Breaking News

ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି: ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ସ୍କୋର୍‌

ଏଠାରେ ଗୁରୁବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବରୋଦା ବିଶ୍ବ କୀର୍ତ୍ତିମାନ କରିଛି। ସିକିମ ବିପକ୍ଷ ଏହି ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବରୋଦା ଭାନୁ ପନିଆ (୫୧ବଲ୍‌ରୁ ୧୩୪* ରନ୍‌)ଙ୍କ ଅପରାଜିତ ବିସ୍ଫୋରକ ଶତକ...

ଇନ୍ଦୋର: ଏଠାରେ ଗୁରୁବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବରୋଦା ବିଶ୍ବ କୀର୍ତ୍ତିମାନ କରିଛି। ସିକିମ ବିପକ୍ଷ ଏହି ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବରୋଦା ଭାନୁ ପନିଆ (୫୧ବଲ୍‌ରୁ ୧୩୪* ରନ୍‌)ଙ୍କ ଅପରାଜିତ ବିସ୍ଫୋରକ ଶତକ ବଳରେ ୫ ୱିକେଟ୍‌ ହରାଇ ୩୪୯ ରନ୍‌ କରିଛି। ଯାହା ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବୋଚ୍ଚ ସ୍କୋର୍‌ ‌ହୋଇଛି। ପୂର୍ବରୁ ଏହି କୀର୍ତ୍ତିମାନ ଜିମ୍ବାୱେ (୩୪୪/୪) ନାଁରେ ଥିଲା। ଏଥିସହ ଏହି ମ୍ୟାଚ୍‌ରେ ‌ସର୍ବାଧିକ ୩୭ଟି ଛକା ଦେଖିବାକୁ ମିଳିଛି। ଏହାମଧ୍ୟରୁ ଭାନୁ ୧୫ଟି ଛକା ମାରିଥିଲେ। ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ। ଦୁଇ ଓପନର୍‌ ଅଭିମନ୍ୟୁ ସିଂହ ରାଜପୁତ (୫୩, ୧୭ ବଲ୍‌, ୪ ଚୌକା, ୫ ଛକା) ଓ ଶାଶ୍ବତ ରାୱତ (୪୩, ୧୬ ବଲ୍‌, ୪ ଚୌକା, ୪ ଛକା) ୫.୧ ଓଭରରେ ୯୨ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହାପରେ ଭାନୁ ତୃତୀୟ ଓ ଚତୁର୍ଥ ୱିକେଟ୍‌ରେ ଯଥାକ୍ରମେ ଶିବାଲିକ୍‌ ଶର୍ମା (୫୫, ୧୭ ବଲ୍‌, ୩ ଚୌକା, ୬ ଛକା) ଓ ବିଷ୍ଣୁ ସୋଲାଙ୍କି (୫୦, ୧୬ ବଲ୍‌, ୨ ଚୌକା, ୬ ଛକା)ଙ୍କ ବଡ଼ ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍‌ ୩୦୦ ପାର୍‌ କରିଥିଲେ। ଜବାବରେ ସିକ୍କିମ ୭ ୱିକେଟ୍‌ ହରାଇ ୮୬ ରନ୍‌ କରି ୨୬୩ ରନ୍‌ରେ ହାରିଥିଲା। ସେହିଭଳି ମେଘାଳୟ ବିପକ୍ଷ ମ୍ୟାଚ୍‌ରେ ପଞ୍ଜାବ ତଥା ଭାରତୀୟ ବ୍ୟାଟର୍‌ ଅଭିଷେକ ଶର୍ମା ଟ୍ବେଣ୍ଟି-୨୦ରେ ଦ୍ରୁତତମ ଶତକ ହାସଲ କରିବାର ଭାରତୀୟ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ୨୮ବଲ୍‌ରୁ ଶତକ ଅର୍ଜନ କରି ସେ ଗୁଜରାଟର ଉର୍ଭିଲ ପଟେଲଙ୍କ ସହ ସମକକ୍ଷ ହୋଇଛନ୍ତି। ଉର୍ଭିଲ ଇନ୍ଦୋରରେ ତ୍ରିପୁରା ବିପକ୍ଷରେ ସେହି ୨୮ ବଲ୍‌ରୁ ଶତକ ଅର୍ଜନ କରି ଟ୍ବେଣ୍ଟି-୨୦ରେ ଶତକ ଅର୍ଜନରେ ଦ୍ରୁତତମ ଭାରତୀୟ ହୋଇଥିଲେ। ଆଜି ଖେଳିଥିବା ନିଜ ପାଳିରେ ୨୪ ବର୍ଷୀୟ ଅଭିଷେକ ୨୯ ବଲ୍‌ରୁ ୧୦୬ ରନ୍ କରିଥିଲେ।

ବରୋଦାର ବିଶ୍ବ କୀର୍ତ୍ତିମାନ,
୨୦ ଓଭରରେ କଲା ୩୪୯/୫
ଅଭିଷେକଙ୍କ ଦ୍ରୁତତମ ଶତକ ରେକର୍ଡ

ଚଣ୍ଡିଗଡ଼ଠୁ ହାରିଲା ଓଡ଼ିଶା
କଟ: ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫିରେ ଗୁରୁବାର ଓଡ଼ିଶା ୨ ୱିକେଟ୍‌ରେ ଚଣ୍ଡିଗଡ଼ଠୁ ପରାସ୍ତ ହୋଇଛି। ବିଜୟନଗରମ୍‌ସ୍ଥିତ ଡକ୍ଟର ପିଭିଜି ରାଜୁ ଏସିଏ ସ୍ପୋର୍ଟସ ‌କମ୍ପ୍ଲେକ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍ ହାରି ବ୍ୟାଟିଂ ସୁଯୋଗ ପାଇଥିବା ଓଡ଼ିଶା ୭ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଗୌରବ ଚୌଧୁରୀ (୭୪, ୩୯ ବଲ୍‌, ୪ ଚୌକା, ୬ ଛକା) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେ‌ଳେ ଆଶୀର୍ବାଦ ସ୍ବାଇଁ ୪୩* (୨୨ ବଲ୍‌, ୩ ଚୌକା, ୩ ଛକା) ରନ୍‌ କରିଥିଲେ। ଚଣ୍ଡିଗଡ଼ର ରାଜ ବାୱା, ନିଖିଲ ଶର୍ମା ଓ ଜଗଜିତ ସିଂହ ୨ଟି ଲେଖାଏଁ ୱ‌ିକେଟ୍ ନେଇଥିଲେ। ଜବାବରେ ଗଣ୍ଡିଗଡ଼ ୧୯.୫ ଓଭର ୮ ୱିକେଟ୍ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅମ୍ରିତ ଲାଲ୍ ୫୨ ଓ ଅର୍ସଲାନ ଖାନ ୫୧ ରନ୍ କରିଥିଲେ। ଓଡ଼ିଶାର ଜାମଳା ମହାପାତ୍ର, ରାକେଶ ପଟ୍ଟନାୟକ ଓ ତରଣୀ ସା’ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ସୌଜନ୍ୟ-ସମ୍ୱାଦ

Comments are closed.