Breaking News

ସ୍ବାସ୍ଥ୍ୟ ମନ୍ତ୍ର: ‘ନିରାମିଷ ଭୋଜନ ମନକୁ ଶାନ୍ତି ଦିଏ’

ବ୍ୟାଡମିଣ୍ଟନ୍‌ କୋର୍ଟରେ ସ୍ମାସ୍‌ ମାରି ପ୍ରତିପକ୍ଷକୁ ହରାଉଥିବା ବେଳେ ଆମେ ଭେଟିଥିଲୁ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ। ହାତରେ ସଟଲ୍‌ ଧରି ସେ ଧାଇଁ ଆସିଲେ ବୈଠକଖାନାକୁ।

ସୋମନାଥ ପରିଡ଼ା

ଭୁବନେଶ୍ବର: ବ୍ୟାଡମିଣ୍ଟନ୍‌ କୋର୍ଟରେ ସ୍ମାସ୍‌ ମାରି ପ୍ରତିପକ୍ଷକୁ ହରାଉଥିବା ବେଳେ ଆମେ ଭେଟିଥିଲୁ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ। ହାତରେ ସଟଲ୍‌ ଧରି ସେ ଧାଇଁ ଆସିଲେ ବୈଠକଖାନାକୁ। ଶୀତୁଆ ରାତିରେ ଦେହରୁ ବାହାରୁଥିବା ଗମ୍‌ଗମ୍‌ ଝାଳକୁ ‌ପୋଛୁ ପୋଛୁ ଆରମ୍ଭ ହୋଇଥିଲା ଆମ କଥାବାର୍ତ୍ତା। ବିଧାୟକ/ମନ୍ତ୍ରୀ ହେବା ପରେ ଏବଂ ପୂର୍ବରୁ ସେ ‌କେମିତି ନିଅନ୍ତି ନିଜ ସ୍ବାସ୍ଥ୍ୟର ଯତ୍ନ? କଥାରେ କଥାରେ ବଖାଣି ବସିଥିଲେ ତାଙ୍କ ସୁନ୍ଦର ସ୍ବାସ୍ଥ୍ୟର ରାଜ୍‌।

ସେ କହିଲେ, ମୁଁ ପିଲାବେଳୁ ସକାଳ ୬ଟାରେ ଉଠେ। ନିତ୍ୟକର୍ମ ସାରି ପ୍ରାୟ ଅଧଘଣ୍ଟା ସାଂପ୍ରତିକ ଓ ରାଜନୈତିକ ଓ ଆନ୍ତର୍ଜାତିକ ବିଷୟରେ ପଢ଼େ। ଦିନ ସାରାର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୁଏ। କଲେଜ ସମୟରେ ପ୍ରତିଦିନ ଜିମ୍‌ ଯାଉଥିଲି। ବିଧାୟକ ହେବା ପରେ ଆଉ ଯାଇପାରୁନି। ଏବେ କ୍ବାର୍ଟର୍ସ ପରିସରରେ ଥିବା ଟ୍ରାକ୍‌ରେ ସକାଳୁ କିଛି ସମୟ ଚାଲୁଛି। ସମୟ ମିଳିଲେ ବ୍ୟାଡମିଣ୍ଟନ‌୍ ଖେଳୁଛି। ସକାଳ ସାଢ଼େ ୮ଟା ଭିତରେ ପିଠା, ରୁଟି, ସନ୍ତୁଳା, ଭଜା ଓ ଫଳ ଯାହା ମିଳେ ଖାଇଦିଏ। ୯ଟା ବେଳକୁ ବିଭିନ୍ନ କାମ ନେଇ ଆସିଥିବା ଲୋକଙ୍କୁ ଭେଟେ। ଏହାପରେ ବିଭାଗର କାମ ହେଉ କିମ୍ବା ବିଭିନ୍ନ କାର୍ଯ୍ୟକ୍ରମକୁ ଯିବାକୁ ପଡ଼େ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ଭିତରେ ଖାଇବାକୁ ଚେଷ୍ଟା କରେ। ନିର୍ବାଚନମଣ୍ଡଳୀରେ ଥିବା ବେଳେ ଦିନ ୪ଟା ବି ହେଇଯାଏ। ଘରେ ବୋଉ ହାତ ରନ୍ଧା ଛୁଇଁ ଆଳୁ ତରକାରି, ଶାଗ, ବଡ଼ିଚୁରା, ଡାଲମା ଓ ସନ୍ତୁଳା ମୋର ପ୍ରିୟ। ବୋଉ ଶିକ୍ଷୟିତ୍ରୀ ଥିବାରୁ ସେ ୧୦ଟା ବେଳକୁ ଖାଇକି ସ୍କୁଲ୍‌ ଯାଆ’ନ୍ତି। ପୂର୍ବରୁ ମୁଁ ବି ଦିନ ୧୦ଟା ବେଳେ ଭାତ ଖାଉଥିଲି।

ଖରାବେଳେ ନଶୋଇବାରୁ ପିଲାଦିନେ ମାଡ଼ ଖାଉଥିଲି। ଏବେ ବି ଖରାବେଳେ ମଧ୍ୟ ଶୁଏନି। ସମୟ ମିଳିଲେ କିଛି ସମୟ ପଢ଼ାପଢ଼ି କରେ କିମ୍ବା ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୁଏ। କାରଣ ମୁଁ ବିନା ପ୍ରସ୍ତୁତିରେ ସମୀକ୍ଷା ବୈଠକକୁ ଯାଏନାହିଁ। ଅପରାହ୍ଣରେ ଘରେ ଥିଲେ ଫଳ ଗୋଟେ ଖାଏ। କାର୍ଯ୍ୟକ୍ରମରେ ଥିଲେ ଯାହା ମିଳେ ଖାଇଦିଏ। ସନ୍ଧ୍ୟାରେ ଗ୍ରିନ୍‌ ଟି କିମ୍ବା ଜୁସ୍‌ ପିଏ। ରାତିରେ ଘରେ ଥିଲେ ୯ଟାରୁ ୧୦ଟା ଭିତରେ ରୁଟି ଓ ସନ୍ତୁଳା ଖାଏ। ପୂର୍ବରୁ ରାତି ୧୨ଟା ଭିତରେ ଶୋଉଥିଲି ଏବେ କିନ୍ତୁ ୧୨ଟା ପରେ ଶୋଉଛି। ଦିନେ ଦିନେ ରାତି ୩/୪ଟା ବି ହେଇଯାଉଛି। ମାନସିକ ଶାନ୍ତି ପାଇଁ ସପ୍ତାହକୁ ୩ରୁ ୪ ଥର ପ୍ରାଣାୟମ କରେ। ମହାପୁରୁଷଙ୍କର ସଂଘର୍ଷ ବହି ପଢ଼େ। ଶାରୀରିକ ସୁସ୍ଥତା ପାଇଁ ଉତ୍ତମ ଖାଦ୍ୟର ଆବଶ୍ୟକତା ଅଛି। ମୁଁ ଉପକୂଳିଆ ହୋଇଥିବାରୁ ମାଛ ଖାଇବାକୁ ଭଲ ପାଏ। ହେଲେ ନିରାମିଷ ଅଧିକ ସମୟ ଖାଏ। ନିରାମିଷ ଭୋଜନ ହିଁ ମନରେ ଶାନ୍ତି ଆଣିଥାଏ। ସବୁ ପରେ ପ୍ରତିଦିନ ମୁଁ ଶୋଇବା ପୂର୍ବରୁ ଭଗବାନଙ୍କୁ ଧନ୍ୟବାଦ ଜଣାଏ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.