Breaking News

ହକି ଇଣ୍ଡିଆ ଲିଗ୍‌: ୧୦ ଦାମୀ ଖେଳାଳିଙ୍କ ଉପରେ ସଭିଙ୍କ ନଜର

ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ ବେଗ ଧରିଛି। ଲିଗ୍‌ର ଶ୍ରେଷ୍ଠ ୧୦ ଜଣ ଦାମୀ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏଥିମଧ୍ୟରେ ଭାରତର ୭ ଜଣ ଖେଳାଳି ଥିବାବେଳେ ଅଷ୍ଟ୍ରେଲିଆ, ଜର୍ମାନୀ ଓ ନେଦରଲାଣ୍ଡ୍‌ସର ଜଣେ ଲେଖାଏ ଖେଳାଳି ଅଛନ୍ତି।

ରାଉରକେଲା: ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ ବେଗ ଧରିଛି। ବିଭିନ୍ନ ଦଳ ପକ୍ଷରୁ ନାମୀଦାମୀ ଭାରତୀୟ ଓ ବିଦେଶୀ ଖେଳାଳି ପ୍ରତିନିଧିତ୍ବ କରୁଛନ୍ତି। ‌ଏଥିମଧ୍ୟରୁ ଶ୍ରେଷ୍ଠ ୧୦ ଜଣ ଦାମୀ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଲିଗ୍‌ର ଶ୍ରେଷ୍ଠ ୧୦ ଜଣ ଦାମୀ ଖେଳାଳିଙ୍କ ମଧ୍ୟରେ ଭାରତର ୭ ଜଣ ଖେଳାଳି ଥିବାବେଳେ ଅଷ୍ଟ୍ରେଲିଆ, ଜର୍ମାନୀ ଓ ନେଦରଲାଣ୍ଡ୍‌ସର ଜଣେ ଲେଖାଏ ଖେଳାଳି ଅଛନ୍ତି। ଦାମୀ ଖେଳାଳି ତାଲିକାରେ ପ୍ରଥମରୁ ଦଶମ ସ୍ଥାନରେ ଯଥାକ୍ରମେ ଭାରତୀୟ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହ(୭୮ ଲକ୍ଷ ଟଙ୍କା), ଅଭିଷେକ ନୈନ୍‌(୭୨ ଲକ୍ଷ), ହାର୍ଦ୍ଦିକ ସିଂହ(୭୦ ଲକ୍ଷ), ଜର୍ମାନୀର ଗୋଞ୍ଜାଲୋ ପିଲାଟ୍‌(୬୮ ଲକ୍ଷ), ନେଦରଲାଣ୍ଡ୍‌ସର ଜିପ୍‌ ଜାନସେନ୍‌(୫୪ ଲକ୍ଷ), ଅମିତ ରୋହିଦାସ(୪୮ ଲକ୍ଷ), ଯୁଗରାଜ ସିଂହ(୪୮ ଲକ୍ଷ), ସୁମିତ ବାଲ୍ମିକି(୪୬ ଲକ୍ଷ), ଅଷ୍ଟ୍ରେଲିଆର ଜେରେମି ହେୱାର୍ଡ‌୍(୪୨ ଲକ୍ଷ) ଓ ସମ୍‌ସେର୍‌ ସିଂହ(୪୨ ଲକ୍ଷ)।

ଶ୍ରେଷ୍ଠ ୧୦ ଜଣ ଦାମୀ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଲିଗ୍‌ର ଶ୍ରେଷ୍ଠ ୧୦ ଜଣ ଦାମୀ ଖେଳାଳିଙ୍କ ମଧ୍ୟରେ ଭାରତର ୭ ଜଣ ଖେଳାଳି ଥିବାବେଳେ ଅଷ୍ଟ୍ରେଲିଆ, ଜର୍ମାନୀ ଓ ନେଦରଲାଣ୍ଡ୍‌ସର ଜଣେ ଲେଖାଏ ଖେଳାଳି ଅଛନ୍ତି। ଦାମୀ ଖେଳାଳି ତାଲିକାରେ ପ୍ରଥମରୁ ଦଶମ ସ୍ଥାନରେ ଯଥାକ୍ରମେ ଭାରତୀୟ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହ(୭୮ ଲକ୍ଷ ଟଙ୍କା), ଅଭିଷେକ ନୈନ୍‌(୭୨ ଲକ୍ଷ), ହାର୍ଦ୍ଦିକ ସିଂହ(୭୦ ଲକ୍ଷ), ଜର୍ମାନୀର ଗୋଞ୍ଜାଲୋ ପିଲାଟ୍‌(୬୮ ଲକ୍ଷ), ନେଦରଲାଣ୍ଡ୍‌ସର ଜିପ୍‌ ଜାନସେନ୍‌(୫୪ ଲକ୍ଷ), ଅମିତ ରୋହିଦାସ(୪୮ ଲକ୍ଷ), ଯୁଗରାଜ ସିଂହ(୪୮ ଲକ୍ଷ), ସୁମିତ ବାଲ୍ମିକି(୪୬ ଲକ୍ଷ), ଅଷ୍ଟ୍ରେଲିଆର ଜେରେମି ହେୱାର୍ଡ‌୍(୪୨ ଲକ୍ଷ) ଓ ସମ୍‌ସେର୍‌ ସିଂହ(୪୨ ଲକ୍ଷ)।

ହର୍ମନପ୍ରୀତ ସିଂହ (ସୁର୍‌ମା ହକି କ୍ଲବ)
ଭାରତୀୟ ଦଳର ସଫଳତମ ଅଧିନାୟକ ତଥା ବିଶ୍ବର ସର୍ବଶ୍ରେଷ୍ଠ ଡ୍ରାଗ୍-ଫ୍ଲିକର୍‌ ୨୮ ବର୍ଷୀୟ ହର୍ମନପ୍ରୀତ ଏଚ୍‌ଆଇଏଲ୍‌ର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ସେ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍‌ରେ ୧୦ଟି ଗୋଲ୍‌ ଦେଇ ଟପ୍‌ ସ୍କୋରର୍‌ ହେବାର ରେକର୍ଡ ନିଜ ନାଁରେ କରିଥିଲେ। ଭାରତକୁ ବ୍ରୋଞ୍ଜ ପଦକ ପ୍ରଦାନ କରିବାରେ ତାଙ୍କର ନେତୃତ୍ୱ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କେବଳ ଜଣେ ସଫଳ ସ୍କୋରର୍‌ଭାବେ ନୁହେଁ, ବରଂ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାର କଳା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର କରିଛି। ୨୦୧୬ରେ ଅଲିମ୍ପିକ୍‌ ପଦାର୍ପଣ କରିଥିବା ହର୍ମନପ୍ରୀତଙ୍କ ନେତୃତ୍ବରେ ଭାରତ ୨୦୨୧-୨୨ରେ ପ୍ରୋ ଲିଗ୍‌ରେ ତୃତୀୟ ସ୍ଥାନରେ ରହିବା ପଛରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ଉକ୍ତ ପ୍ରତିଯୋଗିତାରେ ୧୮ଟି ଗୋଲ୍‌ ଦେଇ ଟପ୍ ସ୍କୋରର ହୋଇଥିଲେ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଦଳର ସଦସ୍ୟ ଥିବାବେଳେ ତାଙ୍କ ନେତୃତ୍ବରେ ଦଳ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ସହ ୨୦୨୨ ଏସିଆନ୍‌ ଗେମ୍‌ସ, ୨୦୨୩ ଓ ୨୦୨୪ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫିରେ ସ୍ବର୍ଣ୍ଣପଦକ ଜିତିଥିଲା।

ଅଭିଷେକ (ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍‌)
ବହୁମୁଖୀ ପ୍ରତିଭା ତଥା ଗୋଲ୍ ସ୍କୋର କରିବାର କ୍ଷମତା, ଏହି ୨୫ ବର୍ଷୀୟ ଫରୱାର୍ଡ‌୍ ଖେଳାଳିଙ୍କୁ ଜଣେ ତାରକାଭାବେ ପ୍ରତିଷ୍ଠିତ କରିପାରିଛି। ଏହି ପ୍ୟାରିସ୍ ଅଲିମ୍ପିକ୍‌ ପଦକ ବିଜେତା ଲିଗ୍‌ର ଦ୍ବିତୀୟ ମହାଙ୍ଗା ଖେଳାଳିଭାବେ ନୂଆ ପରିଚୟ ପାଇଛନ୍ତି। ସେ ଚାପରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନକରି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର କ୍ଷମତା ରଖନ୍ତି। ବିଗତ ଦିନରେ ଖେଳିଥିବା ଏକାଧିକ ପ୍ରତିଯୋଗିତାରେ ଉଭୟ ମିଡ୍‌ଫିଲ୍ଡ ଓ ଫରୱାର୍ଡ‌୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ।

ହାର୍ଦ୍ଦିକ ସିଂ (ୟୁପି ରୁଦ୍ରସ୍‌)
ମାମୁଁ ତଥା ପୂର୍ବତନ ଭାରତୀୟ ଡ୍ରାଗ୍‌ ଫ୍ଲିକର୍‌ ଯୁଗରାଜ ସିଂଙ୍କଠାରୁ ତାଲିମପ୍ରାପ୍ତ ହାର୍ଦ୍ଧିକ ଭାରତୀୟ ଦଳର ସର୍ବଶ୍ରେଷ୍ଠ ମିଡ୍‌ଫିଲ୍ଡରଭାବେ ପରିଚିତ। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ତଥା ଅନ୍ୟାନ୍ୟ ପ୍ରତିଯୋଗିତାରେ ହାର୍ଦ୍ଦିକଙ୍କ ଦ୍ରୁତ ଷ୍ଟିକ୍‌ ଚାଳନା, ସ୍ମାର୍ଟ ଚିନ୍ତାଧାରା ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ଏହି କାରଣରୁ ସେ ନିଜ ପାଇଁ ଗୋଲ୍‌ ସ୍କୋର୍‌ କରିବାର ପର୍ଯ୍ୟାପ୍ତ ସୁଯୋଗ ବି ସୃଷ୍ଟି କରିଥାନ୍ତି।

ଗୋଞ୍ଜାଲୋ ପିଲାଟ (ହାଇଦ୍ରାବାଦ ତୁଫାନ୍ସ)
ଏହି ଜର୍ମାନୀ ଡ୍ରାଗ୍-ଫ୍ଲିକର୍‌ ସବୁଠାରୁ ଦାମୀ ବିଦେଶୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଗୋଞ୍ଜାଲୋ ଜଣେ ପେନାଲ୍ଟି କର୍ଣ୍ଣର୍‌ ବିଶେଷଜ୍ଞଭାବେ ବିଶ୍ବ ହକି ଜଗତରେ ପରିଚିତ। ପେନାଲ୍ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରିବାରେ ସେ ସିଦ୍ଧହସ୍ତ। ୨୦୧୬ ରିଓ ଅଲିମ୍ପିକ୍ସରେ ଆର୍ଜେଣ୍ଟିନାର ଐତିହାସିକ ବିଜୟ ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଉକ୍ତ ପ୍ରତିଯୋଗିତାରେ ‌ସେ ଶ୍ରେଷ୍ଠ ସ୍କୋରର୍‌ ବିବେଚିତ ହୋଇଥିଲେ। ତେବେ ବିବାଦ ଯୋଗୁଁ ଏହି ତାରକା ଡିଫେଣ୍ଡର ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ପରେ ୨୦୨୨ରୁ ସେ ଜର୍ମାନୀର ପ୍ରତିନିଧିତ୍ବ କରୁଛନ୍ତି। ୨୦୨୩ ବିଶ୍ବକପ୍‌ ବିଜୟୀ ଜର୍ମାନୀ ଦଳର ସେ ସଦସ୍ୟଥିଲେ। ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲରେ ଭାରତ ବିପକ୍ଷରେ ବହୁମୂଲ୍ୟ ଗୋଲ୍‌ ଦେଇ ଜର୍ମାନୀକୁ ଫାଇନାଲକୁ ନେଇଥିଲେ।

ଜିପ୍ ଜାନସେନ୍ (ତାମିଲନାଡୁ ଡ୍ରାଗନ୍ସ)
ନେଦରଲ୍ୟାଣ୍ଡର ଏହି ୨୬ ବର୍ଷୀୟ ଡିଫେଣ୍ଡର୍‌ ହକି ଜଗତରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିସାରିଛନ୍ତି। ଗତ ପ୍ୟାରିସ ଅଲିମ୍ପିକ୍‌ରେ ସ୍ବର୍ଣ୍ଣପଦକ ବିଜେତା ଦଳର ହିରୋ ଥିଲେ। ବ୍ୟକ୍ତିଗତ ୫ଟି ଗୋଲ୍ ଦେଇ ନେଦରଲାଣ୍ଡ୍‌ସର ସର୍ବାଧିକ ଗୋଲ୍‌ ସ୍କୋରର୍‌ ହେବାର ଗୌରବ ହାସଲ କରିଥିଲେ। ଆକର୍ଷଣୀୟ ପ୍ରତିରକ୍ଷା ଏବଂ ଗୋଲ୍‌ ସ୍କୋର୍‌ କରିବାର ଦକ୍ଷତା ଯୋଗୁଁ ସେ ହକି ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଅମିତ ରୋହିଦାସ (ତାମିଲନାଡୁ ଡ୍ରାଗନ୍ସ)
ସୁନ୍ଦରଗଡ଼ ମାଟିରେ ଜନ୍ମିତ ଅମିତ ହେଉଛନ୍ତି ଭାରତୀୟ ଦଳର ଅବିଚ୍ଛେଦ୍ୟ ଅଙ୍ଗ। ଉଚ୍ଚକୋଟୀର ପ୍ରତିରକ୍ଷା ପାଇଁ ତାଙ୍କୁ ଭାରତୀୟ ହକି ଦଳର ଅଭେଦ୍ୟ ପ୍ରାଚୀରଭାବେ ବିବେଚନା କରାଯାଏ। ପେନାଲ୍‌ଟି କର୍ଣ୍ଣର୍‌ ସୁରକ୍ଷା ପାଇଁ ସବୁବେଳେ ସେ ହିଁ ଖୋଜାପଡ଼ିଥାନ୍ତି। ସେ ୨୦୨୦ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟଥିଲେ। ଏହାସହ ଏସିଆନ୍‌ ଗେମ୍ସରେ, ୨୦୨୩ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଦଳର ପ୍ରତିନିଧିତ୍ବ କରିଥିଲେ। ୨୦୧୩ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଅମିତ ପରବର୍ତ୍ତୀ ସମୟରେ ଦଳରୁ ବାଦ୍‌ ପଡ଼ିଥିଲେ। ପ୍ରାୟ ୩ ବର୍ଷଧରି ଦଳରୁ ବାହାରେ ରହିଥିଲେ, ତେବେ ହକି ଇଣ୍ଡିଆ ଲିଗ୍‌(୨୦୧୫ରୁ ୨୦୧୭)ରେ ତାଙ୍କର କ୍ରମାଗତ ଆକର୍ଷଣୀୟ ପ୍ରଦର୍ଶନ ପୁଣି ଭାରତୀୟ ଦଳ ପାଇଁ ଦ୍ବାର ଖୋଲିଦେଇଥିଲା।

ଯୁଗରାଜ ସିଂ (ଶ୍ରାଚୀ ରା’ ବେଙ୍ଗଲ୍‌ ଟାଇଗର)
ଯୁଗରାଜ ହେଉଛନ୍ତି ଭାରତୀୟ ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର। ତାଙ୍କର କ୍ରୀଡ଼ାନୈପୁଣ୍ୟ ବେଶ୍‌ ଉଚ୍ଚକୋଟୀର। ନିକଟରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଚୀନ୍ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଗୋଲ୍‌ଦେଇ ଦଳକୁ ଚାମ୍ପିଅନ କରିଥିଲେ। ଏହି ଗୋଲ୍‌ ହିଁ ତାଙ୍କୁ ଏକ ନୂଆ ପରିଚୟ ଦେବାସହ ପ୍ରଶଂସାରେ ପୋତିଦେଇଥିଲା। ସମ୍ଭବତଃ ଏହି ଅବିସ୍ମରଣୀୟ ଗୋଲ୍‌ ପାଇଁ ସେ ଅଧିକ ଦରରେ ବିକ୍ରି ହୋଇଥିଲେ।

ସୁମିତ ବାଲ୍ମୀକି(ହାଇଦ୍ରାବାଦ ତୁଫାନ୍ସ)
ସୋନିପତ ଜନ୍ମିତ ସୁମିତ ହେଉଛନ୍ତି ଭାରତୀୟ ଦଳର ମିଡ୍‌-ଫିଲ୍ଡର। ସେ ୨୦୧୮ କନିଷ୍ଠ ବିଶ୍ବକପ୍‌ ଦଳର ସଦସ୍ୟ ଥିଲେ। ଏହାସହ ପ୍ୟାରିସ୍‌ ଅଲିମ୍ପିକ୍ସ ଓ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଦଳ ପକ୍ଷରୁ ପଡ଼ିଆକୁ ଓହ୍ଲାଇଥିଲେ। ୨୦୨୨ ଏସିଆନ ଗେମ୍‌ସରେ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ। ଏତଦ୍‌ବ୍ୟତୀତ ୨୦୨୧-୨୨ ପ୍ରୋ ଲିଗ୍‌, ୨୦୨୧ ଏସିଆନ ଚାମ୍ପିଅନ୍ସ ଟ୍ରଫି, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସୁଲତାନ ଜୋହର କପ୍‌(୨୦୧୪)ରେ ଭାରତୀୟ କନିଷ୍ଠ ଓ ବରିଷ୍ଠ ଦଳର ପ୍ରତିନିଧିତ୍ବ କରିଥିଲେ। ଚିତ୍ତାକର୍ଷକ କ୍ରୀଡ଼ା ପାଇଁ ୨୦୨୧ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଜେରେମି ହେୱାର୍ଡ (ସୁର୍‌ମା ହକି କ୍ଲବ)
ଅଷ୍ଟ୍ରେଲିଆର ଏହି ତାରକା ଡିଫେଣ୍ଡର ଜେରେମି ଜଣେ ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞଭାବେ ଜଣାଶୁଣା। ସମ୍ଭବତଃ ଏଥିପାଇଁ ଅନ୍ତର୍ଜାତୀୟ ଖେଳାଳି ବର୍ଗରେ ନିଲାମ ପ୍ରକ୍ରିୟାରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପାଇଁ ପ୍ରଥମ ପସନ୍ଦ ଥିଲେ। ସୁରକ୍ଷା ଦିଗରେ ତାଙ୍କର କଳାକୌଶଳ ଉତ୍ସାହଜନକ। ଖାସ୍‌ ଏଥିପାଇଁ ଜାତୀୟ ଦଳର ଗୁରୁତ୍ବପୂର୍ଣ୍ଣ ଖେଳାଳିଭାବେ ବିବେଚିତ ହୋଇଥାନ୍ତି। ଗତ କିଛି ମାସ ହେଲା ଲାଗାତର ଉତ୍କର୍ଷ ପ୍ରଦର୍ଶନ ଯୋଗୁଁ ସେ ପ୍ରଶଂସା ସାଉଁଟିଛନ୍ତି।

ସମ୍‌ଶେର ସିଂ (ଦିଲ୍ଲୀ ଏସ୍‌ଜି ପାଇପର୍ସ)
୨୯ ବର୍ଷୀୟ ସମଶେର୍‌ ହେଉଛନ୍ତି ଭାରତୀୟ ଦଳର ଜଣେ ଗୋଲ୍‌ ସ୍କୋରର୍‌। ଜଣେ ସଫଳ ଫରୱାର୍ଡ‌୍ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ପ୍ରଦର୍ଶନ ମାଧ୍ୟମରେ ସେ ସୁନାମ ଅର୍ଜନ କରିଥିଲେ। ୨୦୧୯ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ସମଶେର୍‌ ସେବେଠାରୁ ଆଉ ପଛକୁ ଫେରିଚାହିଁନାହାନ୍ତି। ସେ ୨୦୨୨ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟଥିଲେ।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.