରିଥାଏ। ପିଲା-ଛୁଆ, ଘର-ସଂସାର ସବୁ ସ୍ବାର୍ଥରେ ବନ୍ଧା। ଲୋକଙ୍କ ପାଖରେ କେମିତି ଆଧ୍ୟାମିତ୍କ ଜ୍ଞାନ ପରଷି ଦିଆଯାଇ ପାରିବ, ଆଧ୍ୟାମିତ୍କ ପ୍ରବଚନ କାର୍ଯ୍ୟକ୍ରମ କେମିତି ଆୟୋଜନ ହେବ, ସେ ବିଷୟରେ ଚିନ୍ତା ଓ ଚର୍ଚ୍ଚା କରୁଥିବା ପ୍ରବଚନ ମଞ୍ଚର କର୍ମକର୍ତ୍ତାମାନେ ହେଉଛନ୍ତି ପରମାର୍ଥୀ ବନ୍ଧୁ। କହିବା ବାହୁଲ୍ୟ, ସେହି ପ୍ରବଚକଙ୍କ ଶେଷ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ-ପିଲାଙ୍କ ଛଡ଼ା ଆଉ କେହି ତଥାକଥିତ ପରମାର୍ଥ ବନ୍ଧୁମାନଙ୍କର ଦେଖା ନ ଥିଲା। ଜଣେ ମା ଯେ ଆଉ କାହାର ସ୍ତ୍ରୀ ହୋଇଥାଆନ୍ତି ବା ଜଣେ ସ୍ତ୍ରୀ ଆଉ କାହାର ମା’ ହୋଇଥାଆନ୍ତି ସେ କଥାକୁ ପ୍ରବଚକ ଜଣକ କହିବାକୁ ଭୁଲି ଯାଇଥାଆନ୍ତି ବୋଲି ଶ୍ରୋତାଙ୍କର ମତ।
ସଂସାର ଭିତରେ ଘର କରିଥିଲେ ଉଭୟ ସ୍ବାର୍ଥୀ ଏବଂ ପରମାର୍ଥୀ ବନ୍ଧୁ ଆସିବା ସ୍ବାଭାବିକ। ସମୟକ୍ରମେ ସ୍ବାର୍ଥୀମାନେ ପରମାର୍ଥୀ କିମ୍ବା ପରମାର୍ଥୀମାନେ ସ୍ବାର୍ଥୀ ହୋଇଯିବାର ଅନେକ ଉଦାହରଣ ରହିଛି। ପରିବାର, ଆମତ୍ୀୟସ୍ବଜନଙ୍କର ଆଶା ଆକାଂକ୍ଷା ସବୁକୁ ଆମେ ସ୍ବାର୍ଥ କହିବା କିମ୍ବା ବିବେଚନା କରିବା କିମ୍ବା ସେମାନଙ୍କଠାରୁ ଦୂରେଇ ଯିବା ଅସମୀଚୀନ। ବରଂ ସେମାନଙ୍କୁ ବୁଝି ନିଜର କାର୍ଯ୍ୟପନ୍ଥା ସ୍ଥିର କରିବା ଆବଶ୍ୟକ। ଆମ ପୁରାଣ ଆଖ୍ୟାୟିକା ମାନଙ୍କରେ ରତ୍ନାକର ଦସ୍ୟୁ ବନିବା ପାଇଁ ତାଙ୍କ ପରିବାର ସଦସ୍ୟଙ୍କର ସ୍ବାର୍ଥପରତା କଥାର ଉଦାହରଣ ଦିଆଯାଇଛି। କିନ୍ତୁ ପରିବାର ଲୋକ କ’ଣ ତାଙ୍କୁ ଏହି ଚୋରି, ନରହତ୍ୟା କରି ସେମାନଙ୍କୁ ପ୍ରତିପୋଷଣ କରିବାକୁ ବାଧ୍ୟ କରିଥିଲେ। ସେମାନେ ରତ୍ନାକରକୁ ଦସ୍ୟୁ ପଣିଆରୁ ଦୂରେଇବା ପାଇଁ ପ୍ରଚେଷ୍ଟା କରି ନ ଥିଲେ ନା’ ରନତ୍ାକର ସେମାନଙ୍କ କଥା ଶୁଣି ନ ଥିଲେ। ସେସବୁ ବିତର୍କର ପ୍ରସଙ୍ଗ ନୁହେଁ କି ? ତେବେ ଦସ୍ୟୁ ରନତ୍ାକରରୁ ବାଲ୍ମୀକିକୁ ରୂପାନ୍ତରିତ କରିପାରିଥିବା ଲୋକଙ୍କୁ ଆମେ ନିଶ୍ଚିତ ଭାବେ ପରମାର୍ଥୀର ସଂଜ୍ଞା ଓ ସ୍ବରୂପ ଦେଇପାରିବା।
ଯଦି ଜଣେ ପିଲା କିଛି ନ କରି ଘରେ ବସିରହେ ଏବଂ ସେଥିପାଇଁ ତା’ ବାପା ମା’, ସ୍ତ୍ରୀ ତାକୁ ଗାଳିମନ୍ଦ ଦେଇ ସୁଧାରିବାକୁ ପ୍ରୟାସ କରିଥାଆନ୍ତି ତାହା କ’ଣ ସ୍ବାର୍ଥପରତାର ଲକ୍ଷଣ? ତେଣୁ ସ୍ବାର୍ଥ, ନିଃସ୍ବାର୍ଥ ଏବଂ ପରମାର୍ଥଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିବା କଷ୍ଟକର। ଏକଥା ସତ୍ୟ ଯେ କ୍ଷମତା, ଅର୍ଥ ଓ ପ୍ରତିପତ୍ତି ଥିବାବେଳେ ଯେଉଁମାନେ ଆଗପଛ ହୋଇ ବୁଲୁଥାଆନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବାର୍ଥୀ ଥାଆନ୍ତି କାରଣ ସେଥିରୁ ଟିକିଏ କମିଗଲେ ସେମାନେ ବାଟକାଟି ନିଜ ରାସ୍ତା ନିଜେ ବାଛି ନେଇଥାଆନ୍ତି। ସେମାନଙ୍କର ଦିନର ଚେହେରା ରାତିରେ ନ ଥାଏ କିମ୍ବା ରାତିର କଥା ସକାଳକୁ ମନେ ନ ଥାଏ।
ଅର୍ଣ୍ଣପାଳ, ଭଦ୍ରକ
ମୋ: ୯୭୭୮୭୬୪୩୯୪

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button